Unknown

 

 

 

 

 

 

 

 

 

 

 

କବି ବିନୋଦ ଚନ୍ଦ୍ର ନାୟକ

ଅଶ୍ୱିନୀ କୁମାର ମିଶ୍ର

 

ମୁଖବନ୍ଧ

 

ବିନୋଦଚନ୍ଦ୍ର ନାୟକ (୧୯୧୯-୨୦୦୩) ସୁନ୍ଦରଗଡ଼ ଜିଲ୍ଲାର ସଦର ମହକୁମା ପାଖ ନିଆଳିପାଲି ଗ୍ରାମରେ ଗୌନ୍ତିଆ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବାଲ୍ୟ ଓ କୈଶୋର କଟିଥିଲା ସବୁଜ ଅରଣ୍ୟ ଲଳିତ କୋମଳ ପୁଷ୍ପାୟିତ ପ୍ରକୃତିର ନିବିଡ଼ ସାନ୍ନିଧ୍ୟ ମଧ୍ୟରେ । ତାଙ୍କ ରଚନା ମଧ୍ୟରେ ଅଛି, ‘ଚନ୍ଦ୍ର ଓ ତାରା’, ‘ସରୀସୃପ’, ‘ପୋହଳା ଦ୍ଵୀପର ଉପକଥା’, ‘ହୈମନ୍ତୀ’, ନୀଳଚନ୍ଦ୍ରର ଉପତ୍ୟକା’ ଏବଂ ‘ନନ୍ଦାଦେବୀ’ ଇତ୍ୟାଦି । କିଶୋର ବୟସରୁ ଅସ୍ଥିର ହୋଇ ଉଠୁଥିଲେ ସିଏ ସବୁଜ ଅରଣ୍ୟାନି ଓ ସରଳ ଗ୍ରାମବାସୀଙ୍କ ମଧ୍ୟରେ ନୂତନର ଅନ୍ଵେଷଣ ପାଇଁ । ସେଥିପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଅଞ୍ଚଳରେ ଅନେକ କିଛି ପାଇ ମଧ୍ୟ ଆହୁରି ଅନେକ କିଛି ପାଇବା ଆଶାରେ ସବୁବେଳେ ଦିଗ୍‌ବଳୟ ସେପାଖକୁ ଚାହୁଁଥିଲେ ଭୌଗୋଳିକ ସୀମା ସେପାଖର ଅନ୍ୟ ଏକ ପୃଥିବୀ ଦେଖିବା ପାଇଁ । ନୂତନ ଛନ୍ଦ ଓ ଚିତ୍ରକଳ୍ପର ପ୍ରୟୋଗ ଦ୍ଵାରା ତାଙ୍କ ବାଲ୍ୟ କଳାର ନୂତନତ୍ଵ ତାଙ୍କ କବିତାଗୁଡ଼ିକୁ କରିଛି ଲାଳିତ୍ୟମୟ’ । ‘ନୀଳଚନ୍ଦ୍ରର ଉପତ୍ୟକା’ କବିତା ସଂକଳନରେ କବିଙ୍କ ସମ୍ବନ୍ଧରେ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି: ‘‘ଜୀବନର ନାନା କ୍ଲେଦାକ୍ତ ଅନୁଭୂତି ଓ ଦୁନିର୍ବାର ମୁକ୍ତିର ଆକୃତି ବିନୋଦ ନାୟକଙ୍କ ଆଙ୍ଗିକରେ ଆଣିଛି ସୁଦୂରତା ଓ ବ୍ୟାପକର ଇଙ୍ଗିତ-। ବିନୋଦ ନାୟକଙ୍କ କବିତା ଯଥାର୍ଥରେ ସୁଦୂରର ସଙ୍ଗୀତ । ତେଣୁ ଦେଶ କାଳ ପାତ୍ରର ସୀମା ଛାଡ଼ି ବିନୋଦ ବାବୁଙ୍କ କବିତାରେ ଅଛି ନୂତନ ଜାତି, ନୂତନ ପ୍ରକୃତିର ସନ୍ଧାନ’’ । ନୂତନ ଛନ୍ଦ ଓ ଚିତ୍ର କଳ୍ପ ପ୍ରୟୋଗରେ ତାଙ୍କର କୃତିତ୍ୱକୁ ଅସ୍ଵୀକାର କରି ହେବ ନାହଁ । ସେ ଲେଖିଛନ୍ତି: ‘ସନ୍ଧ୍ୟାର ଆକାଶ, ଗୁଜୁରାଟୀ ରମଣୀର ପାଲଟା ଶାଢ଼ୀ ପରି ସଫେଦ ଛାୟାପଥ ଅତି ପରିଚ୍ଛନ୍ନ । ଦିଗତଳେ ବାଇଗେଣି ସ୍ୟାହି ପରି ସ୍ଵଚ୍ଛ ମେଘ ମାୟା, କଫି ଓ ବାଦାମୀ ବନ ପରି ବ୍ୟାପ୍ତ ଗୋଦାବରୀ ତଟ ଯାଏ’ ।

 

କିନ୍ତୁ ଆଧୁନିକ ଓ ପୁରାତନ ଐଶୀଚେତନା କିପରି ତାଙ୍କରି କବିତାରେ ନୂତନତ୍ୱର କଳା ନେଇ ପ୍ରକାଶିତ ହୋଇଥିଲା ଏବଂ ମିଥ୍‌ର ପ୍ରୟୋଗ ଦ୍ଵାରା କିମ୍ବଦନ୍ତୀର ଉଲ୍ଲେଖ କବିତାକୁ ପ୍ରାଣବନ୍ତ କରିଥିଲା ତାହାର ଆଭାସ ରହିଛି ଏଠାରେ :

 

ତୁମେ କିନ୍ତୁ ଚଳ ଦେବଦଳନର ରଥେ

ବଡ଼ଦାଣ୍ଡେ ନାଗରା ବଜାଇ

ଅଗ୍ରେ ବଳଭଦ୍ର ପଛେ ଭାଇ ଜଗନ୍ନାଥ

ମଧ୍ୟରେ ସୁଭଦ୍ରା ଦେଇ

ହୋଇ ସୁନାବେଶ

ଅଙ୍ଗେ ହରିଦ୍ରା ଲେପନ ଲଲାଟେ ସିନ୍ଦୂର ।

 

ସୁନ୍ଦରଗଡ଼ ଆଖପାଖର ବଣ ପାହାଡ଼, ନିର୍ଝରିଣୀ, ସୁଷମାମୟ ପରିବେଶ ତାଙ୍କୁ କିପରି କୈଶୋରରେ ମୁଗ୍ଧ ମୋହିତ କରୁଥିଲା କବିତାମାନଙ୍କରେ ତାହାର ଅନେକ ଦୃଷ୍ଟାନ୍ତ ରହିଛି । ‘ମୂଲିଆର ଆଖି ନେଇ’ ବିନୋଦ ଚନ୍ଦ୍ର ଦେଖିଥିବା ଅଗଣିତ ଲୋକଙ୍କ ଚାହାଣିରୁ ବେଶ୍‌ ବୁଝି ପାରୁଥିଲେ ସେମାନଙ୍କର ଜୀବନ ସଂଗ୍ରାମର କାହାଣୀ । ସେଥିପାଇଁ ସମୀକ୍ଷକମାନେ କହିଛନ୍ତି ଯେ–‘ଏହି କବିତାଟି ବିନୋଦ ନାୟକଙ୍କ ଉତ୍‌କ୍ଷେପଣ କେନ୍ଦ୍ର’ । ବିନୋଦ ନାୟକଙ୍କ ଅନୁସନ୍ଧାନ, ଅସନ୍ତୋଷ ଏବଂ ନୂତନକୁ ଆବିଷ୍କାର କରିବା ପାଇଁ ବ୍ୟାକୁଳତା ତାଙ୍କୁ ଦେଇଛି ଭିନ୍ନ ଆସନ । ସାମ୍ରାଜ୍ୟବାଦୀ ଶାସକଙ୍କର ଷଡ଼ଯନ୍ତ୍ର ଯୋଗୁ ଭାଷା ବିପନ୍ନ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଦୁର୍ଦ୍ଦଶା ବିଷୟରେ ସେ ସଚେତନ ଥିଲେ ଏବଂ ମାତୃଭାଷା ଓ ମାତୃଭୂମି ସପକ୍ଷରେ ବଳିଷ୍ଠ ଯୁକ୍ତି କରିଥିଲେ । ଦୀର୍ଘ ସମୟ ଭାଷା ଆନ୍ଦୋଳନ ପରେ ସମ୍ବଲପୁର ଓ ପଶ୍ଚିମାଞ୍ଚଳ ଛତିଶଗଡ଼ରୁ ଆସି ଓଡ଼ିଶାରେ ମିଶିଲା । ବିନୋଦ ବାବୁଙ୍କ ଦେଶ ପ୍ରୀତି ତାଙ୍କ ସରଳ ବ୍ୟକ୍ତିତ୍ଵକୁ ଅଧିକ ପ୍ରଜ୍ଞାଦୀପ୍ତ କରିଥିଲା ।

 

ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ବିନୋଦ ଚନ୍ଦ୍ର ନାୟକଙ୍କ ସାହିତ୍ୟ ସାଧନା, ବାଙ୍‌ମୟ ଅନୁଭୂତି ଏବଂ ଜୀବନର ତିକ୍ତ ମଧୁର ଉପଲବ୍ଧି ଏବଂ ତାଙ୍କ ମାନବିକ ଦୃଷ୍ଟିକୋଣ ସମ୍ବନ୍ଧରେ ତଥ୍ୟ ସମ୍ବଳିତ ଚିତ୍ର ଉଲ୍ଲେଖ କରିଛନ୍ତି । ଲେଖକଙ୍କ କଲମରେ ବିନୋଦ ଚନ୍ଦ୍ର ନାୟକଙ୍କ ପୂର୍ଣ୍ଣାଙ୍ଗ ଚିତ୍ର ଏବଂ ବିଷୟ ବସ୍ତୁର ପ୍ରକାଶନ ଶୈଳୀ ଯେ ଏ ପୁସ୍ତକକୁ ଅଧିକ ପାଠକପ୍ରିୟ କରିବ ଏହି ଆଶା ରଖି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।

 

ସାତକଡ଼ି ହୋତା

ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

ସୂଚୀପତ୍ର

 

୧.

କବିଙ୍କ ଆଦ୍ୟ ଜୀବନ

୨.

ଯୁବାବସ୍ଥା ଓ ଉଚ୍ଚଶିକ୍ଷା

୩.

ପ୍ରାରମ୍ଭିକ କବି ଜୀବନ

୪.

‘ନୀଳଚନ୍ଦ୍ରର ଉପତ୍ୟକା’ ଓ କବି

୫.

ଉତ୍ତର ଷାଠିଏ ଓ ‘ସାତ ତାରାର ଦୀପ’

୬.

ଇଳାବୃତ୍ତ ଓ କବି

୭.

‘ନନ୍ଦାଦେବୀ’ର କବି

୮.

‘ସରୀସୃପ’ ଓ କବି ବିନୋଦ ଚନ୍ଦ୍ର

୯.

‘ପୋହଳା ଦ୍ଵୀପର ଉପକଥା’ ଓ କବି

୧୦.

‘ଅନ୍ୟ ଏକ ଅସର୍‌ପି’ ଓ କବି

୧୧.

ବିନୋଦଙ୍କ ସାହିତ୍ୟିକ ବିଶେଷତ୍ୱ

୧୨.

ବିନୋଦଙ୍କ କବିତାରେ ଗ୍ରାମୀଣ ପରିଚର୍ଯ୍ୟା

୧୩.

ସୃଜନର ଅନ୍ତିମ ପଯ୍ୟାୟ

୧୪.

‘ଉଲ୍ଲଂଗ ରୁଦ୍ର’ ଓ କବି

୧୫.

ସର୍ବ ଭାରତୀୟ ପୃଷ୍ଠଭୂମିରେ କବି

Image

 

କବିଙ୍କ ଆଦ୍ୟ ଜୀବନ

 

ବିନୋଦ ଚନ୍ଦ୍ର ନାୟକଙ୍କ ଜନ୍ମ ୫ ନଭେମ୍ବର ୧୯୧୯ରେ ସୁନ୍ଦରଗଡ଼ ସଦର ମହକୁମା ନିକଟସ୍ଥ ତେଲିପାଲି, ନିଆଳିପାଲି ଗ୍ରାମରେ । ପିତା ନାରାୟଣ ଚନ୍ଦ୍ର ନାୟକ ଓ ମାତା କସ୍ତୁରୀ ଦେବୀଙ୍କ ଔରସରୁ ଜାତ ଏଇ ବ୍ୟକ୍ତିସତ୍ତାଟି ଯେ ଦିନେ ସମଗ୍ର ଓଡ଼ିଆ ପାଠକ ପାଠିକା ସମାଜରେ ଆଦୃତ ହେବ, ଏହା ହୁଏତ, ସେତେବେଳେ କେତେକଙ୍କ କଳ୍ପନା ବାହାରେ ଥିଲା ।

 

ସେ ସମୟ ଥିଲା ଭାରତ ତଥା ଓଡ଼ିଶା ପାଇଁ ହୀନମନ୍ୟତାର ସମୟ । ବ୍ରିଟିଶରାଜ ସାଙ୍ଗକୁ ଗଡ଼ଜାତ ଶାସନର ଦୋଛକିରେ ପ୍ରଜାସମାଜ ଶଙ୍କାକୁଳ ଭାବେ ଜୀବନ ଅତିବାହିତ କରିବା ସ୍ଵାଭାବିକ । ଆଜିର ପରିବର୍ତ୍ତିତ ସମୟରେ ଗାଆଁମାନଙ୍କର ରୂପ ପ୍ରାୟତଃ ବଦଳିଯାଇଛି । ଗାଆଁକୁ ଗାଆଁ ପିଚୁ, ସିମେଣ୍ଟ, ମେଟାଲ୍‌ ରାସ୍ତା । ରାସ୍ତା କଡ଼ରେ ବିଜୁଳି ଆଲୁଅ, ପିଇବା ପାଣି ପାଇଁ ପାଇପ୍‌ ତଥା ବୋର୍‌ଓ୍ୱେଲ୍‌ ମାଧ୍ୟମରେ ଜଳଯୋଗାଣ ବ୍ୟବସ୍ଥା, ଶିକ୍ଷାନୁଷ୍ଠାନମାନଙ୍କର ସୁଦୃଶ୍ୟ କୋଠରୀ, ଡାକ୍ତରଖାନା ଗୁଡ଼ିକରେ ଅତ୍ୟାଧୁନିକ ଶୈଳୀରେ ଚିକିତ୍ସା ପ୍ରଦାନ ଏ ସବୁ ସେତେବେଳେ କୌଣସି ଗାଆଁରେ ସମ୍ଭବ ହେଉ ନ ଥିଲା । ତେଲିପାଲି ଗାଆଁରେ ଏକ ଗୌନ୍ତିଆ ପରିବାରରେ କବିଙ୍କ ଜନ୍ମ । ମାଫିଦାର୍‌, ଇନାମ୍‌ଦାର୍‌, ଜମିଦାର ଭଳି ସେମାନେ ନିଃଶୁଳ୍କ ଜମି ଉପଭୋଗ କରିବା ସାଙ୍ଗକୁ ଗାଆଁରେ ପ୍ରତିପତ୍ତିଶାଳୀ ଭାବେ ପରିଗଣିତ ହେଉଥିଲେ ସୁଦ୍ଧା ଅଧୁନା ଜୀବନ ଶୈଳୀ ଆଗରେ ସେ ବେଳର ଗାଆଁ, ଯାହା କବିଙ୍କ ନିଜ ଭାଷାରେ ‘‘ପରମ୍ପରା ପୀଡ଼ିତ ଅବକ୍ଷୟ ଉନ୍ମୁ‌ଖ ବୁନିୟାଦୀ ଚାଲ୍‌ର ଏକ ଗୌନ୍ତିଆ ପରିବାରରେ ମୋର ଜନ୍ମ । ବର୍ଷସାରା ନୃତ୍ୟ ଗୀତ ପୁରାଣ ପାଠ ଓ ଅତିଥି ଅଭ୍ୟାଗତଙ୍କ ସମାରୋହରେ ଅତିବାହିତ ହୁଏ ମୋର ପିତୃକୁଳ ପୁରୁଷଗଣଙ୍କର । ପୁରୋହିତ, ପଣ୍ଡା, ଗାୟକମାନଙ୍କୁ ପାଟଯୋଡ଼, ସୁନାକୁଣ୍ଡଳ, ବିଦାକି ଦ୍ୱାରା ସମ୍ମାନିତ କରାଯାଏ । ଜଣେ ଆଶୁ କବିଙ୍କୁ ଏତଦ୍‍ ସହ ଏକ ଅଶ୍ଵ ମଧ୍ୟ ପ୍ରଦାନ କରାଯାଇଥିବାର ମୁଁ ଦେଖିଛି ।’’

 

ବିନୋଦଙ୍କ ପିତା ତାଙ୍କ ପରିବାର ମଧ୍ୟରେ ଥିଲେ ସର୍ବ କନିଷ୍ଠ । ସେ କିନ୍ତୁ ଏସବୁ ପାଲା ସଂଗୀତ ଗାନକୁ ମୁଗ୍ଧ ଦୃଷ୍ଟିରେ ଚାହୁଁ ନ ଥିଲେ । କବି ନିଜ ପିତାଙ୍କ ଚିନ୍ତାଧାରା ମନେପକାଇ କହନ୍ତି: ଏସବୁ କି କବି ? ପୁଷ୍ପେଷୁ ଚମ୍ପା, ନଗରୀଷୁ ଲଙ୍କା, ନଦୀଷୁ ଗଙ୍ଗା, ନୁପତିଷୁ ରାମ, ନାରୀଷୁ ରମ୍ଭା, ପୁରୁଷେଷୁ ବିଷ୍ଣୁ, କାବ୍ୟେଷୁ ମାଘ କବି କାଳିଦାସଃ କହିଛନ୍ତି ‘ଅନ୍ନ ଚିନ୍ତା ଚମତ୍କାର, କାତରେ କବିତା କୃତଃ’ ।

 

କବିତା ମାର୍ଗରେ ଅନୁଧାବିତ ଏକ ସଂସାରକୁ ସରସ ସୁନ୍ଦର ଭାବ ତା’ ଭିତରେ କବି ଓ ତା’ ପରିବାରବର୍ଗ ସମସ୍ତେ ସମଭାବାପନ୍ନ ହୋଇ ବାଣୀ ନିରାଜନାକୁ ଆଦରିନେବେ, ଏଭଳି ଅପେକ୍ଷାକୃତ ଅଭିଜାତ ଜୀବନଯାତ୍ରାର ପଥିକ ହେବା ବୋଧେ ତେଲିପାଲି ଗୌନ୍ତିଆ ପରିବାରର ଦାୟାଦ ଭାବେ ତାଙ୍କ ପିତାଙ୍କ ପାଇଁ ବିଡ଼ମ୍ବନା ଥଲା । ଇବ୍‌ ନଦୀକୂଳର ସେଇ ଗାଆଁଟିର ସବୁଜ ଧାନକିଆରିରେ ଫସଲକୁ ଆଉଁଶିଦେବା ପାଇଁ ଯେଉଁ ହାତ ଲମ୍ୱିଯାଏ, ସେଇ ହାତ ଏକ କର୍ମପଦ୍ଧତିର କାୟା ବଦଳେଇ ଲଙ୍ଗଳ କଣ୍ଟି ଛାଡ଼ି କଲମ ଧରିବ, ଏଇ ଭାବନା ବୋଧେ ସେତେବେଳେ ବିନୋଦଙ୍କ ପାଇଁ ସୁଦୂର ପରାହତ ଥିଲା । କିନ୍ତୁ ସେ ଚାହିଁଲେ ପିଲାବେଳୁ କବି ହେବାକୁ ଏବଂ ହେଲେ ମଧ୍ୟ ।

 

ଏଇଠି ପ୍ରଶ୍ନ ଉଠେ ‘ଅନ୍ନ ଚିନ୍ତା ଚମତ୍କାର’ ଧ୍ଵନିର ଭଉଁରୀରେ ଉବୁଟୁବୁ ହେଉଥିବା ମଣିଷଟିଏ କ’ଣ ସୁନ୍ଦର କବିତାଟିଏ ଲେଖିପାରିବ ? ବଂଶୀଟିଏ ତାଳ ଓ ଲୟରେ ବଜେଇ ପାରିବ-? ମୃଦଙ୍ଗଟିଏ ତା’ ଧିନଖିଟା ତାଧିନା ଛଟକରେ ଶ୍ରଦ୍ଧାୟିତ କରିପାରିବ ଭୂ-ମଣ୍ଡଳକୁ । ଜୀବନର ହାଡ଼ଭଂଗା ଖଟଣି ଆଗରେ ଏସବୁକୁ ନେଇ ଜଣେ ବାସ୍ତବରେ ବଢ଼ି ପାରିବ ଆଗକୁ...ଆଗକୁ । ତେଣୁ ବିଶ୍ଵକବି ରବୀନ୍ଦ୍ରନାଥ ହୁଅନ୍ତୁ କି କବି ବିନୋଦ ନାୟକ ହୁଅନ୍ତୁ ଜମିବାଡ଼ିର ଏକ ସୁସଜ୍ଜିତ ବେଢ଼ଣ ଭିତରୁ ହୁଏତ ସେମାନେ ଅନେଇ ପାରିଲେ ଦୂର ଦିଗ୍‌ବଳୟକୁ.. ତା’ କୋଳରେ ଝିକିମିକି କରୁଥିବା ନକ୍ଷତ୍ରମାନଙ୍କୁ । ଦଣ୍ଡକିରି ମାଛ ଭୋଦୁଅ ମାସ ପାଣିସୁଅରେ ଏ କିଆରିରୁ ଖସି ଆର କିଆରି, ଆର କିଆରିରୁ ଆର କିଆରି ଏମିତି ପହଁରୁଥିଲେ ବି ଧରାପଡ଼ିଯିବ ଗୌନ୍ତିଆ ପୁଅ ଖେଳେଇ ଥିବା ‘ଚୁରିଆ’ ଅର୍ଥାତ୍‌ ଖାଳେଇଥିରେ । ମଧ୍ୟାହ୍ନରେ ମାଛ ବେସର, କଖାରୁ ଶାଗ, ଆମ୍ବିଳ, କରଡ଼ି ଖଟା । ଗୌନ୍ତିଆଣୀ ଘରେ ରୋଷେଇ ବାସ କରିବାକୁ, ଘର ଓଳେଇବାକୁ ବଳଦଙ୍କୁ ପଘାରୁ ଫିଟେଇ ‘ଅରେତତ୍‌’ କହି ଗାଆଁ ଦାଣ୍ଡକୁ ନେଇ ଯିବାକୁ କ’ଣ ଲୋକବଳର ଅଭାବ ? ନା, ମୋଟେ ନ ଥିଲା ସେତେବେଳେ । କବି ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଭାଷାରେ ସେ ବେଳର ମଫସଲି ହେବାରେ ଯେଉଁ ଆରୋହୀ ଉଲ୍ଲାସ ଥିଲା । ଏବେ ସହରୀ ହେବାରେ ସେ ସୁଆଦ କାହିଁ ? × ଇବ୍‌ ନଈ ପଠାରେ ଜଡ଼ା, ସରସତିଆର ମୁଗ ନୂଆଁକଟା ପେଟରେ କୁସାରି (ଆଖୁ) ଖାରିମାଲରେ ଉଲି (ପିଆଜ) ଟିକାଏତ ଭାଗରେ ଚିନାମାଲି ଧାନ ସେମାନଙ୍କୁ ବଡ଼ କରିଥିଲା କାହୁଁ ପାଇବ ସେ ସୁଖ ? ସେ ଖିଆପିଆ କୁଣିଆ ଚରଚା ? ଖାଣ୍ଟି ଗୁଆ ଘିଅରେ ଛଣା କାକରା ପିଠା । ମୁଗ ତିଖିରି (ଖିରି) । ଘର ବାଡ଼ିର ବତିଶା କଦଳୀ’ ।

 

ଏଇ ଚଳନ୍ତି ସୁଖର ଢାଲ ଭିତରେ ବିନୋଦଙ୍କ ପିଲାଦିନ । ବେଶ୍‌ ସିମେଣ୍ଟର ହବଲି (କୋଠା) ଘର । ଚଉତରାରେ ତୁଳସୀ ଓ ବାଡ଼ିରେ ଆମ୍ବ, ପଣସ, ଜାମୁ ସାଙ୍ଗକୁ ତେଣ୍ଡା ଝୁଲୁଥିବା ପଥରବସା କୂଅଁ । ମଝିମଝିରେ ଚୂନଲିପା ହେଉଥିବା ଦିମହଲା ଘର । ଗାଆଁର ଅନ୍ୟ କୁଡ଼ିଆ, ମାଟିଝାଟି ଘରଠୁ ସଂପୂର୍ଣ୍ଣ ଅଲଗା । କାଁ ଭାଁ ଘାସଲଟା । ସଫା କରିବାକୁ ଦାଆ ଧରିଥିବା, ଲେଙ୍ଗୁଟି ମରା ଦି, ଚାରି ଜଣ । ସଂଧ୍ୟା ହେଲାକ୍ଷଣି କୁଆଡୁ ଝପଟି ଆସନ୍ତି ବାଦୁଡ଼ିମାନେ । ଫଡ଼୍‌ଫଡ଼ାନ୍ତି ରାସ୍ତା ନ ପାଇ ଘରଟିରେ । ଅଦୂରବର୍ତ୍ତୀ ତାଳ ଗଛର ମଥାନରୁ ଡେଣା ଝଫଟାନ୍ତି ଠିକ୍‌ ସୂରୁଜ ଡୁବିଲା ପରେ ପରେ । ପାରା, ମଇନାଙ୍କ ମେଳଣରେ ବିନୋଦ ଦେଖନ୍ତି ନିଜ ଘରକୁ । କେଉଁଠି ସିମେଣ୍ଟ ଖସି କାନ୍ଥରୁ ଶିଉଳି ଉଠୁଛି, ଆଉ କେଉଁଠି ଚଢ଼େଇଙ୍କ ମଳରୁ ଗଜୁରି ଉଠିଛି ପିପ୍‌ପଳ ଚାରାଟିଏ । କବି ମଙ୍ଗଳୁ ଚରଣଙ୍କ ଭାଷାରେ ‘‘ଗାଁକୁ ସଂଜ ଆସିଲେ, ପହିଲେ ସେଇଠିକୁ ଆସେ । ପାଣିଚିଆ ଅନ୍ଧାର ଭିତରେ ପୋକ, ଯୋକ, ଚଢ଼େଇ ଚିରଗୁଣୀ, ସାପ, ବାଘ ସଂସାରର ଯେଉଁ ଛପନ କୋଟି ଜୀବ ଅଛନ୍ତି, ସଭିଏଁ ଧାଇଁ ଆସନ୍ତି ସେଠାକୁ’’ । ବିନୋଦ ହୁଏତ ଭୟପାଇ ଦଉଡ଼ିଥିବେ ମା’ଙ୍କ କୋଳରେ ମୁହଁ ଲୁଚେଇବାକୁ । ସଂଧ୍ୟାରେ ନିରେଖିଥିବେ ଆକାଶକୁ । ଝିକିମିକି ତାରାଙ୍କ ଭିତରେ ଝୁଲୁଥିବା ଅଷ୍ଟମୀ ଜହ୍ନକୁ । ବିଶେଷତଃ ବିଜୁଳି ନଥିବା ଘର । କିମ୍ବା ଗାଆଁରେ ଏମାନଙ୍କୁ ସ୍ପଷ୍ଟ ଚିହ୍ନିହୁଏ । ପୁଣି ଉତ୍ସୁକ ହେଇ ଅନେଇବାକୁ ପଡ଼େ, ଜୁଳୁଜୁଳିଆ ପୋକଙ୍କର ମୁହୁଁମୁହୁଁ ଆଲୁଅ ବିତରଣକୁ । ପଶ୍ଚିମ ଓଡ଼ିଶାର କୌଣସି ଏକ ଗ୍ରାମୀଣ ଦୃଶ୍ୟ, ଅନ୍ୟ ଗାଆଁଠୁ ଏମିତି ପୃଥକ୍‌ ନୁହେ । ପାଖାପାଖି । ହୁଏତ ଶଗଡ଼ ଚକ ମାଳ, ସମତଳ ଭେଦରେ କିଛିଟା ବଡ଼ସାନ ଦିଶୁଥାଇପାରେ; କିନ୍ତୁ ସେମାନଙ୍କ ଆବିର୍ଭାବ ଗାଆଁ ଦାଣ୍ଡରେ ସେ ସମୟର ଗାଆଁଟିରେ ଏହା ଯେ ଏକ ସ୍ଵାଭାବିକ ଦୃଶ୍ୟ ଏହା ନିଃସନ୍ଦେହ ।

 

ପାଞ୍ଚବର୍ଷ ବୟସରେ ବିନୋଦଙ୍କ ନାମ ଲେଖା ହୁଏ ନିଜ ଗ୍ରାମସ୍ଥିତ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ । ସେତେବେଳେ କେଇ ଜଣ ମାତ୍ର ଛାତ୍ର । ଛାତ୍ରୀଙ୍କ ଉପସ୍ଥାନ ବିରଳ । ଦିନକର କଥା, ସ୍କୁଲକୁ ନିମନ୍ତ୍ରିତ ହେଇ ଆସିଥାନ୍ତି ଜଣେ ବିଜ୍ଞଜନ, ପେଷାଦାରୀ ପଣ୍ଡିତ । ସେ ‘ପୁରୀବାସୀ’ ନାମଧେୟ ଏକ ସାପ୍ତାହିକ ପତ୍ରିକା ସଂପାଦନା କରୁଥିଲେ । ତାଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ସମସ୍ତ ଛାତ୍ରଛାତ୍ରୀଙ୍କୁ ଡକେଇଲେ । ସମସ୍ତଙ୍କୁ କାଗଜ ଖଣ୍ଡେ ଲେଖା ଦିଆଗଲା । ଯେଉଁଥିରେ ଲେଖାଥିଲା ଗଣେଶଙ୍କ ବନ୍ଦନା ସମ୍ବଳିତ ବିଭିନ୍ନ ଛାନ୍ଦଗୀତ । କିନ୍ତୁ କୌଣସି କାରଣବଶତଃ ବିନୋଦଙ୍କୁ ସେଇ ସୁଯୋଗରୁ ବଞ୍ଚିତ କଲେ ପ୍ରଧାନ ଶିକ୍ଷକ । ଏହା ବାଳୁତ ବିନୋଦଙ୍କୁ ବହୁତ ବାଧିଲା । ତାଙ୍କ ନିଜ ଭାଷାରେ ‘‘ଅଭିମାନ ଈର୍ଷା ଓ କ୍ରୋଧରେ ମୁଁ ବାରଣ୍ଡାର ଏକ ପ୍ରାନ୍ତରେ ବସି କାନ୍ଦିବାକୁ ଲାଗିଲି । ମୋ ଠାରୁ ବୟସରେ ଛୋଟ ଏକ ସହପାଠିନୀ ଡାକନାମ ଝୁମା ଆସି ପହଞ୍ଚିଲା । ଝୁମା ଅତ୍ୟନ୍ତ ଅପରିଛନ୍ନ ରହୁଥିଲା । ମୁଣ୍ଡରେ ଉକୁଣି ଓ ନାକ କଣରେ ଶିଂଘାଣୀ ପାଇଁ ମୁଁ ତାକୁ ଅନେକ ଥାପ୍ପଡ଼ ଦେଇଛି । ସେ କିନ୍ତୁ ସାହସର ସହିତ କହିଲା ଦାଦା ! (ବଡ଼ ଭାଇ ପାଇଁ ଏହା ହିଁ ସମ୍ବୋଧନ) ଛି ତୁ କାନ୍ଦୁଛୁ । ଗୀତ କାଗଜ ଦେଲେ ନାହିଁ ମାଷ୍ଟର ବୋଲି । ଆମେ ଝିଅମାନେ ହୁମନୁନ ଖେଳିଲାବେଳେ ମୁହେଁ ମୁହେଁ ଗୀତବାନ୍ଧୁ । ତୁ’ ଗୋଟିଏ ବାନ୍ଧି ଦେଉନୁ-ମୁଁ ଗାଇବି । ତୁ’ତ ପୁଅପିଲା । ଝିଅକି ? ଅନ୍ଧାରୁଆ କୋଠରୀର ଝରକା କିଏ ଖୋଲିଦେଲା ପରି ବୋଧ କଲି । ବାସ୍‌, ଏଭଳି ଏକ ସନ୍ଦିକ୍ଷଣରେ ବିନୋଦଙ୍କ କବିତ୍ୱର ପ୍ରାଗ୍‌ସ୍ଫୁଟନ । ଯେମିତି ଅନେଇ ରହିଥିଲା କାଳ୍ପନିକ ବିତୃଷ୍ଣା ଓ ଏକ ଅନାବିଳ ସମାରୋହର ଗତିପଥକୁ । ଉଜାଣି ଫିଟିଗଲା । ହୁଏତ ନିଜ ଅଜାଣତରେ, ଜାଣତରେ । ସେ ଦିନ ଗାଆଁ ଖୁଲି (ମଝିରାସ୍ତା) ପୁଣି ଥରେ କାନେଇଲା, ବହୁ କାଳରୁ ଗଡ଼ି ଆସିଥିବା କେଉଁ ଲୋକ କବିର ସଙ୍ଗୀତାଂଶକୁ ଯାହା ତା’ ବାଲ୍ୟବାନ୍ଧବୀ ଝୁମା ଓ ଅନ୍ୟ ସାନ ସାନ ଲାଜକୁଳୀ ଝିଅମାନେ ‘କପଟୀ’ (ଛୋଟ ଶାଢ଼ୀ) ପିନ୍ଧି ପରସ୍ପର କାନ୍ଧ ଉପରେ ହାତରଖି ଜହ୍ନଧୁଆ କିରଣରେ ଗୀତ ମେଲୁଥିଲେ:

 

ହୁମୋକି ହୁମାଇ ସାରେ ବଉଳିରେ ହୁମୋକି ହୁମାଇ ସାରେ ରେ

ଆସ ଗଜାମୁଗ ଖେଳିମା ପରେ

ଗୀତ ଗାଇ ସୁରେ ସୁରେ ବଉଲିରେ

ଗୀତ ଗାଇ ସୁରେ ସୁରେ...ରେ ।

 

ବିନୋଦଙ୍କ ବାଳୁତ ପ୍ରାଣରେ ସ୍ଵତଃ ଝଂକାର ଶୁଭିଲା, ଅନୁରଣିତ ହେଲା ପ୍ରତିଟି ହୃଦ ତନ୍ତ୍ରୀ । ମୁଁ କବି ହେବି...କବି । କବି ପ୍ରାଣ ଘୁରି ବୁଲିଲା ଗାଆଁ ଦାଣ୍ଡରେ ବୋଧେ ଶଙ୍ଖୁଳିବାକୁ ଆଦ୍ୟ ସ୍ରୋତର ଉଚ୍ଚ୍ୱାସକୁ ।

 

ଛିଲୋ ଲାଇ...ଆ ଖେଲ୍‌ମା ବାଇ

ବାଇଗଲା ରୁଷି, ଆଗୋ ମା ପୁଷି

କଲା କଲା ବାଇଗନ ରୁଇ ଗଲି ଧାରେ

ଏ ମା ମର୍‌ମି କି ଜିଇଁମି

କାଁ କରି ପୁତା ମର୍‌ବୁ ଜିଁ ଥିଲେ

ଘର୍‌ କର୍‌ବୁ ।

 

ବିଦ୍ୟାର୍ଥୀ ବିନୋଦ ଖୋଲିଲେ ନିଜ ବସ୍ତାନିରୁ ପାଠ୍ୟ ପୁସ୍ତକ ବାଳବୋଧକୁ । ପଢ଼ିବାକୁ ଆରମ୍ଭ କଲେ ମଧୁରାଓଙ୍କ ଚୋଖି-ରାଗ ସମ୍ବଳିତ ଜଣାଣଟିକୁ । ଥରେ ନୁହେ, ଅନେକ ଥର: ‘‘ଜୟ ମା ଜନମ ଭୂମି ପବିତ୍ର ଉତ୍କଳ ଭୂମି’’ । କଣ୍ଠାଗ୍ରତ ହେଲା କବିତାଟି । ସେତେବେଳକୁ ଗ୍ରାମର ବୟସ୍କ ମାନଙ୍କ କଣ୍ଠରେ ବିଭିନ୍ନ ପ୍ରକାର ଛାନ୍ଦଗାନର ଲଳିତ ପସରା । ନିଜେ କବି କହନ୍ତି ‘‘ମୋର ମଝିଆ ବଡ଼ ବାପା ଦିବ୍ୟସିଂହ ଗୌନ୍ତିଆ ଛାନ୍ଦଗାନରେ ଓସ୍ତାଦ୍‌ ଥିଲେ ଏବଂ ବିଶ୍ଵନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣରେ ବ୍ୟବହୃତ ଛାନ୍ଦ ସବୁଗ୍ରାମର ଯୁବକମାନଙ୍କୁ ଶିକ୍ଷା ଦେଉଥିଲେ । ବିଶେଷତଃ ରସକୁଲ୍ୟା ଶଙ୍କରାଭରଣ ଓ ଚୋଖିରାଗର ଯତି ତାଳ ଗତ ମତେ ଜଣାଥିଲା ।’’ ଏ ସବୁକୁ ଆଧାର କରି ଚପଳମତି ବାଳକ ନିଜ ସୃଜନ ବଂଶୀର ପ୍ରଥମ ଲହରୀ ସ୍ଵରୂପ ଭେଟି ଦେଲେ ତାଙ୍କ ପାଠକ ପାଠିକା ଶ୍ରୋତା ବର୍ଗଙ୍କୁ :

 

ଜୟ ଜୟ ହେ ଗଣେଶ ଗରୁଆତଙ୍ଗ ବିନାଶ

ଶ୍ରୀଅଙ୍ଗେ ରକ୍ତବସନ ପରିଧାପନ

ରକ୍ତ ଚନ୍ଦନେ ଭୂଷଣ ରକ୍ତ ପଦ୍ମେ ସମାସୀନ

ଇନ୍ଦ୍ରର ବାହନ ତବ ଗଜ ବଦନ

ବାରେ କୃପାକର ହେ ନାଥ

ଦୀନହୀନ ଛାତ୍ର ମୁହିଁ ହେଲି ଅନାଥ !

 

କବି ଡ: ବିଜୟାନନ୍ଦ ସିଂହଙ୍କ ଦ୍ଵାରା ସଂକଳିତ ପୁସ୍ତକ ‘ମୁଁ କାହିଁକି ଲେଖେ’ରେ ସ୍ପଷ୍ଟ କହିଛନ୍ତି ‘ପରିଧାପନ’ (ଉପର ଲିଖିତ ପଦ୍ୟାଂଶ) ଶବ୍ଦଟିର ଅର୍ଥ ମୁଁ ଏ ଯାବତ୍‌ ବୁଝି ନାହିଁ । କବିଙ୍କ ନିଜସ୍ଵ ଭାଷାରେ ସେଇ ‘ବନ୍ଦନା ଗୀତିଟିର ‘ପୁରୀବାସୀ’ର ସଂପାଦକ ପ୍ରଶଂସା କରି ତୃତୀୟ ଶ୍ରେଣୀ ଛାତ୍ରର ରଚନା ରୂପେ ‘ପୁରୀବାସୀ’ ରେ ସମ୍ବାଦ ପରିବେଷଣ କରିଥିଲେ’ ।

 

ଏହି ସମୟର ବ୍ୟାଖ୍ୟା କରିବାକୁ ଯାଇ କବି ଜଣେ ତରୁଣ ସାହିତ୍ୟିକ ରାହୁଲ୍‌ ଗୌତମଙ୍କୁ ସାକ୍ଷାତ୍‍କାର ମାଧ୍ୟମରେ କିଛି କଥା ଶୁଣେଇଛନ୍ତି ଯଥା : ମୋର ପିତା ଥିଲେ ଜଣେ ସ୍କୁଲ ଶିକ୍ଷକ । ସେ ତ ରେଭେନ୍‍ସା ସାହେବଙ୍କ ଅମଳର । ସମ୍ବଲପୁର ସେତେବେଳେ ମଧ୍ୟପ୍ରଦେଶର ଅନ୍ତର୍ଗତ ଥିଲା ଓ ରାଞ୍ଚି ଥିଲା ହେଡ଼୍‌ କ୍ୱାଟର୍‌ସ । ସେ ଥିଲେ ମହିମା ଧର୍ମାବଲମ୍ବୀ ଓ ଗୌନ୍ତିଆ ଥିବା ହେତୁ ଆମର ପ୍ରଚୁର ସଂପତ୍ତି ଥିଲା । ଗାଁରେ ସେ ଚାରିଟି ଟୁଙ୍ଗି କରିଥିଲେ । ମୋର ଜେଜେ ବାପା ଓ ଜେଜେ ଥିଲେ କୁମ୍ଭୀପଟିଆ ବା କୁମ୍‌ପଟିଆ । ଭୀମ ଭୋଇଙ୍କର ପ୍ରତ୍ୟକ୍ଷ ଶିଷ୍ୟ । ହରିଡ଼ା କଷାରେ ଲେଖା ହୋଇଥିବା ସେଇ ଗୀତ ସବୁ ନଷ୍ଟ ହେବା ଅବସ୍ଥାକୁ ଆସିଯିବାରୁ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ ଥିବା ସମୟରେ ସଂଗ୍ରହାଳୟକୁ ହସ୍ତାନ୍ତର କରିଦେଲି-। ଖୋଜିଲେ ସେଠାରେ ପାଇବେ । ଫୁଲନଖରା ଓ ବାଲିଅନ୍ତାରୁ ଅନେକ ମହିମାଧର୍ମାବଲମ୍ବୀ ପ୍ରାୟ ୫୦/୬୦ ପରିବାରକୁ ସେଠାରୁ ଆଣି ଆମ ଗାଆଁରେ ଜାଗା, ଜମିବାଡ଼ି ଓ ଘର ଦେଇ ବାପା ପଡ଼ାଟିଏ ଦାନ କରିଥିଲେ । ଏବେ ବି ସେମାନେ ଆମ ଗାଆଁରେ ରହିଛନ୍ତି । ତା’ଛଡ଼ା ପାଲାଗାୟକଙ୍କୁ ମଧ୍ୟ ମୋ ପିଢ଼ା ପାଟବସ୍ତ୍ର ଓ ସୁନାକଙ୍କଣ ଦାନ କରୁଥିଲେ ।

 

ସେତେବେଳେ ବ୍ରିଟିଶ ଶାସନ ସାଙ୍ଗକୁ ଗଡ଼ଜାତୀ ଶାସନ ଉଭୟଙ୍କ ମଧୁର ମେଳଣରେ ଦେଶବାସୀ ହନ୍ତସନ୍ତ । କିନ୍ତୁ ସମାଜର ଉଚ୍ଚ ବର୍ଗ ଗୋରା ସାହିବମାନଙ୍କ ସହିତ ପ୍ରାୟତଃ ଦୋସ୍ତି କରି ନିଜ କାମ ହାସଲ କରିବା ଭଳି ମାର୍ଗର ଜାଲ ବିଛେଇବାରେ ବ୍ୟସ୍ତ ଥି‌ଲେ । ବିପରୀତ ଭାବେ ବ୍ରିଟିଶ ଏଜେଣ୍ଟ୍‌ ମଧ୍ୟ ପ୍ରଜା ଶାସନ ପାଇଁ ସମାଜର ନେତୃବର୍ଗଙ୍କ ସହିତ ବେଶ୍‌ ହାତ ମିଳେଇ ଚାଲିଥିଲେ । କବିଙ୍କ ନିଜସ୍ଵ ବକ୍ତବ୍ୟ ଅନୁଯାୟୀ ସେତେବେଳେ ବ୍ରିଟିଶ ସରକାରଙ୍କ ଦେଓ୍ୱାନଙ୍କ ଠାରୁ ତାଙ୍କ ଅଜା ଏକ ବେଗଗାମୀ ଘୋଡ଼ା ଉପହାର ସ୍ଵରୂପ ପାଇଥିଲେ । ପିଲାଦିନର ସ୍ମୃତି ଚାରଣ କରି ସେ ଏକଦା କହୁଥିଲେ: ‘ମତେ ମୋର ଅଜାଙ୍କ ନୂତନ ଜନ୍ମ ବୋଲି ମୋର ବଡ଼ବାପା ବଡ଼ମା ଠାରୁ ସମସ୍ତ ଗ୍ରାମବାସୀ ବୁଢ଼ା ଗୌନ୍ତିଆଙ୍କ ପ୍ରତି ବ୍ୟବହାରର ପ୍ରକ୍ଷେପଣ କରୁଥିଲେ । ଭାଉଜ ଗଣ, ବଡ଼ ଭଉଣୀ ଗଣ ମତେ ‘ଅଜା’ ବୋଲି ଡାକୁଥିଲେ । ମୋର ଡାକନାମ ଥିଲା ‘ଅଜା’ । ଏମାନଙ୍କ ସମ୍ମାନସୂଚକ ବ୍ୟବହାର ମତେ ପ୍ରାୟ ଗର୍ବିତ କରି ରଖିଥିଲା । ମୁଁ ଅତ୍ୟନ୍ତ ଅଭିମାନୀ, ପ୍ରତିହିଂସା ପରାୟଣ ଏବଂ ସାମାନ୍ୟ କଥାରେ ଉତ୍ତେଜିତ ହୋଇ ଅନେକ ଥର ଗୃହରୁ ପଳାୟନ କରୁଥିଲି । ମୁଁ ବୁଝୁଛି ଏହା ମଧ୍ୟ ହୀନମନ୍ୟତାର ଲକ୍ଷଣ-ମୁଁ ଏକପ୍ରକାର ମାନସିକ ବେଦନାର ଶିକାର ହୋଇଥିବାରୁ ସାମାନ୍ୟ କଥାରେ କାନ୍ଦି ପକାଉଥିଲି’’ ।

 

କବିଙ୍କ ଏତାଦୃଶ ଅଭିବ୍ୟକ୍ତିରୁ ବୁଝାପଡ଼େ ପିଲାଦିନଠୁ ସିଏ ଭାବପ୍ରବଣ । ପଞ୍ଚେନ୍ଦ୍ରିୟର ପ୍ରଜ୍ଵଳନ ଭିତରେ ‘ଆବେଗ’କୁ ସିଏ ପ୍ରାଥମିକତା ଦେଇଛନ୍ତି ଯାହା ଷଡ଼ରିପୁର ଅନ୍ମୟ ଓ ପ୍ରତ୍ୟନ୍ମୟ ଭିତରେ ଯୋଗ ସୂତ୍ରକାରୀ । କାବ୍ୟିକ ହୃଦୟଟିକୁ ଖୋଜି ପାଇବାରେ ଏହା ତା’ର ସାମର୍ଥ୍ୟ ଜାହିର୍‌ କରିଛି । ସେ ଖୋଜିଛି ‘ସମନ୍ଵୟର ଭିତ୍ତିଭୂମିକୁ’ ଓ ସେଇଠୁ ମେଲି ହୋଲି ଆସିଛି କାବ୍ୟ-ଉଦ୍ୟାନର ମଂଜୁଳ ଭାବ ଭୂଇଁରେ ।

 

ସେତେବେଳର ସମୟ ଥିଲା ଭିନ୍ନ ଧରଣର । ଆଜି ଭଳି ଟି.ଭି. ସିନେମା ଥିଏଟର୍‌, ଭିଡ଼ିଓ ଶୋ ପ୍ରଭୃତି ମନୋରଂଜନଧର୍ମୀ ଉପକରଣ ଗାଆଁ ମାନଙ୍କରେ ସ୍ଵପ୍ନତୁଲ୍ୟ ଥିଲା । କୃଷିଭିତ୍ତିକ ଜୀବନରେ ଦିନ ବେଳା କ୍ଷେତ ଖଳାରେ ଘାସଲଟା ବାଛିବା, ବଳଦମାନଙ୍କୁ କୁଣ୍ଡା ତୋରାଣି ଦେବା, ଘର ଓଳା, କେତେକ ସ୍ଥଳରେ ଲିପାପୋଛା, ଝୋଟିଦିଆ ପ୍ରଭୃତି କର୍ମ ପରେ ମହିଳାମାନେ ସ୍ଵାଭାବିକ ଭାବେ କ୍ଳାନ୍ତହୋଇ ପଡ଼ନ୍ତି ସଂଜ ବେଳକୁ । ସେଭଳି ସମୟରେ ସ୍ଵଭାବତଃ ବିନୋଦ ଚନ୍ଦ୍ରଙ୍କ ଆଦରଣୀୟା ଜନନୀ କସ୍ତୁରୀ ଦେବୀ, ଯିଏ କି ରାୟଡ଼ିହ ଗ୍ରାମର ଗୌନ୍ତିଆ ମୁକୁନ୍ଦ ରାମଙ୍କ ଏକମାତ୍ର କନ୍ୟା ଆସ୍ଥା ପ୍ରକଟ କରନ୍ତି ତାଙ୍କ ପିତାଙ୍କ ପ୍ରଯୋଜିତ ‘ଧନୁଯାତ୍ରା’ ଅନୁଷ୍ଠାନ ଉପରେ । ଭକ୍ତଚରଣଙ୍କ ‘ମଥୁରାମଙ୍ଗଳ’ ଥିଲା ତାଙ୍କରି ହୃଦ-ହାର ଓ କିଛି ପରିଶ୍ରମ ଉତ୍ତାରୁ ତାହାରି ଗଦ୍ୟରୂପ ରୂପାନ୍ତରିତ ହେଇଯାଏ ଏକ କ୍ଷୁଦ୍ର ନାଟିକାକୁ । ତାକୁ ପୁଂଜିକରି କଳ୍ପିତ ଭାବାଲୋକରେ ବିଚରଣ କରନ୍ତି ମା କସ୍ତୁରୀ ଓ ନିଜକୁ ସମ୍ପୂର୍ଣ୍ଣ ବିନିଯୋଗ କରନ୍ତି ଗୋପ-ମଥୁରା-ବୃନ୍ଦାବନ ଓ ତହିଁର ପୌରାଣିକ କଥାବସ୍ତୁରେ । ଏ କଥା ହୁଏତ କେତେକଙ୍କ ମନେ ଥାଇ ପାରେ ଏହି ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଗୀତି କବିତା ‘ଫୁଲତୋଳା’ ଯାହା ଓଡ଼ିଶା ସାହିତ୍ୟ ଏକାଡ଼େମୀ ୧୯୭୦ ମସିହାରେ ପ୍ରକାଶ କରିଛନ୍ତି; ତହିଁର ଲେଖିକା ଅନ୍ୟ କେହି ନୁହନ୍ତି, ସ୍ୱୟଂସିଦ୍ଧା ବିନୋଦ ଚନ୍ଦ୍ରଙ୍କ ଆଦରଣୀୟା ଜନନୀ କସ୍ତୁରୀ ଦେବୀ ।

 

ଏଠାରେ ଗୋଟିଏ କଥା କୁହାଯାଇ ପାରେ ୧୯୨୫-୩୦ ସେତେବେଳେ ସୁନ୍ଦରଗଡ଼ରେ ସାକ୍ଷରହାର କ’ଣ ଥିଲା, ପୁଣି ନାରୀଶିକ୍ଷା । ଶୁଦ୍ଧ ଓଡ଼ିଆ ତା’ ସାଙ୍ଗକୁ କୋଶଳୀ-ସମ୍ବଲପୁରୀ ଓ ତାରି ପ୍ରେକ୍ଷାପଟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଅଘ୍ରିଆ ଅଧ୍ୟୁସିତ ଅଞ୍ଚଳରେ ଏ ସବୁର ସମ୍ମିଶ୍ରଣ ସାଙ୍ଗକୁ ‘ଲରିଆ’ ଭଳି ଉପଭାଷାର ମିଶ୍ରଣରେ ପ୍ରସ୍ତୁତ ଅଘ୍ରିଆ ଭାଷା ଯଥା ‘ତ’ଲା ଯାଥସ୍‌, (ତୁ ଯାଉଛୁ) ମ’ଲା ଖାତସ୍‌ (ମୁଁ ଖାଉଛି) ସେଇ ଭାଷାକୁ ପରିବାରର ଅନ୍ୟମାନଙ୍କ ସହିତ କଥୋପକଥନରେ ବ୍ୟବହାର କରୁଥିବା ମହିୟସୀ ମହିଳା ଜଣେ ନିମ୍ନୋକ୍ତ ଭାବେ ଗୀତି କବିତାର ଛନ୍ଦ ନିର୍ମାଣରେ ନିଜକୁ ହଜେଇ ଦେଇ ପାରନ୍ତି :

 

ସର୍ବସଖୀଗଣ ବିଚାରନ୍ତି ମାନ ଆଜ ଯିବା ବୃନ୍ଦାବନ

ହୋଇଣ ହରଷ କୁସୁମେ ସୁବେଶ ମଙ୍ଗଳ ବିଶାବିଧାନ ଯେ

ଆଗୋ ଶୁଣ ସଂଗାତ ! ବନେ ପୂଜିବା ପାର୍ବତୀ କାନ୍ତ ଯେ ।

କହି ସର୍ବନାରୀ ହସ୍ତ ଧରାଧରି ନିକୁଞ୍ଜ ବନେ ମିଳନ୍ତି

ଜାଇ ଯୂଇ ମଲ୍ଲୀ ମରୁଆ ମାଳତୀ କୁନ୍ଦ ସେବତୀ ତୋଳନ୍ତି ଯେ

ଦିବ୍ୟ ଚମ୍ପା ବକୁଳ କେହୁ ରଂଗିଣୀ କୁସୁମ ଡାଳ ଯେ !

 

କବି ମନେ ପକେଇଛନ୍ତି ପୁରୁଣା ଦିନମାନଙ୍କୁ । ନାଟ୍ୟ-ଉପାସନାର ଚମତ୍କାର ରାତି, ଯେଉଁଠି ନିଛାଟିଆ ଆକାଶର ତାରା, ଦ୍ୱିତୀୟା ଚନ୍ଦ୍ରର ଦାଆକୃତି ଆଲିଙ୍ଗନ । ଏବଂ ଠିକ୍‌ ଏଇ ସମୟରେ ବିଜୁଳି ବିହୀନ ଏକ ଗାଆଁଖୁଲିରେ ପେଟ୍ରୋମେକ୍‌ସ ଆଲୁଅକୁ ପାଥେୟ କରି ଆଗେଇ ଯାଉଥିବା ସୁଆଙ୍ଗ ଯଥା :

 

ଏଇ ବୃନ୍ଦାବନେ ଦେଖିନାଇଁ ଦିନେ କାର ପୋଷାଜନ୍ତୁ ଅବା,

କ୍ରିୟା ଆକ୍ରୋଶି ମାରୁଛ ଜନ୍ତୁ ମୋଟି ଚରଣେ ନେପୂର ଶୋଭା ଯେ ।

 

ଦଶ ପଦୀୟ ଏଇ ଗୀତିକା ଭିତରେ ଉଜଳି ଉଠୁଥବା ଚିତ୍ରକଳ୍ପ କବିଙ୍କୁ ଆଦ୍ୟପ୍ରେରଣାର ସୃଜନ ବାରିରେ ଭିଜେଇ ରଖିଚି ବହୁଦିନ ଧରି । ତାଙ୍କ ନିଜ ଭାଷାରେ ‘‘ରୂପ କଳ୍ପ ବା ଇମେଜ୍‌ ଯଦି ଆଧୁନିକ କବିତାର ମାନଦଣ୍ଡ ହୁଏ ମୁଁ ତାହା ଆୟାସଲବ୍‌ଧ କରିବା ପାଇଁ ଏକ ପ୍ରକାର ଚିରନ୍ତନ ଚେଷ୍ଟା କରି ଆସିଛି । × × × ମୁଁ ଅନ୍ତରରେ ଉପଲବ୍‌ଧି କରଛି କବିତା ଲେଖନର ଆଦ୍ୟ ପ୍ରେରଣାଦାତ୍ରୀ ମୋର ମା’ କସ୍ତୁରୀ ଦେବୀ ।

 

ନିଜ ଗ୍ରାମ ଚାଟଶାଳୀରୁ ‘ଷ୍ଟେଟ୍‌ ବୃତ୍ତି’’ ଲାଭ କରି ବିନୋଦ ଚନ୍ଦ୍ର ଅପର ପ୍ରାଇମେରୀ ଶିକ୍ଷା ଶେଷ କରନ୍ତି । ବାଲ୍ୟ ଜୀବନର ଗ୍ରାମୀଣ ଅନୁଭୂତିରେ ଡୋରି ବାନ୍ଧି ସିଏ ଆସନ୍ତି ନିଜ ଜିଲ୍ଲା ସଦର ମହକୁମା ସୁନ୍ଦରଗଡ଼ ସହରକୁ ଇଂଲିସ୍‌ ବଏଜ୍‌ ସ୍କୁଲରେ ଉଚ୍ଚଶିକ୍ଷା ପାଇଁ । ଏଇଠୁ ଲହଡ଼ି ଭାଙ୍ଗିବା ଆରମ୍ଭ କରେ ତାଙ୍କ ଜୀବନର କାବ୍ୟ-ପ୍ରବାହ । ଷଷ୍ଠ ଶ୍ରେଣୀର ଛାତ୍ର ଥାଇ ସିଏ କଲମ ଧରନ୍ତି ବାଣୀ-ନିରାଜନାର ଏକ ଭାବମୟ ପରିବେଶକୁ ଆଖି ଆଗରେ ରଖି । ତାଙ୍କ ନିଜ ଭାଷାରେ ‘‘ମୋର ସମ୍ମୁଖରେ ଆଦର୍ଶ-କଜ୍ଜ୍ୱଳ ପୂରିତ ଲୋଚନ ଭାଲେ, ସ୍ତନ ଯୁଗ ଶୋଭିତ ମୁକୁତା ହାରେ । ବୀଣା ପୁସ୍ତକ ରଂଜିତ ହସ୍ତେ, ଭଗବତୀ ଭାରତୀ ଦେବୀ ନମସ୍ତେ । × × × ଗ୍ରାମ ସ୍କୁଲରେ ରାଜା ରବି ବର୍ମାଙ୍କ ସରସ୍ଵତୀ ଚିତ୍ରଟିର ପୂଜା ହେଉଥିଲା । ସେଥିରେ ମୁକ୍ତା ହାର ନ ଥିଲା-। ଏହି ମୁକ୍ତାହାରର ସନ୍ଧାନ ହିଁ ମୋର ରୂପ ପିପାସାର ମୃଗତୃଷ୍ଣା ହୋଇ ମତେ ବାରମ୍ବାର ପ୍ରଲୁବ୍‌ଧ ଓ ପ୍ରତାରିତ କରିଛି ।’’

 

ଅନ୍ୟାନ୍ୟ ଅନେକଙ୍କ ଭଳି କବି ଯେତେବେଳେ ତାଙ୍କ କାବ୍ୟ ଯାତ୍ରାର ଶୁଭାରମ୍ଭ କରନ୍ତି, ସେତେବେଳେ ପ୍ରଥମତଃ ତାଙ୍କ ମାନସ ଚକ୍ଷୁରେ ପଦାର୍ପଣ କରନ୍ତି ବାଗ୍‌ଦେବୀ । ଏଭଳି ଉପାସନା ବହୁଳାଂଶରେ ସ୍ଵତଃସ୍ଫୁର୍ତ୍ତ । ମାତ୍ର ଦଶ-ଏଗାର ବର୍ଷ ବୟସରେ ଏଭଳି ସଂଚାରିତ ଭାବ ଖୁବ କମ୍‌ ବ୍ୟକ୍ତି-ମାନସକୁ ଠାବ କରିବାକୁ ସକ୍ଷମ ହୁଏ । ଯା ହେଉ, କବି ବିନୋଦଚନ୍ଦ୍ର ଏଭଳି ପ୍ରତିଭାଦୀପ୍ତଙ୍କ ଭିତରୁ ଜଣେ ବୋଲି ବୁଝିବାକୁ ହେବ ।

 

ଏ ସମୟର ଅନ୍ୟ ଏକ ଭାବବିହ୍ୱଳ ଦୃଶ୍ୟପଟର ଅବତାରଣା ଦିଆଯାଉଛି । ତଦାନୀନ୍ତନ ଜଣେ ମହିଳା ଆର୍ୟୁବିଜ୍ଞାନୀ ଯିଏ ଉପକୂଳ ଅଞ୍ଚଳର, ସିଏ ସୁନ୍ଦରଗଡ଼ ସହର ମହକୁମା ହସ୍‌ପିଟାଲରେ ଅବସ୍ଥାପିତ ହୁଅନ୍ତି । ତାଙ୍କ ପରିଚୟ ହେଲା ସିଏ ଥିଲେ ଓଡ଼ିଶାର ସ୍ଵନାମଧନ୍ୟା ଲେଖିକା ‘ଶେଫାଳି ପ୍ରତି’ର ସ୍ରଷ୍ଟା କୁନ୍ତଳା କୁମାରୀଙ୍କ ସଂପର୍କୀୟା ଭଉଣୀ । ବିନୋଦ ସେତେବେଳେ ପତ୍ରପତ୍ରିକା ଭିତରେ ପ୍ରଥମଥର ପାଇଁ ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ‘ନବୀନ’ ଯାହାର ସଂପାଦକ ଥିଲେ କୃପାସିନ୍ଧୁ ପଟ୍ଟଦେବ ସେଠାକୁ ନିଜର କବିତା ନିହାର କଣିକା ପ୍ରକାଶନ ନିମନ୍ତେ ପ୍ରେରଣ କଲେ ଓ ତାହା ଠିକଣା ସମୟରେ ପ୍ରକାଶିତ ହେଲା । ଏ ସମ୍ପର୍କିତ ପ୍ରେରଣାକୁ ସିଏ ହାସଲ କଲେ ସେଇ ଡାକ୍ତରାଣୀଙ୍କ ଠାରୁ ପାଇଥିବା କୁନ୍ତଳା କୁମାରୀ ଲେଖିଥିବା ‘ସ୍ଫୁଲିଂଗ’ ପୁସ୍ତକରୁ । ଏ କଥା ନିହାତି ସତ । ସେତେବେଳେ ପଶ୍ଚିମ ଓଡ଼ିଶା ଏପରିକି ଓଡ଼ିଶାରେ ପତ୍ରପତ୍ରିକା ହାତ ଗଣତି ଥିଲା । ତେଣୁ ଯେ କୌଣସି ମୁଦ୍ରିତ ପୃଷ୍ଠାରେ କବି ନିଜ କବିତା ଦେଖିଲେ ମନରେ କୁରୁଳା ଭାବ ଯାତ ହେବା ଅବଶ୍ୟମ୍ଭାବୀ । କବିଙ୍କ ନିଜ କହିବା ମୁତାବକ କବିତାଟି ପ୍ରକାଶିତ ହେଲାପରେ ମୁଁ ସୁନ୍ଦରଗଡ଼ରେ କବିରୂପେ ପରିଚିତ ହୋଇଗଲି । କହିବା ବାହୁଲ୍ୟ, ସେତେବେଳର ପତ୍ର ପତ୍ରିକା ମାନଙ୍କରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ରାଜତ୍ଵ ନିରଙ୍କୁଶ ଓ ‘ନବୀନ’ ମଧ୍ୟ ସେଥିରୁ ଅଲଗ ନଥିଲା । ତେଣୁ କାବ୍ୟ-ଦ୍ରୋଣ ସଚ୍ଚି ରାଉତରାୟଙ୍କ ସହିତ ସମ ଭାବରେ ପତ୍ରିକାଟିର ପୃଷ୍ଠା ଆବୋରିନେବା କବି ବିନୋଦ ଚନ୍ଦ୍ରଙ୍କୁ ସେତେବେଳେ ଯଥେଷ୍ଟ ଉତ୍ସାହିତ କରିଥିଲା । ଏଇ କବିତାଟିକୁ ପଢ଼ିଲେ ବୁଝାପଡ଼େ ଯେମିତିକି ଆଜିବି ସିଏ ତାରି ରଙ୍ଗ ଓ ମାହାତ୍ମ୍ୟ ହରେଇ ନାହିଁ । ଯଥା :

 

ନୀହାର କଣିକା

କ୍ଷୀଣ କଣିକା ମୁଁ କ୍ଷଣେ ମିଳେଇ ଯାଏ ।

ଶୂନ୍ୟ ଗଗନ ସାଙ୍ଗେ

ହେବ ଛବି ରବି ହେମ କର ଛବି

ପରଶେ ଯେବେ ଗୋଅଂଗେ ।

 

ଛୋଟବେଳୁ ବିନୋଦଙ୍କ ନିଜସ୍ଵ କଥନ ଅନୁଯାୟୀ ସିଏ ଦେଶପ୍ରେମରେ ମସ୍‌ଗୁଲ୍‌ ଥିଲେ । ସେତେବେଳେ ବ୍ରିଟିଶ ସରକାରଙ୍କ ଔପନିବେଶିକ ରାଜ୍‌ । ବିଦେଶୀ ଶାସନାଧିନ ଭାରତ ଅପରନ୍ତୁ ଓଡ଼ିଶା (ସ୍ଵତନ୍ତ୍ର ପ୍ରଦେଶ ଗଠିତ ନ ହୋଇ ସୁଦ୍ଧା) ୧୯୩୧ ମସିହା ଆଡ଼କୁ ଅବିଭକ୍ତ ବିହାର-ଓଡ଼ିଶା ମାଟିରେ କବି ସ୍ଵପ୍ନ ଦେଖନ୍ତି, ଯେମିତି ସିଏ ଆଗଉଛନ୍ତି ନିଜ ମାତୃବତ୍ ଧରଣୀ ହାତକୁ ଶୃଙ୍ଖଳମୁକ୍ତ କରିବାକୁ । ଏଥିପାଇଁ ଯେଉଁ ପ୍ରୟାସ୍‌ ଜାହିର୍‌ ହେଉଥାଏ, କବି ଗୋଟାପଣେ ତହିଁରେ ସାମିଲ୍‌ ହେଇଯାନ୍ତି । ଯଥା ସମୟରେ ସିଏ ଗୋପବନ୍ଧୁ ସେବାଶ୍ରମର ପ୍ରଚାରକ ଅନନ୍ତ ମିଶ୍ରଙ୍କ ସାନ୍ନିଧ୍ୟ ଲାଭ କରନ୍ତି । ସେ ହିଁ ତାଙ୍କୁ ପ୍ରେରଣା ଯୋଗାନ୍ତି ଗୋପବନ୍ଧୁଙ୍କ ସତ୍ୟ, ଅହିଂସା ଓ ସ୍ଵାଧିନ ଜୀବନସ୍ଥିତ ଭାବାବେଗର ଅନୁବର୍ତ୍ତୀ ହେବାକୁ । ଗୋପନରେ ଉପହାର ପା’ନ୍ତି ସରକାରଙ୍କ ଦ୍ଵାରା ବାଜ୍ୟାପ୍ତ ହରେକୃଷ୍ଣ ମହତାବଙ୍କ ପ୍ରଣୀତ ପୁସ୍ତକ ‘ପଲାସୀ ଅବସାନେ’ । ୧୯୩୨ ମସିହାରେ ଦିଲ୍ଲୀରୁ ପ୍ରକାଶ ପାଉଥିବା ଉମା ନେହୁରୁଙ୍କ ଇଂରାଜୀ ପତ୍ରିକାରେ ସିଏ ପଢ଼ିବାକୁ ପାଆନ୍ତି ସଚ୍ଚି ରାଉତରାୟଙ୍କ ଦ୍ଵାରା ଲିଖିତ ଦୁଇଟି କବିବା ‘‘My Mother Land’’ ଏବଂ ‘‘The Girl and the Cuckoo’’ । ସ୍ଵଦେଶପ୍ରାଣତା ଏଇ ଦୁଇଟିର ଅନ୍ତଃସ୍ଵର କବିଙ୍କୁ ଯଥେଷ୍ଟ ଆପ୍ଲୁତ କରେ ମାତୃଭୂମିର ଜୟଗାନ ପାଇଁ । ସିଏ ସଚ୍ଚିବାବୁଙ୍କୁ ଭାବ ଗଦ୍‌ଗଦ୍‌ ଚିତ୍ତରେ ପତ୍ର ଲେଖନ୍ତି ଅଭିନନ୍ଦନ ଜଣେଇବାକୁ । କବିଙ୍କ ନିଜ ଭାଷାରେ ‘‘ବିପ୍ଲବର ମନ୍ତ୍ରରେ ଝଙ୍କୃତ ତାଙ୍କର ପତ୍ର ଉଦୟ ରବିର ଜବାକୁସୁମ ସଂକାଶ କାଶ୍ୟପେୟଂ ମହାଦ୍ୟୁତିଂର ରକ୍ତାକ୍ତ ଆଭାରେ ମତେ ଦୀପାନ୍ଵିତ କରିଦେଲା ।’’

 

କବିଙ୍କ ନିଜସ୍ଵ ସୂଚନାନୁଯାୟୀ ସିଏ ତାଙ୍କ ପିଲାଦିନ ସୁନ୍ଦରଗଡ଼ ସହରରେ ଅତିବାହିତ କରିଛନ୍ତି । ତା’ରି ପ୍ରାକୃତିକ ପରିବେଶ, ଇବ୍‌ ନଦୀର କୁଳୁକୁଳୁ ପ୍ରବାହ, ପାର୍ଶ୍ୱସ୍ଥ ଅଂଗିରା ପାହାଡ଼ର ସବୁଜ ଅଭିଷେକ, ଚତୁଃକୋଣରେ ଗେରୁମାଟିର ରାସ୍ତା, ମାଇଲ୍‌ ମାଇଲ୍‌ ବ୍ୟାପି ସବୁଜ ଧାନକ୍ଷେତର କାଉଁରି ପରଶ, କବିଙ୍କୁ ମତୁଆଲା କରିଛି ଅଧା ଗ୍ରାମ ଅଧା ସହରର ନୟନାଭିରାମ ଦୃଶ୍ୟପଟ । ଟିକିଏ କଡ଼େଇ ଚାହିଁଲେ ଶାଳ, ପିଆଶାଳର ବୁଦୁବୁଦୁକିଆ ଅରଣ୍ୟ କାଁ ଭାଁ କେଉଁଠି ହରିଡ଼ା, ବାହାଡ଼ା, ଅଁଳାର ଔଷଧିୟ ସୁଗନ୍ଧ । ହଠାତ୍‌ ଦଉଡ଼ି ପଳଉଥିବା ବିଲୁଆ କିମ୍ୱା ଠେକୁଆଟିଏ, ଏମାନେ ଭାବାନ୍ତର ସୃଷ୍ଟି କରିଛନ୍ତି ତାଙ୍କ ମାନସ ପଟରେ । ମୌସୁମୀ ସମୟକୁ ଛାଡ଼ି ଅନ୍ୟ ଦିନର ନିର୍ମେଘ ଆକାଶ, ହଳଦୀ ରଙ୍ଗର ଖରା ଯେମିତି ଝରଣା ଭଳି କଚାଡ଼ି ହେଇ ପଡ଼ୁଥାନ୍ତି ଗଛରେ, ପତ୍ରରେ ପଥର ଓ ମାଟିଙ୍କ କୋଣ ଅନୁକୋଣରେ । ବସ୍ତାନି ଧରି କବି ସାଥି ମେଳରେ ପହଞ୍ଚନ୍ତି ବିଦ୍ୟାଳୟକୁ । ପିଲାଙ୍କ ଗୁଞ୍ଜରଣରେ ମୁଖରିତ ଏଇ ସ୍ଥାନଟି ହିଁ ତାଙ୍କ ପିଲାଦିନର ସ୍ମୃତିପୀଠ । ଯେମିତି ଶୈଶବ ସେଇଠି ଲୁଚିରହି ପରିଣତ ବୟସରେ ସୁଦ୍ଧା ଆଖିମିଟିକା ମାରୁଥାଏ । ମହାରାଜାଙ୍କ ବିରାଟ ପ୍ରାସାଦ, ବିସ୍ତୃତ ଆୟତନର ପ୍ରାଙ୍ଗଣକୁ ଲାଗି ବିଦ୍ୟାଳୟ; କିନ୍ତୁ ଐଶ୍ଵର୍ଯ୍ୟର ପ୍ରତଦ୍ୱନ୍ଦିତାରେ ଯେମିତି ସରସ୍ଵତୀ ଉଣା ଦିଶନ୍ତି ଲକ୍ଷ୍ମୀଙ୍କ ସାମ୍‌ନାରେ । ସେଇଠି ଗୋଟିଏ କ’ଣରେ ତାରି ଛିଣ୍ଡା, ଦଦରା ହାତଗୋଡ଼ଙ୍କୁ ସଂଭାଳି ଛିଡ଼ା ହୋଇଥାଏ କାଠ ଆଲମାରିଟିଏ । ତା’ ଭିତରେ ମଡର୍ଣ୍ଣ ରିଭ୍ୟୁ, ହଂସ, ପ୍ରବାସୀ, ସହକାର, ସଟର ଡେ ପୋଷ୍ଟର କପିମାନେ ମୁଣ୍ଡ ଟୁଙ୍ଗାରୁଥାନ୍ତି ରହିରହି । ହଠାତ୍‌ କବିଙ୍କ ଆଖିରେ ପଡ଼େ ଲକ୍ଷ୍ମୀ ନାରାୟଣ ସାହୁଙ୍କ ସଂପାଦିତ ପତ୍ରିକା ଖଣ୍ଡେ । ଦିଶିଯାଏ ଭଗବାନ ପଢ଼ିଆରୀଙ୍କ ‘ଷୋଡ଼ଶୀ’ କବିତାର କେଇ ପଙ୍‌କ୍ତି-। ଉଜଳି ଉଠେ ଆଖି ଦି’ଟା କବି ଜୀବନର ଭାବାତୁର ଅନ୍ୱେଷଣରେ । ସେଇ ଧାଡ଼ି ମାନେ ତାଙ୍କ ମନ ଆକାଶରେ ମହାଦ୍ୟୁତିର ନକ୍ଷତ୍ର ଭଳି ଝଟକି ଚାଲିଥାନ୍ତି:

 

ଲୋଟଣୀ ପାରାର ପଛେ

ଛୁଟ ଯେବେ ସଘନେ

ଅଞ୍ଚଳ ଖେଳି ବୁଲେ

ଚଞ୍ଚଳ ପବନେ ।

 

କବି ଏଇଠିହିଁ ସନ୍ଧାନ ପାଆନ୍ତି ଛନ୍ଦଭରା କାବ୍ୟ-ଜୀବନର । ମନ ଭିତରେ ସ୍ଵତଃ ସୃଷ୍ଟିହୁଏ ସାଙ୍ଗିତିକ ଆବେଗ ଭରା ଛମ୍‌ଛମ୍‌ ଭାବ । କହିବା ବାହୁଲ୍ୟ ଚାନ୍ଦବାଲି ନିବାସୀ ଏଇ ପଢ଼ିଆରୀ ବାବୁ କାଳକ୍ରମେ ସୁନ୍ଦରଗଡ଼ ସହରକୁ ନିଜର କର୍ମଭୂମି ଭାବେ ବାଛିନିଅନ୍ତି । ଏ,ବି,ସି,ଡ଼ି, ରୁ ଇଂରେଜୀ ଅକ୍ଷର ଜ୍ଞାନ ଶିଖେଇଥିବା ଏହି ବ୍ୟକ୍ତି ଆଦ୍ୟ ଗୁରୁ ଭାବେ ପ୍ରଭାବ ବିସ୍ତାର କରିଚାଲନ୍ତି ବାଳୁତ ବିନୋଦଙ୍କ ହୃଦୟରେ । କବିଙ୍କ ନିଜ ଭାଷାରେ ‘‘ଆଧୁନିକ କବିତାର ଆତ୍ମିକ ଓ ଆଙ୍ଗିକ ସୌଷ୍ଠବର ଦିଗ୍‌ଦର୍ଶନ ଦେଲେ ସେ- ମୋର କାବ୍ୟ ଜୀବନର ପ୍ରଥମ ଦୀକ୍ଷାଗୁରୁ ଶ୍ରୀଯୁକ୍ତ ପଢ଼ିଆରୀଙ୍କୁ ମୁଁ ପ୍ରଣାମ କରୁଛି ।’’ ଏ ବେଳର ଶିକ୍ଷା ପରିବେଶକୁ ଅନୁଧ୍ୟାନ କଲେ ଯାହା ବୁଝାପଡ଼େ ପ୍ରାଚୀନ ସାହିତ୍ୟ ଯଥା ମହାଭାରତ, ଭାଗବତ, ମଥୁରାମଂଗଳ ପ୍ରଭୃତିର ଗଦ୍ୟ ରୂପାନ୍ତର, କେତେକ ସ୍ଥଳରେ ଗୋପୀଭାଷା ପାଠ, ଗଣନା ପାଇଁ କୋଡ଼ିଏ ଏବଂ ଆବଶ୍ୟକ ସ୍ଥଳେ ପଚିଶ ଖନ୍ଦା ପଣକିଆ ଓ ନିଶୁଣୀ, ଗ୍ଲାସ୍‌, ଛୁରୀର ଡ୍ରଇଁ ଭିତରେ ସରିଯାଉଥିଲା ପ୍ରାଥମିକ ଶିକ୍ଷା । ଚତୁର୍ଥ ଶ୍ରେଣୀରୁ ଭର୍ନାକୁଲର୍‌ ମାଧ୍ୟମରେ ଇଂରାଜୀ ବାଧ୍ୟତାମୂଳକ ବିଷୟ ଭାବେ ଶିକ୍ଷା ଦିଆଯାଉଥିଲେ ସୁଦ୍ଧା ଏ.ବି.ସି.ଡ଼ି ଓ ସାମାନ୍ୟ ଶବଦ ଲେଖା ଓ ଛବି ଲେଖାରେ ସମାପ୍ତି ଘଟୁଥିଲା ପ୍ରଞ୍ଚମ ଶ୍ରେଣୀର ପାଠ । ଦୃଶ୍ୟ ଓ ଶ୍ରାବ୍ୟ ପରମ୍ପରା କିନ୍ତୁ ଅତୁଟ ଥିଲା ଓ ଏଥିପାଇଁ ନିଶାର୍ଦ୍ଧର ଗାଆଁ ଦାଣ୍ଡ ହିଁ ଥିଲା ବିଦ୍ୟା ଆହରଣର କୋଠରୀ । ସେଇଠି ପାଲା, ଦାସକାଠିଆ, ସୁଆଙ୍ଗ, ଭଜନ, କୀର୍ତ୍ତନ ସବୁ କିଛି । ଏକଦା କବି ଏକ ସାହିତ୍ୟ ପତ୍ରିକାର ସାକ୍ଷାତକାରରେ କହିଛନ୍ତି, ‘‘ରାତି ଅଧରେ ଟୁଙ୍ଗି ଭିତରେ କୁମ୍‌ପଟିଆମାନେ ଧ୍ଵନି କରନ୍ତି ଓ ଭଜନ ଗାଂନ୍ତି ଖୁବ୍‌ ଉଚ୍ଚ ସ୍ଵରରେ । ନିଦ ଭାଙ୍ଗିଯାଏ । ମୁଁ ରାତିସାରା ସେ ଭଜନକୁ ଶୁଣେ ଓ ଉପଭୋଗ କରେ । ଗୌନ୍ତିଆ ଥିବାରୁ ମୋର ବାପା ପ୍ରତି ବର୍ଷ ଅନେକ ପାଲା ଦଳକୁ ନିମନ୍ତ୍ରଣ କରନ୍ତି । ସେମାନେ ଆମ ଘରେ ରହନ୍ତି, ଖାଆନ୍ତି, ପିଅନ୍ତି । ମୋର ମା’ ସେମାନଙ୍କୁ ମତେ ଆଶୀର୍ବାଦ କରିବାକୁ କହନ୍ତି । ଗାୟକ ମୋ ମୁଣ୍ଡରେ ଚଅଁର ରଖି ଆଶୀର୍ବାଦ କରନ୍ତି । ଚଉଦ ଅକ୍ଷରୀ ପଦ ଗାଇ ମୋର ମଂଗଳ କାମନା କରନ୍ତି । ଏଇ ଚଉଦ ଅକ୍ଷରୀରେ ସବା ଶେଷରେ କବିର ନାମ ଉଚ୍ଚାରଣ କଲାବେଳେ ‘କହଇ ବିନୋଦ, ବୋଲଇ ବିନୋଦ’ ବୋଲି ଗାଇଦିଅନ୍ତି । ସେମାନଙ୍କର ଏଇ ଅଭ୍ୟାସ ମୋ ଭିତରେ ଅଭିମାନ ସୃଷ୍ଟିକଲା ଓ ମୁଁ କବିତା ରଚନାର ପ୍ରେରଣା ପାଇଲି ।

କବିଙ୍କ ତାରୁଣ୍ୟ ଓ ସୃଜନ ମୋହ

କୃତୀ ଛାତ୍ର ଭାବେ ବିନୋଦ ପିଲାଦିନରୁ ବେଶ୍‌ ବାରିହେଇ ପଡ଼ୁଥିଲେ । ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ ଯୋଗଦାନ ସ୍ଵରୂପ ତାଙ୍କୁ ମିଳୁଥିଲା ପୁସ୍ତକ ସ୍ଵରୂପ ପୁରସ୍କାର । ଏଇ ପୁସ୍ତକାବଳୀ ଭିତରେ ଉଭୟ ଇଂରାଜୀ ଓ ଓଡ଼ିଆ ପୁସ୍ତକର ଉଲ୍ଲେଖନୀୟ ସ୍ରଷ୍ଟା ଥିଲେ । ତାଙ୍କ ସ୍କୁଲ୍‌ର ହେଡ଼୍‌ମାଷ୍ଟର୍‌ ଶ୍ରୀବରାହ ଚରଣ ମହାନ୍ତି ନିଆଳିର ଆଦି ବାସିନ୍ଦା । ବେଶ୍‌ ପ୍ରତିଭାଦୀପ୍ତ ଓ ଗରୀୟାନ୍‌ । ବିନୋଦଙ୍କ ଜ୍ଞାନ ପିପାସାକୁ ଚରିତାର୍ଥ କଲା ଭଳି ବର୍ଣ୍ଣାଡ଼୍‌ ଶଙ୍କ ଦିଓଟି ନାଟକ ପୁରସ୍କାର ଦେଲେ । ତାହା ହେଲା ‘ଆର୍ମସ୍‌ ଏଣ୍ଡ ଦି ମେନ୍‌’ ଏବଂ ‘ମେନ୍‌ ଏଣ୍ଡ‌୍‌ ସୁପର୍‌ମେନ୍‌’ । ବାଳୁତରୁ ତାରୁଣ୍ୟ ଆଡ଼କୁ ଗତି କରୁଥିବା ଏହି ବୟସରେ ପୁସ୍ତକ ଦୁଇଟି କବିଙ୍କ ମାନସିକ ସମୃଦ୍ଧି ଦିଗରେ ବେଶ୍‌ ସହାୟକ ହେଇ ପାରିଛନ୍ତି । ଏଇଥିରୁ ପ୍ରେରଣା ସ୍ଵରୂପ ସିଏ ପରବର୍ତ୍ତୀ ସମୟରେ ‘ଚନ୍ଦ୍ର ଓ ତାରା’ କାବ୍ୟନାଟିକା ଓ ‘ସରୀସୃପ’ କବିତା ଲେଖିବା ପାଇଁ ଶକ୍ତି ହାସଲ କରିଛନ୍ତି । ପୁନଶ୍ଚ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ କବିତା ଗ୍ରନ୍ଥ ସିଏ ପୁରସ୍କାର ପାଇଛନ୍ତି, ତାହା ହେଲା ମାୟାଧର ମାନସିଂହଙ୍କର ‘ଧୂପ’ ଓ ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ପାଥେୟ’ । ଏଇ ଦୁଇଟି ପୁସ୍ତକର ଛନ୍ଦାୟିତ ପଂକ୍ତି ଲାଳିତ୍ୟ ତଥା ସାଂଗୀତିକ ପ୍ରବାହ ତାଙ୍କୁ କବିତା ଦିଗରେ ବିଶେଷ ସକ୍ଷମ କରି ଗଢ଼ି ତୋଳିଛି ପରବର୍ତ୍ତୀ ଜୀବନ କାଳରେ । ୧୯୩୨ ବେଳକୁ କଟକରୁ ‘ଯୁଗବୀଣା’ ପ୍ରକାଶ ପାଇଥାଏ । ଜଷ୍ଟିସ୍‌ ହରିହର ମହାପାତ୍ର ତହିଁର ସଂପାଦକ ଥାନ୍ତି । କବି ବିନୋଦ ପ୍ରେରଣ କରନ୍ତି ତାଙ୍କ ପାଣ୍ଡୁଲିପି ‘ହୈମନ୍ତୀ’ । ସଂପାଦକ ତା’କୁ ସ୍ୱତନ୍ତ୍ର ପୁସ୍ତକ ଆକାରରେ ପ୍ରକାଶ କରିଦିଅନ୍ତି ଯାହା କବିଙ୍କ ମନରେ ଖେଳାଇ ଦେଲା ସୃଜନ କର୍ମର ବିପୁଳ ଉଲ୍ଲାସ । ଏହାହିଁ ଭର୍ତ୍ତି କଲା ଜୀବନରେ କବିତା ତଥା ସଂଗୀତର ଅନୁରାଗ । ଜୀବନ ଚଳଣି ସୃଜନାତ୍ମକ କ୍ରିୟାକୁ ଆବୋରି ସାଧାରଣ ବାଟେ ନଯାଇ ଅସାଧାରଣ ହେବାକୁ ବସିଲା । ରହସ୍ୟାବୃତ ଜୀବନର ପର୍ଦ୍ଦାକୁ ଉନ୍ମୋଚିତ କଲା ନିଜକୁ ଫୁଟେଇ କହିପାରୁଥିବା ଏକ ଛନ୍ଦାୟିତ ଆବେଗ ।

୧୯୩୩ ମସିହା ବେଳକୁ କବିଙ୍କୁ ମାତ୍ର ଚଉଦ ବର୍ଷ ବୟସ । ତେବେ ଏଇ କିଶୋର ବୟସରେ ତାଙ୍କୁ ଘାରିବାକୁ ଆରମ୍ଭ କଲା କବିତା ରଚନାର ନିଶା । ସିଏ ବାଳକୃଷ୍ଣ କରଙ୍କ ସଂପାଦନାରେ ପ୍ରକାଶ ପାଉଥିବା ‘ସହକାର’କୁ ତା’କରି ପ୍ରଥମ କବିତା ପ୍ରେରଣ କଲେ । ଯାହା ପ୍ରକାଶ ପାଇଲା ଅନ୍ୟାନ୍ୟ ବହୁ କବିଙ୍କ ରଚନା ଉପରେ ପ୍ରାଧାନ୍ୟ ବିସ୍ତାର କରି । ତେବେ କବିଙ୍କ ନିଜସ୍ଵ ଭାଷାରେ ‘କବି ରାଧାମୋହନ ଗଡ଼ନାୟକ ରାଗାନ୍ୱିତ ହୋଇ ମୁଁ ବାଇରନ୍‌ଙ୍କ କବିତାକୁ ପ୍ଲାଜେରାଇଜ୍‌ କରିଛି କହି ‘ନବୀନ’ ପତ୍ରିକାରେ ଏକ ଦୀର୍ଘ ସମାଲୋଚନାରେ ମୋତେ ବେତ୍ରାଘାତ କଲେ ।

ଛନ୍ଦମୁଖୀ କବି ରାଧାମୋହନ ଗଡ଼ନାୟକ ମୁକ୍ତ ଛନ୍ଦରୁପୀ କବିତା ଗଠନର ଆପାତତଃ ପକ୍ଷପାତୀ ନ ଥିଲେ । ଜୀବନ ସାରା ଛନ୍ଦକୁ କାବ୍ୟିକ ମଣିମୁକ୍ତା ଭାବେ ସୃଷ୍ଟି-ଗଳାରେ ଧାରଣ କରିଥିବା ଏଇ କବି କୋପାନଳର ବଶବର୍ତ୍ତୀ ହୋଇ ସେଇ ସମୟର ସମସ୍ତ ଆଧୁନିକ ଅଙ୍ଗସଜ୍ଜାକୁ କବିତାରେ ତୀବ୍ର ବିରୋଧ କରି ବସିଲେ । କବି ବିନୋଦ ତେଣୁ କହନ୍ତି, ‘‘ସେହି ବର୍ଷ ‘ନବୀନ’ର ଏକ ସଂଖ୍ୟାରେ ସଚ୍ଚିଦାନନ୍ଦ ରାଉତରାୟଙ୍କର ‘ଦୂର ଓ ନିକଟ’ ଲକ୍ଷ୍ମୀଧର ନାୟକଙ୍କର ‘ରୁଦ୍ର’ ଓ ମୋର ‘ବାଣୀ’ କବିତା ଏକତ୍ର ପ୍ରକାଶିତ ହୋଇଥିଲା । ଯାତ୍ରା ବୃତ୍ତ ଛନ୍ଦର ଅପବ୍ୟବହାର ଦେଖାଇ ରାଧାମୋହନ ଗଡ଼ନାୟକଙ୍କ ଏକ ଦୀର୍ଘ ନିବନ୍ଧ ‘ନବୀନ’ରେ ପ୍ରକାଶ ପାଇଲା । ପ୍ରତିବାଦ କଲେ ବିନାୟକ ଦାସ । ଦୀର୍ଘ ଗୋଟାଏ ବର୍ଷ ଛନ୍ଦର ନିବିଡ଼ ଆଲୋଚନାର ସଂଗ୍ରାମରେ ପକ୍ଷ ପ୍ରତିପକ୍ଷରେ ଅବତୀର୍ଣ୍ଣ ହୋଇଥିଲେ ମାୟାଧର ମାନସିଂହ, ଶରତ୍‌ ଚନ୍ଦ୍ର ମୁଖାର୍ଜୀ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଡମ୍ବରୁଧର ପରିଡ଼ା, କୁବେର ଦଳାଇ, ରାମକୃଷ୍ଣ ପାଢ଼ୀ, ଯମୁନା ଦେବୀ, ପ୍ରସାଦବାଳା ଦେବୀ ରଥୀ ମହାରଥୀ ଗଣଙ୍କ ଶର ଆତଯାତେ ନ ଦିଶେ ଭାନୁ । ଏ ଯୁଗର ଜ୍ୟୋତିଷ ସଚ୍ଚି ରାଉତରାୟ ଲକ୍ଷ୍ମୀଧର ନାୟକଙ୍କ ପାର୍ଶ୍ଵରେ ମୁଁ ଏକ ଖର୍ବ ‘ଜ୍ୟୋତିରିଙ୍ଗଣ’’ । ଓଡ଼ିଶାର ଅନେକ ପୁରାତନ ବିଦ୍ୟାଳୟ ମଧ୍ୟରୁ ତେଲିପାଲି ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ । କୁଣ୍ଡକେଲା ନିକଟସ୍ଥ ଏହି ଗ୍ରାମାଞ୍ଚଳର ବିଦ୍ୟାଳୟଟି ଅନେକ ବର୍ଷ ହେଲା ତା’ର ଶତବାର୍ଷିକୀ ପାଳନ କରି ସାରିଛି । ଏଇଠି ବିନୋଦଙ୍କ ପିତା ଶିକ୍ଷକତା କରୁଥିଲେ । ତେବେ ବିନୋଦ ବାଲ୍ୟ ଶିକ୍ଷା ସମାପନ ପରେ ୧୯୩୩ ମସିହାରେ ସୁନ୍ଦରଗଡ଼ ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରନ୍ତି ।

ଗୌନ୍ତିଆ ପରିବାର ଓ ଭୂମାଲିକାନା

ପୂର୍ବରୁ କୁହାଯାଇଛି ଯେ କବି ବିନୋଦ ଚନ୍ଦ୍ର ଭୂମିଷ୍ଠ ହେଇଥିଲେ ଏକ ‘ଗୌନ୍ତିଆ’ ପରିବାରରେ । ତେବେ ଏ ‘ଗୌନ୍ତିଆ’ ଶବ୍ଦର ମାନେ କ’ଣ ? ବ୍ରିଟିଶ୍‌ ସରକାର ଗୋଟିଏ ଗ୍ରାମରେ ଚାଷଜମି ଉପରେ କର୍ତ୍ତୃତ୍ୱ, ତା’ଜନିତ ରାଜସ୍ଵ (ମାଲ୍‌ଗୁଜାରି) ଅସୁଲି ଓ ଅନ୍ୟାନ୍ୟ ରାଜସ୍ଵ ପ୍ରଶାସନ ପାଇଁ ଗୋଟିଏ ମଧ୍ୟସ୍ଥି ପଦବୀ ସୃଷ୍ଟି କରି ଯାଇଥିଲେ ଯେଉଁମାନେ ‘ଗୌନ୍ତିଆ’ ‘ଇମାନ୍‌ଦାର୍‌’, ‘ମାଫିଦାର୍‌’ ଇତ୍ୟାଦି ନାମରେ ନାମିତ ଥିଲେ । ମୋଗଲ ଶାସନ ସମୟରେ ଏଇ ରାଜସ୍ଵ ଶାସନ ଭିନ୍ନ ମାର୍ଗ ଦେଇ ଗତି କରୁଥିଲା । ତେବେ ବ୍ରିଟିଶ୍‌ ଶାସନରେ ଏହା ଅନ୍ୟରୂପ ଧାରଣ କଲା । ଗୋଟିଏ କିମ୍ୱା ତା’ଠୁ ଅଧିକ ଗ୍ରାମ (‘ପଡ଼ା’ ମିଶେଇ) କୁ ‘ଗୌନ୍ତିଆ’ଙ୍କ ନିୟଂନ୍ତ୍ରଣାଧିନ କରାଗଲା । ସେଇ ଗ୍ରାମର ବାର୍ଷିକ ରାଜସ୍ଵ ଆୟ କେତେ, ତାହା ଆଗରୁ ସ୍ଥିରୀକୃତ ହେଉଥିଲା । ‘ଗୌନ୍ତିଆ’ ଚାହିଁଲେ ଅନ୍ୟ ସ୍ଥାନରୁ ‘ଲୋକ’ ଆଣି ତାଙ୍କୁ ନିଜ ଗ୍ରାମରେ ଚାଷଜମି ଦେଇ ଥଇଥାନ କରୁଥିଲେ । କିନ୍ତୁ ଜମିଜମା ବନ୍ଦୋବସ୍ତ ବ୍ରିଟିଶ୍‌ ସରକାରଙ୍କ ଶାସନାଧିନ ଥିଲା । ସେମାନେ ତାଙ୍କ ସୁବିଧା ତଥା ସ୍ଵାର୍ଥ ପାଇଁ ଏଇ ‘ସାମନ୍ତବାଦୀ’ ଶ୍ରେଣୀ ସୃଷ୍ଟି କରିଥିଲେ । ‘ରୟତ’ ଶ୍ରେଣୀକୁ ଛାଡ଼ିଦେଲେ ପୂଜକ, ଗ୍ରାମରକ୍ଷୀ ପ୍ରମୁଖଙ୍କ ସେବା ସକାଶେ ‘ଦେବୋତ୍ତର’ ‘ଖର୍‌ପୋଷ୍‌’ ‘ବ୍ରହ୍ମୋତ୍ତର’ ମାଧ୍ୟମରେ ଜମି ଦିଆଯାଉଥିଲା । ମଠାଧିଶ ସାଙ୍ଗକୁ ବ୍ରାହ୍ମଣମାନେ ମଧ୍ୟ ଏଇ ସୁବିଧା ହାସଲ କରି ପାରୁଥିଲେ । ‘ରାଜା’ ଓ ସାଧାରଣ ପ୍ରଜା ମଧ୍ୟରେ ‘ଗୌନ୍ତିଆ ବର୍ଗ’ ମଧ୍ୟସ୍ଥି ଭାବରେ ନିଜ କାର୍ଯ୍ୟ ନିର୍ବାହ କରୁଥିଲେ । ସାଧାରଣ ପ୍ରଜାଙ୍କ ଠାରୁ ରାଜସ୍ଵ ତଥା ସଲାମୀ ସୂତ୍ରରେ ‘ଗୌନ୍ତିଆ’ ଯେଉଁ ଅର୍ଥ ଆଦାୟ କରୁଥିଲେ ତାହା ରାଜାଙ୍କ ଜରିଆରେ ବ୍ରିଟିଶ ସରକାରଙ୍କ ରାଜକୋଷକୁ ଯାଉଥିଲା । ଏଇ ସେବା କାର୍ଯ୍ୟର ବିନିମୟରେ ଜଣେ ‘ଗୌନ୍ତିଆ’ ଗ୍ରାମର ସମୁଦାୟ ଜମିଜମାର ୧୫ ପ୍ରତିଶତ ଚାଷଜମି ନିଜ ଅଧିକାର ଭୁକ୍ତ କରୁଥିଲେ । ‘ଭୋଗରା’ (ସ୍ଵତନ୍ତ୍ର ସୁବିଧାଜନିତ ଜମି) ହେଲେ ଏହା ସମୁଦାୟ ଗ୍ରାମଜମିର ୨୦ରୁ ୨୫ ପ୍ରତିଶତ ଥିଲା । ବୋର୍ଡ଼ ଅଫ୍‌ ରେଭିନ୍ୟୁ ଦ୍ଵାରା ପ୍ରକାଶିତ ‘ଜମିଜମା ଆଇନ’ରେ ଏହାରି ବିସ୍ତୃତ ବର୍ଣ୍ଣନା ରହିଛି । ‘ଗାଙ୍ଗପୁର’ ଗଡ଼ଜାତ, କବିଙ୍କ ଗ୍ରାମ ଯାହାରି ଶାସନାଧିନ, ଏହି ବିଧିବ୍ୟବସ୍ଥା କୌଣସି କାରଣରୁ ବି ନିର୍ଦ୍ଦିଷ୍ଟ ହେଇ ପାରି ନ ଥିଲା । ତେବେ ‘ଭୋଗ୍‌ରା’ ଅର୍ଥାତ୍‌ ‘ଭୋଗ’ ଜମିରେ ପୋଖରୀ, ସରସିଆ ମାଟି, ବଗାଏତ୍‌ ଓ ଫସଲ ଉତ୍ପନ୍ନକାରୀ ଲୋଭନୀୟ ପ୍ରେକ୍ଷାପଟ ଭିତରେ କବି ଯେମିତି ଦୁନିଆଁକୁ ଉଚ୍ଚାରୁ ଦେଖିବାକୁ ସମର୍ଥ ହେଇଥିଲେ । ‘ପ୍ରଭୁତ୍ଵ’ ଯେମିତି ଆପେ ବସା ବାନ୍ଧିବାକୁ ଆଗେଇ ଆସିଥିଲା ତାଙ୍କ ଚାରିକଡ଼କୁ । ଏହା ଦେଖିଲେ କବିଗୁରୁ ରବୀନ୍ଦ୍ରନାଥଙ୍କ ଜୀବନ ଶୈଳୀ ମନେ ପଡ଼େ, ଯେମିତି ସିଏ ମଧ୍ୟ ଏକ ଜମିଦାର୍‌ ପରିବାରରୁ ଆସିଥିଲେ ।

ସମ୍ବଲପୁର ଓ ଗାଂଗପୁର : ଶିକ୍ଷା ପରିବେଶ

କବି ବିନୋଦଙ୍କ ଜନ୍ମସ୍ଥାନ କୁଣ୍ଡୁକେଲା ନିକଟସ୍ଥ ତେଲିପାଲି ଯାହା ଅବିଭକ୍ତ ସମ୍ବଲପୁର ତଥା ବର୍ତ୍ତମାନର ଝାରସୁଗୁଡ଼ା ଜିଲ୍ଲା ସୀମାର ଠିକ୍‌ ଆର କଡ଼କୁ । ତେଣୁ ଗାଂଗପୁର ଗଡ଼ଜାତର ପ୍ରାରମ୍ଭ ତଥା ସମ୍ବଲପୁର ଜିଲ୍ଲାର ସୀମାନ୍ତ ଭୂଇଁ ଭୌଗୋଳିକ, ସାମାଜିକ ଓ ସାଂସ୍କୃତିକ ବୈଭବରେ ସେଭଳି ପ୍ରଭେଦ ବାରିହେବା ସମ୍ଭବ ନ ଥିଲା । ଉନ୍ନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ଏଇ ଅଞ୍ଚଳର ଶିକ୍ଷା ବିକାଶ ତଥା ସାଂସ୍କୃତିକ ସଚେତନତାକୁ ନେଇ ବାମଣ୍ଡାରୁ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’ ରେ ଯେଉଁ ଉଦ୍‌ବେଗ ପ୍ରକାଶ ପାଇଥିଲା, ତାରି ପ୍ରାସଙ୍ଗିକତା ବହୁବର୍ଷ ଯାକେ ବଳବତ୍ତର ରହିଥିବା ଅନୁମେୟ । ‘ସମ୍ବାଦଟି’ ୧୮୯୧ ମସିହା ଜାନୁୟାରୀ ୮ତାରିଖ ବୁଧବାର ଦିନ ନିମ୍ନୋକ୍ତ ମତେ ପ୍ରକାଶ ପାଇଥିଲା ।

‘ସମ୍ବଲପୁର ଜିଲ୍ଲା ମଧ୍ୟରେ ସମ୍ବଲପୁର ହାଇସ୍କୁଲଟି ଶିକ୍ଷାର ଶ୍ରେଷ୍ଠ ସ୍ଥାନ ଅଟଇ ତଦ୍‌ଭିନ୍ନ ସମ୍ବଲପୁର ଜିଲ୍ଲା ତ୍ୟାଗ ନ କଲେ ଉଚ୍ଚ ଶିକ୍ଷା ଲାଭର ଅନ୍ୟୋପାୟ ନାହିଁ । ଆଉ ସମ୍ବଲପୁରରେ ଉତ୍କଳ ମାତୃଭାଷା ଅଟଇ । ସୁତରାଂ ଏହି ମାତୃଭାଷାର ଉନ୍ନତି ସଙ୍ଗେ ସଙ୍ଗେ ରାଜଭାଷାର ଉନ୍ନତି ହେବା ନିତାନ୍ତ ଆବଶ୍ୟକ । ମାତ୍ର ସମ୍ବଲପୁର ଶିକ୍ଷା ବିଭାଗର କୌଣସି ଉଚ୍ଚ ଶ୍ରେଣୀର ଓଡ଼ିଆ ସ୍କୁଲ ନ ଥିବାରୁ ଏ ଜିଲ୍ଲାର ରାଜଭାଷାର କ୍ରମିକ ଉନ୍ନତି ସଂରକ୍ଷିତ ହେଉଅଛି । ଉତ୍କଳ ଭାଷାରେ ତାଦୃଶ ଉନ୍ନତି ଦେଖାଯାଉ ନାହିଁ । ଯାହା କିଛି ଉତ୍‌କାଳ ଶିକ୍ଷା ପ୍ରଦତ୍ତ ହେଉଅଛି ତାହା ଅବିଶୁଦ୍ଧ ଏବଂ ଅପରିମାର୍ଜିତ ଅଟଇ । ପୂର୍ବେ ଏ ଦେଶର ଲିଖନ ପଠନରୀତି ତାଦୃଶ ବେଶି ନ ଥିଲା । ବ୍ରାହ୍ମଣମାନେ କେବଳ ଏଥିରେ କୃତକାର୍ଯ୍ୟ ହେଉଥିଲେ ।’’ ପୁଣି ୧୮୯୧ ମସିହା ୧୫ ତାରିଖ ସଂଖ୍ୟାରେ

 

‘‘ସମ୍ବଲପୁର ବିଭାଗର ମାତୃଭାଷା ଓଡ଼ିଆରେ ହେଲେ ହେଁ ତାହା ନିତାନ୍ତ କଦର୍ଯ୍ୟ ଦଶାପନ୍ନ, ବର୍ତ୍ତମାନ ଭଦ୍ର ସମାଜର ଭାଷା କିଞ୍ଚିତ ଉନ୍ନତି ଲାଭ କରିଅଛି ସତ୍ୟ ମାତ୍ର ନିମ୍ନ ଶ୍ରେଣୀର ଲୋକମାନଙ୍କର ଭାଷା ପ୍ରାୟ ପୂର୍ବପରି କଦର୍ଯ୍ୟ ରହିଅଛି ।’’

 

ଉପରୋକ୍ତ ସମ୍ବାଦକୁ ଅନୁଧ୍ୟାନ କଲେ ଯାହା ବୁଝାପଡ଼େ ସମ୍ବଲପୁର, ଗାଂଗପୁର ଭୌଗୋଳିକ ପରିବେଶ ସଭ୍ୟତା ଓ ସଂସ୍କୃତି ଅନ୍ୟ ଅଞ୍ଚଳଠୁ ଯେ ପଛରେ ଥିଲା ଓ ବିଂଶ ଶତାବ୍ଦୀର ପ୍ରଥମ ତିନି-ଚାରି ଦଶନ୍ଧିରେ ତା’ର ଯେ ସେଭଳି କିଛି ଅଭ୍ୟୁତ୍‌ଥାନ ହୋଇଛି, ଏଭଳି ପ୍ରତ୍ୟୟ ସହଜରେ ମନରେ ସୃଷ୍ଟି ହେଇପାରେ ନାହିଁ । ଯା’ହେଉ ଏଭଳି ପ୍ରତିକୂଳ ପରିବେଶ ମଧ୍ୟରେ କବି ବିନୋଦ ଯେ ତାଙ୍କ କବିତା ସୁମନର ସୌରଭକୁ ଅନ୍ୟ ପାଠକଙ୍କ ପ୍ରଶ୍ୱାସ ଭିତରକୁ ନେଇ ପାରିବେ, ଏହା ଅବିଶ୍ୱାସ ମନେ ହେଉଥିଲେ ବି ପରକ୍ଷଣରେ ସତ୍ୟ ହେଇପାରିଛି ।

 

ଭାଷା ବିପନ୍ନ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶା

 

ଏଠି ଭାଷାର ବଳିଷ୍ଠତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯେଉଁ ଭାଷାରେ କବି ତା’ରି କବିତା ଲେଖିବ ତାହା ସର୍ବଜନ ପାଇଁ ସୁବୋଧ୍ୟ, ସୁଲଳିତ ତଥା ସହଜରେ ବୁଝି ହେଉଥିବା ଆବଶ୍ୟକ । ଯେଉଁଥିପାଇଁ ରିଲ୍‌କେ ଜର୍ମାନୀରେ, ନେରୁଦା ସ୍ପେନୀୟ ଭାଷାରେ କିମ୍ବା ଏଲିଟିସ୍‌ ଗ୍ରୀକ୍‌ ତଥା କାଓ୍ୱୌବାତା ଜାପାନୀ ଭାଷାରେ ନିଜ କାବ୍ୟଭାଷା ନିର୍ମାଣ କଲେ ଓ ରାଷ୍ଟ୍ରର ସହଯୋଗିତା ତାଙ୍କୁ ଏଇ ଅଡ଼ୁଆ ବାଟକୁ ପରିଷ୍କାର କରିବାରେ ସାହାଯ୍ୟ କଲା, କବି ବିନୋଦଙ୍କ କ୍ଷେତ୍ରରେ ତାହା ସମ୍ଭବ ନ ଥିଲା । ପାଠ୍ୟ ତଥା ସରକାରୀ ଭାଷା ଓଡ଼ିଆ, ସାଧାରଣ ଜନତାଙ୍କ ଭାଷା ସମ୍ବଲପୁରୀ ତଥା ନିଜ ପରିବାରର ଭାଷା ଅଘ୍ରିଆ, ଏଭଳି ତ୍ରିଶଙ୍କୁରେ କବି ଯେତେବେଳେ ଛନ୍ଦି ହେବା ଅବସ୍ଥାରେ ଥା’ନ୍ତି ଠିକ୍‌ ସେତିକି ବେଳକୁ ଓଡ଼ିଶା ଭାଷାଭିତ୍ତିକ ସ୍ଵତନ୍ତ୍ର ପ୍ରଦେଶ ଗଠିତ ହେଲା । ଏହା ୧୯୩୬ ମସିହାର କଥା । ସେତେବେଳକୁ କବିଙ୍କୁ ମାତ୍ର ସତର ବର୍ଷ ବୟସ ।

 

ଏହାରି ପୂର୍ବବର୍ତ୍ତୀ ସମୟ ସମ୍ବଲପୁର ପାଇଁ ଘଡ଼ିସନ୍ଧିର ମୁହୂର୍ତ୍ତ ଥିଲା । ତାହା ମଧ୍ୟପ୍ରଦେଶର ଶାସନାଧିନ ଥିଲା । ‘ସମ୍ବଲପୁର ହିତୈଷିଣୀ’ର ସଂପାଦକ ନୀଳମଣି ବିଦ୍ୟାରତ୍ନଙ୍କ ଭାଷାରେ ‘‘ସମ୍ବଲପୁର ମଧ୍ୟପ୍ରଦେଶର ଅନ୍ତଭୁକ୍ତ କିନ୍ତୁ ମଧ୍ୟପ୍ରଦେଶ ତାହାର କୌଣସି ବିଷୟରେ ମେଳ ନାହିଁ । ଆର୍ଯ୍ୟାବର୍ତ୍ତ ଓ ଦାକ୍ଷିଣାତ୍ୟର ମଧ୍ୟସ୍ଥଳରେ ଯେଉଁ ଭୂଭାଗ ବିନ୍ଧ୍ୟ ସଂପର୍କିତ ଶୈଳମାଳାରେ ପରିବେଷ୍ଟିତ ସମ୍ବଲପୁର ସେ ଭୂଭାଗର ବର୍ହିଭୂତ । ଯେଉଁ ଭୂଭାଗ ଗଣ୍ଡପରିପ୍ଲୁତ ବୋଲି ଗଣ୍ଡୋୟାନ୍‌ ନାମରେ ପ୍ରସିଦ୍ଧ ଲାଭ କରିଥିଲା, ସମ୍ବଲପୁର ସହିତ ତା’ର କୌଣସି ସଂପର୍କ ନାହିଁ ।’’

 

୧୮୬୭ ମସିହାରେ ପ୍ରକାଶିତ ମଧ୍ୟପ୍ରଦେଶ ଗେଜେଟିଅର୍‌ରେ ସମ୍ବଲପୁର ଜିଲ୍ଳା ସଂଲଗ୍ନ ଛତିଶଗଡ଼ (ଯାହା ଏବେ ସ୍ଵତନ୍ତ୍ର ପ୍ରଦେଶ ଭାବେ ସ୍ଵୀକୃତ) ଉପରେ ଲେଖାଅଛି ‘‘The Chhatisgarh division is also included the district of Sambalpur which is not however a part of Chhatisgarh proper either geographically or historically. ଛତିଶଗଡ଼ ଡିଭିଜନ୍‌ରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଭୁକ୍ତ ହେଇଥିଲେ ସୁଦ୍ଧା ଏହା ତା’ରି ଅଂଶବିଶେଷ ଭାବେ ଭୌଗୋଳିକ କିମ୍ବା ଐତିହାସିକ ଦୃଷ୍ଟିକୋଣରୁ ପରିଗଣିତ ନୁହେ ।

 

ଉପରୋକ୍ତ ବିଷୟକୁ ପ୍ରାକ୍ତନ୍‌ ସାରଙ୍ଗଗଡ଼ ନିବାସୀ ବିଶିଷ୍ଟ ଶିକ୍ଷାବିତ୍‌ ଡ: ଗିରିଧାରୀ ପ୍ରସାଦ ଗୁରୁ ତାଙ୍କ ଆତ୍ମଜୀବନୀ ‘ଦି ଟାଇଡ଼୍‌ସ ଅଫ୍‌ ଟାଇମ୍‌’ରେ ଖଣ୍ଡନ କରିଛନ୍ତି । ତାଙ୍କ ଭାଷାରେ ମହାନଦୀ ସମ୍ବଲପୁର ସାଙ୍ଗକୁ ଛତିଶଗଡ଼ର ସାରଙ୍ଗଗଡ଼ ଓ ରାୟପୁରକୁ ଖାଲି ଯୋଡୁଥିଲା ତା’ନୁହେ ଏହା କଟକକୁ ମଧ୍ୟ ଜଳପଥ ମାଧ୍ୟମରେ ସଂଯୋଗ କରୁଥିଲା । ତେଣୁ ଉଭୟ ଅର୍ଥନୈତିକ ଓ ସାଂସ୍କୃତିକ ସଂପର୍କର ଉନ୍ମେଷ ପାଇଁ ଏଇ ରାଜ୍ୟମାନଙ୍କ ସହିତ ମହାନଦୀ ସେତୁ ଭଳି କାମ କରୁଥିଲା ।

 

୧୮୯୪ ମସିହାରେ ବ୍ରିଟିଶ ସରକାର ସମ୍ବଲପୁରରେ ରାଜଭାଷା ଭାବେ ହିନ୍ଦୀ ପ୍ରଚଳନ କରିଥିଲେ । ସମ୍ବଲପୁରରେ ଏହାରି ବିପକ୍ଷରେ ବିପୁଳ ଜନମତ ଗଢ଼ି ଉଠିଥିଲା । ଏହା ଆନ୍ଦୋଳନର ରୂପ ନେଇଥିଲା ଯାହାକୁ ମଧୁସୁଦନ ଦାସ ଦୃଢ଼ ସମର୍ଥନ ଜଣେଇ ବହୁ ପ୍ରତିବାଦ ପତ୍ର ପ୍ରକାଶ କରିଥିଲେ । ସମ୍ବଲପୁରରୁ ପ୍ରକାଶ ପାଉଥିବା ‘ଉତ୍କଳ ଦର୍ପଣ’ (୧୯୦୫)ର ସଂପାଦକ ଶ୍ରୀପତି ମିଶ୍ର, ଚନ୍ଦ୍ରଶେଖର ବେହେରା, ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର, ମହାରାଜ ମହନ୍ତ ବିହାରୀ ଦାସ ପ୍ରମୁଖ ଏହି ଆନ୍ଦୋଳନରେ ନେତୃତ୍ଵ ନେଇ ନାଗପୁର ସ୍ଥିତ କମିଶନର୍‌ ଏଣ୍ଡ୍ରୁ ମେଜରଙ୍କୁ ସାକ୍ଷାତ୍‌ ପୂର୍ବକ ଏଭଳି ଆଦେଶର ବାତିଲ ପାଇଁ ଦୃଢ଼ ଦାବୀ ଜଣେଇଥିଲେ । ଫଳତଃ ୧୯୦୩ ମସହାରେ ସମ୍ବଲପୁର ଜିଲ୍ଲା ସ୍ଥିତ କୋର୍ଟ କଚେରୀରୁ ହିନ୍ଦୀଭାଷା ଉଚ୍ଛେଦ କରି ପୁନର୍ବାର ଓଡ଼ିଆ ଭାଷା ମାଧ୍ୟମରେ ଲେଖାପଢ଼ା ଚାଲିଲା ।

 

୨. ଓଡ଼ିଆ ଭାଷା ଆନ୍ଦୋଳନ, ଲେ. ଡକ୍ଟର ବଂଶୀଧର ମହାନ୍ତି (ପୃ-୩୨୯)

 

ସମ୍ବଲପୁରରେ ଓଡ଼ିଆ ଭାଷାର ପ୍ରଚଳନ ତଥା ୧୯୦୫ ମସିହା ଓଡ଼ିଆ (ଉତ୍କଳ)ରେ ସମ୍ବଲପୁରର ମିଶ୍ରଣ ଉପରେ ସ୍ଵର୍ଗତ ଶ୍ରଦ୍ଧାକର ସୂପକାର ଓ ସ୍ଵର୍ଗତ ଶଙ୍କର ପ୍ରସାଦ ପାଢ଼ୀଙ୍କ ଦ୍ଵାରା ଲିଖିତ ‘ସମ୍ବଲପୁର ଭାଷା ଆନ୍ଦୋଳନରେ ନିଜସ୍ୱ ମନ୍ତବ୍ୟ ସ୍ଵରୂପ ଲେଖିଛନ୍ତି: ‘ସମ୍ବଲପୁର ସେ ସମୟରେ ଯଦି ଓଡ଼ିଶାରେ ମିଶି ନ ଥାନ୍ତା ତେବେ ସମ୍ବଲପୁରର ଅବସ୍ଥା ଆଜି ହୁଏତ ମେଦିନୀପୁର, ସିଂହଭୂମ ବା ମଂଜୁଷା ଆଦି ଉପାନ୍ତ ଅଞ୍ଚଳ ପରି ହୋଇଥାନ୍ତା । କେବଳ ଉପକୂଳ ଅଞ୍ଚଳ ଓ ଅନୁଗୋଳକୁ କେନ୍ଦ୍ରକରି କେତେକ ଗଡ଼ଜାତ ମିଶାଇ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବା ଅତି ଦୁଃସାଧ୍ୟ ହୋଇଥାନ୍ତା । ସମ୍ବଲପୁରର ଭାଷା ଆନ୍ଦୋଳନ ହିଁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଭିତ୍ତି’ । ୧୯୭୫-୭୬ ରେ ଜାତୀୟ ସରକାରଙ୍କ ସରକାରୀ ଭାଷା କମିଶନ୍‌ର ସଭ୍ୟ ଓ ଓଡ଼ିଶା ସରକାରଙ୍କ ସରକାରୀ ଭାଷା କମିଟିର ସଭ୍ୟ (୧୯୭୫-୭୬ ଓ ୧୯୮୩) ଥିବା ଜଣେ ବିଦ୍ଵାନ ରାଜନୀତିଜ୍ଞ ଏହି କଥାକୁ ନିଜ ଉପଲବ୍‌ଧି ଭାବେ ପ୍ରକାଶ କରିଥିଲେ । ଯା’ହେଉ ରାଷ୍ଟ୍ର ଚରିତ୍ରକୁ ଏପରି ସହଯୋଗୀ କରି ଗଢ଼ି ତୋଳିବାଦ୍ଵାରା କବି ବିନୋଦ ତଥା ଅନ୍ୟାନ୍ୟ ବହୁ ସାହିତ୍ୟ ପ୍ରେମୀ ନିଜ ଆବେଗର ପରିସ୍ଫୁଟନ ଦିଗରେ ଓଡ଼ିଆ ଲିପି ସର୍ବୋପରି ଭାଷାକୁ ଏକ ବଳିଷ୍ଠ ମାଧ୍ୟମ ରୂପେ ବାଛି ନେଇ ପାରିଲେ ।

Image

 

ଯୁବାବସ୍ଥା ଓ ଉଚ୍ଚଶିକ୍ଷା

 

ମାଟ୍ରିକ୍‌ ପାସ୍‌ ପରେ ୧୯୩୪-୩୫ ମସିହାରେ ଉଚ୍ଚ ଶିକ୍ଷା ପାଇଁ କବି ବିନୋଦ ନିଜ ଗାଆଁ ତଥା ତା’ରି ନିକାଞ୍ଚନ ପରିବେଶକୁ ଆଡ଼େଇ କଟକ ଅଭିମୁଖେ ବର୍ହିଗତ ହେଲେ ରେଭେନ୍‌ସା ମହାବିଦ୍ୟାଳୟରେ ଯୋଗଦାନ କରିବାକୁ । ସେତେବେଳେ ଇଣ୍ଟର୍‌ମିଡ଼ିଏଟ୍‌ (ଆଇ.ଏ)ର ପାଠ୍ୟକ୍ରମ ଦି’ବର୍ଷିଆ ଥିଲା । ସୁନ୍ଦରଗଡ଼ ତଥା ସମ୍ବଲପୁରରେ କଲେଜ ଶିକ୍ଷାର ସୁବିଧା ନ ଥିବାରୁ କଟକ ରେଭେନ୍‌ସାରେ ଯୋଗଦାନ ସ୍ଵାଭାବିକ ଥିଲା । ସେ ସମୟରେ ଝାରସୁଗୁଡ଼ାରୁ ଖଡ଼ଗ୍‌ପୁର ଦେଇ ବୁଲି କଟକ ଆସିବାକୁ ହେଉଥିଲା । ନଚେତ ମେରାମଣ୍ଡଳୀ ଯାକେ ବସ୍‌ରେ ଆସି ସେଠୁ ଟ୍ରେନ ଧରିବାକୁ ହେଉଥିଲା କଟକ ପାଇଁ । କବି ଠିକଣା ସମୟରେ ବି.ଏ ଇଂରାଜୀ ଅନର୍ସ ରଖି ଉତ୍ତୀର୍ଣ୍ଣ ହେଲେ । ସ୍ନାତକୋତ୍ତର ଉପାଧି ହାସଲ ପାଇଁ ସେ ପାଟଣା ଅଭିମୁଖେ ଯାତ୍ରା କଲେ । ସେତେବେଳେ ପାଟଣା ବିଶ୍ଵବିଦ୍ୟାଳୟ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ସୁନାମ ପାଇ ସାରିଥାଏ । ଯୁବକ ବିନୋଦ ଇଂରାଜୀ ସାହିତ୍ୟରେ ନାମ ଲେଖାଇଲେ ଏମ୍‌.ଏ ପଢ଼ିବାକୁ । ମାତ୍ର ଚଉଦ ବର୍ଷ ବୟସରେ ନିଜ ଗାଆଁ ଭୂଇଁ ଛାଡ଼ି ୩୬୦ କି.ମି ଦୂର କଟକ ସହରରେ ବସାବାନ୍ଧିବା ଯେମିତି କଷ୍ଟପ୍ରଦ ଥିଲା ତା’ଠୁ ବଳି ପଡ଼ିଲା ପାଟଣା ଯାତ୍ରା । ଭିନ୍ନ ଭାଷା, ସଂସ୍କୃତି ମେଳରେ ଗଢ଼ି ଉଠିଥିବା ଏକ ଅଜଣା ମୁଲକରେ ଜୀବନ ବିତେଇବା କବି ବିନୋଦଙ୍କ ଯୁବା ବୟସରେ ଏକ ପରୀକ୍ଷାଗାରରେ ସମୟ ବିତେଇବା ଭଳି ଜଣାପଡୁଥାଏ । ଯା’ହେଉ, ପାଟଣା ବିଶ୍ଵବିଦ୍ୟାଳୟରୁ ଏମ୍‌.ଏ ଇଂରାଜୀ ଡିଗ୍ରୀ ଲାଭ କରି ସିଏ ଠିକଣା ସମୟରେ ଫେରି ଆସିଲେ ନିଜ ଜନ୍ମମାଟିକୁ । ପାଟଣା ଓ ନିଜ ଗାଆଁ ମଧ୍ୟରେ ଥିବା ତଫାତ୍‌ଟିକୁ ସିଏ ବେଶ୍‌ ହୃଦୟଙ୍ଗମ କଲେ । ଗୌନ୍ତିଆ ଘରର ପୁଅ ରାସ୍ତାରେ ଚାଲିଗଲାବେଳକୁ ବି ପଦ୍ମ ଫୁଟିଲା ଭଳି ମନେ ହୁଏ । ସେଇ ଭାବନା ବୃତ୍ତରେ ପୁଣି ଥରେ ଯେମିତି କେହି ରଙ୍ଗ ବୋଳି ଆଣିଲା । ସିଲାବସ୍‌ ବାହାରେ ବହୁ ପୁରାଣ, ପୋଥି ପଢ଼ିବାକୁ ସମୟ ପାଇଲେ । ଗଙ୍ଗାଧର ମେହେର, ଭୀମଭୋଇ, ଅଭିମନ୍ୟୁ ସାମନ୍ତସିଂହାର, ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ପ୍ରମୁଖଙ୍କ କାବ୍ୟ ପାଠରେ ସିଏ ଗଭୀରଭାବେ ନିଜକୁ ମନୋନିବେଶ କଲେ । ତା ସାଙ୍ଗକୁ କାଳିଦାସ, ଭର୍ତ୍ତୃହରି, ବାଣଭଟ୍ଟ, ଭବଭୂତି, ଶ୍ରୀହର୍ଷ ଭଳି ଅନେକ ସଂସ୍କୃତ କବିଙ୍କ କାବ୍ୟକବିତା ଅଧ୍ୟୟନ ସାଙ୍ଗକୁ ନିଜ ବିଷୟ ‘ଇଂରାଜୀ ସାହିତ୍ୟ’ର ଅନେକ କବିଙ୍କୁ ପଢ଼ି ନିଜ ସୃଜନ ପାଇଁ ଏକ ଶକ୍ତିଶାଳୀ ଭାଷା ତଥା ଭାବର ଭିତ୍ତିଭୂମି ପ୍ରସ୍ତୁତ କଲେ ।

 

କବିଙ୍କ ଗଡ଼ଜାତୀ ମୁଲକରେ ସ୍ଵାଧିନତା ଆନ୍ଦୋଳନର ପ୍ରଭାବ

 

ଓଡ଼ିଶାର ଅନ୍ୟାନ୍ୟ ଗଡ଼ଜାତ ଅଞ୍ଚଳ ଭଳି ଗାଙ୍ଗପୁରରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପରିଚାଳିତ ଆଇନ ଅମାନ୍ୟ ଆନ୍ଦୋଳନ ସାଙ୍ଗକୁ ଭାରତଛାଡ଼ ଆନ୍ଦୋଳନ, ଯାହା କଂଗ୍ରେସ ଦ୍ଵାରା ବ୍ରିଟିଶ ଶକ୍ତି ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା, ତା’ରି ଯଥେଷ୍ଟ ପ୍ରଭାବ ପଡ଼ିଥିଲା । ଐତିହାସିକ ଚଣ୍ଡୀ ପ୍ରସାଦ ନନ୍ଦଙ୍କ ଭାଷାରେ The Congress People have started a compaign for non-payment of rent, which is particularly strong in the Kuchinda Sub-division and in which Agharia gountias have been taking a prominent part. (କଂଗ୍ରେସ ଲୋକେ ରାଜସ୍ଵ ନ ଦେବା ପାଇଁ ଏକ ଆନ୍ଦୋଳନ କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ଶକ୍ତିଶାଳୀ ଭାବେ ଗଢ଼ିତୋଳିଲେ ଯହିଁରେ ଅଘ୍ରିଆ ସଂପ୍ରଦାୟର ଗୌନ୍ତିଆମାନେ ପ୍ରମୁଖ ଭୂମିକା ନେଇଥିଲେ ।) ଗୌନ୍ତିଆ ସଂପ୍ରଦାୟର ହେଇ ଗୋରା ସରକାରଙ୍କୁ ରାଜସ୍ଵ ନ ଦେବା ପାଇଁ ପ୍ରବର୍ତ୍ତାଇବା ଏକ ବ୍ୟତିକ୍ରମ ଥିଲା । ସେହିବର୍ଷ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ, ସକ୍ରିୟ ଭୂମିକା ଗ୍ରହଣ ନ କଲେବି ସଚ୍ଚି ରାଉତରାୟଙ୍କ ପ୍ରେରଣାରେ ଇଉନିୟନ୍‌ ଜ୍ୟାକ୍‌ ପୋଡ଼ିଥିଲେ ।

 

୩. ଅକ୍ଟୋବର-ଡିସେମ୍ବର ୨୦୦୦ ପ୍ରଥମ ବର୍ଷ ତୃତୀୟ ସଂଖ୍ୟା କଥା କଥା : କବିତା କବିତା

 

ବିନୋଦ ନାୟକ ‘ଅଘ୍ରିଆ ଗୌନ୍ତିଆ’ ସଂପ୍ରଦାୟ ଭୁକ୍ତ ଓ ତାଙ୍କ ସତୀର୍ଥ ମାନେ କୁଚିଣ୍ଡାର ପାଖାପାଖି ଅଞ୍ଚଳରେ ବ୍ୟାପକ ଜନଜାଗରଣ ସାଙ୍ଗକୁ ଆଇନ ଅମାନ୍ୟ ଆନ୍ଦୋଳନକୁ ନୂତନ ରୂପରେଖ ଦେବାରେ ସମର୍ଥ ହେଲେ । ୨୭-୩-୩୧ ‘ପ୍ରଜାତନ୍ତ୍ର’ରେ ପ୍ରକାଶିତ ସମ୍ବାଦ ଅନୁଯାୟୀ ‘‘It is remarked that the S.P has become more impatient and passed orders to whip these gountias and molest their female folk in their presence, if they fail to pay the rent.4

 

4. Towords Merger, 1998 published by Orissa State Archives

 

ମୋ ମତରେ ଏଭଳି ସମ୍ବାଦ ତରୁଣ ବିନୋଦଙ୍କ ସ୍ନାୟୁତନ୍ତ୍ରୀରେ ନିଶ୍ଚୟ ଶିହରଣ ସାଙ୍ଗକୁ ପ୍ରତିଶୋଧର ବହ୍ନି ଉଦ୍ରେକ କରିଥିବ । ଯେଉଥିପାଇଁ ସିଏ ଇଉନିୟନ୍‌ ଜ୍ୟାକ୍‌ ପୋଡ଼ିବା ପାଇଁ ଆଗଭର ହେଇଥିଲେ ।

Image

 

ପ୍ରାରମ୍ଭିକ କବି ଜୀବନ

 

ଯଥା ସମୟରେ ଓଡ଼ିଶାର କତିପୟ ସ୍ଵନାମଧନ୍ୟ ଲେଖକ ତଥା ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ କବି ବିନୋଦ ଆସନ୍ତି । ସେମାନେ ହେଲେ ଡ: କୁଞ୍ଜ ବିହାରୀ ଦାଶ, ଲକ୍ଷ୍ମୀଧର ନାୟକ ଓ ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ । ବୃତ୍ତିଭିତ୍ତିକ ଜୀବନରେ ଏଠି ମିଶିଗଲା ପୃଷ୍ଠାଟିଏ ନୂଆଁ ହେଇ । ସହକାରୀ ଯୋଗାଣ ଅଧିକାରୀ ଭାବେ ସିଏ ଯୋଗ ଦିଅନ୍ତି ନିଜ ଘରଠୁ ଅନତିଦୂର ସମ୍ବଲପୁର ସହରରେ । କିନ୍ତୁ ‘ଯୋଗାଣ ବିଭାଗ’ ଭଳି ବ୍ୟବସାୟିକ ସୂତ୍ରରେ ଛନ୍ଦିହେବା କବିଙ୍କ ପାଇଁ ଅସ୍ୱାଭାବିକ ସାବ୍ୟସ୍ତ ହେଲା । ତାଙ୍କ ପଦୋନ୍ନତି ହେଇ ବଦଳି ହେଲା କୋରାପୁଟ । ବିନୋଦ ନିଜ କବିତ୍ୱ ପ୍ରତି ସମ୍ମାନ ଜଣେଇ ଅବ୍ୟାହତି ନେଲେ ଏଭଳି ବୃତ୍ତି ଠାରୁ । ଯାଜପୁର ଏନ୍‌.ସି ମହାବିଦ୍ୟାଳୟରେ ଯୋଗଦେଲେ ଇଂରାଜୀ ଅଧ୍ୟାପକ ଭାବେ । ଏହା ୧୯୪୬ ମସିହାର କଥା । କିନ୍ତୁ ସାହସପୁରଠୁ ଯାଜପୁରର ଦୂରତା କାହିଁରେ କେତେ । ଓଡ଼ିଶାର ଗୋଟିଏ ପଶ୍ଚିମାଞ୍ଚଳ, ଅନ୍ୟଟି ପୂର୍ବାଞ୍ଚଳ । ଗାଆଁର ମାୟା ଟାଣିବାକୁ ବସିଲା ତାଙ୍କୁ । ତେଣୁ ଯାଜପୁର ଛାଡ଼ି ଝାରସୁଗୁଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଯୋଗଦାନ କଲେ ଶିକ୍ଷକ ଭାବେ । ଏଭଳି ଭାବେ ବିତିଗଲା ପ୍ରାୟ ସାତ ବର୍ଷ । ତେବେ ୧୯୫୮ ମସିହା ବେଳକୁ ସିଏ ଚାହିଁଲେ ତାଙ୍କ ବୃତ୍ତିରେ ଆଂଶିକ ପରିବର୍ତ୍ତନ । ଫଳତଃ ସୁନ୍ଦରଗଡ଼ ମହାବିଦ୍ୟାଳୟରେ ଯୋଗଦାନ କଲେ ପ୍ରଥମେ ଇଂରାଜୀ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଆ ଅଧ୍ୟାପକ ଭାବେ । ଏହି ଅଧ୍ୟାପନା ସମୟରେ ସିଏ ଏମ୍‌.ଏ (ଓଡ଼ିଆ) ପରୀକ୍ଷାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଲେ ଓ ତାଙ୍କ ଚାକିରୀରେ ସ୍ଥାୟିତ୍ୱ ଆସିଗଲା । ସମ୍ବଲପୁର, ଗଙ୍ଗାଧର ମେହେର କଲେଜକୁ ସିଏ ବଦଳି ହେଇ ଆସିଲେ ୧୯୬୬ ମସିହାରେ । ଏହି ସମୟରେ ଗଙ୍ଗାଧର ମେହେର କଲେଜର ବାର୍ଷିକ ପତ୍ରିକା, ‘ମେହେର ପ୍ରଦୀପ’ ପ୍ରଭୃତିର ସଂପାଦନା ଦାୟିତ୍ୱରେ ରହିଲେ । କବିତାରେ ସେ ଏଭଳି ଶବ୍ଦ ଓ ଆଙ୍ଗିକ ତଥା ଆତ୍ମିକ ବିଭବ ସୃଷ୍ଟିକଲେ ଯାହା ତାଙ୍କୁ ପୃଥକ୍‌ କରିବାକୁ ବାଧ୍ୟ କଲା ଅନ୍ୟ କବିମାନଙ୍କଠୁ । ଏହି ସମୟରେ ସିଏ ସମ୍ବଲପୁରରେ ସାହିତ୍ୟର ଏକ ପ୍ରମୁଖ ବାତାବରଣ ସୃଷ୍ଟି କରିବା ଦିଗରେ ସମର୍ଥ ହେଲେ । ତାଙ୍କ ସହିତ ଯୋଗଦାନ କଲେ ଉମାଶଙ୍କର ପଣ୍ଡା, ବାଳଗୋପାଳ ପୁରୋହିତ, ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ହରିଶଙ୍କର ବଡ଼ପଣ୍ଡା, ପୂର୍ଣ୍ଣାନନ୍ଦ ଦାନୀ, ହାଡ଼ିବନ୍ଧୁ ମିର୍ଦ୍ଧା, ଗୋପାଳକୃଷ୍ଣ ରଥ, ଶରତ ନାରାୟଣ ବେହେରାଙ୍କ ଭଳି ବହୁ ଖ୍ୟାତନାମା କବି ଓ ଲେଖକ । ଏହି ସମୟରେ ସମ୍ବଲପୁରରେ ଓଡ଼ିଆ ଯୁବଲେଖକ ସମ୍ମେଳନ ଅନୁଷ୍ଠିତ ହୋଇଥିଲା ଓ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ସଂପାଦନାରେ ‘ଅକବିତା’ ପ୍ରକାଶିତ ହେଲା । କହିବା ବାହୁଲ୍ୟ ଏଭଳି ପରିକ୍ଷାନିରୀକ୍ଷାରେ କବି ବିନୋଦ ଚନ୍ଦ୍ର ସ୍ଵୟଂ ଝାସଦେଇ ନିଜ ଯୁବ ସୁଲଭ ଉଦ୍ଧାମତାର ପରିଚୟ ଦେଇଥିଲେ ।

 

କାବ୍ୟଶିଳ୍ପୀ ବିନୋଦ ୧୯୩୦-୩୩ ମସିହାରେ ‘ହୈମନ୍ତୀ’ କବିତା ସଂକଳନ ପ୍ରକାଶ କରିଥିଲେ ଯେଉଁ ସମୟରେ କବି ଗଙ୍ଗାଧର ମେହେର, ଭୀମଭୋଇ, ସତ୍ୟନାରାୟଣ ବହିଦାର, ଖଗେଶ୍ୱର ସେଠ, ରାଘବ ମିଶ୍ର, ଦୟାନିଧି ମିଶ୍ରଙ୍କ ଭଳି କାଁ ଭାଁ କବିଙ୍କ ନାମ ତାଙ୍କ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଶୁଣାଯାଉଥିଲା । ୧୯୩୪-୩୫ ମସିହାରେ ତାଙ୍କର ଦ୍ୱିତୀୟ କାବ୍ୟ ନାଟିକା ‘ଚନ୍ଦ୍ର ଓ ତାରା’ର ସୃଷ୍ଟି । ଏହି ସଂକଳନ ଗୁଡ଼ିକରେ ପାଠକୀୟ ଆଦୃତି ତଥା ଲୋକଙ୍କ ପାଖକୁ ପହଞ୍ଚିବାର ପ୍ରୟାସରେ କବି କେତେକାଂଶରେ କୃତକାର୍ଯ୍ୟ ହେଇଥିଲେ ଏବଂ ତାହା ବିଶେଷ ଭାବେ ଅନୁଧ୍ୟାନର ବିଷୟ । ଏହାକୁ ଭୌଗୋଳିକ ପ୍ରତିବନ୍ଧକ, ସାକ୍ଷରତା ହାରର ନିରୁତ୍ସାହିତ ବାତାବରଣ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସଂଖ୍ୟା ନ୍ୟୁନ ସ୍ଥିତି ସାଙ୍ଗକୁ ଜନଗଣଙ୍କୁ ଏକ ସୁଲଭ ଗାନ ପରମ୍ପରାରୁ ମୁକ୍ତ କରି ଆଧୁନିକ କବିତା ଆଡ଼କୁ ଆକର୍ଷିତ କରେଇବା ଦୁରୂହ ପ୍ରତୀୟମାନ ହେବା ସ୍ଵାଭାବିକ ଥିଲା । ପାଠକ ଅପରନ୍ତୁ ଜନ ସାଧାରଣଙ୍କ ‘ଗଚ୍ଛିତ ଶ୍ରବଣ’ (stock response)ର ପରମ୍ପରାକୁ ଭାଙ୍ଗିବା କେବଳ ଜଣେ ଶକ୍ତିଶାଳୀ ସୃଷ୍ଟିକର୍ତ୍ତା ତଥା ଦୃଢ଼ ସଂଗଠକଙ୍କ ଦ୍ଵାରା ସମ୍ଭବ, ଏଭଳି ଧାରଣାର ବଶବର୍ତ୍ତୀ ହେଇଥିଲେ ଏ ସମୟର ସାହିତ୍ୟ ସାଧକ ସାଙ୍ଗକୁ କବି ବିନୋଦ ।

ହୈମନ୍ତୀ : ୧୯୩୦-୩୩ : କାବ୍ୟଭ୍ରୁଣ

କୁହାଯାଇଛି, ମାତ୍ର ଅଷ୍ଟମ ଶ୍ରେଣୀର ଛାତ୍ର ଥିବାବେଳେ କବି ବିନୋଦଙ୍କ ପ୍ରଥମ କବିତା ସଂକଳନ ‘ହୈମନ୍ତୀ’ର ସୃଷ୍ଟି । ଏଭଳି କଞ୍ଚା ବୟସରେ ଜଣେ କବିର ସଂସାର ପ୍ରତି ଦୃଷ୍ଟିଭଙ୍ଗୀ, ଚିନ୍ତନର ଉତ୍ତୀର୍ଣ୍ଣ ଅନୁଭବ କେଉଁଭଳି ଥାଏ ତାହା ସହଜରେ ଅନୁମେୟ । ସମାଲୋଚକ ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ଭାଷାରେ ଏ ବୟସରେ କାବ୍ୟ-ଚେତନାରେ କୌଣସି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଅପେକ୍ଷା ପ୍ରତିଷ୍ଠିତମାନଙ୍କୁ ଅନୁକରଣ କରିବାର ସ୍ପୃହା ସ୍ଵାଭାବିକଭାବେ ଦେଖାଦେଇଛି । ‘ଶୃଙ୍ଗାର’, ‘ସୁନ୍ଦରଗଡ଼ ! ମନେଥାଏ’, ‘ଅଶ୍ରୁର ଅର୍ଘ୍ୟ’, ‘ନିରାଜନା’ ପ୍ରଭୃତି କବିତାମାନଙ୍କୁ ନେଇ ଏଇ ସଂକଳନଟିର ସୃଷ୍ଟି । ପ୍ରାଗ୍‌-ଜୀବନର ଅପରନ୍ତୁ ଯୌବନର କୁରୁଳା ଭାବ ଆକ୍ଷିରେ ଦୃଶ୍ୟବହୁଳ, ପୃଥିବୀର ପ୍ରତିଛବି, ହୃଦୟରେ ସ୍ଵପ୍ନ-ସଂଚାରୀ ଅନୁଭବକୁ ଏକାଠି କରି ସିଏ ଗାଇ ଉଠନ୍ତି ମାଦକ ଭରା ପଂକ୍ତିଟିଏ :

୫. ‘ସବୁଜରୁ ସାଂପ୍ରତିକ’ ଲେ: ଡ: ନିତ୍ୟାନନ୍ଦ ଶତପଥୀ ପ୍ର: ଗ୍ରନ୍ଥ ମନ୍ଦିର ପୃ ୪୦୨

ମନେ ଥାଏ କିରେ ସୁନ୍ଦରଗଡ଼

ମନେ ଥାଏ,

ଶାନ୍ତ ନିଶିର କାନ୍ତ ପଥେ ତୋ

କିଏ ଯାଏ

ମନେ କି ପକାଇ ଦିଏରେ ପାଶୋର

ଯାଏ ଯଦି

ଅଂଗାର ପାଟ ଆମ୍ର ବନର ଯେ

ଇବ ନଦୀ ।

(ସୁନ୍ଦରଗଡ଼ ! ମନେଥାଏ ?)

ନିଜ ପରିବେଶକୁ ସର୍ତ୍ତହୀନ ଭଲପାଇବା ସାଙ୍ଗକୁ ପ୍ରେୟସୀ ପ୍ରତି ମୁଗ୍‌ଧଭରା ଭାବ କବି କଲମକୁ ମତୁଆଲା କରି ଗଢ଼ି ତୋଳିଛି । ହୃଦୟ ଯେମିତି ପ୍ରେମର ସାବଲୀଳ ଝଂକାରରେ ଝଂକୃତ । ଯଥା :

ଯେବେ ଜୀବନର

କ୍ଷୀଣ ପ୍ରଦୀପଟି

ନିଭିଯିବ ଦୂରେ ଦୂରେ

ତରୁଣ ତନୁଟି

ପୋଡ଼ିଯିବ ମୋର

ଲେଲିହାନ ଚିତା ଚୂଳେ

ଶ୍ମଶାନ ଆକାଶ

ଧୂମାୟିତ କରି

ଲିଭିବ ମୋ ସ୍ମୃତି ଲେଖା

ବିସ୍ମୃତି ଗରଭେ

ଲୁଚିଯିବ ସବୁ

ଅତୀତର ସୁଖ-ରେଖା

(ଅଶ୍ରୁର ଅର୍ଘ୍ୟ)

ଏଇ କବିତାଟିର ସ୍ଵର ନୈର୍ବ୍ୟକ୍ତିକ । ମାତ୍ର ତେର-ଚଉଦ ବର୍ଷ ବୟସରେ ଏଭଳି ବିଷାଦୀୟ ଅନୁଭବ କ୍ଵଚିତ୍‌ କାବ୍ୟ କବିତା ମାନଙ୍କରେ ଦୃଷ୍ଟି ଗୋଚର ହୁଏ । କବିଙ୍କ ଶାବ୍ଦିକ ଜ୍ଞାନକୁ ତାରିଫ୍‌ କରିବାର ଯଥେଷ୍ଟ କାରଣ ଅଛି । ଏ ଭଳି ଚିନ୍ତନର ପ୍ରାସଙ୍ଗିକତା କୈଶୋର ଜୀବନରେ କେତେ ଅଛି, ତା’ରି ଯଥାଯଥ ଉପସ୍ଥାପନା ଏଠି କରାଯାଉ ନାହିଁ । କିନ୍ତୁ କବି ଯେ ପ୍ରତିଭା ଦୀପ୍ତ, ଏହାରି ନିଧାର୍ଯ୍ୟ ଅବତାରଣା ପ୍ରଥମ ସଂକଳନରୁ ହିଁ ଆକଳନ କରିଯାଇ ପାରେ । ଏହି କବିତାଟି ବାଳକୃଷ୍ଣ କରଙ୍କ ଦ୍ୱାରା ସଂପାଦିତ ‘ସହକାର’ ପତ୍ରିକା ୧୫ବର୍ଷ ଦ୍ଵିତୀୟ ସଂଖ୍ୟା ଜୁନ୍‌ ୧୯୩୪ ମସିହାରେ ପ୍ରକାଶିତ ହୋଇଥିଲା । ଏତେ କମ୍‌ ବୟସରେ ଏକ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାର ପୃଷ୍ଠା ମଣ୍ଡନ କରିବା ଜଣେ ଶକ୍ତିଶାଳୀ କବିଙ୍କ ପକ୍ଷରେ ହିଁ ସମ୍ଭବ । କବି ହୁଏତ ମାୟାଧର ମାନସିଂହଂକ ‘ଧୂପ’ କବିତାରେ କେଇ ପଂକ୍ତି ‘ବୈଶାଖ କାନନ ସମ ଦଗ୍‌ଧ ମତେ କରେ ନିଜ ନିଆଁ, ଏକଇ ତାରଣ ବୋଲି ହିୟା ମୋର ଡାକେ ‘ପ୍ରିୟା’, ‘ପ୍ରିୟା’ । ମନେ ହୁଏ ଧୂପ ସମ ଦଗ୍‌ଧ ହୋଇ ବାଷ୍ପ ଯିବି ହୋଇ, ପ୍ରଣୟର ଅଗ୍ନି ଶେଷେ ପ୍ରଣୟର ଭସ୍ମ ଯିବି ଥୋଇ (ପ୍ରଣୟ ବ୍ୟଥା)ର ଅନ୍ତଃସ୍ଵର ଦ୍ଵାରା ବିଶେଷ ଭାବେ ଅନୁପ୍ରାଣିତ ।

‘ଚନ୍ଦ୍ର ଓ ତାରା’

କବି ବିନୋଦଙ୍କ ଏହା ଦ୍ୱିତୀୟ କବିତା ସଂକଳନ ଯାହାରି କବିତା ସବୁ ୧୯୩୪-୩୫ ମଧ୍ୟରେ ଲିଖିତ । ତେବେ ପ୍ରାୟ ପନ୍ଦର ବର୍ଷର ବ୍ୟବଧାନରେ ୧୯୫୦ ବେଳକୁ ଏହା ପ୍ରକାଶିତ । ଏଇ ସଂକଳନର କବିତା ଗୁଡ଼ିକର ନାଟକୀୟ ଉପସ୍ଥାପନା ତଥା କବି ଗୀତି-କାବ୍ୟର ପରମ୍ପରାକୁ ପ୍ରାଥମିକତା ଦେଇଥିବାର ପ୍ରମାଣ ସୁସ୍ପଷ୍ଟ । ଏଠି ପ୍ରକୃତି ସ୍ଥାନୀୟ ଆଭା ବିମଣ୍ଡିତ । ଜଣେ ସାଧାରଣ ମଣିଷ ଚନ୍ଦ୍ର ଓ ତାରାଙ୍କ ଦୂରନ୍ତ ଦର୍ଶନରେ ବିହ୍ୱଳିତ ହେଲାଭଳି କବି ଏଠି ନିଜ କାବ୍ୟାତ୍ମାକୁ ଆକାଶର ବିପୁଳାଚ ଦୃଶ୍ୟପଟର ଚୌହଦୀ ଭିତରେ ହଜେଇ ଦେଇଛନ୍ତି । ଏଠି ପୌରାଣିକ ବୈଶିଷ୍ଟ୍ୟ ନେଇ ଛିଡ଼ା ହେଇଛି କନ୍ଦର୍ପଙ୍କ ପତ୍ନୀ ‘ରତି’ ଦୁର୍ବାର ଆକର୍ଷଣର ଆଭିମୁଖ୍ୟ ନେଇ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ବର୍ଣ୍ଣାନୁଯାୟୀ ‘‘ଏ ଦକ୍ଷ ପ୍ରଜାପତିଙ୍କ ସ୍ଵଶରୀରରୁ ନିର୍ଗତ ସ୍ଵେଦଜା କନ୍ୟା । ଏହାଙ୍କ ସ୍ଵାମୀ ମଦନ ହରକୋପାନଳରେ ଭସ୍ମୀଭୂତ ହେବାରୁ ଦେବାଦେଶରେ ଏ ଶମ୍ବର ଦୈତ୍ୟର ଘରେ ମାୟାବତୀ ନାମ ଧାରଣ କରି ଅବସ୍ଥାନ କରୁଥିଲେ ଓ ପରେ ସ୍ଵାମୀ ପ୍ରଦ୍ୟୁମ୍ନ ରୂପରେ ଜନ୍ମ ହେବାରୁ ତାଙ୍କ ସଙ୍ଗେ ମିଳିତା ହେଲେ । ରତିଙ୍କର ରୂପ ସଂସାରର ସବୁ ସ୍ତ୍ରୀଙ୍କ ମଧ୍ୟରେ ସୁନ୍ଦରତମ ବୋଲି ଶାସ୍ତ୍ରରେ ବର୍ଣ୍ଣିତ’’ । ପୁନଶ୍ଚ ଏହା ଚନ୍ଦ୍ରଙ୍କର ଷଷ୍ଠ କଳାର ନାମ । ଏହି କବିତାର ଶୀର୍ଷକ ‘ପୂର୍ବରାଗ’ର ଅର୍ଥ ପାରସ୍ପରିକ ବିଷୟ ଶ୍ରବଣ ବା ପରସ୍ପର ଦର୍ଶନାଦିଦ୍ୱାରା ନାୟକ ନାୟିକାଙ୍କ ମନରେ ସଂଜାତ ପ୍ରଥମ ପ୍ରଣୟ । ‘ରତି’ ଓ ‘ତାରା’ଙ୍କ ଉପଲକ୍ଷ ନେଇ ଏକ କବିତାର ମନୋଲଗ୍‌ ସୂଚନା ଦିଏ ସଂଧ୍ୟା ସମୟ ଉପନୀତ । ପୌଷର କୁହୁଡ଼ି ମାୟାଜାଲ ଭଳି ଯାବୁଡ଼ି ଧରିଛି ଚୌଦିଗକୁ । ସେତିକିବେଳେ କେହି ଜଣେ ନାରୀ ତାଙ୍କ ନୟନର କଜ୍ଜଳ ରୂପୀ ନୀଳିମାକୁ ଯେମିତି ନିନ୍ଦା କରୁଛି ଅଶ୍ରୁବିନ୍ଦୁଟିଏ ଏକ ସଦ୍ୟଛିନ୍ନ ପୁଷ୍ପଟିରେ ପାହାନ୍ତି ଶିଶିର ବିନ୍ଦୁଟିଏ ଭଳି । ମିଳନର ଉଦ୍‌ଗ୍ରୀବ ଲାଳସା ଧାଇଁ ଆସୁଛି ସାପ ଭଳି ଚୋଟ ମାରିବାକୁ ଯଥା: ‘କହ ନାରୀ ! ନାରୀ ମୁହଁ ନାରୀ ବକ୍ଷ ତଟେ, ଫେନାଇ ଉଠଇ ଯେତେ ଅଶ୍ରୁମୟୀ ଢେଉ, ରୋଷଦୀପ୍ତ ସର୍ପସମ ଅଧିର ଦଂଶନେ, କାଣେ ସବୁ । ମୁହିଁ ‘ରତି’ । (ଆଲୋକ ଓ ଛାୟା) । ଏଇ କଥୋପକଥନ ‘ରତି’ ଓ ‘ତାରା’ଙ୍କ ମଧ୍ୟରେ ଯେମିତି ଉଭୟେ ଉଭୟଙ୍କ ମନକଥା ତଥା ପ୍ରଣୟର ବ୍ୟର୍ଥତାକୁ ଜାଣିବାରେ ଧୁରନ୍ଧର । ଜଣେ ନଦୀ ସ୍ରୋତରେ କଳସୀ ସାହାଯ୍ୟରେ ପାଣି ଆଣିବା ଅବସରରେ ନିଜ ପ୍ରତିବିମ୍ବକୁ ନିଜେ ଅନଉଛି ଯଥା: ନଦୀ ସ୍ରୋତେ ହେଳାଭରେ କଳସୀ ଭସାଇ, ଜଳ ବିମ୍ବେ ନିରେଖଇ ଆପଣାର ଛାୟା । ତା’ରି ଯୌବନ କିଣି ନେଉଛି ନିଜସ୍ଵ ତନୁମନକୁ । ନିଜ ସ୍ତନ ଯୁଗଳ ଯେମିତି ‘ତୁଷାର କନ୍ଦୁକ ସମ ସବଳ ଲଲିତ, ସ୍ତନ ଯୁଗ୍ମ, ଯୌବନର ଆଦ୍ୟ ଉପହାର’ ଇତ୍ୟାଦି । ସେତିକି ବେଳେ ଈର୍ଷା ଆକ୍ରମଣ କରିଛି ଶରୀରକୁ । କାରଣ ସ୍ଵର୍ଗର ତରୁଣୀ ଜଣକ ତା’ ପ୍ରେମିକର ଗଳାବେଷ୍ଟନ କରି ଆରମ୍ଭ କରିଛି ଜଳକ୍ରୀଡ଼ା ବେଣୁମତୀ ନଈ ବକ୍ଷରେ । ଏଇ ସହସା ଆଲୋଡ଼ନାକୁ ‘ରତି’, ଓ ‘ତାରା’ ଉପମା ମାଧ୍ୟମରେ କବି ଚାହିଁଛନ୍ତି ସରସ ଆବେଗ ଓ ଉଚ୍ଚାଟିତ ରୋମାଣ୍ଟିକ୍‌ ଚିନ୍ତାଧାରାକୁ ପାଥେୟ କରି ପାଠକ ପାଠିକାଙ୍କୁ ଭେଟି ଦେବାକୁ । ସାୟଂକାଳୀନ ଗ୍ରାମୀଣ ପରିବେଶ ମାଧ୍ୟମରେ ଆକାଶର ବର୍ଣ୍ଣନା ଅଦ୍ଭୁତପୂର୍ବ । ଶବ୍‌ଦ କାଠିନ୍ୟକୁ କବି ଆବୋରି ଥିଲେ ସୁଦ୍ଧା ମୌଳିକ ସୁଂସହତ ଭାବଧାରାକୁ କୌଣସି ସ୍ଥାନରେ ପ୍ରତିହତ କରିନାହାନ୍ତି । ତେଣୁ କହିବାରେ ଦ୍ୱିଧା ନାହିଁ, କବି ଆରମ୍ଭରୁ ପ୍ରଭାଦୀପ୍ତ ମୌଳିକ ଅନ୍ତର୍ଦୃଷ୍ଟିରେ ବଳଶାଳୀ ତାଙ୍କ କାବ୍ୟିକ ବ୍ୟକ୍ତିତ୍ଵ । ବହୁ ପରିଣତ ବୟସର କବିଙ୍କୁ ଯେଉଁ ଅନ୍ତର୍ଦୃଷ୍ଟିର ମହାଭାବ ଭେଟିବାକୁ ସକ୍ଷମ ହେଇ ପାରିନି, କବିଙ୍କ କ୍ଷେତ୍ରରେ ଅତି ତରୁଣ ବୟସରେ ତାହା ସମ୍ଭବ ହେଇପାରିଛି । ନାଟକୀୟ ଉପସ୍ଥାପନାର ଶକ୍ତିଶାଳୀ ବୈଭବ, ଯାହା କବିତା’ର ଶେଷୋକ୍ତ ଧାଡ଼ିମାନଙ୍କରେ ‘ରତି’ର ସହାୟତା ପଣକୁ ନେଇ ତାରା ପାଖରେ ପହୁଂଚେଇଛି, ତାହାହିଁ କବିତାର ଅନ୍ତିମ ଉପଲକ୍ଷ୍ୟ । ଯଥା :

ଶୋଚନା ନକର ନାରୀ ଅଧୀର ଉଚ୍ଚ୍ୱାସେ

ମୁଁ ହେଲି ସହାୟ ତବ ବିପୁଳ ବିପ୍ଲବେ

ହୁଅ ଆଦ୍ୟ ସ୍ଵୟଂବରା ନବ ବର ବଧୂ

ନିଅ ଏ ରୂପର ରାଗ ମାଖ ଅଂଗେ ତବ

ତପକ୍ଲାନ୍ତ ଅଂଗତଟେ ଫୁଟିବ ପଲକେ

ଲାବଣ୍ୟ ପ୍ରଥମ ପୁଷ୍ପ ନବ ବର୍ଣ୍ଣେ ଗନ୍ଧେ ।

(ଆଲୋକ ଓ ଛାୟା)

ଦେବଗୁରୁ ବୃହସ୍ପତିଙ୍କ ସ୍ତ୍ରୀ ‘ତାରା’ ତାଙ୍କ ଶିଷ୍ୟ ଚନ୍ଦ୍ରଙ୍କ ସହିତ ପାପ ପ୍ରଣୟ କର୍ମରେ ଲିପ୍ତ ଓ ଏହାହିଁ କବିତାର ବିଷୟବସ୍ତୁ ।

ଏଇ କବିତାର ‘ବିରାଗ’ ପରିଚ୍ଛେଦରେ କବି ‘ଚନ୍ଦ୍ର’ର ଅସ୍ତରାଗକୁ ବର୍ଣ୍ଣନା କରିବା ଅବସରରେ ବୃହସ୍ପତିଙ୍କର ପତ୍ନୀ ‘ତାରା’ ତାଙ୍କୁ କେଉଁଭଳି ଅନୁସରଣ କରୁଛି ତହିଁର ରୂପରେଖ ଦେଇଛନ୍ତି । ‘ସକାଳ ଓ ପୂର୍ବଦିଗ’ ଏଠି କବି କଳ୍ପନାର ଶିବିରରେ ହାସ୍ୟ ଉଜ୍ୱଳ ମୁଖରେ ପ୍ରବେଶ କରିଛି । ଏଠି କବିଙ୍କ ଚିତ୍ର ବିନ୍ୟାସ ତଥା ପ୍ରତୀକକୁ ଲକ୍ଷ୍ୟ କରିବାର କଥା । ଯଥା: ‘ପରଦିନ ପୂର୍ବାଶାର ଚକ୍ରବାଳ ରେଖା, ଭେଦ କରି ଦେଖାଦେଲା ଜବାରୁଣ ରାଗ, ନୀଳ ମେଘି ପାଟ ପ୍ରାନ୍ତ ପ୍ରଣନ୍ତର ତଳେ, ନବାଗତା ବଧୂ ଓଠେ ହାସ୍ୟ ଲେଖା ସମ’ ।

 

ଚମତ୍କାର ଚିତ୍ର ବିନ୍ୟାସର ଆଶ୍ରୟ ନେଇଛି କବି କଲମ ‘ଉଷା’ର ବର୍ଣ୍ଣନାରେ ଯାହା କବି ଗଙ୍ଗାଧର ମେହେରଙ୍କ ‘ଆଶ୍ରମେ ପ୍ରଭାତ’ର ଭଷା ବର୍ଣ୍ଣନା ‘ମଂଗଳେ ଅଇଲା ଉଷା, ବିକଚ ରାଜୀବ ଦୃଶା’ର ବର୍ଣ୍ଣନାଠୁ ସଂପୂର୍ଣ୍ଣ ଅଲଗା । ଯଥା: ‘ପାହାନ୍ତିଆ ସ୍ନାନ ଅନ୍ତେ ଉଷା ରାଜବାଳା, ଯତନେ ସୁଖାଉଥିଲା ରଂଗୀନ କାଞ୍ଚେଲୀ । ଏଠି ‘ଉଷା’ ରାଜଜେମା ଭାବେ ଚିତ୍ରିତ ଓ ତାଙ୍କ ରଂଗୀନ ପରିଧେୟ ସୁଖାଇବା ଭଳି ପୂର୍ବ ଦିଗର ଦୃଶ୍ୟରୂପ । ମଣିଷ ସହିତ ସଂଗୀତର ସଂପର୍କ ସହଜାତ ଓ ସେଇଥିପାଇଁ କବିଙ୍କ ଭାଷାରେ, ‘‘ଶୁଭୁଥିଲା ଦୂର ପଥେ ପ୍ରାତଃ ପଥିକର, ଅଜଣା କବିର ଲେଖା ଦରଭୁଲା ଗୀତି’ । ଉଭୟ ସକାଳ ଓ ସଂଜ ବର୍ଣ୍ଣନାରେ କବି ତେଣୁ ସିଦ୍ଧହସ୍ତ ବୋଲି ମାନିବାକୁ ହେବ । ତେବେ ‘ଉଷା’ ବର୍ଣ୍ଣନାରେ କବି ମଧୁସୁଦନ ରାଓଙ୍କ ‘ହିମାଚଳେ ଉଦୟ ଉତ୍ସବ’ କବିତାର ପଂକ୍ତି ଯଥା ‘ଚାହୁଁ ଚାହୁଁ ଅରୁଣିତ ଉଦୟାଦ୍ରି ତଟେ, ବିରାଜି ରାଜୀବରୁଚି ମୟୁଖ ପ୍ରକଟେ-। ନିଃଶେଷରେ ନୈଶ ତମଃ ବିନାଶି ସତ୍ୱରେ, ରବି ଅବତୀର୍ଣ୍ଣ ପ୍ରାଚୀ-ଆଶା ଆକାଶରେ’’ର କିଛିଟା ପ୍ରଭାବ ପଡ଼ିଥିବାର ଅନୁମିତ ହୁଏ । ତା’ସାଙ୍ଗକୁ ବିଶ୍ଵ କବି ରବୀନ୍ଦ୍ରନାଥଙ୍କ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଜୟଗାନ ଯଥା

 

ଭେଙ୍ଗେଛେ ଦୁଆର୍‌ ଏସେଛେ ଜ୍ୟୋତିର୍ମୟ

ତୋମାରି ହଉକ୍‌ ଜୟ

ତିମିର ବିଦାର ଉଦାର ଅଭ୍ୟୁଦୟ

ତୋମାରି ହଉକ୍‌ ଜୟ

 

କବି ହୁଏତ ବିଶେଷ ଭାବରେ ଉଦ୍ଦୀପିତ, ଅନୁପ୍ରାଣିତ ‘ଉଷା ବର୍ଣ୍ଣନା’ ସକାଶେ ଉପରୋକ୍ତ ପଂକ୍ତିର ଅନ୍ତଃଭାବନାରେ, ଯାହା ଗବେଷକଙ୍କ ସକାଶେ ଆଲୋଚ୍ୟ ବସ୍ତୁ ଭାବେ ନିଆ ଯାଇପାରେ । ‘‘ଚନ୍ଦ୍ରର ସମଗ୍ର ବର୍ଷର ବିଦ୍ୟାର ସାଧନା ତିଳ ତଂଡୁଳିତ ହେଉ’’, ଏହାହିଁ ଗୁରୁ ବୃହସ୍ପତିଙ୍କ କ୍ରୋଧୀ ମନର ବାକ୍ୟ ଓ କବିତାଟିର ଶେଷ ପଂକ୍ତି ।

Image

 

‘ନୀଳଚନ୍ଦ୍ରର ଉପତ୍ୟକା’ ଓ କବି

 

ପଶ୍ଚିମ ଓଡ଼ିଶାର ଏକ ବାଣିଜ୍ୟିକ ପେଣ୍ଠ ଝାରସୁଗୁଡ଼ା । ପୂର୍ବରୁ ଏହା ସମ୍ବଲପୁର ଜିଲ୍ଲା ଅନ୍ତର୍ଭୁକ୍ତ ଥିଲା । ପରେ ଏହା ଉପଖଣ୍ଡ ହେଲା ଓ ୧୯୯୪ ମସିହାରୁ ଜିଲ୍ଲାର ମାନ୍ୟତା ପାଇ ଆସୁଅଛି । ତେବେ ଏହି ସହର ସହିତ କବିଙ୍କ ସଂପର୍କ କିପରି ଓ କେଉଁଭଳି ତାହା ଏଠି ବର୍ଣ୍ଣିତ ହେବାକୁ ଯାଉଛି ।

 

ଭୁବନେଶ୍ୱରଠୁ ଝାରସୁଗୁଡ଼ାର ଦୂରତ୍ଵ ୩୭୪ କି.ମି ଓ ଏଠୁ କଲିକତା ତଥା ରାୟପୁରର ଦୂରତ୍ଵ ଯଥାକ୍ରମେ ୨୫୮ ଓ ୫୧୪ କି.ମି । ପୂର୍ବରୁ ଏହା ବେଙ୍ଗଲ୍‌-ନାଗପୁର ରେଲଓ୍ୱେ ମଧ୍ୟବର୍ତ୍ତୀ ଏକ ଜଂକସନ୍‌ ଥିଲା ଓ ଏବେ ବି ରହିଛି । ଚଣ୍ଡୀଖୋଲ ଓ ଛତିଶଗଡ଼ସ୍ଥିତ ରାୟଗଡ଼କୁ ଯୋଡ଼ୁଥିବା ୨୦୦ ନମ୍ବର ଜାତୀୟ ରାଜପଥ ଏହାରି ପାଖ ଦେଇ ଯାଇଛି । ଦଶ ନମ୍ବର ସୁପର ଷ୍ଟେଟ୍‌ ହାଇଓ୍ୱେ ଉଭୟ ସମ୍ବଲପୁର ଓ ରାଉରକେଲାକୁ ଏହାରି ବାଟ ଦେଇ ସଂଯୋଗ କରୁଛି । ଏହାରି ପାର୍ଶ୍ଵରେ ୨୫ କି.ମି ଦୂରରେ ଉଲାପଗଡ଼ ଯେଉଁଠି ବିକ୍ରମଖୋଲ ଗୁମ୍ଫାସ୍ଥିତ ପ୍ରସ୍ତର ଗାତ୍ରର ସ୍ଥାପତ୍ୟ ଓ ଚିତ୍ରକଳା ଆଦିମ ଜନଜୀବନର ସଂସ୍କୃତିକୁ ଚିହ୍ନିତ କରେ । ତା’ରି ଟିକିଏ ଆଗକୁ ରାୟଗଡ଼ ରାଜରାସ୍ତାର କଡ଼ରେ ଭିଖମ୍‌ପାଲି ଯାହା ପାଖକୁ ହୀରାକୁଦ ନଦୀ ବନ୍ଧ ବୁଡ଼ିପାଣି ଛୁଉଁଛି-। ଏଇଠି ପଦ୍ମାସିନୀ ମନ୍ଦିର ଥିଲା ଯାହାରି ପ୍ରତିମୂର୍ତ୍ତି ୭୦୦ ଖ୍ରୀଷ୍ଟାବ୍ଦର । ତେବେ ଏ କଥା କହିବାର ତାତ୍ପର୍ଯ୍ୟ ହେଲା ଝାରସୁଗୁଡ଼ା ନିକଟବର୍ତ୍ତୀ ଉଭୟ ତେଲିପାଲି ଓ ସାହସପୁର କବିଙ୍କ ଜନ୍ମସ୍ଥାନ ଓ ପରବର୍ତ୍ତୀ ପର୍ଯ୍ୟାୟର ସ୍ଥାୟୀ ବାସସ୍ଥାନ । ଏକଥା ସ୍ଵାଭାବିକ କବି ନିଜେ ଗୌନ୍ତିଆ ସଂପ୍ରଦାୟର ଓ ଏଇ ପରିପ୍ରେକ୍ଷୀରେ ପ୍ରଭୂତ ଜମିବାଡ଼ିର ମାଲିକ୍‌ । ତେଲିପାଲିରେ ତାଙ୍କର ଅନ୍ୟ ଦୁଇ ଭାଇ ସୌମିତ୍ରୀ ଓ ଅମୀୟକାନ୍ତ ବସବାସ କରୁଥିଲେ । ଝାରସୁଗୁଡ଼ାଠୁ ୪୫ କି.ମି ଦୂରରେ ଥିବା ସାହସପୁର କବିଙ୍କ ଶ୍ଵଶୁର ଭାଗିରଥି ଗୌନ୍ତିଆଙ୍କ ଗ୍ରାମ । ସିଏ ତାଙ୍କରି ମାମୁଁ ମଧ୍ୟ । ଭାଗୀରଥି ବାବୁଙ୍କ ଏକମାତ୍ର ଝିଅ ସହିତ ସିଏ ବିବାହ ବନ୍ଧନରେ ଆବଦ୍ଧ ହେଲା ପରେ ସାହସପୁରର ପ୍ରଭୂତ ଜମିବାଡ଼ିର ମାଲିକ ହେଲେ । ନିଜେ ପିତା ତଥା ପିତାମହ ବନମାଳୀ ଗୌନ୍ତିଆଙ୍କ ଉତ୍ତରାଧିକାରୀ ସୂତ୍ରେ ପିତାପାଲିରେ ମଧ୍ୟ ସ୍ଥାବର ଅସ୍ଥାବର ଜମି ଉପରେ ନିଜର କର୍ତ୍ତୃତ୍ୱ ବଜାୟ ରଖିଲେ । ଏତେ ଧନ ସଂପତ୍ତିର ମାଲିକ୍‌ ହେଇ ନିଜ ଗ୍ରାମଠୁ ଦୂରରେ ରହି କାର୍ଯ୍ୟକରିବା ତାଙ୍କ ପାଇଁ ଅସମୀଚୀନ ବୋଧ ହେଲା । ୧୯୪୬ ମସିହାରେ ଯାଜପୁର ଏନ୍‌.ସି କଲେଜରେ ଯୋଗଦାନ କରି ପାଞ୍ଚ ବର୍ଷ ଇଂରାଜୀ ସାହିତ୍ୟରେ ଅଧ୍ୟାପନା କଲା ପରେ ତାଙ୍କ ମୋହଭଙ୍ଗ ହେଲା ଓ ସେ ଚାହିଁଲେ ତାଙ୍କ ଗାଆଁ ପାଖାପାଖି କୌଣସି ସହରରେ ନିଜ ବୃତ୍ତିଭିତ୍ତିକ ଜୀବନକୁ ପୁଣିଥରେ ଆରମ୍ଭ କରିବାକୁ । ଏଥିପାଇଁ ସିଏ ଝାରସୁଗୁଡ଼ାସ୍ଥିତ ହାଇସ୍କୁଲରେ ୧୯୫୦ ମସିହାରେ ହେଡ଼୍‌ମାଷ୍ଟର ଭାବେ ଯୋଗଦାନ କଲେ । ସେତେବେଳେ ହାରାଚାନ୍ଦ ନାୟକ, ସୂର୍ଯ୍ୟନାରାୟଣ ପାଢ଼ୀ, ତାଙ୍କ ପୂର୍ବରୁ ଯଥାକ୍ରମେ ୧୯୪୯ ଓ ୧୯୫୦ ମସିହାରେ ହେଡ଼୍‌ମାଷ୍ଟର୍‌ ଦାୟିତ୍ଵରେ ଥିଲେ । ଜଣେ ସଂଭ୍ରାନ୍ତ ବଂଶୀୟ ବ୍ୟକ୍ତି ଯାହାଙ୍କ ନିଜ ଭାଷାରେ ‘ଆମର ଘୋଡ଼ା ଗଙ୍ଗାରାମକୁ ଷ୍ଟେଟ୍‌ର ଦେୱାନ୍‌ କ୍ରେଭନ୍‌ ସାହେବଙ୍କ ଉପହାର । ସୁଏଜ୍‌ କେନାଲ୍‌ ଯୁଦ୍ଧରେ ବ୍ୟବହୃତ ଗଙ୍ଗାରାମ ଆରବ ଜାତୀୟ ଓ ଶାରୀରିକ କୌଶଳ ନୃତ୍ୟ ଇତ୍ୟାଦି ପ୍ରଦର୍ଶନ କରିପାରୁଥିଲା । ମୋତେ ଦେଖିଲେ ସେ ହ୍ରେଷା ଦେଇ ମଥା ସଂଚାଳନ ଦ୍ୱାରା ଅଭିବାଦନ ଜଣାଏ-। ମୋର ଅଜା ବନମାଳୀ ଗୌନ୍ତିଆଙ୍କ ପ୍ରତି ସମ୍ମାନ ପରି ।’’

 

ଯା’ ହେଉ ଝାରସୁଗୁଡ଼ା ଆସିଲା ପରେ କବି ଯାହା ଦେଖିଲେ ସେଇଟା ତାଙ୍କ କାବ୍ୟ-ଭାଷାକୁ ଶାଣିତ କରିବା ଦିଗରେ ଏତେଟା ସହଯୋଗ ସ୍ଥାପକ ଦିଗରେ ଅନ୍ତରାୟ ସୃଷ୍ଟି କଲା । ଓଡ଼ିଆ ସାଙ୍ଗକୁ ଅଣଓଡ଼ିଆ ଅର୍ଥାତ୍‌ ମାର୍‌ଓ୍ୱାଡ଼ି, ଗୁଜୁରାଟୀ, ବିହାରୀ, ବଂଗାଳୀଙ୍କ ସମ୍ମିଶ୍ରଣରେ ଗଢ଼ି ଉଠିଥିବା ଏଇ ସହରରେ ସେ ଖୁବ୍‌ କମ୍‌ ସୁବିଧା ପାଇଲେ ସଭା ସମିତି ଆଲୋଚନା ଚକ୍ର ଜରିଆରେ ନିଜ ସାରସ୍ଵତ ସାଧନାର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ । କିନ୍ତୁ ଉନ୍ମୁକ୍ତ ଜୀବନର ତାଳ ଓ ଲୟରେ ସେଇ ଅଭାବ ଆପଣାଛାଏ ହଜିଗଲା କିଛି ଦିନ ଭିତରେ । ଛାତ୍ରଛାତ୍ରୀଙ୍କ ପାଠପଢ଼ାର ଗୁରୁଦାୟିତ୍ୱ ସାଙ୍ଗକୁ ଉଭୟ ଗ୍ରାମର ଚାଷ ବାସ ବ୍ୟତୀତ ସାହିତ୍ୟ ସାଧନାରେ ସିଏ ବ୍ରତୀ ହେଲେ ନିବିଡ଼ ଭାବରେ । ତାଙ୍କ ନିଜ ଭାଷାରେ ‘ପରମ୍ପରା ପୀଡ଼ିତ ଅବକ୍ଷୟ ଉନ୍ମୁକ୍ତ ବୁନିଆଦୀ ଚାଲ୍‌ର ଏକ ଗୌନ୍ତିଆ ପରିବାରରେ ମୋର ଜନ୍ମ’ । ବର୍ଷ ସାରା ନୃତ୍ୟ, ଗୀତ, ପୁରାଣ ପାଠ ଓ ଅତିଥି ଅଭ୍ୟାଗତଙ୍କ ସମାରୋହରେ ସମୟ ଅତିବାହିତ ହୁଏ ମୋର ପିତୃକୁଳ ପୁରୁଷ ଗଣଙ୍କର’ । କବି ବିନୋଦ ଘର ବାହାରେ ସମାଜରେ ନିଜ ଇପ୍‌ସା ତଥା ନିଶାର ଆତ୍ମ ସମର୍ଥନ ନ ଲୋଡ଼ି ଘର ଭିତରେ ନିମଜ୍ଜିତ ହେଲେ ଆପଣାର ସାରସ୍ଵତ କର୍ମରେ । ୧୯୫୧ରୁ ୧୯୫୮ ଏଇ ସାତବର୍ଷ ଝାରସୁଗୁଡ଼ାରେ ବିତେଇବା ଅବସରରେ, ତାଙ୍କ ତୃତୀୟ କବିତା ପୁସ୍ତକ ‘ନୀଳଚନ୍ଦ୍ରର ଉପତ୍ୟକା’, ପ୍ରକାଶ ପାଇଲା । ଏହା ୧୯୫୧ ମସିହାର କଥା । ‘ମାଳଂଚ’, ନୀଳଚନ୍ଦ୍ରର ଉପତ୍ୟକା ‘ସେଲିମ୍‌ର ସ୍ଵପ୍ନ’, ‘ଅଷ୍ଟ୍ରେଲିଆ’, ‘ହୀରକ ସ୍ୱପ୍ନ’, ‘ସୁମେରୁରେ ସଂଧ୍ୟା’, ‘ପ୍ରିୟା’, ‘ବେଦୁଇନ୍‌ର ଦେଶେ’ ପ୍ରଭୃତି ପନ୍ଦରଟି କବିତାକୁ ନେଇ ଏଇ ସଂକଳନଟିର ସୃଷ୍ଟି । କବି ଏହାରି ଭୂମିକାରେ ଲେଖିଛନ୍ତି । ସମସାମୟିକ ଏବଂ ସାଂପ୍ରତିକୀର ଯେପରି କାଳସୀମାର ଚଉହଦି ଥାଏ, ଆଧୁନିକତାରେ ତା’ହା ଥାଏନା । ଷଷ୍ଠ ଶତାବ୍ଦୀର ମହିଳା କବି ସାଫୋ ଏବଂ ସପ୍ତମ ଶତାବ୍ଦୀର ଚୈନିକ କବି ଲି ପୋ-ଏମାନଙ୍କ କବିତାରେ ଆଧୁନିକ ଜୀବନ ପ୍ରଣାଳୀର ପଦଶବ୍ଦର ପ୍ରତିଧ୍ଵନି ମଧ୍ୟ ଶୁଣିବାକୁ ମିଳେ ।’

 

୬. ନୀଳଚନ୍ଦ୍ରର ଉପତ୍ୟକା: ଭୂମିକା’ ପ୍ର: ଓଡ଼ିଶା ବୁକ୍‌ ଷ୍ଟୋର, କଟକ ୧୯୮୭ ପୃ ‘କ’

 

ସେ ଏଥିରେ ଆଧୁନିକତାକୁ ଉଦ୍ଭଟ ପଦବାଚ୍ୟ କରିନାହାନ୍ତି । କବିତା ପାଇଁ ସିଏ ସୃଜନର ଭିତ୍ତିଭୂମି ତିଆରି କରିଛନ୍ତି ଦେଶ, କାଳ, ପାତ୍ରକୁ ନେଇ । କବି ‘ସତ୍ୟ’ ପ୍ରତି ନିଜର ମନୋଭାବକୁ ସୁଦୃଢ଼ ରଖିବାକୁ ଯାଇ ଏଠି ସମାଲୋଚକ ଡକ୍ଟର ଜନସନ୍‌ଙ୍କ ମତକୁ ସର୍ବାଗ୍ରେ ଗ୍ରହଣ ପୂର୍ବକ ତାଙ୍କୁ ଉଦ୍ଧୃତ କରି କହିଛନ୍ତି ‘The mind can repose only on the stability of truth.’ ସତ୍ୟର ସ୍ଥାୟିତ୍ୱ ଉପରେ ହିଁ ମନ ବିରାମ ନେଇପାରେ । ତେଣୁ ଆମ ଜାଣିବାରେ କବି ଏଇ ଧ୍ରୁବ ସତ୍ୟକୁ ନେଇ ପରୀକ୍ଷା ନିରୀକ୍ଷା ଚଳେଇଛନ୍ତି କବିତାରେ । ‘ନୀଳଚନ୍ଦ୍ରର ଉପତ୍ୟକା’ରେ ଏହାରି ପ୍ରତିରୂପ ବିଶ୍ଵମାନବିକତା ଉପରେ ଆସ୍ଥା ପ୍ରକଟ କରି କବି ଜାଗରୂକ ରଖିଛନ୍ତି ନିଜ କଲମକୁ । ଏଇ ଭୂମିକାରେ କବି ସଚେତନ ଭାବେ ଏକ ନିର୍ଣ୍ଣୟାତ୍ମକ ଭୂମିକାରେ ସାମାଜିକ ଶ୍ରେଣୀ ବିଭକ୍ତିକରଣକୁ ନିଜ ଢଙ୍ଗରେ ଦୋହରାଇଛନ୍ତି । ସେ ମାର୍କସ୍‌ବାଦୀ ଦର୍ଶନତତ୍ତ୍ୱର ବ୍ୟାଖ୍ୟା କରିବାକୁ ଯାଇ ଲେଖିଛନ୍ତି ‘‘ଶୁଣାଗଲା ହତିଆର୍‌ ବନ୍ଦୀ ଜଙ୍ଗୀ ଜୀବନର ସଂଗୀତ, ଦାଆ ହାତୁଡ଼ିର ପ୍ରତୀକ ବହନ କରି ଅସ୍ପୃଶ୍ୟତା ଉଲ୍ଲଂଘନ କରି ପ୍ଲାବିଆନ୍‌ଙ୍କ ମୁକ୍ତିର ସ୍ଵପ୍ନ ସୃଜନ କରାଗଲା । ଏହାରି ମୂଳରେ ନିହିତ ଥିଲା ମାର୍କ୍‌ସ୍‌ ପ୍ରଚାରିତ ଅର୍ଥନୀତିତତ୍ତ୍ଵ, ଅର୍ଥାତ୍‌ ଯାହା ହେଉଛି ପରିଣାମ-ବସ୍ତୁବାଦ-ଅର୍ଥାତ୍‌ ଅର୍ଥ ହିଁ ଅନର୍ଥ । ଭୋଗ୍ୟ ପଣ୍ୟର ଉତ୍ପାଦନ, ବଣ୍ଟନ ଓ ମୁନାଫା ମଣିଷ ସମାଜକୁ ଶୋଷଣ ଓ ଶୋଷିତ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରି ରଖିଛି । ଅର୍ଥଲାଭ ଜୀବନନୀତିକୁ ପରିଚାଳିତ କରେ । କ୍ଷେତ ଓ କାରଖାନାରେ ସେଇଥିପାଇଁ ଭିଡ଼ ହୁଏ, ସର୍ବହରା ଜନର ସଂଖ୍ୟାଧିକ ସତ୍ତ୍ଵେ ସେମାନଙ୍କ ଜୀବନ ସଂଗ୍ରାମରେ ପରାଜୟ ହୁଏ । ପ୍ରଚଣ୍ଡ କ୍ଷମତାଶାଳୀ ସ୍ଵଳ୍ପସଂଖ୍ୟକ ବଣିକ ଶକ୍ତିର ନଖରାଘାତରେ ଏହି ସାଧାରଣ ବସ୍ତୁହରାଦଳ ଛିନ୍ନଭିନ୍ନ ହୋଇଯାନ୍ତି ଇତ୍ୟାଦି’ । କବିଙ୍କ ଏହି ବକ୍ତବ୍ୟ ‘ନୀଳଚନ୍ଦ୍ରର ଉପତ୍ୟକା’ର ଭୂମିକାକୁ ଏକ ସ୍ଵପ୍ନସଂଚାରୀ ଭାବରୁ ମୁକ୍ତ କରି ଆଣିଥୋଇଛି ସାଧାରଣ ଜନତାଙ୍କ ବୁଂଦା ବୁଂଦା ଝାଳ ଓ ରକ୍ତର ପରିଧିକୁ । ତେବେ କବି ସେଭଳି ମାର୍କସ୍‌ବାଦୀ ଚେତନାର ବୈପ୍ଳବିକ ସ୍ଵରରେ ନିଜ କବିତାମାନଙ୍କୁ ଅନୁରଣିତ କରି ନାହାନ୍ତି । କବି ସଚ୍ଚି ରାଉତରାୟଙ୍କ ଭଳି କବିତାରେ ଶ୍ରମିକ କୃଷକଙ୍କ ଜୟଗାନ କରିବା ପ୍ରାୟତଃ ଦୃଷ୍ଟିଗୋଚର ହୁଏ ନାହିଁ । ଅନ୍ୟ ପକ୍ଷରେ ଭାବବାଦ, ପ୍ରକୃତିବାଦ, ରୋମାଣ୍ଟିକ୍‌ ଚେତନାର ବର୍ଣ୍ଣିଳ ସ୍ଵରରେ ସିଏ ତାଙ୍କ କବିତାର ଧାଡ଼ି ଗୁଡ଼ିକ ରିଆଜ୍‌ କରିଛନ୍ତି । ତାଙ୍କ ନିଜ ଭାଷାରେ ‘‘କବିତା ସଂବେଗ ଓ ବୌଦ୍ଧିକତା ସଂଯୋଗରୁ ହିଁ ଉଦ୍ଭୁତ ।’’ ଏହାରି ସଂଯୋଗ ରକ୍ଷା କରି ନିଜେ ଓଡ଼ିଆ କବିତା ରାଜ୍ୟରେ ଏକ ଭିନ୍ନ ପଥର ପଥିକ ହେଇଛନ୍ତି । ତାଙ୍କ ସମସାମୟିକ ତଥା ପରବର୍ତ୍ତୀ ସମୟର କବିମାନଙ୍କ ସୃଷ୍ଟିରେ ତାଙ୍କ ଆଧିପତ୍ୟ ସ୍ପଷ୍ଟ ବାରି ହୁଏ ନାହିଁ । ତାଙ୍କ କବିତାର ଗଠନ ରୀତି, ବର୍ଣ୍ଣାଢ଼୍ୟ ଶୈଳୀ, ପାଣ୍ଡିତ୍ୟଭରା ଅନୁରାଗ ଦ୍ଵାରା କେହି କେହି ଅନୁପ୍ରାଣିତ ହେଇଥିଲେ ସୁଦ୍ଧା ତାକୁ ପାଥେୟ କରି ନିଜ ସୃଷ୍ଟିକର୍ମକୁ ସଜାଡ଼ିବାର ପ୍ରୟାସ ପ୍ରାୟତଃ ତାଙ୍କ ପରବର୍ତ୍ତୀ କୌଣସି ଓଡ଼ିଆ କବିଙ୍କ ପାଖରେ ଦେଖିବାକୁ ମିଳେ ନାହିଁ । ତାଙ୍କ କବିତାର ଶିଳ୍ପ-କର୍ମ ଏଇ ଦୃଷ୍ଟିରୁ ଅନନ୍ୟ ଓ ଅନବଦ୍ୟ ।

 

‘ନୀଳଚନ୍ଦ୍ରର ଉପତ୍ୟକା’ରେ ହେମନ୍ତ ଋତୁର ଏକ ରାତ୍ରିକାଳୀନ ଦୃଶ୍ୟପଟ, ଯେମିତି ସାମାନ୍ୟ କୁହୁଡ଼ିଭରା ଐନ୍ଦ୍ରଜାଲିକ ପରିବେଶ । ତୁଷାରର ଶୁଭ୍ର ଆସ୍ତରଣ ଆବେଖଗକ ଧୃଷ୍ଟତା; କିନ୍ତୁ ଜନହୀନ ଉପତ୍ୟକା କବିଙ୍କ ବାସ୍ତବ ଉପଲବ୍‌ଧିର କିୟଦଂଶ । ‘ଚନ୍ଦ୍ରର ସମାଧି ସ୍ତୁପ’ ସୂଚେଇ ଦିଏ ଅନ୍ଧକାର ଭରା ରାତିର ଚେହେରାକୁ । ପେତିନୀ ଓ ଚନ୍ଦ୍ରଙ୍କ ପ୍ରଣୟଲୀଳା ଭିତରେ ଚନ୍ଦ୍ର ନିସ୍ତେଜ୍‌ ହେଇପଡ଼ିଛନ୍ତି ଓ ତାଙ୍କ ଅଙ୍ଗ ରକ୍ତଝରାରେ ଅବଶ ଦିଶୁଛି । ବନଦେବୀ ଓ ଝରଣାର ପରୀ ଚନ୍ଦ୍ରର ଅବସ୍ଥା ନେଇ କ୍ରନ୍ଦନରତା । ଏହା ହିଁ କବିତାର ଅଲୌକିକତା ଦେଇ ଗତି କରିବାର ଅବସ୍ଥା-

 

ଦ୍ୱିତୀୟ ପଂକ୍ତିରେ ଭୌତିକ ପ୍ରେକ୍ଷାପଟ ସାଙ୍ଗକୁ ତିବ୍ଦତୀୟ ଯାଦୁକରର କାଉଁରିକାଠି କବିଙ୍କୁ ଟାଣିନେଇଛି ସେଇ ପୁରୁଣା ଅଶରିରୀ ମାହାତ୍ମ୍ୟର କାହାଣୀ ପୃଷ୍ଠା ଖେଳେଇବାକୁ । ବର୍ଷାକାଳୀନ ରାତିରେ କବିଙ୍କ କଳ୍ପନାର ଚୌହଦି ଭିତରେ ସେଇ ଭୌତିକ ରାଗିଣୀର ସୁର ମେଲିଥିବା ପିଶାଚୀ ଜଣକ, ଯିଏ ଗୋଡ଼ ଲମ୍ବେଇଛି କେତେବେଳେ ଭଗ୍ନ ଦେବାଳୟ ଆଡ଼କୁ ତ ଆଉ କେତେବେଳେ ଲତାକୀର୍ଣ୍ଣ ଦୁର୍ଗ ଆଡ଼କୁ । ତେଣୁ ସ୍ପଷ୍ଟ ଜାଣିହେଉଛି କବିତାର କ୍ୟାନ୍‌ଭାସ୍‌ । କେଉଁ ଅନ୍ଧ ବୁନିଆଦୀର ସାଆନ୍ତିଆ ପୃଥିବୀ । ତେବେ ତିବ୍ଦତୀୟ ଯାଦୁକରର କାଉଁରି କାଠି ଯେଉଁ ମାୟାର ସୃଷ୍ଟିକର୍ତ୍ତା ତା’ହେଲା ‘‘ଭାଦ୍ରବର ଶସ୍ୟ ଆକାଶୁ ନେଉଥିଲା ଟାଣି ବର୍ଷଣ ମୁଖର ମେଘ ।

 

ତୃତୀୟ ପଂକ୍ତିରେ ପିଶାଚୁଣୀର ନିର୍ଲଜ ଯୌନକ୍ଷୁଧା ଯାହା ଉପଶମେଇବାର ଦାୟିତ୍ଵ ସ୍ଵୟଂ ଚନ୍ଦ୍ର ଅର୍ଥାତ୍‌ ସୋମଦେବଙ୍କର । ଏଠି ମାୟାବିନୀ କେଉଁଭଳି କାମାତୁରା ତାହା ବର୍ଣ୍ଣନାରେ ସୁସ୍ପଷ୍ଟ । ଚନ୍ଦ୍ର ରତିକ୍ରୀଡ଼ା ପରେ ଭୂଲୁଣ୍ଠିତ ହେଇ ନିଷ୍ପ୍ରାଣ ପାଲଟିଯିବାର ବର୍ଣ୍ଣନା ଦେଖିବାକୁ ଗଲେ ଅତୀତର ବହୁ କବିଙ୍କ ପରିବେଶ ବର୍ଣ୍ଣନାକୁ ଉପେକ୍ଷା ରଖୁଚି ।

 

ତେବେ କବି ଶେଷ ପଂକ୍ତିରେ ଫେରିଆସିଛନ୍ତି ବାସ୍ତବ ପୃଥିବୀକୁ । ଦୈବାତ୍‌ ବାଟ ଘାଟ ଜାଣି ନ ପାରି କାଠୁରିଆଟିଏ ସେ ବାଟ ଦେଇ ଆସୁଛି ମାନେ, ସିଏ ଏଇ ଭୌତିକ ପରିବେଶକୁ ସାଷ୍ଟାଙ୍ଗ ପ୍ରଣାମ ଜଣେଇବାକୁ ମଧ୍ୟ ହେଇଚି । ଏଠି ଲକ୍ଷ୍ୟ କରିବା କଥା, କବି ଜଣେ ପଦ୍ମଭୁକ୍‌ କବିର ଆସନରେ ଆସୀନ । ତାଙ୍କ କବିତ୍ୱ ସଂପର୍କରେ ମୋର ଅଭିମତ ସୁସ୍ପଷ୍ଟ । ସୁନ୍ଦର ବର୍ଣ୍ଣନାର ପ୍ରେକ୍ଷାପଟ ତିଆରିରେ କବି ଓସ୍ତାଦ୍‌ । କିନ୍ତୁ ତାଙ୍କର ଜାଗତିକ ବାସ୍ତବବାଦ ଉପରେ ଧାରଣା ପ୍ରାୟତଃ ଅସ୍ପଷ୍ଟ । କବି ଆବୋରିଛନ୍ତି ଭୋର୍‌ ସମୟକୁ । ଏଡ଼େ ସଅଳ କର୍ମଜୀବୀଟିଏ ନିଜ ବାସଗ୍ରାସକୁ ଉପେକ୍ଷା କରି ଆସିବ କାହିଁକି ? ଯଦିବି ଆସିଲା, ଜଙ୍ଗଲର ବାଟଘାଟକୁ ନିବିଡ଼ ଭାବେ ଚିହ୍ନିଥିବା କାଠୁରିଆଟି ତାଙ୍କ ଭାଷାରେ ‘‘ଭୁଲ୍‌ କ୍ରମେ ଏଇ ପଥେ କେବେ କାଠୁରିଆ ଆସିଗଲେ ବାଟବଣା ହୋଇ, ଛାତିପରେ ପକାଏ ତା’ ଛେପ’ ଭଳି ଆକସ୍ମିକ କାର୍ଯ୍ୟ କରିବ କାହିଁକି-? ଛାତିରେ ଛେପ ପକେଇବା, ଭୟ ଭଦ୍ରେକର ସୂଚନା ଦେଉଛି ରୂପକଥାର କାହାଣୀ ଯଥା ବିଧବା ଲଳନାର ପରି କରୁଣ କ୍ରନ୍ଦନକୁ ଶୁଣିବା ପରର ମାନସିକ ସ୍ଥିତିକୁ । ଏଠି ଜଣେ ସାଧାରଣ ସଂଭ୍ରାନ୍ତର ହୃଦୟ କାଠୁରିଆ ଅର୍ଥାତ୍‌ ଶ୍ରମଜୀବୀଟିର ସାହସିକତା ମପାମପିରେ କେଉଁଠି ଟିକେ ଅସାମଞ୍ଜସ୍ୟ ରହିଗଲା ଭଳି ବୋଧ ହେଉଛି । ଯା’ ହେଉ ସୁନ୍ଦରଗଡ଼ର ଆଖପାଖ ବଣ ପାହାଡ଼ର ସୁଷମାନ୍ମିତ ପରିବେଶ କବିଙ୍କୁ କବିତା ଲେଖିବାରେ ବିଶେଷ ଖୋରାକି ଯୋଗେଇଛି । ସଚ୍ଚି ରାଉତରାୟଙ୍କ ଭାଷାରେ ‘ମୂଲିଆର ଆଖି ନେଇ’ ଦୁନିଆକୁ ଦେଖିବାର ମନସ୍ତାତ୍ତ୍ୱିକ ଭିତ୍ତିଭୂମି ଅପେକ୍ଷାକୃତ ଦୁର୍ବଳ ଜଣା ପଡ଼ୁଥିଲେ ବି କବି ଏତାଦୃଶ ଅନୁଭବ ଜନିତ ଭାବୋତ୍କର୍ଷକୁ ପହଞ୍ଚିବା ପାଇଁ ଏତେ କମ୍‌ ବୟସରେ ସକ୍ଷମ ହେବେ କିପରି ? ତେଣୁ କାବ୍ୟୋଲ୍ଲାସର ସ୍ଵାଦ ଚାଖିବା ପାଇଁ ପାଠକୀୟ ଜିହ୍ୱାର ଗୁରୁତ୍ଵ ଉପରେ ଆସ୍ଥା ରଖି କବିର ଆତ୍ମାକୁ କାଠୁରିଆର ଆତ୍ମା ସହିତ ମିଶେଇବା ପାଇଁ ମୁଁ ଆଉ ଚାହୁଁନି । ଏକ ଅଶୁଭ ଅଶାଳୀନ ଶକ୍ତିର ପ୍ରତୀକ ଭାବେ ପିଶାଚୁଣୀଟିକୁ ନିଆଯାଇଛି ।

 

ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଭାଷାରେ–‘‘ଏହି କବିତାଟି ବିନୋଦ ନାୟକଙ୍କର ଉଦ୍‌କ୍ଷେପଣ କେନ୍ଦ୍ର । ଏହି କବିତାରୁ ବାହାରୁଥିବା ସମସ୍ୟାର ସୂତ୍ରଧରି ଅନ୍ୟାନ୍ୟ କବିତା ଅଭିକ୍ଷିପ୍ତ ହୋଇଛନ୍ତି । ଆଦିମ ଚେତନା ଯେଉଁ ସତ୍ୟର ଉଦ୍‌ଘାଟନ କଲା ତାହା ହେଉଛି ଯେ ପ୍ରକୃତି ସୁନ୍ଦର, ଅଶିବ, ଛଳନାମୟୀ । ପ୍ରବଞ୍ଚନା ଓ ପ୍ରାଣକ୍ଷୟ ହେଉଛି ପ୍ରାଣଭୋଗର ପରିଣାମ । ନାରୀକୁ ପ୍ରକୃତିର ରୂପ ବୋଲି ଗ୍ରହଣ କରିଥିବାରୁ କବିଙ୍କର ନାରୀ ବିଷୟକ କବିତା ମାନଙ୍କରେ ଅର୍ଥ ନିଷ୍ପତ୍ତିରେ ବାଧା ଉପୁଜିଛି’’ ।

 

ଏହି ସଂକଳନର ଦ୍ଵିତୀୟ କବିତା ‘ମାଳଂଚ’ ସେଇ ଆବେଗଭରା, ଉଭୟ ଅନାସକ୍ତ ଓ ଦୈହିକ ପ୍ରେମର ଯୁଗ୍ମ ବିଚ୍ଛୁରଣ । କବି ତାଙ୍କ ଅନୁପ୍ରେରିତ ଭତ୍ସର ସନ୍ଧାନ ପାଇଛନ୍ତି ପ୍ରକୃତିଠୁ । ତେଣୁ ପାରିପାର୍ଶ୍ୱିକ ପୃଥିବୀ ତାଙ୍କ କବିତାର କଞ୍ଚାମାଲ୍‌ । ‘ମାଳଂଚର ଅର୍ଥ ‘ପୁଷ୍ପୋଦ୍ୟାନ’ ଓ ସରଳ ଭାଷାରେ କହିବାକୁ ଗଲେ ‘ଫୁଲବଗିଚା’ । କବିତାର ଉତ୍ସର୍ଗୀକରଣ ‘ବିଶାଖା’କୁ । ଏହା କୌଣସି କାଳ୍ପନିକ ନାରୀ ନା ପୌରାଣିକ ଚରିତ୍ର ‘ରାଧାଙ୍କର ସଖୀ, ତାହା ପ୍ରଶ୍ନବାଚୀ । ତେବେ କବିତାରେ ତାହା ଜଣାଯିବା ନଜଣାଯିବା ଭିତରେ ଫରକ୍‌ ପ୍ରାୟ ନାହିଁ । ବାହ୍ୟ ପ୍ରକୃତି ଧସେଇ ପଶିଆସିଛି ପ୍ରଥମ ପଂକ୍ତିକୁ :

 

ସେ ଦିନର

ସ୍ତିମିତ ଆକାଶ

ଝିପିରି ଝିପିରି ଖାଲି

ଝରୁଥିଲା ଜଳ

ଦୂରେ ଅବିରଳ

 

ଏଠି ‘ସ୍ତିମିତ’ର ଅର୍ଥ ଓଦାଳିଆ ତଥା ଅନୁଜ୍ୱଳ ଆକାଶର ବିଶେଷଣ । ‘ଝିପିରି ଝିପିରି’ ଧ୍ଵନ୍ୟାତ୍ମକ । ଜଳ ଝରିବାର ପ୍ରତୀକାତ୍ମକ ବୟାନ । ‘ଅବିରଳ, ସୁନ୍ଦର ଭାବେ ଝଡ଼ିବର୍ଷାର ସଙ୍କେତ ଦେବା ସାଙ୍ଗକୁ ଉପଧା ମିଳନର ସାଂଗୀତିକତା ତଥା ସରସତାକୁ ବଜାୟ ରଖିପାରିଛି । ଏହାହିଁ ଗୀତି-ଉଚ୍ଛ୍ୱାସର ମଂଜ ଯାହାର ଚେର ଲମ୍ୱିଯାଇଛି କବିତାର ଶେଷ ପଂକ୍ତିକୁ । ଦୂର ବର୍ଷ।-ଭିଜା ଆକାଶର ବକ୍ଷ ଦେଇ ଉଡ଼ିଯାଉଛନ୍ତି କୋଳାହଳକାରୀ ସାରସ ଦୁଇଟି । ‘ଆନମନା’ ତଥା ମୁହଁ ଭାରି କରିବାର ଭାବ କାହାର ? ପୃଥିବୀର ନା ଅନ୍ୟ କାହାରିର । ତେବେ ଆକାଶର ନୀଳିମା ରୂପାନ୍ତରିତ ହେଉଛି ସୁରା ଓ ନାରଙ୍ଗକୁ, ଅନ୍ୟ ଅର୍ଥରେ ଅସ୍ତଗାମୀ ସୂର୍ଯ୍ୟଙ୍କ କନକ ଛିଟା ବିଭୂଷିତ ପୀତ-ଲୋହିତ ରଙ୍ଗରେ ।

 

କବିଙ୍କ ସର୍ଜନାତ୍ମକ ଆକ୍ଷି ଅନେକ ସମୟ ଧରି ଆକାଶରେ ବିଚରଣ କଲାପରେ ଫେରିଆସିଛି ଭୂମି ଉପରକୁ । ଯଥା : ‘ତୁମେ ଟେବଲ୍‌ରେ ପ୍ରସାଧନରତ’ । ଏହି ବାକ୍ୟ ଯଥାର୍ଥରେ ଜଣେ ରକ୍ତମାଂସଧାରିଣୀ ନାରୀ ପ୍ରତି ଅଭିପ୍ରେତ । ଏଠି ଅତିରଂଜିତ ଭାବୋକ୍ତିର ପଂକ୍ତିଟିଏ ‘ନା ନା ସରଞ୍ଜାମେ କରି ରଙ୍ଗ ଓ ବେରଙ୍ଗ କେତେ ଲକ୍ଷ ଶତ’ । ‘ଲକ୍ଷ’ର ଗଣନା ଏଠି ବାସ୍ତବତା ବର୍ହିଭୂତ-

 

କବିତାର ଦ୍ୱିତୀୟ ପଂକ୍ତିରେ ରାତି ଉପଗତ । ଯାହା ନାରୀର ଖୋସା ଭଳି କଳା ମିଶିମିଶି । ଏଠି ବର୍ଷାଝରର ଶବ୍ଦଙ୍କୁ ହାତର ଆଭରଣ ଅର୍ଥାତ୍‌ ଚୁଡ଼ି ଓ ଅନ୍ୟାନ୍ୟ ହସ୍ତାଳଙ୍କାରର ଝଣ୍‌ଝଣ୍‌ ସହିତ ତୁଳନା କରାଯାଇଛି ।

 

ତୃତୀୟ ପଂକ୍ତିର ଭାବାବେଗ ଅପେକ୍ଷାକୃତ ଉନ୍ନତ ଓ ଜୀବନ୍ତ । ଦୃଷ୍ଟିଭଙ୍ଗୀ ମୌଳିକ ଓ ସେଇ ସମୟର ଓଡ଼ିଆ କବିତାର ଉପମା ପ୍ରଦାନରେ ନୂତନ ଦୃଷ୍ଟିଭଙ୍ଗୀର ସୂଚନା ହେତୁ ବେଶ୍‌ ଆକର୍ଷଣୀୟ ।

 

ମଦାଳସା ନଗରୀର ଧାରେ

ତୁମ କାନ ଦୁଲ୍‌ ମୋତି ଆଭା ପରି

ଜ୍ୟୋତିରିଂଗଣର ଲୀଳା

ଚାଲିଥିଲା ହିଂଜଳର ବନେ

ତୁମେ ଆନମନେ

ତୁମରି ପଣତ କୋଣେ

ରଖି କରତଳ

ରଂଗୀନ ସୂତାରେ ଯେ

ଲେଖି ରଖିଥିଲ

ମୋ ନାମରେ ଦୁଇଟି ଅକ୍ଷର ।

 

ଏଠି ‘ମଦାଳସା’ ନାରୀକୁ ଲକ୍ଷ୍ୟରଖି କୁହାଯାଇନି, ବରଂ ନଗରୀକୁ କୁହାଯାଇଛି । ମନର ଅଳସ ନଗରୀର ମଗଜକୁ ଛୁଇଁବା ବର୍ଣ୍ଣନାର ଚମତ୍କାରିତା ରଖୁଛି । ସେଇ ନଗରୀର ରାତ୍ରିକାଳୀନ ଶୋଭାବନ ଭିତରେ ତୁମ ଅର୍ଥାତ୍‌ ଜଣେ ନାରୀଙ୍କ କାନଦୁଲ୍‌ର ମୋତି ପରି ମିଟି ମିଟି ଔଜଲ୍ୟ ବିତରଣ କରୁଛନ୍ତି ଆକାଶର ତାରା ଓ ଅନ୍ୟାନ୍ୟ ଜ୍ୟୋତିପୁଞ୍ଜ । ଏ ଦୃଶ୍ୟପଟ ହିଂଜଳ ବନର । ଆରକ୍ତ ଫୁଲ ଓ ରକ୍ତବର୍ଣ୍ଣ କେଶର ଧାରଣ କରୁଥିବା ଏଇ ବୃକ୍ଷର ବନ ହିଁ ଏହି ପଂକ୍ତିର କ୍ୟାନଭାସ୍‌ । ନିଜ ଅନୁପସ୍ଥିତି ମସ୍ତିଷ୍କର ଅନ୍ତରାଳେ ନିଜ ପଣତର କୋଣରେ ‘କରତଳ’ ଅର୍ଥାତ୍‌ ହାତପାପୁଲି ଥାପି କାବ୍ୟ-ନାୟିକା ରଂଗୀନ ସୂତାରେ ଲେଖି ରଖିଛି କାବ୍ୟନାୟକର ଦି ଅକ୍ଷର ବିଶିଷ୍ଟ ନାମଟିକୁ । କବିତାରେ ଶବ୍ଦ ଓ ସଂଗୀତକୁ ନିଖୁଣ ଭାବେ ଜଗିରଖି ତାକୁ ଲାଳିତ୍ୟମୟ କରି ଗଢ଼ି ତୋଳିବା ଯେମିତି କବିଙ୍କ ଏକ ସହଜାତ ପ୍ରବୃତ୍ତି । ତେବେ ଦୂରେ ବାଲୁଚରେ ଚକୋଇ ପକ୍ଷୀର ଲଘୁ ସ୍ଵର ସଂପୂର୍ଣ୍ଣ ରୂପେ କବିଙ୍କ କାଳ୍ପନିକ ଅଭିଷେକ କାରଣ ଏହି ପକ୍ଷୀ ପ୍ରାଣୀ ବିଜ୍ଞାନକୁ ଉପେକ୍ଷା ରଖେ ।

 

କବିତାର ଚତୁର୍ଥ ପଂକ୍ତିରେ ସେଇ ରୋମାଣ୍ଟିସିଜମ୍‌ ଅର୍ଥାତ୍‌ ସୈରବାଦୀ ବାସନା । ଏଇ ମହାଭାବହିଁ ସମଗ୍ର କବିତାର ଶିଳ୍ପ ସୌନ୍ଦର୍ଯ୍ୟ କବିଶକ୍ତିକୁ ରସବୋଧ ସଂପୂର୍ଣ୍ଣରୂପେ କବଳିତ କରି ରଖିଛି । ଏଠାରେ ତୁମରି ପାଲଟା ଶାଢ଼ୀର ଉତ୍ତପ୍ତ ସୌରଭ ପରି, ଗଙ୍ଗଶିଉଳିର ଭିଜାଗନ୍ଧ ଉଠିଥିଲା ଭରି ଦୁଇଟି ବୈସାଦୃଶ୍ୟକୁ ସାଦୃଶ୍ୟ କରି ଗଢ଼ି ତୋଳିବା ପାଇଁ ଚେଷ୍ଟା କରାଯାଇଛି । ଏକଦା ଅଷ୍ଟାଦଶ ଶତାବ୍ଦୀର ସମାଲୋଚକ ସାମୁଏଲ୍‌ ଜନ୍‌ସନ୍‌ କବି ଜନ୍ମ ଡନ୍‌ଙ୍କ କବିତା ଉପରେ ନିଜ ମତ ସାବ୍ୟସ୍ତ କରି କହିଥିଲେ ‘‘The most heterogenous ideas are yoked by violence together’’ । ଏଠି କବିଙ୍କ ପ୍ରତିଭାକୁ ହୁଏତ ବଳିଯାଇଛି କବିଙ୍କ ବିଚକ୍ଷଣତା ।

 

କବିତାର ଶେଷ ପଂକ୍ତିରେ ସେଇ ଧ୍ୱନ୍ୟାତ୍ମକ ପୁନରାବୃତ୍ତି ଯଥା ‘ଯେବେ ଝରିବ ଲୋ ଜଳ, କଳ କଳ, ଛଳ ଛଳ ଖାଲି ଅବିରଳ’ । ଏଠି ବନ୍ଧୁକୁ ଲୋ ବୋଲି ସମ୍ବୋଧନ କରିବା ସୂଚେଇ ଦିଏ ସିଏ କାବ୍ୟ-ନାୟିକା ଛଡ଼ା ଅନ୍ୟ କେହି ନୁହେ । କାବ୍ୟ-ନାୟକର ସ୍ମରଣରେ ଆସୁଛି ସେଇ ଅତୀତ ଦିନର ସ୍ମୃତିରାଜି । ଯଥା :

 

ଆଜିବିତ ଆଣଇ ବିଷାଦ

ତୁମ ତନୁ ସ୍ଵାଦ

ଗତାୟୁ ସେ ନିଶୀଥର

ସେ ଶଯ୍ୟା ରଚନ

ଆଉ ଅଲାଜୁକ ଅଗଣନ

କେତେ ବିବରଣ ।

 

କାବ୍ୟ-ନାୟକର ଦୈହିକ କାମନା ଏଠି ସୁସ୍ପଷ୍ଟ । ଏହା ପାଠକ ପାଠିକାଙ୍କୁ ନେଇଯାଉଛି ଏକ ମହତ୍ତର ଇଲାକାକୁ । କେହି କେହି ତା’କୁ ‘ସ୍ଵର୍ଗୀୟ ଉଚ୍ଛ୍ୱାସ’ର (heavenly passion) ଆଖ୍ୟା ଦେଇପାରନ୍ତି । ପାଠକର ମାନସିକ ସ୍ତରରେ ଏଭଳି ଉତ୍ତୋଳନକୁ ବିଶ୍ୱାସନୀୟ ଅନୁଭୂତିରୁ ପୃଷ୍ଠାଏ ବୋଲି ବିଚାର କରିବା ବୋଧେ ସବୁଠୁ ଶ୍ରେୟ ହେବ ।

 

ଏହି ସଂକଳନର ତୃତୀୟ କବିତା ‘ସେଲିମ୍‌ର ସ୍ଵପ୍ନ’ ଏକ ପ୍ରସାରିତ ଦିଗ୍‌ବଳୟର ଆରପାରିକୁ ପ୍ରସରିଯିବାର ସାମର୍ଥ୍ୟ ନେଇଛି । ତେଣୁ ଏହାରି କ୍ୟାନଭାସ୍‌ ଅନ୍ତଃରାଷ୍ଟ୍ରୀୟ, ପ୍ରକାରାନ୍ତରେ ଅନ୍ତର୍ଜାତୀୟ । ମାଡ଼ାଗାସ୍କର ଲବଙ୍ଗ କ୍ଷେତରେ ବର୍ଷା ଝରିପଡ଼ିବା ସାଙ୍ଗକୁ ଲୋହିତ ସାଗର ବକ୍ଷରେ ମୌସୁମୀ ବାୟୁ ଝଡ଼ ସୃଷ୍ଟି କରୁଛି । ଛାୟାଘନ ତିମିର, କ୍ଷୁଦ୍ର କୁଟୀର, ଆରବ କୁଲି ଓ ନିର୍ବାଣମୁଖୀ ମହମବତୀର ନିଷ୍ପ୍ରଭ ଆଲୁଅ ଆବେଗିକ ସତ୍ୟକୁ ଧରିରଖିଛି । ତେବେ ବୈଜ୍ଞାନିକ, ବନାମ ବାସ୍ତବ ସତ୍ୟକୁ ପରିବେଷଣ ଦିଗରେ ଏହାରି ସାମର୍ଥ୍ୟର କଳନାକୁ ପାଠକ ପାଠିକାଙ୍କୁ ଛାଡ଼ିଦେବା ବୋଧେ ଯୁକ୍ତିଯୁକ୍ତ ହେବ ।

 

କାରଣ ଭାରତ ମହାସାଗର ଭିତରେ ଦକ୍ଷିଣ ପୂର୍ବ ଆଫ୍ରିକାର ଅନତି ଦୂରରେ ଥିବା ଦ୍ଵୀପବାସିନୀ ଦିଗମ୍ବରୀ ନିଗ୍ରୋ ଯୁବତୀଙ୍କ କାମାତୁରା ଭାବ ସହିତ ଆରବ କୁଲି ତଥା ଓମାର୍‌ ଖେୟାମୀ ପଦ୍ୟର ସାମଞ୍ଜସ୍ୟ ସାଧାରଣ ପାଠକୀୟ ଅବବୋଧରେ ଝଟ୍‌କା ସୃଷ୍ଟି କରୁଛି ।

 

ଏହି କବିତାର ସ୍ଥାପତ୍ୟ ପାଇଁ କବି ନିର୍ଭର କରିଛନ୍ତି ଆରବ ଦେଶର ଆଠ ଶହ ଶତାବ୍ଦୀର ଖାଲିଫା ହରନ୍‌-ଉଲ୍-ରସିଦ୍‌-ରଜାପୁଅ କାନେଇଥିବା ଏକ ହଜାର ଏକ ରାତ୍ରିର କାହାଣୀ ମାଳାର ସେଲିମ୍‌ ଓ ଜାହାନ୍ନାରା ଉଭୟ ଶିଶୁଦ୍ଵୟ ଶୁଣୁଥିବା ଅମିନାର ପ୍ରେମ କାହାଣୀ । ପିଶାଚୁଣୀ ଅମିନା କେଉଁଭଳି ତା’ର ନବବିବାହିତ ପତିଙ୍କ ଅଲକ୍ଷ୍ୟରେ ସମାଧି ପୀଠକୁ ଯାଇ ସେଠୁ ଶବଙ୍କର ମାଂସ ଭକ୍ଷଣ କରି ଘରକୁ ଫେରିଆସେ ଯେମିତି କେହି ତା’କୁ ଜାଣି ପାରିନାହାନ୍ତି-। କିନ୍ତୁ ତା’ ସ୍ଵାମୀ ଏକଥା ଜାଣିଲାକ୍ଷଣି ତା’ଉପରକୁ ମନ୍ତ୍ରିଲା ଜଳ ଫିଙ୍ଗି ତାକୁ ତତ୍‌କ୍ଷଣାତ୍‌ ଏକ କୁକୁରକୁ ରୂପାନ୍ତରିତ କରିଦେଇଛି । କିଛି ଦିନ ଉତ୍ତାରୁ ସେଇ ଭଳି ଏକ ପିଶାଚୁଣୀର ଆକସ୍ମିକ ସାହାଯ୍ୟ ଲାଭ କରି ତା’ସ୍ଵାମୀ ତା’ରି ପୂର୍ବ ରୂପ ଫେରିପାଇଛି ଓ ପ୍ରତିବଦଳରେ ବୁଦ୍ଧିମାନ୍‌ର କାର୍ଯ୍ୟ ସ୍ଵରୂପ ତା’ ପିଶାଚୁଣୀ ସ୍ତ୍ରୀକୁ ଏକ ଘୋଡ଼ୀରେ ରୂପାନ୍ତରିତ କରିଦେଇଛି । ଏଇ ଗପଟି କାହିଁ କେଉଁ ଅଷ୍ଟମ ଶତାବ୍ଦୀର କିନ୍ତୁ ଆଜି ବି ତାରି ପ୍ରାସଙ୍ଗିକତା ହରେଇ ନ ଥିବାରୁ କବିଙ୍କୁ ‘ସେଲିମ୍‌ର ସ୍ଵପ୍ନ’ ଭଳି କବିତା ଲେଖିବାକୁ ଉତ୍ସାହିତ କରିଛି । ଯେଉଁଠି ପ୍ରେମବିଧୂରା ଜାହାନ୍ନାରା ତା’ର ପିଲାଦିନର ସାଥିକୁ ହରେଇ ଆଉ କା’ର ପିଆଲାରେ ସୁରା ଢାଳୁଛି । ସେଲିମ୍‌ ଛବି ଯାଇଛି କେଉଁ ଆଢ଼ୁଆଳରେ ତା’ ବଂଶୀର ବେସୁରା ରାଗିଣୀ ସହିତ ।

 

କବି ତାଙ୍କ ଭୂଗୋଳ ସମ୍ବନ୍ଧୀୟ ବୈଷୟିକ ଜ୍ଞାନ କୌଶଳ ସହିତ ନିଜ ସୃଷ୍ଟ ଗୀତିଧର୍ମିତା ସାଙ୍ଗକୁ ଚମତ୍କାର ଶବ୍ଦ ରାଜିର ଆଶ୍ରୟ ନେଇଛନ୍ତି । ଶୈଳୀ ଦୃଷ୍ଟିରୁ ଦେଖିବାକୁ ଗଲେ ତାହା ମହାର୍ଘ କିମ୍ବା ଆଡ଼ମ୍ବରପୂର୍ଣ୍ଣ ବୋଲି ଅନ୍ତତଃ ତାଙ୍କର ଏହି ସମୟର କବିତାମାନଙ୍କୁ କୁହାଯାଇ ନ ପାରେ । ‘ସୁମେରୁର ସଂଧ୍ୟା’ରେ କିନ୍ତୁ ଦେଖିବାର କଥା, ଏହା କୌଣସି ବାସ୍ତବଜ୍ଞାନକୁ ଏକ ଗୌଣସ୍ଥାନକୁ ନେଇଯାଉଛି । ଯଦିଓ ପଂକ୍ତି ଗୁଡ଼ିକର ଛନ୍ଦାତ୍ମକ ବେଶଭୂଷା ପାଠକର ମାନସିକତାକୁ ଏକ ମହତ୍ତର ସ୍ଥାନକୁ ଘେନି ଯିବାରେ ସମର୍ଥ ହେଉଛି ଶିକ୍ଷା ସମ୍ବନ୍ଧୀୟ ତଥ୍ୟରେ ଏହା କେମିତି ପଛକୁ ହଟିଗଲା ଭଳି ଲାଗୁଛି । କେଇଟି ଶବ୍ଦ ଯଥା ଦୀର୍ଘ ରକ୍ତବିନ୍ଦୁ ସମ (ବିନ୍ଦୁ ପୁଣି ଦୀର୍ଘ) ଛଅ ମାସ ଦିନ ପୁଣି ଛଅମାସ ରାତି ହେଉଥିବା ଏକ ଇଲାକାର ବର୍ଣ୍ଣନାତ୍ମକ ଦୃଶ୍ୟପଟରେ ଅସ୍ତରବିର ପ୍ରୟୋଗ ବେଖାପ୍‌ ଲାଗୁଛି । ତେବେ ଜଣେ ମହାନ୍‌ ତଥା ନମସ୍ୟ କବିଙ୍କ ସପକ୍ଷରେ ଓକିଲାତି କରିବା ପାଇଁ ମୁଁ ଆଉ ଜଣେ ବରେଣ୍ୟ କବି କଲ୍‌ରିଜ୍‌ଙ୍କ ଉଦାହରଣ ଦେଉଛି ? ତାଙ୍କ କବିତା ‘ଏନ୍‌ସିଏଣ୍ଟ ମାରିନର୍‌’ ଯହିଁରେ ଲେଖାଅଛି ‘ଏ ଷ୍ଟାର୍‌ ଅନ୍‌ ଦି ଟିପ୍‌ ଅଫ୍‌ ଦି ମୁନ୍‌’ ଚନ୍ଦ୍ରର ଦେହରେ ତାରାଟିଏ ରହି ନ ପାରେ । ଏସବୁ ‘ପୋଏଟିକ୍‌ ଲାଇସେନ୍‌ସ’ ଅର୍ଥାତ୍‌ କାବ୍ୟିକ ଅଧିକାର । ମୋ ମତରେ ତାଙ୍କ କବିତା ଲେଖିବା ସମୟରେ ‘ନେସେନାଲ୍‌ ଜିଓଗ୍ରାଫିକ୍‌’ ଦୃଶ୍ୟବହୁଳ ଅଭିଯାନ, ଯାହା ଟିଭିରେ ଆଜିକାଲି ବାରମ୍ବାର ପ୍ରଦର୍ଶିତ ହେଉଛି, ତାହା କବିଙ୍କ ନଜରକୁ ଆସିଥିଲେ ହୁଏତ କବିତାର ଧାରା ବଦଳି ଯାଇଥାନ୍ତା । ଏ ସବୁ ସତ୍ତ୍ଵେ ମୁଁ କବି ବିନୋଦଙ୍କ ସୁସ୍ପଷ୍ଟ ଭୌଗୋଳିକ ଚେତନାକୁ ମଧ୍ୟ ଦୋହରେଇବାକୁ ଚାହୁଁଛି । ଯଥା :

 

ଘୋର ବରଫ ଆବୃତ

ତହିଁ, ଅବଶନେ କଟାଇବା ଲାଗି ଦୀର୍ଘନିଶା

ଶ୍ଵେତ ଭଲ୍ଲୁକ ରଚଇ ବିସ୍ତୃତ ନୟନ

ଶିଲ୍‌ ମତ୍ସ୍ୟଦଳ

ତୁଷାର ପରଦା ଭେଦି ଯାଏ ମିଶି କାହିଁ

ଗାଢ଼ରେ ଅନ୍ଧନିଶା ହୋଇଆସେ କ୍ରମେ ।

(ସୁମେରୁରେ ସଂଧ୍ୟା)

 

‘ସାଧବ ଝିଅର ଗୋଟିଏ କଥା’ ଲୋକମୁଖରେ ପ୍ରଚଳିତ ଗାଥାକୁ ରୂପ ଦେବା ପାଇଁ କବି ପ୍ରୟାସସାଧ୍ୟ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚିତ ‘କାଳିଜାଇ’, ରାଧାମୋହନ ଗଡ଼ନାୟକଙ୍କ ‘ଶାମୁକାର ସ୍ଵପ୍ନ’ ଭଳି କବି ଏହି କବିତାରେ ସାଧବ ବୁଢ଼ା ଓ ଆଦରର ନାତୁଣୀ ‘କନକଲତା’ର ବିଷୟ ଉପସ୍ଥାପନ କରିଛନ୍ତି । ଜାପାନୀ ସାଗର ବକ୍ଷ ଦେଇ ମେଲିଦେଇ ଥିବା ବୋଇତଟିର ଭିତରେ ସାଧବ ଅଜାବୁଢ଼ା ଓ ଅଲିଅଳୀ ସାତ ବୋହୂର ଗୋଟିଏ ବୋଲି ଝିଅ । ବଣିଜ ପାଇଁ ଯିବାବେଳେ ନାତୁଣୀ । ତା’ ଅଜା ସଙ୍ଗେ ବାହାରିଛି । କିନ୍ତୁ ବାଟରେ ଦୁର୍ଯ୍ୟୋଗକ୍ରମେ ସାଗର ବକ୍ଷରେ ଝଡ଼ିବର୍ଷାର ମୁକାବିଲା କରି ନ ପାରି ବୋଇତଟି ଏକ ଅଦୃଶ୍ୟ ପାହାଡ଼ ଦେହରେ ଧକ୍‌କା ଖାଇ ନିଶ୍ଚିହ୍ନ ହୋଇ ଯାଇଛି । ତା’ ସାଙ୍ଗକୁ ଲିଭିଯାଇଛି ଅଜା ନାତୁଣୀଙ୍କ ଜୀବନ ଦୀପ । କବି ଏହି ମର୍ମସ୍ପର୍ଶୀ କାହାଣୀର ଅବତାରଣ କରିଛନ୍ତି କବିତାରେ, ବାପ ଝିଅଙ୍କ କଥୋପକଥନରେ-

 

ଏଠି ସାହିତ୍ୟରେ ନୋବେଲ୍‌ ପୁରସ୍କାର ନେବାବେଳେ ୧୯୪୬ ରେ ‘ହର୍‌ମନ୍‌ ହେସ୍‌’ଙ୍କ ବକ୍ତବ୍ୟ ‘‘I feel akin to you and to the idea that inspired the Nobel Foundation, the idea that the mind is international and supra-national, that is ought to serve not war and annihilation but peace and reconciliation. ମୋର ମଧ୍ୟ ତୁମ ଧାରଣା ସହିତ ସଂପର୍କଯୁକ୍ତ ଯହିଁର ଚିନ୍ତାଧାରା ନୋବେଲ୍‌ ପ୍ରତିଷ୍ଠାନକୁ ଅନୁପ୍ରାଣିତ କରିଛି ଏଇ ଭାବରେ ଯେ ମନଟି ଅନ୍ତର୍ଜାତୀୟ ଶ୍ରେଷ୍ଠୀ ଜାତୀୟତା ଯାହା ଯୁଦ୍ଧ ଓ ହଣାକଟାର ପରିଚର୍ଯ୍ୟା ନ କରି, କରିଛି ଶାନ୍ତି ଓ ସହାବସ୍ଥାନର ।

 

ଶିକ୍ଷାକୁ ଅତିକ୍ରମ ସୌଂଦର୍ଯ୍ୟାନନ୍ଦର ଅନ୍ୱେଷଣ ‘ନୀଳଚନ୍ଦ୍ରର ଉପତ୍ୟକା’ କବିତା ସଂକଳନ ପ୍ରାଗ୍‌କଥନ ଆଳରେ ‘ସୁବ୍ୟବସ୍ଥିତ ତର୍କ’କୁ ବାତିଲ୍‌ କରିବା ସମାଲୋଚକଙ୍କ ପାଇଁ ଗ୍ରହଣୀୟ ହେବା ଶୁଭପ୍ରଦ । ଏ ଯାବତ୍‌ ‘ନୀଳଚନ୍ଦ୍ରର ଉପତ୍ୟକା’ ୧୯୯୦ ସୁଦ୍ଧା ତା’ରି ପଞ୍ଚମ ସଂସ୍କରଣରେ ପହଞ୍ଚି ପାରିଛି । ଏହା କବିଙ୍କ ଲୋକପ୍ରିୟତାର ପ୍ରମାଣ ଦିଏ । ତାଙ୍କ ସମ୍ପର୍କରେ ସମାଲୋଚକ ଡ: ନିତ୍ୟାନନ୍ଦ ଶତପଥୀ ତାଙ୍କ ଗବେଷଣା ଗ୍ରନ୍ଥ ‘ସବୁଜରୁ ସାଂପ୍ରତିକ’ରେ ଲେଖିଛନ୍ତି-: ‘‘ନାୟକେ ନିଜର ଚତୁଃପାର୍ଶ୍ଵକୁ ଏକାବେଳେକେ ଭୁଲିଯାଇ ଅରୋରା ବୋରିଆଲିସ୍‌ର ଆଲୋକ ଛଟା, ବିଷୁବୀୟ ଆଫ୍ରିକାରେ, ବାନରମାନଙ୍କ ନୃତ୍ୟ ବା ଜାଞ୍ଜିବର ଦ୍ଵୀପ-ସୁନ୍ଦରୀମାନଙ୍କର ଲବଙ୍ଗପୁଷ୍ପ ତୋଳିବା ବେଳର ସ୍ମିତହାସ୍ୟକୁ ବର୍ଣ୍ଣନା କରିଥାନ୍ତି’’ । ଏହା ପଳାୟନ ବାଦର ସ୍ଵର ନା ଆଉ କିଛି । ତାହା ଆଲୋଚନା ସାପେକ୍ଷ । ଏ ପ୍ରସଙ୍ଗରେ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି କହନ୍ତି ବିନୋଦ ନାୟକଙ୍କ କବିତା ଯଥାର୍ଥରେ ସୁଦୂରର ସଂଗୀତ । ଯାହା ନିକଟରେ, ଯାହା ଦୁଇ ହାତରେ ପାଇବାର ସୀମା ଭିତରେ, ଯାହା ସୁଲଭ ସେସବୁ ଅତି ମାମୁଲି, ଅତି ଦୈନନ୍ଦିନ, ଅତି ରଙ୍ଗଛଡ଼ା । ତେଣୁ ଦେଶ-କାଳ ପାତ୍ରର ସଂକୀର୍ଣ୍ଣ ସୀମା ଛାଡ଼ି ବିନୋଦ ନାୟକଙ୍କ କବିତା କରିଛି ନୂତନ ଜାତି ଓ ନୂତନ ପ୍ରକୃତିର ସନ୍ଧାନ ।

Image

 

ଉତ୍ତର ଷାଠିଏ ଓ ‘ସାତ ତାରାର ଦୀପ’

 

କବି ବିନୋଦଙ୍କ ରଚିତ ‘ସାତ ତାରାର ଦୀପ’ ତାଙ୍କ ଚତୁର୍ଥ କବିତା ସଂକଳନ । ଏହାରି ରଚନା କାଳ ୧୯୪୧ରୁ ୧୯୫୦ ମଧ୍ୟରେ । ଦୀର୍ଘ ବାରବର୍ଷର ପ୍ରକାଶନ ନୀରବତା ପରେ ୧୯୬୨ ମସିହାରେ ଏହା ବଜାରକୁ ଆସିଛି । ‘ସାତ ତାରାର ଦୀପ’, ‘ଏକ ତୃଷିତ କବିତାର ସଂଚୟ’, ‘କୋଚିନ୍‌ ବନ୍ଦର’, ‘ଏଇ ପୃଥିବୀ ଓ ପ୍ରିୟା’, ‘କାଗଜର ଫୁଲ’, ‘କଜ୍ୱଳପାତି କି ଡାକେ’, ‘ସ୍ୱପ୍ନ ସଂଭବ’, ‘ଅନ୍ଧକାରର କାବ୍ୟ’, ‘ତୁମେ ନଦୀ କ୍ଷିପ୍ରଗତି’, ‘ନୀଳପକ୍ଷୀ’, ‘ସଂଧ୍ୟା’, ‘ସାତ ସାଗର ପାରେ’, ‘ରାଣୀ’, କୁମ୍ଭ କାମୋଦୀ ଇତ୍ୟାଦି ଏକାଇଶଟି କବିତାକୁ ନେଇ ଏଇ ସଂକଳନର ସୃଷ୍ଟି । ଏହାକୁ ପ୍ରକାଶ କରିଛନ୍ତି ସମ୍ବଲପୁରସ୍ଥିତ ସାରସ୍ଵତ ପୁସ୍ତକ ଭଣ୍ଡାର’ । ଏହାରି ମାଲିକ ସ୍ଵର୍ଗତ ନିର୍ମଳ ଚନ୍ଦ୍ର ପାଢ଼ୀ ନିଶ୍ଚିତ ରୂପେ ରସପିପାସୁ, ସ୍ନେହୀ ଓ ବଂଧୁବତ୍ସଳ । ସେତେବେଳେ ବୋର୍ଡ଼ ବାଇଣ୍ଡିଙ୍ଗ୍‌ ମାଧ୍ୟମରେ ଆଧୁନିକ କବିତାର ସଂକଳନଟିଏ ସମ୍ବଲପୁରରୁ ପ୍ରକାଶ ପାଇବା ପ୍ରକାଶକଙ୍କ ସାହସିକତାର ପରିଚୟ ଦିଏ । ବହୁ ବର୍ଷ ପରେ ୧୯୯୦ ମସିହାରେ ଓଡ଼ିଶା ବୁକ୍‌ ଷ୍ଟୋର୍‌, କଟକ କର୍ତ୍ତୃକ ଏହାରି ଦ୍ଵିତୀୟ ସଂସ୍କରଣ ପ୍ରକାଶିତ ।

 

ଇତି ମଧ୍ୟରେ କବି ଝାରସୁଗୁଡ଼ା ଛାଡ଼ି ନିଜ ଜନ୍ମଜିଲ୍ଲା ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ୧୯୫୯ ମସିହାରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦାନ କରନ୍ତି । ପାରିବାରିକ ଦୃଷ୍ଟିକୋଣରୁ ବିଚାର କଲେ ଏହା ତାଙ୍କ ପାଇଁ ପ୍ରକୃଷ୍ଟ ସମୟ ଥିଲା । ନିରୋଳାରେ ଅଧ୍ୟାପନା ସମୟ ଟିକକ ଛାଡ଼ି ସେ କବିତା ରଚନାରେ ମନୋନିବେଶ କଲେ ସଂପୂର୍ଣ୍ଣ ଭାବରେ । ୧୯୫୯ରୁ ୬୬ ଯାକେ ସାତ ବର୍ଷ ସେ ଏହି ମହାବିଦ୍ୟାଳୟରେ ଅବସ୍ଥାପିତ ହେଲେ । ୨୨।୧୨।୧୯୭୫ରେ କବି ଡ: ନିତ୍ୟାନନ୍ଦ ଶତପଥୀଙ୍କୁ ଲେଖିଥିବା ଏକ ପତ୍ରକୁ ମୁଁ ଏଠି ଉଦ୍ଧାର କରୁଛି ଯଥା: ‘ଘର ମୋର ସୁନ୍ଦରଗଡ଼ । କେବେ ବେଦବ୍ୟାସ ପରା ଏଠାରେ ମହାଭାରତ ରଚନା କରିଥିଲେ । ସଂସ୍କାର ସେତିକି ମାତ୍ର । ନିରାଟ ପାହାଡ଼ ଆଉ ଆୟୁହୀନ ନଦୀ । ବାସ୍‌, ଏତିକି ମାତ୍ର ମୋ’ର କାବ୍ୟାରମ୍ଭର ଭୂମିକା । ଏହି କ୍ରମରେ ଡ. ଶତପଥି କହନ୍ତି ‘‘ତେଣୁ ସମସାମୟିକ ଭାରତୀୟ ମୁକ୍ତି ସଂଗ୍ରାମର ଆକୃତି କିମ୍ୱା ମାର୍କସୀୟ ଚିନ୍ତାଧାରାର ସଫଳ ପ୍ରକାଶ ତାଙ୍କ କବିତାର ଆଭିମୁଖ୍ୟ ଭାବେ ଦେଖାଦେଇ ନାହିଁ । ବରଂ ତାଙ୍କ ଜନ୍ମସ୍ଥାନର ରୋମାଣ୍ଟିକ୍‌ ପ୍ରକୃତି ପ୍ରଥମରୁହିଁ ତାଙ୍କ କାବ୍ୟ ଚେତନାକୁ ପ୍ରଭାବିତ କରିଛି’’ । ଲେଖକଙ୍କ ନିଜ ସ୍ଵୀକାରୋକ୍ତିରେ ‘‘କବିଙ୍କ ମାର୍କସିଷ୍ଟପନ୍ଥୀ ଦର୍ଶନ ମୁଁ କିନ୍ତୁ କବିତାରେ ପ୍ରତିଫଳନ କରିପାରିଲି ନାହିଁ । ମନମୋହନ ମିଶ୍ର, ନୀଳମଣି ରାଉତରାୟ, ବନମାଳୀ ପଟ୍ଟନାୟକ, ରାମକୃଷ୍ଣ ପାତ୍ର, ଭଗବତୀ ଚରଣ ପାଣିଗ୍ରାହୀ ପ୍ରମୁଖ ଜ୍ୟୋତିଷ୍କଗଣଙ୍କ ସାହଚର୍ଯ୍ୟ ବରଂ ମତେ ଆହୁରି ଭୀତ କରିଦେଲା । ୭ ଉପରୋକ୍ତ ଦୃଷ୍ଟିଭଙ୍ଗୀ ‘ସାତ ତାରାର ଦୀପର କବିତା ଏକ ତୃଷିତ କବିତାର ସଂଚୟ’ର ବିଶ୍ଲେଷଣ କଲାବେଳେ ଯଥାସାଧ୍ୟ ବାରି ହୋଇ ପଡ଼େ । ଯଥା :

 

୭. ମୁଁ କାହିଁକି ଲେଖେ, ସଂକଳନ ଓ ସଂପାଦନା ଡକ୍ଟର ବିଜୟାନନ୍ଦ ସିଂହ, ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ-୨୦୧୫

 

ପୁଣି କେବେ ଥରେ

ଅନ୍ୟ କେଉଁ ଜନ୍ମାନ୍ତରେ ଅନ୍ୟ କେଉଁ ଗ୍ରହ ଉପାନ୍ତରେ

ଆଷାଢ଼ର ମ୍ଳାନ ସଂଧ୍ୟା ତିମିରରେ ଏକା

ହେବ ନିକି ତୁମ ସାଥେ ଦେଖା ?

ସେ ଦିନ କି ସେ ମୃତ୍ତିକା ଛାଡ଼ି ତା’ରି ଗୈରିକ ବସନ

ସଜଳ ସ୍ନେହରେ ମେଘେ କରିଥିବ ଗାଢ଼ ଆଲିଂଗନ

ନୟନରେ ଅଂଜନର ଲେଖି ଅନୁରାଗ

ବକ୍ଷେ ବୋଳି ଦେଇଥିବ କଦମ୍ବ ପରାଗ ।

 

ମୋଟାମୋଟି ଦେଖିବାକୁ ଗଲେ କବି ପ୍ରକୃତି କନ୍ୟାର ଅପରୂପ ଯୌବନର ବନ୍ଦାପନାରେ ବ୍ୟସ୍ତ । ସିଏ ଏଠି କ୍ଷାନ୍ତ ହୋଇଛନ୍ତି ନିଜ କବିତାର ଅନ୍ତଃସ୍ଵରକୁ ସାର୍ବଜନୀକ ତଥା ମହତ୍‌ କରି ଗଢ଼ିତୋଳିବାକୁ । ତାଙ୍କ ଆବେଗର ଉଦ୍ଧାମତା ଏକ ସଂକୀର୍ଣ୍ଣ ସ୍ତର ଦେଇ ଗତି କରୁଛି-। ଯଦି କବିକୁ କେହି ଦିବ୍ୟଦ୍ରଷ୍ଟା ବୋଲି ଭାବିନିଏ, ଏ କ୍ଷେତ୍ରରେ ତା’ରି ମୋହଭଙ୍ଗ ହେବା ସ୍ୱାଭାବିକ । ଏଇ ଚେତନା ନୈସର୍ଗିକ ନୁହେଁ, ବରଂ ଦେହଜ ଓ ସାଧାରଣ । ଏତେ ସାଂସାରିକ ଚିନ୍ତନ ମେହନତି ମଣିଷଙ୍କ ଦୁଃଖ, ଦରଦ ଥାଉ ଥାଉ କବିଙ୍କୁ ଯେଉଁ ବ୍ୟଥା ଘାରିଛି ତା’ହେଲା କେଉଁ କାବ୍ୟ-ନାୟିକାର କଜ୍ୱଳ ପିନ୍ଧା ଆକ୍ଷିତାରା ।

 

‘କୋଚିନ୍‌ ବନ୍ଦର’ର ଶୈଳୀ ଆଂଶିକ ବର୍ଣ୍ଣନାତ୍ମକ । ‘ବ୍ରାଣ୍ଡି ଆଉ ନାରଙ୍ଗ ସମୁଦ୍ରରେ ନିରୁପମ ହୀରକ ସ୍ଫୁଲିଂଗ ସୂର୍ଯ୍ୟ ଅସ୍ତଯାଏ’ ସ୍ଵକଳିତ, ଅନ୍ୟ ଭାଷାରେ ଆତ୍ମନିଷ୍ଠ । ‘ରାଧିକା ସମାନ ଯୂଥଲଗ୍ନ କେତୋଟି ନାରୀ, ବେଣୀର ସଙ୍କେତରେ ଆଉ କୁଟୁମ୍ବିନୀ ସମ ପାଲ ଭିଡ଼ି ତନ୍ଦ୍ରା ନିଶ୍ଚିନ୍ତ ସେଇ ଭାବରେ ସୀମିତ ଦୃଷ୍ଟିଭଙ୍ଗୀର ଅବତାରଣା । ସାମ୍‌ନାରେ ଦେଖାଯାଉଥିବା ନାରୀ, ରାଧିକା ସମାନ ବୋଲି କହିବାର ତାତ୍ପର୍ଯ୍ୟ କ’ଣ ?

 

ଏଇ ସଂକଳନର ‘କୁମ୍ଭ କାମୋଦୀ’ କବିତାଟି ରୋମାଣ୍ଟିସିଜମର ଏକ ଉଚ୍ଚ୍ୱସିତ ଝଂକାର-। ଏଇଠି ଛନ୍ଦର ନିଖୁଣ ପ୍ରୟୋଗ । ଅଷ୍ଟମ ଦଶକରେ ପ୍ରଫେସର ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି ଉଚ୍ଚ ମାଧ୍ୟମମିକ ଶ୍ରେଣୀର ପାଠ୍ୟ ବହି ସଂପାଦନାରେ ନିଜର ଅଭିମତକୁ ଲିପିବଦ୍ଧ କଲେ: ‘‘ବିନୋଦ ଚନ୍ଦ୍ର ନାୟକ ଜଣେ ପ୍ରବୀଣ ଅଧ୍ୟାପକ ଓ ଛନ୍ଦର ନିପୁଣ । ସେ ଦିନର ସେଇ ସମରାଙ୍ଗନରେ ମହାରଥୀମାନଙ୍କର ଚରଣ ଧୂଳି ମୋର ଲଲାଟରେ ଏକ ଜ୍ୟୋତିର୍ବିନ୍ଦୁ !’’ ‘କୁମ୍ଭ କାମୋଦୀ’ କବିତାର ଆରମ୍ଭ ଏହିପରି :

 

୮.ମୁଁ କାହିଁକି ଲେଖେ, ତତ୍ରୈବ ସଂ.ବିଜୟାନନ୍ଦ ସିଂହ, ପ୍ର: ଓଡ଼ିଶା ବୁକ୍‌ ଷ୍ଟୋର

 

ତୁମେ କହିଥିଲ

ଆସିବ ସଭିଏଁ ଶୋଇଲେ

ମେଘ ବଳୟିତ

ଚନ୍ଦ୍ର ଆକାଶୁ ନଇଁଲେ ।

ତୁମେ କହିଥିଲ

ନୀଳ କରବୀର

ଛାୟା ତଳେ ହେଲେ

ରଜନୀ ଗଭୀର

ହଂସ ମିଥୁନ

କିନାରେ ନଦୀର

କୁମ୍ଭ କାମୋଦୀ ଗାଇଲେ ।

 

ଦେଖିବା କଥା କବି କେଉଁଭଳି କାବ୍ୟନାୟକ ଓ ନାୟିକାଙ୍କୁ ନେଇ ନିଛାଟିଆ ନଈ କୂଳକୁ ତିଆରିଛନ୍ତି ମିଳନର କୁଂଜ । ଏଠି ବାହ୍ୟ ପୃଥିବୀର ଛପିଛପିକିଆ ଅନ୍ଧାର ସାଙ୍ଗକୁ ରେବତୀ ତାରାର ଉଭେଇ ଯାଉଥିବା ନୀଳାଲୋକର ଫେଣ୍ଟାଫେଣ୍ଟି ମୁହୂର୍ତ୍ତ । ନଈକୂଳରେ ହଂସ ମିଥୁନର ଯୌବନ ସରି ଯେଉଁଠି ମିଳନର କ୍ଷୁଧା ସଂଚରି ଯାଇଛି ପ୍ରାଣୀଜଗତର ଅନ୍ୟ ଏକ ସଜୀବ ଦମ୍ପତ୍ତିକୁ । ସେଇଠି ନାହିଁ ଆଧୁନିକ ସମୟର କୌଣସି ଯାନ୍ତ୍ରିକ ଗାନ ବରଂ ଭଞ୍ଜଙ୍କ ‘ବୈଦେହୀଶ ବିଳୀସ’ର ସେଇ ଆଦିମ ରାଗ ‘କୁମ୍ଭ କାମୋଦୀ’ର ପୃଷ୍ଠଭୂମିରେ, ‘ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର, ବୃକ୍ଷ ପାଟଳିରୁ ଫୁଲ ଝାଡ଼ି ଉଡ଼ିଯାଉଛି କି କୀର’ର ତାଳ ଓ ଲୟକୁ । ତେବେ ‘ନୀଳ କରବୀର’ ବିରୋଧାଭାସ ଭଳି ଆପାତତଃ ମନେ ହୁଏ କାରଣ ଉଦ୍ୟାନଜାତ ଏ ଫୁଲର ରଙ୍ଗ ସାଧାରଣତଃ ନାଲି ଓ ଧଳା । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଦ୍ୱିତୀୟ ୨-୧ ଖଣ୍ଡର ୧୩୫୫ ପୃଷ୍ଠାରେ ଥିବା ବର୍ଣ୍ଣନାନୁଯାୟୀ ଶ୍ଵେତ, ରକ୍ତ, ପୀତ, କୃଷ୍ଣ ଓ ପାଟଳ ବର୍ଣ୍ଣର ପୁଷ୍ପଭେଦରେ କରବୀ ଚିହ୍ନିତ ।

 

ପ୍ରାକୃତିକ ଦୃଶ୍ୟପଟର ଏଇ ସୁଦକ୍ଷ ଚିତ୍ରକର କବିତାର ଶେଷସୁଦ୍ଧା ତା’ର ମୌଳିକ ରାଗିଣୀକୁ ବଜାୟ ରଖିଛନ୍ତି ଯଥା :

 

ହୀରା ଦୀପଜଳା ଦୂରେ କେଉଁ ନୀଳ ପାହାଡ଼େ

ନିଭେ ନିଦ ବାଉଳାରେ ଚନ୍ଦ୍ର ଯା ଉହାଡ଼େ

ତା’ର ଗହ୍ଵର ତଳେ ଶେଯ ପାରି

ପଡ଼ିଲ କି ଶୋଇ ହେ ରାଜକୁମାରୀ ।

ତନ୍ଦ୍ରାହତ ମୋ ଦରଦୀ କଣ୍ଠ

ନସରେ ଏ ବ୍ୟଥା ଗାଇଲେ

ତୁମେ କହିଥିଲ ଆସିବ ସଭିଏଁ ଶୋଇଲେ ।

(କୁମ୍ଭ କାମୋଦୀ)

 

ନିଜ କବିତା ସପକ୍ଷରେ କବି କିଛିଟା ବକ୍ତବ୍ୟ ପେଶ୍‌ କରିଛନ୍ତି ଯାହା ତାଙ୍କୁ ଜଣେ ସମାଲୋଚକର ଭୂମିକାକୁ ଟାଣିନେଉଛି । ତାଙ୍କ ଲିଖିତ ‘କବିତା ପରମେଶ୍ୱରୀ’ ପ୍ରବନ୍ଧାବଳୀରେ ସେ ଏକ ନୂତନ ସୂତ୍ରର ଉତ୍‌ଥାପନ କରିଛନ୍ତି । ଯଥା : କବି ଅସମ୍ଭବର ଆକାଂକ୍ଷା କାହଁକି କରନ୍ତି-? କାରଣ ଯାଦୁକର ଯେପରି ଅସମ୍ଭବକୁ ଆତ୍ମଗତ କରିବାର ପ୍ରବୃତ୍ତି ଥାଏ–କବିତା ମାଧ୍ୟମରେ କବି ତାହାହିଁ କରନ୍ତି । ଏହାହିଁ କବିତାର ପ୍ରଧାନ ବୃତ୍ତି–ଯାହାର ଉତ୍ସ ଯାଦୁକ୍ରିୟା । ନିମ୍ନସ୍ଥ କବିତାଂଶକୁ ଅନୁଧ୍ୟାନ କଲେ ତାହା ଉପଲବ୍‌ଧ ହୁଏ ।

 

ଜାଳି ଦେଇ ଗଲ ଯେ ସାତ ତାରାର ଦୀପ,

ମଣିମିନାରର ଚୂଳେ

ସେ ଦୀପର ଛାୟା ଛୁଏଁ ଆସି ଏଇ

ନିର୍ଜନ ଦ୍ଵୀପ କୂଳେ

ସୁପାରୀ ବନର କଜ୍ଜ୍ୱଳ ନଦୀ ଧାରେ

ରୂପଶାଳୀ ଗ୍ରାମ ରୂପଶ୍ରୀ ତୁମେ ସେ ତାରା

ତୁମରି ରୂପରେ ବାହୁନି ବାହୁନି ମରେ’’

 

କବିଙ୍କ ଭାଷା ଏଇ ପଂକ୍ତିର ସଶକ୍ତିକରଣ କରିବାକୁ ଯାଇ ଯାହା ବିଶ୍ଳେଷଣ କରୁଛି, ତା’ହେଲା ‘କ୍ଷୁଧାର୍ତ୍ତ ଆତଙ୍କ ଗ୍ରସ୍ତ ଅସଭ୍ୟଗଣ ଯେପରି ଉଦ୍ଧାମ ନୃତ୍ୟ ଦ୍ଵାରା ଋଢ଼ ଓ ନିର୍ମମ ବାସ୍ତବତାକୁ ମାୟାଜାଲ ଦ୍ଵାରା ଆଚ୍ଛନ୍ନ କରି ମାନସିକ ଭାରସାମ୍ୟ ରକ୍ଷା କରୁଥିଲେ ଏଠାରେ ଏକ ନିର୍ଜନ ଦ୍ଵୀପରେ ନିର୍ବାସିତ ଭଗ୍ନପୋତରୁ ଉଦ୍‌ବୃତ୍ତ ନାବିକ ଏକ ସଙ୍ଗରେ ପ୍ରେମ, ମୃତ୍ୟୁ ଓ ଗାନର ପଦଧ୍ଵନି ଶୁଣିବାକୁ ପାଇ ସ୍ଥୈର୍ଯ୍ୟ ଓ ଅମରତ୍ୱ କାମନା କରୁଛି ।

 

୯. ‘କଵିତା ପରମେଶ୍ୱରୀ’ ଡ.ବିନୋଦ ଚନ୍ଦ୍ର ନାୟକ, ପ୍ର:ସମ୍ୱଲପୁର ବିଶ୍ଵବିଦ୍ୟାଳୟ ୨୦୦୧ ।

Image

 

ଇଳାବୃତ୍ତ ଓ କବି

 

କବିଙ୍କ ପଞ୍ଚମ କବିତା ସଂକଳନ ‘ଇଳାବୃତ୍ତ’ରେ ସନ୍ନିବେଶିତ ୪୨ଟି କବିତାର ରଚନା କାଳ ୧୯୫୧ରୁ ୧୯୬୦ ମଧ୍ୟରେ । ତେବେ ଏହାରି ପ୍ରକାଶନ ବର୍ଷ ୧୯୭୦ । ‘ଆକାଶର କବିତା’ଠୁ ‘ମିଥୁନ ଲଗ୍ନ’ ଏଭଳି କବିତା ଭିତରେ ରହିଛି କବିଙ୍କ କାବ୍ୟିକ ଜୀବନର ଉତ୍ତରଣ, ଭାବଗତ ଉତ୍କର୍ଷ ଓ ଭାଷା ତଥା ଶୈଳୀରେ ଆଖିଦୃଷା ଉନ୍ନତିର ପରିଚର୍ଯ୍ୟା । କବିତା ଲେଖିବାରେ କବି ଆସ୍ତେ ଆସ୍ତେ ସିଦ୍ଧ ହସ୍ତ ହେବାକୁ ବସିଛନ୍ତି, ଏହା ପାଠକ ପାଠିକା ନିଃସନ୍ଦେହରେ ବୁଝି ପାରିଛନ୍ତି । ଉପଲବ୍‌ଧିର ସମୁଦ୍ରରେ ଆଉ ଢେଉ ଖେଳୁନି ଯୌବନର ଉଦ୍ଧାମତା । ଧିମେଇ ଆସିଛି ଦୃଷ୍ଟି ଭାବ ଓ ସଂସାରକୁ ଆହୁରି ଖୁବ୍‌ ନିକଟରୁ କବି ନିରେଖିବା ଆରମ୍ଭ କରିଛନ୍ତି । ତେଣୁ ସଂଯତ ମାନସକତା ଅନୁଭୂତିର ତୀବ୍ରତା ସାଙ୍ଗକୁ ଏକ ବହୁଦର୍ଶିତା ପଣ ଭିତରେ କବି ସମତୁଲ ରକ୍ଷା କରିବାକୁ ପ୍ରୟାସବଦ୍ଧ ହୋଇ ଉଠିଛନ୍ତି । କିନ୍ତୁ ଏତିକି ଭିତରେ ପଳାୟନବାଦକୁ କବି ସ୍ଵାଗତ ଜଣେଇଛନ୍ତି କେଉଥିପାଇଁ ? ଯେମିତି କବିଙ୍କ ନିଜ ଭାଷାରେ ‘‘ଡକ୍ଟର ସଚ୍ଚି ରାଉତରାୟ ତାଚ୍ଛଲ୍ୟ କଲେ ପଳାୟନ ପନ୍ଥୀ’’ ଯେମିତି “ଆରେ ଆରେ ପଳାୟନ ପନ୍ଥୀ, ପଳାଇବୁ କାହିଁ, ଛିନ୍ନ କରି ଧରଣୀର ଗ୍ରନ୍ଥୀ’’ । ସଚ୍ଚି ବାବୁ କ’ଣ ‘ଇଳାବୃତ୍ତ’ ପାଠ କରି ଏହା କହିଛନ୍ତି ନା ତାଙ୍କ ବୈପ୍ଲବିକ ଆଦର୍ଶ ଶ୍ରମିକ କୃଷକର ଜୟଗାନ ନ କରି ଅନ୍ଧ ସୌନ୍ଦର୍ଯ୍ୟବାଦର ପଛେ ପଛେ ଧାଉଁଥିବା ସାମଗ୍ରିକ କବି କୂଳକୁ ଏ ଖେଦୋକ୍ତି ।

 

‘ଇଳା’ ଅର୍ଥାତ୍‌ ‘ଜଳ’ ଓ ଏହାରି ବୃତ୍ତ ଚାରିପଟେ ଘୁର୍ଣ୍ଣାୟମାନ କାବ୍ୟ-ନାୟକ ଆକାଶର ବାଟ ଦେଇ ତରୀଟିରେ ଯିବାକୁ ଚାହିଁଛି ପରପାରିକୁ । ଯେମିତି ‘ଆକାଶ’ ଓ ‘ଇଳାବୃତ୍ତ’ ସମାର୍ଥବୋଧକ । ଏ ଗସ୍ତକୁ ଅନୁମୋଦନ କରୁନାହାନ୍ତି ଭୂଦେବୀ କାରଣ ପୃଥିବୀର ଆଂକୁଡ଼ାରେ ଛନ୍ଦି ହେବା ମଣିଷର ସହଜାତ । ତେଣୁ ସିଏ ଚାହିଁଛନ୍ତି କରୁଣ ନୟନରେ ।

 

ମେଘର ମିନାର ଅର୍ଥାତ୍‌ ଚୂଡ଼ା ଦେଇ ତରୀ ଯିବାବେଳେ ଜଳପରୀର ଡାକକୁ ଭ୍ରୂକ୍ଷେପ ନ କରିବା ପାଇଁ କାବ୍ୟ-ନାୟକ ପରାମର୍ଶ ଦେଇଛି । ‘ସାଗର’ର ରୂପକରେ ଚିତ୍ରଣ ବେଶ୍‌ କାବ୍ୟିକ-

 

ଏଠି ଆକାଶହିଁ ସମୁଦ୍ରର ପ୍ରତିରୂପ, ଅନ୍ୟ ଅର୍ଥରେ ପ୍ରତୀକ । କବିଙ୍କ କଳ୍ପନା ସୁଦୂର ପ୍ରସାରୀ । ତୁଳନାତ୍ମକ ବିଚକ୍ଷଣତା, ଦୃଷ୍ଟିର ତୀକ୍ଷ୍‌ଣ ମନୋନିବେଶ, କାବ୍ୟିକ ଐଶ୍ଵର୍ଯ୍ୟ, ଦୃଶ୍ୟମାନ ଚମକୃତିରେ ବାନ୍ଧିରଖିଛି ପରିବେଶକୁ । ସୂର୍ଯ୍ୟଙ୍କୁ ‘ରଥ’ ଓ ଚନ୍ଦ୍ରକୁ ମଦ୍ୟପ ସହିତ ଯୋଡ଼ିବାରେ କବି ଏକ ନୂତନ ଭାବଦ୍ୟୁତି ତଥା ଶୈଳୀର ପରିଚୟ ଦେଇଛନ୍ତି । ଯଥା : ‘ଅସ୍ତ ତୀରର ଉହାଡ଼େ ଗଲାଣି ରବି ରଥ ମଦ୍ୟପ ସମ ଚନ୍ଦ୍ର ଆସଇ ଦିଗଧାରେ ବାହିନେ ବାହିନେ ଆକାଶ ନାବିକ ତରୀ ମୋର ଇଳାବୃତ୍ତର ପରପାରେ ।’ ପରପାରିର ଦୃଶ୍ୟମାନଙ୍କ ନିକଟକୁ ପାଠକଙ୍କୁ ଘେନିଯିବା ଯେମିତି କବିଙ୍କ ଏକ କଳା-କୌଶଳ । ଏଠି କଳ୍ପନାହିଁ ମୁଖ୍ୟ ସ୍ଵର । ତା’ରି ପ୍ରାଚୁର୍ଯ୍ୟ ହଁ କବିତାର ପ୍ରତିଟି ସ୍ତରରେ ଝଲ୍‌ମଲ୍‌ । କେବଳ ଅନୁମାନର ଆଶାବାଡ଼ି ଉପରେ ହାତକୁ ସଂପୂର୍ଣ୍ଣ ଭାରାଦେଇ କବି ଆଗେଇଛନ୍ତି ସେଇ ଧୂମାଭ ସ୍ଵପ୍ନିଳ ଇଲାକାର ବଶବର୍ତ୍ତୀ ହେବାକୁ ।

 

ତହିଁ ଥିବ ଉପକୂଳ ପାନ୍ଥଶାଳା

ନାବିକର ବିଶ୍ରାମ ଆଗାର

ନିର୍ଲ୍ଲଜୀ ନର୍ତ୍ତକୀ କେହି ପାନ ପାତ୍ର ଚୁମି ଦେବ

ଇଡ଼ି ମଦ୍ୟ ଧାର

ଅଶ୍ଳୀଳ ନୃତ୍ୟ ଓ ସ୍ଵଳ୍ପ ପରିଚ୍ଛଦ, କାମିନୀ ଇଂଗିତ

ଅର୍ଥ ଆଉ ତମିସ୍ରାର ଗୀତ

ହୁଏତ ବା ମିଳିବ ପ୍ରଚୁର

ହୁଏତ ପ୍ରଶସ୍ତି ନାହିଁ ତହିଁ ବଂଧୁ

ହୁଏତ ବା ନାହିଁ ପଣ୍ୟ ମୂଲ ।

(ଇଳାବୃତ୍ତ)

 

କବିଙ୍କ କବିତାର କ୍ଷେତ୍ରଭୂମି ବା ଭିତ୍ତିଭୂମି ହେଉ, ତାହା ମୋଟାମୋଟି ଜାଗତିକ ବ୍ୟସ୍ତତାର ସଂସାରକୁ ନେଇ ଖୁବ୍‌ କମ୍‌ । ଏଠି ଛୁଆଟିର କାନ୍ଦଣା, କୃଷକ ହଳ କରୁଥିବା ବେଳର ଝାଳନାଳ, କିରାଣୀଟିଏ କାର୍ଯ୍ୟାଳୟରେ ନଥିପତ୍ରର ଆଞ୍ଚୁଡ଼ାରେ ଖଣ୍ଡିଆ ହେଉଥିବା ଅଥବା କାରଖାନାର ଶ୍ରମିକଟି ହାତୁଡ଼ି, ଶାବଳ ହାତରେ ଲହୁଲୁହାଣ ଅବସ୍ଥା ଏ ସଭିଙ୍କୁ ନେଇ ସିଏ କ୍ଵଚିତ୍‌ ସୃଜନମନସ୍କ ହେଇଛନ୍ତି । ଅନ୍ୟତ୍ର ଆକାଶ, ସମୁଦ୍ର ତଥା ପୃଥିବୀର ମିଳନାନ୍ତକ ତ୍ରିକୋଣଭୂମି, ତା’ରି ପାରିପାର୍ଶ୍ୱିକ ବିଜନତା ଧରିତ୍ରୀର ଉଲ୍ଲସିତ ଶରୀର, ଜନଶୂନ୍ୟ ଦିଗ୍‌ବଳୟ ଏମାନେ ପୌନଃପୁନିକ ପଶିଆସିଛନ୍ତି ତାଙ୍କ କବିତା ରାଜ୍ୟକୁ । ତେଣୁ କବି ସଂଘର୍ଷଶୀଳ ଜୀବନକୁ ନ ଚାହିଁ ଚାହିଁଛନ୍ତି ଅପସୃୟମାନ ଜୀବନକୁ, ଯେଉଁଠି ସଂଗ୍ରାମକୁ ଉପେକ୍ଷା କରି ମଣିଷ ଅପେକ୍ଷା କରେ ମହୋଲ୍ଲାସର ସୁବିଧାବାଦକୁ । ପ୍ରକୃତିର ଚିତ୍ରପଟ ଏକ ଜୀବନ୍ତ ଭାବାବେଗ ନେଇ ତାଙ୍କ ବାଟ ଓଗାଳି ଦେଇଛି । ସେ ସ୍ଵତଃ ବନ୍ଦୀ ହୋଇଛନ୍ତି ତା’ରି ସବୁଜ ନାଗଫାଶରେ । ସେ ଦେଖିଛନ୍ତି ତା’ ଦେହରେ ଏକ ବାୟାବିନୀ ଗଢ଼ଣ, ଯିଏ ଜାଣେ କେମିତି ଅପରକୁ କିମିଆଁ କରି ହେବ । ତେଣୁ:

 

ମାୟାବିନୀ ଧରିତ୍ରୀର ତନୁଗନ୍ଧ ଭାସେ

ଉଷା କିରଣ ଲୋହିତେ ମଂଥର ବଣସେ ।

ଛାଡ଼ି ପରିଚ୍ଛନ୍ନ ଆଉ ସଚିତ୍ର ଆକାଶ

ଲଭିବାକୁ ଧରାର ପରଶ

ଡେଣା ମେଲି ଉଡ଼ିଆସେ ମୁହାଣ କିନାରେ

ଏକ ରାଜହଂସ ।

(ଏକ ରାଜହଂସ)

 

ଏମିତି ‘ଧରା ଦେହ ସ୍ନାଦ’ ଖୋଜୁଥିବା ରାଜହଂସ ପାଲଟି ଯାଇଛି ଛୋଟିଆ କାହାଣୀର ନାୟିକା । ଦିନର ଶକ୍ତି ଖସିପଡ଼ିଛି ଧରିତ୍ରୀର ହାତମୁଠାରୁ । ଠିକ୍‌ ସେଇ ସମୟରେ ତା’ରି ଖୋଜିବାର ପ୍ରବୃତ୍ତି ଥମିଯାଇ ନାହିଁ । ଅନ୍ୟ ପଂକ୍ତି ‘ସହସା ସ୍ଖଳନ କରେ ନୀଳ କାଞ୍ଚୁଳିକା, ବକ୍ଷ ତଟୁ ରଜନୀ ବାଳିକା’ର ଅର୍ଥ ସଂଧ୍ୟାର ନୀଳ ଆକାଶ କ୍ରମେ କଳାରୂପ ଧାରଣ କରିବାକୁ ବସିଛି । ତାକୁ କବି କାବ୍ୟିକ ଢଙ୍ଗରେ କଳ୍ପିତ ଚିତ୍ର ଦେଇ ପ୍ରତୀକ ଆଡ଼କୁ ଟାଣି ନେଇଛନ୍ତି ଯେମିତି ସ୍ତ୍ରୀ ଲୋକଟିଏ ତା’ରି ବାହୁ ଓ ଛାତି ଉପରେ କସିକରି ପିନ୍ଧିଥିବା ଜାକେଟ୍‌ଟି ହେଉଛି ଏଇ ସଂଧ୍ୟା ସମୟର ନୀଳ ଆକାଶ ଯାହା ‘କାଞ୍ଚୁଳିକା’ ନାମରେ ନାମିତ । କବି ନିଖୁଣ ଉପାୟରେ ଏହି ସଂଧ୍ୟାର ଦୃଶ୍ୟପଟକୁ ସୂକ୍ଷ୍ମାତିଭାବେ କବିତାର ଫ୍ରେମ୍‌କୁ ଖସେଇ ଆଣିଛନ୍ତି ଯଥା :

 

ସହସା ସ୍ଖଳନ କରେ ନୀଳ କାଂଚୁଳିକା

ବକ୍ଷ ତଟୁ ରଜନୀ ବାଳିକା

ତାରା ସୁନାଫୁଲ ଭରା ମୁକୁଳା କବରୀ

ସେ କେଉଁ ପ୍ରେମିକ ମନେ ତୋଳେ ଆଶାବରୀ

ସାଗର ସଂଗମେ ଲାଗେ ଅନୁଭା କଜ୍ୱଳ

ଦିଗଚକ୍ରେ ଅଚ୍ଛିଦ୍ର ବାଦଲ

(ରାଜହଂସ)

ତେବେ କବିତାର ଶେଷ ଅଂଶଟି ବାସ୍ତବରେ କରୁଣାକ୍ତ, ଅନ୍ୟଭାଷାରେ ଦୁଃଖଦାୟକ । କବି ତାଙ୍କ ପାଠକପାଠିକାଙ୍କୁ ଜାଣିଶୁଣି ନୈରାଶ୍ୟ ଆଡ଼କୁ ଠେଲି ଦେଇଛନ୍ତି । ରାତ୍ରିର ଆଗମନ ପରେ ହୁଏତ ରାଜହଂସ ସାମୁଦ୍ରିକ ମୁହାଣରେ ବାଟ ହରେଇ ବେପଥୁ ପାଲଟିଛି । ‘ଆକାଶ ପଚାରେ’, ‘ମୁଢ଼ ! ପାଇଲୁ କି ଧରାର ପରଶ ?’ କିନ୍ତୁ ପରକ୍ଷଣରେ ‘ବିଷାକ୍ତ ମୃତ୍ୟୁର ସ୍ପର୍ଶେ ବିଷର୍ଣ୍ଣ ମୁହାଣେ ଢଳି ପଡ଼େ ଏକ ରାଜହଂସ’ । କବିତାଟିର ଉପସଂହାରର ବାସ୍ତବରେ ବିୟୋଗାନ୍ତକ ଯାହା ପାଠକୀୟ ଚେତନାକୁ ଆକ୍ରାନ୍ତ କରିବା ସ୍ଵାଭାବିକ ।

‘ନୀଳ ନିର୍ଜନ’ କବିତାଟି ‘କୋଣାର୍କ’କୁ ନେଇ ଲିଖିତ । ଏଇ କବିତାର ବର୍ଣ୍ଣାଢ଼୍ୟ ବର୍ଣ୍ଣନାଶୈଳୀ ମଝି ମଝିରେ କବିତାର ସଂହତି ତଥା ଗାଠନିକ ସୌନ୍ଦର୍ଯ୍ୟକୁ ବ୍ୟାହତ କରୁଥିବାର ଅନୁମିତ ହୁଏ । ଯେମିତି ବହୁଗୁଡ଼ିଏ କାବ୍ୟାଦର୍ଶ, ଢାଞ୍ଚା ତଥା ଛାଞ୍ଚର ପ୍ରୟୋଗ କବିତାକୁ ଟାଣି ଟାଣି କୁଆଡ଼କୁ ନା କୁଆଡ଼କୁ ଘେନିଯାଉଛି । କବି ପ୍ରତିଭା ଶକ୍ତିଶାଳୀ ଅଥଚ କବିଙ୍କ ବକ୍ତବ୍ୟ ଦୁର୍ବଳ ମନେ ହେଉଛି । କବି ‘କୋଣାର୍କ’କୁ ‘ହେ ସ୍ମର ସନ୍ୟାସି ! ବୋଲି କହିଛନ୍ତି । କବିଙ୍କ ଦୃଷ୍ଟିଭଙ୍ଗୀ ବସ୍ତୁନିଷ୍ଠ (subjective) । ଯେମିତି :

ଗୌରବର ଭଗ୍ନହାଟ ପୁନଶ୍ଚ ବସିବ କେବେ ତୋଳି କଳରବ

ଉଦୟ ଶେଖର ଭେଦି ଶିଳ୍ପୀ ସଂଘ ଶୋଭାଯାତ୍ରା ତବ

ପଦମୂଳେ ଉଦ୍‌ଯାପିବେ ? ପୁନର୍ବାର ଶିଳ୍ପୀ ଶିଶୁ ମଣ୍ଡିବ ସଧୀରେ

ସ୍ଵର୍ଣ୍ଣ କଳସ ମୁକୁଟ ସ୍ଵେଦ କୃଷ୍ଣଶିରେ ?

 

କବି ବୋଧେ ଚାହିଁଛନ୍ତି କହିବାକୁ ‘କୋଣାର୍କ’କୁ ତିଆରିଥିବା ଶିଳ୍ପୀସଂଘ ଶୋଭାଯାତ୍ରାରେ ଆସି ତାକୁ ତା’ରି ପାଦଦେଶରେ ଉଦ୍‌ଯାପନ କରିବେ । ତା’ ମଧ୍ୟରେ ଧର୍ମପଦ ଥିବ, ଯାହାକୁ ଏଠି ‘ଶିଳ୍ପୀ ଶିଶୁ’ କୁହାଯାଉଛି । ଏଠି କୋଣାର୍କର ଚୂଡ଼ାକୁ କବି କାହିଁକି ‘ସ୍ଵେଦ କୃଷ୍ଣ ଶିର’ ବୋଲି କହୁଛନ୍ତି । ଏହା ଆପାତତଃ ମୋ ପାଇଁ ଅବୋଧ୍ୟ । ମୁଁ ସଚ୍ଚି ରାଉତରାୟଙ୍କ ‘କୋଣାର୍କ’ ସହିତ ଏକ ତୁଳନାତ୍ମକ ବିଶ୍ଳେଷଣ କରିବା ପାଇଁ ଚାହୁଁଛି । ‘ନୀଳ ନିର୍ଜନ’ର ରଚନା କାଳ ୧୯୫୧ରୁ ୬୦ ମଧ୍ୟରେ । ସଚ୍ଚିବାବୁଙ୍କ ଲିଖିତ ‘କୋଣାର୍କ’ ୧୯୩୮ ସାଲରେ ‘ସହକାର’ ରେ ପ୍ରକାଶ ପାଇଥିଲା ତେଣୁ ମୋ ଅନୁମାନରେ କବି ବିନୋଦ ତାଙ୍କ କବିତାଟି ଲେଖିବା ପୂର୍ବରୁ ସଚ୍ଚିବାବୁଙ୍କ କବିତାଟି ପଢ଼ି ସାରିଛନ୍ତି ।

 

ହୁଏତ ତା’ ପୂର୍ବରୁ ମଧୁସୂଦନ ରାଓଙ୍କ ‘ହିମାଚଳେ ଉଦୟ ଉତ୍ସବ’ ଓ ମାୟଧର ମାନସିଂହଙ୍କ ‘କୋଣାର୍କ’ ପଢ଼ି ତହିଁରୁ ଅନୁପ୍ରାଣିତ ହୋଇ ଥାଇ ପାରନ୍ତି । କିନ୍ତୁ ସଚ୍ଚି ବାବୁଙ୍କ ‘କୋଣାର୍କ’ର ପ୍ରଭାବ କବି ବିନୋଦଙ୍କ ପାଖରେ ପରିଲକ୍ଷିତ ହୁଏ ନାହିଁ । ସଚ୍ଚି ବାବୁଙ୍କ ‘କୋଣାର୍କ’ ଆରମ୍ଭରୁ ଶେଷ ଯାକେ ଦୃପ୍ତ, ଶାଣିତ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଏକ ମହାର୍ଘ ଦସ୍ତାବେଜ୍‌ । ସ୍ଵପ୍ନଭୁକ୍‌ କବିମାନଙ୍କୁ ଲକ୍ଷ୍ୟ କରି ଏହି କବି କହିଛନ୍ତି :

 

ତୁମେ ଚାଖିଅଛ ରସର ଝର୍ଣା

ଚାରୁ ମଂଦିର ତଳେ ।

ଗଂଡ଼ୁଷ ଭରି ପିଇଚ ପୀୟୁଷ

ନିଭାଇ ତୃଷ୍ଣାନଳେ ।

ମୁଁ ଫେରିଛି ହାୟ ଦୀନ ବେରସିକ

ତାହାରି ସିଂହଦ୍ଵାରୁ

ପୁଂଜିତ ବ୍ୟଥା ଅବସାଦ ଗୁରୁ

ବଳିଅଛି ହୃଦଭାରୁ

ମୂଲିଆର ଆଖି ନେଇ

ମୁଁ ଦେଖିଚି ସେଇ ମଂଦିର ରୂପ

ବ୍ୟଥାର ଆରତି ଦେଇ ।

(କୋଣାର୍କ)

 

ସମାଲୋଚକ ଟି.ଏସ. ଏଲିୟଟଙ୍କ ଭାଷାରେ ‘Genuine poetry can communicate before it is understood’ । ଶବ୍ଦାର୍ଥର ଯୋଗାଯୋଗ ପାଠକ ପାଇଁ ଭଲରୂପେ ନ ହେଇ ପାରିଲେ ବି ସ୍ଵର, ପ୍ରତୀକ ଓ ସଂଗୀତର ଅଗ୍ରୀମ ପ୍ରଭାବ ତା’ ମୁଣ୍ଡରେ ବସାବାନ୍ଧିବା ଏକ ଉତ୍ତମ କବିତାର ଲକ୍ଷଣ । କବିଙ୍କ ଏହି କବିତା ‘ନୀଳ ନିର୍ଜନ’ରେ ଏହାରି ଅଭାବ ଥିଲା ଭଳି ମନେ ହୁଏ । ସାମାଜିକ ପ୍ରତିବଦ୍ଧତା, ଉଦ୍‌ବୋଧନଶୀଳତା ତଥା ଶ୍ରେଣୀୟ ଭିତ୍ତିଭୂମିରେ ନିରୂପିତ ହେଉଥିବା ‘ପ୍ରେମ’ର କୋଠରୀ ସଭିଙ୍କୁ ସିଏ ଜାଣିଶୁଣି ତାଲା ପକେଇ ଦେଇଛନ୍ତି । ତେଣୁ ସମାଲୋଚକ ଡକ୍ଟର ନିତ୍ୟାନନ୍ଦ ଶତପଥୀ ଯଥାର୍ଥରେ କହିଛନ୍ତି ‘‘କଳସୀ କାଖରେ ଚଷାଝିଅର ପ୍ରତ୍ୟାବର୍ତ୍ତନ, ଗୋଠବାହୁଡ଼ା ଧେନୁପଲ, ଚକୁଆ ଚକୋଈର ବିଛେଦ, କପୋତ କପୋତୀଙ୍କ ବିଳାପ ଆଦି ଚିତ୍ର ପାଠକ ମନରେ କେବଳ ମଧ୍ୟଯୁଗୀୟ ଆସକ୍ତ ରୋମାଣ୍ଟିକ ଚେତନା ବ୍ୟତୀତ ଅନ୍ୟ କୌଣସି ଉଦ୍‌ବୋଧନଶୀଳତା ଆଣେ ନାହିଁ ।

 

ହାତପାହାନ୍ତାରେ ଅସଂଖ୍ୟ ସ୍ଵର ଓ ସ୍ଵାକ୍ଷର, ସାଧନା ଓ ସଂଗ୍ରାମର ଧାରା, ସମସ୍ୟା ଓ ହତାଶାର ଚିହ୍ନ ଥିଲାବେଳେ, ଏପରି ଏକ ସୁଦୂରର ସମୃଦ୍ଧି ତାଙ୍କ କାବ୍ୟମାନସର ସେଇ ନାରୀ ଓ ପ୍ରକୃତିପ୍ରିୟ ଭାବନାକୁ ହୁଏତ ଦୂରତାର ଏକ ଆଶ୍ଚର୍ଯ୍ୟ ଚମକ ଦେଇପାରେ, କିନ୍ତୁ ଲକ୍ଷ୍ୟ କରିବାକୁ ହେବ ଯେ ମୌଳିକ ଆଭିମୁଖ୍ୟର କିଛି ପରିବର୍ତ୍ତନ ଘଟିନାହିଁ ।’’ ୧୦

 

୧୦. ସବୁଜରୁ ସାଂପ୍ରତିକ ଲେ. ଡ. ନିତ୍ୟାନନ୍ଦ ଶତପଥୀ ।

 

‘ଅପଦେବତାର ବନ୍ଦନା’ କବିତାଟି ଗଢ଼ିଉଠିଛି ଏକ ଋଷିଆର କାହାଣୀକୁ ଉପଜୀବ୍ୟ କରି, ଯହିଁର ଲେଖକ ଲିଓ ଟଲ୍‌ଷ୍ଟୟ । ଏଇ କାହାଣୀର ଅନ୍ତଃସ୍ଵର ବେଶ୍‌ ମାର୍ମିକ ଓ ପ୍ରାଣବନ୍ତ । ଅନ୍ତତଃ ପାଠକ ଜଣେ ତାକୁ ଉପଲବ୍‌ଧି ନ କଲେ ଏ କବିତାର ସ୍ଵାଦ ପାଇ ପାରିବ ନାହିଁ । ଦମିତ୍ରୀ ଏଣ୍ତ୍ରିୟେଭିଟ୍‌ ଓଲେନିନ୍‌ ନାମଧେୟ ‘ଦି କୋସାକ୍‌ସ’ ଉପନ୍ୟାସର ନାୟକ ଋଷୀୟ ସେନାବାହିନୀରେ ଯୋଗଦେଇ ସୁଦୂର ଭଲ୍‌ଗା ନଈର ତଟଦେଶସ୍ଥିତ ଏକ ପାହାଡ଼ୀ ଗ୍ରାମ ପାଖରେ ବୃତ୍ତି ଭିତ୍ତିକ ଅବସ୍ଥାନ କରିଛି । ସେ ନିଜେ ଗଢ଼ିଥିବା ସମାଜକୁ ମୂଲ୍ୟହୀନ ଭାବି ଏଇ ଗ୍ରାମୀଣ ମୁଲକର ଶାନ୍ତ, ସରଳ ମଣିଷମାନଙ୍କୁ ନିଜର ଭାବି ଆପଣେଇବାକୁ ଚାହିଁଛି । ଜଣେ ସୁନ୍ଦରୀ କୋସାକ୍‌ ଝିଅ ମେରିଆଙ୍କ ସହିତ ସିଏ ବସବାସ ଆରମ୍ଭ କରିଛି । ‘‘ଅନ୍ୟ ପାଇଁ ବଞ୍ଚିବାରେ ଆନନ୍ଦ ଅଛି’’ । ଏଇ ସାରତତ୍ତ୍ୱକୁ ପାଥେୟ କରି ସେ ଜୀବନକୁ ଜୀଇଁବାପାଇଁ ଚାହିଁଛି । କିନ୍ତୁ ହେଲା କ’ଣ ? ଉଭୟଙ୍କ ଭିତରେ ଥିବା ସାଂସ୍କୃତିକ ବିଚ୍ଛିନ୍ନତା ତଥା ପ୍ରଭେଦ ପାଇଁ ତା’ର ମୋହଭଙ୍ଗ ହୋଇଛି ଓ ସେ ଶେଷକୁ ନିରୂପାୟ ହୋଇ ଗାଆଁ ଛାଡ଼ି ଚାଲିଆସିଛି । ଖାଲି ଏତିକି ନୁହେଁ, ମେରିଅଙ୍କାର ଭର୍ତ୍ସନାର ଶୀକାର ହେବାକୁ ପଡ଼ିଛି ତା’କୁ କାରଣ ସେଇ ଝିଅଟି କେବଳ ଜଣେ କୋସାକ୍‌କୁ ଜୀବନସାଥି କରିବା ପାଇଁ ଚାହିଁଛି । ଏହାକୁ କବି ‘ଅପଦେବତାର ବନ୍ଦନା’ କହିଛନ୍ତି କାରଣ ତା’ରି ମୋହାନ୍ଧ ଭାବ ଯେମିତି ‘ଶାନ୍ତ ଶରୀର ମେଲାଇ ସେ କେଉଁ ବନସ୍ପତିର ଛାୟେ, ଲୋଭନୀୟ ହାତେ ପାତ୍ରେ ମୋ ଦେବ ବାଢ଼ି, ସୁରା ଓ ମାଂସ ତୃଣ ଭୂଖଣ୍ଡ ପରେ’’ ଭଳି ସ୍ଵପ୍ନ ଟୁକୁରା ହେଇ ବିଛେଇ ପଡ଼ିଛି ତା’ ଚାରିପଟେ ।

 

‘ଚନ୍ଦ୍ରଲୋକରେ ସଂଧ୍ୟା’ କବିତାଟିର ବାସ୍ତବ ଅର୍ଥରେ ଚନ୍ଦ୍ର ପ୍ରଦକ୍ଷିଣ କରୁଥିବା କକ୍ଷରେ ସଂଧ୍ୟାର ଆଗମନକୁ ସୂଚାଏ । ସେଇ ସ୍ତରକୁ ‘ସାଗର ମେଖଳାବତୀ’ ଅର୍ଥାତ୍‌ ଯାହାରି ଅଣ୍ଟାସୂତା ସ୍ୱରୂପରେ ସାଗର ଘେରିରହିଛି’, ଏହାକୁ ଅର୍ଥାନ୍ମୟରେ ଚିହ୍ନିତ କରିବା କଷ୍ଟପ୍ରଦ । ପୁନଶ୍ଚ ‘ଏ ପ୍ରାନ୍ତର ଆଗ୍ନେୟଗିରିର ଚିତା ଚିତ୍ରାଂକିତ’ ଅନ୍ୟ ଏକ ଭୂଚିତ୍ରର ଦୃଶ୍ୟପଟ । ପୁନଶ୍ଚ ‘ଗୋଧୂଳି ଅରୁଣ’ ‘ଏ ପ୍ରାନ୍ତର ଶ୍ମଶାନରେ ନିର୍ଜନତା ସ୍ରଜି’ ଭଳି ଦୃଶ୍ୟପଟର ସଂଯୋଜନା ବିଭ୍ରମ ଉପୁଜାଇବା ଭଳି ଅବସ୍ଥା ।

 

ଅନ୍ୟ ଏକ କବିତାଂଶରେ ଯାହା ବର୍ଣ୍ଣିତ ତା’ହେଲା ଆଦାମ୍‌ ଓ ଇଭ୍‌‌ ମର୍ତ୍ତ୍ୟରେ ‘ଅମରାବତୀ’ ସୃଷ୍ଟିକରି ସେଇଠି ରହିବା ପାଇଁ ଈଶ୍ଵରଙ୍କ ଆଦେଶ ଥିଲା ଯାହା ‘ହିବ୍ରୁ ବାଇବେଲ୍‌’ର ଅଂଶ ବିଶେଷ । କିନ୍ତୁ ଈଶ୍ଵର ଆଦାମ୍‌କୁ ଧୂଳିରୁ ଉଠେଇ ଇଡ଼େନ୍‌ ବଗିଚାରେ ଅବସ୍ଥାପିତ କରିଥିଲେ ଏଇ ଅର୍ଥରେ ଯେ ସେ ସେଇଠି ବୃକ୍ଷଲତା, ପ୍ରାଣୀ ଜଗତ ଉପରେ ରାଜତ୍ଵ କରିବ । ସେଠାରେ ଈଶ୍ଵର ଭଲମନ୍ଦର ଜ୍ଞାନ ବୃକ୍ଷଟିଏ ରୋପଣ କରିଥିଲେ ଯହିଁର ଫଳକୁ ଆଦାମ୍‌ ଓ ଇଭ୍‌‌କୁ ଖାଇବା ପାଇଁ ମନା କରା ହେଇଥିଲା । କିନ୍ତୁ ସାପଟି ଇଭ୍‌କୁ ପ୍ରରୋଚିତ କଲା ସେଇ ଫଳଟିକୁ ଭକ୍ଷଣ କରିବାକୁ । କାରଣ ତା’କୁ ଖାଇଲେ କୁଆଡ଼େ ସିଏ ବି ଜ୍ଞାନ ଗାରିମାରେ ଈଶ୍ଵରଙ୍କ ସମକକ୍ଷ ହୋଇପାରିବ ଓ ଭଲକୁ ମନ୍ଦରୁ ଚିହ୍ନି ପୃଥକ୍‌ କରିପାରିବ । ତେଣୁ ଇଭ୍‌ ନିଜେ ଫଳଟିକୁ ଖାଇବା ସାଙ୍ଗକୁ ଆଦାମ୍‌କୁ ମଧ୍ୟ ଖାଇବା ପାଇଁ ଦେଲା । ସେତେବେଳେ ଉଭୟେ ଉଲଗ୍ନ ଥିବାରୁ ପତ୍ରର ପୋଷାକ ପିନ୍ଧିବାକୁ ବାଧ୍ୟ ହେଲେ । ଏହାଦ୍ଵାରା ଈଶ୍ୱର ରୋଷାନ୍ୱିତ ହୋଇ ସାପ ସହିତ ଏଇ ଦି ଜଣଙ୍କୁ ମଧ୍ୟ ଅଭିଶାପ ଦେଲେ ଏଇ ଅର୍ଥରେ ଯେ ଖାଲି ‘ଇଡ଼େନ୍‌’ରୁ ବହିଷ୍କାର ହେବେ, ତା’ ନୁହେଁ, ମଣିଷର ଜୀବନରେ ଥିବା ସମସ୍ତ ସଂଘର୍ଷର ସମ୍ମୁଖୀନ ହେବେ, ମହିଳାମାନେ ଛୁଆ ଜନ୍ମ କରିବେ ଓ ତାଙ୍କ ସ୍ଵାମୀଙ୍କ ଆଧିପତ୍ୟକୁ ସ୍ଵୀକାର କରିବେ । ଏଇ ‘ସାପ’ଟା କୁଆଡ଼େ ଶୟତାନ୍‌ର ପ୍ରତିରୂପ କିନ୍ତୁ ବାଇବେଲ୍‌ ଏହା ସ୍ଵୀକାର କରେ ନାହିଁ । କବି ବିନୋଦଙ୍କ କବିତାରେ :

 

ଏଇ ତ ପୃଥିବୀ

ଏକଦା ଆଦମ୍‌ ଇଭ୍‌

ସ୍ଵର୍ଗ ଏଥେ ସୃଜି

ସର୍ପ ହାତେ ଦେଇଗଲେ ଚାବି

ଭଣ୍ଡାରର, ଶୟତାନ୍‌ ନିଜେ

ସେଇ ସର୍ପ, ବିଶ୍ଵାମିତ୍ର ସମ

ଶୃଙ୍ଖଳାର ମଧ୍ୟ-ସ୍ଵର୍ଗ ସୃଜେ !

 

କିନ୍ତୁ ବାସ୍ତବରେ କବିଙ୍କ ଭାବନା ବାଇବେଲ୍‌ର କାହାଣୀ ସହିତ ଆଦୌ ମେଳ ଖାଉନି-। ପୁନଶ୍ଚ ବିଶ୍ୱାମିତ୍ରଙ୍କ ‘ମଧ୍ୟ ସ୍ଵର୍ଗ’ (ତ୍ରିଶଙ୍କୁ) ସହିତ ଏଇ ‘ମିଥ୍‌’ର ସଂପର୍କ କ’ଣ ? କଣ୍ଟାଳିଆ, ଧୂଳିଭରା ପୃଥିବୀରେ ଜୀବନର ଯନ୍ତ୍ରଣାରେ ଏଇ ପ୍ରଥମ ନାରୀ ପୁରୁଷ ଜର୍ଜରିତ ହେବା ଯଦି ବାଇବେଲ୍‌ର କାହାଣୀ, ତା’ ହେଲେ ଏଠାରେ ସେମାନେ କେଉଁଭଳି ସ୍ଵର୍ଗ ତିଆରିଲେ, ତାହା ସମାଲୋଚନାର ବିଷୟ । ସାହିତ୍ୟ ଅପରନ୍ତୁ କବିତାରେ ‘ମିଥ୍‌’ର ପ୍ରୟୋଗ କାହାପାଇଁ ଅବତାରଣା କେଉଁଭଳି ତାହା ଆଲୋଚନା ତଥା ବିମର୍ଶ ଦାବି ରଖୁଛି । ‘ବାଲ୍ମୀକି ରାମାୟଣ’ର ‘ବାଳକାଣ୍ଡ’ର ବର୍ଣ୍ଣନା ମୁତାବକ ଏଇ ମଧ୍ୟ ସ୍ଵର୍ଗ ତ୍ରିଶଙ୍କୁଙ୍କ ପାଇଁ । ରାଜା ତ୍ରିଶଙ୍କୁ ଗୁରୁ ବଶିଷ୍ଠଙ୍କୁ ଅନୁରୋଧ କଲେ ତାଙ୍କୁ ସ୍ଵର୍ଗକୁ ପ୍ରେରଣ ପାଇଁ । ସିଏ ମନାକରନ୍ତେ ରାଜା ପୁନରାୟ ତାଙ୍କ ଶହେ ପୁତ୍ରଙ୍କ ନିକଟରେ ଏଇ ଅନୁରୋଧର ପୁନରାବୃତ୍ତି କଲେ । ସେମାନେ ଏହାକୁ ଖାଲି ପ୍ରତ୍ୟାଖ୍ୟାନ କଲେ ନାହିଁ ଅପରନ୍ତୁ ତ୍ରିଶଙ୍କୁ ଠେଲି ହେଇଗଲେ ଏକ ଅଭିଶାପର ଗହ୍ୱରକୁ । ଫଳତଃ ପାଉଁଶ ବୋଳା ହେଇ ଲୁହା ମାଳ ମାଳ ପିନ୍ଧା ଏକ ମଣିଷଟିକୁ ତାଙ୍କ ନିଜ ପ୍ରଜାମାନେ ମଧ୍ୟ ଚିହ୍ନିବାରେ ପ୍ରତିବନ୍ଧକ ସୃଷ୍ଟି ହେଲା । ଅଗତ୍ୟା ତ୍ରିଶଙ୍କୁ ବାଧ୍ୟ ହେଲେ ଋଷି ବିଶ୍ୱାମିତ୍ରଙ୍କ ଶରଣାପନ୍ନ ହେବାକୁ । ଯଜ୍ଞ ମାଧ୍ୟମରେ ଏହି ଋଷି ଚାହିଁଲେ ଦେବତାମାନଙ୍କ ସନ୍ତୁଷ୍ଟି ବିଧାନ ପାଇଁ । କିନ୍ତୁ ତାହା ସୁଫଳ ହେଲା ନାହିଁ । ବିଶ୍ଵାମିତ୍ର ନିଜ ଯୋଗଶକ୍ତିକୁ ଆଧାର କରି ତ୍ରିଶଙ୍କୁଙ୍କୁ ପ୍ରେରଣ କଲେ ସ୍ୱର୍ଗକୁ । ତେବେ ଇନ୍ଦ୍ର ଓ ଅନ୍ୟ ଦେବତା ତାଙ୍କୁ ସେଠାରୁ ତଡ଼ି ଦିଅନ୍ତେ ବିଶ୍ଵାମିତ୍ର ରାଗିଯାଇ ଏଇ ରାଜାଙ୍କ ପାଇଁ ସ୍ଵର୍ଗ ଓ ମର୍ତ୍ତ୍ୟ ମଝିରେ ତିଆରି କଲେ ଏକ ମଧ୍ୟ-ସ୍ଵର୍ଗ । ବୃହସ୍ପତି ଏଥିରେ ବାଧା ଦାନ କରିବାରୁ ଏହା ସ୍ୱର୍ଗକୁ ପହଞ୍ଚି ନ ପାରି ସ୍ଵର୍ଗ ଓ ମର୍ତ୍ତ୍ୟର ମଝିରେ ରହିବାକୁ ବାଧ୍ୟ ହେଲା । ଉଭୟ ଖ୍ରୀଷ୍ଟୀୟ ଓ ବୈଦିକ ରୀତିକୁ ଆଧାର କରି କବି ବିନୋଦ ତାଙ୍କ କବିତାକୁ ଗଠନ କରିଛନ୍ତି ଯାହାରି ସଂଶ୍ଲେଷଣ ତଥା ବିଶ୍ଳେଷଣ ଆଲୋଚନା ସାପେକ୍ଷ । କେବଳ ଭାବବିଳାସ ସମସ୍ତ ପ୍ରକାର ତାର୍କିକ ଅଙ୍କନକୁ ବାତିଲ କରିବା କେତେଦୂର ଶ୍ରେୟସ୍କର ତାହାହିଁ କାବ୍ୟିକ ଅବତାରଣାର ଅନ୍ୟ ଏକ ଦିଗଂତ ।

Image

 

Unknown

‘ନନ୍ଦାଦେବୀ’ର କବି

 

ଏହା କବି ବିନୋଦ ଚନ୍ଦ୍ରଙ୍କର ଷଷ୍ଠ କବିତା ସଂକଳନ । ୧୯୬୨ ମସିହାରେ ତେଇଶଟି କବିତାକୁ ନେଇ ଏଇ କବିତା ଗ୍ରନ୍ଥଟି ପ୍ରକାଶିତ । ‘ନିଶିର ଡାକ’, ‘ଉତ୍ତର ଆକାଶର ତାରା’, ‘ରୂପାଥାଳି ସୁନା ଗିନା’, ‘ଶିମୁଳୀ’, ‘ନୂତନ ମେଘର ଆଳତି’, ‘ସାଗର-ସଂଗମ’, ‘ସୁବର୍ଣ୍ଣ କଳସ’ ଓ ‘ଗ୍ରାମପଥ’ ଭଳି କବିତା ଗୁଡ଼ିକ ଏହି ସଂକଳନର ଅନ୍ତର୍ଭୁକ୍ତ । ଏ ସମୟରେ କବି କବିତାଦ୍ୱାରା ଯଥେଷ୍ଟ ଉତ୍‌ପ୍ରେରିତ । ବହୁ ବର୍ଷର ଅନୁଭୂତି ଯେମିତି ଚେର ଭଳି ଗଭୀରତା ଖୋଜି ଖୋଜି ପହଞ୍ଚିଯାଇଛି ଉଲ୍ଲସିତ ସୃଜନର ନିକଟ ଦେଶକୁ । କବି ହାତ ବଢ଼େଇଛନ୍ତି ଛୁଇଁବାକୁ କଳ୍ପନାର ମୀନାର୍‌ର ଶୀର୍ଷ ସ୍ଥାନକୁ । ପୁଞ୍ଜିଭୂତ କରିଛନ୍ତି ଭାବଗମ୍ଭୀର ଐଶ୍ଵର୍ଯ୍ୟକୁ । କବି ମାନସ ଆନ୍ଦୋଳିତ ହୋଇଛି ଉର୍ଦ୍ଧ୍ୱାୟିତ ହୋଇ ଉଡ଼ିଯିବାକୁ ଦୂର ନନ୍ଦାଦେବୀ ପର୍ବତର ଚୂଡ଼ାଦେଶକୁ । ଯେମିତି ସେଇଠୁ ହିଁ ହାସଲ କରିହେବ କାବ୍ୟିକ ପ୍ରେରଣାକୁ । ଦୂର ହିମାଳୟ ପାର୍ଶ୍ୱଦେଶକୁ କଳ୍ପନାରେ ଆଗେଇବା ଠିକ୍‌ । ତେବେ ସଂଶିତ କବିତା ସମୂହରେ ତା’ରି ଛାୟାଛବି କେଉଁ ରୂପରେ ଝଲ୍‌ମଲ୍‌ ତାକୁ ହିଁ ନିରୂପଣ କରାଯିବା ଆବଶ୍ୟକ ।

 

‘ନିଶିର ଡାକ’ କବିତାରେ ଯେଉଁ ପଟ୍ଟଭୂମିକୁ ନିଆଯାଇଛି, ଆଧୁନିକ ସମୟରେ ଏ ଭଳି ମଧ୍ୟଯୁଗୀୟ ଅବସ୍ଥାନ ଯେମିତି ପୃଥିବୀ ମାଟିରୁ ଉଭେଇଗଲାଣି । ପବ୍‌, ରକ୍‌ ଆଉ ପେଜ୍‌ ତିନିରେ ଧ୍ଵନିତ ରଂଗୀନ୍‌ ଜୀବନ ଯାହା ତାରକା ଚିହ୍ନିତ ରେସ୍ତୋରାଁର ସଂସ୍କୃତିକୁ ଅକ୍ଟୋପସ୍‌ ଭଳି ଯାବୁଡ଼ି ଧରିଛି, ସେଠି କବିଙ୍କ ଭାବବିହ୍ଵଳ ବର୍ଣ୍ଣନା କେତେଦୂର ଯୁକ୍ତିଯୁକ୍ତ ତାହା ପାଠକ ମହଲ ବିଚାର କରନ୍ତୁ । ଯଥା :

 

ନୂତନ ରାତ୍ରି ନୂତନ ରାତ୍ରି ଡାକେ

ପାନ୍ଥରେ ରୁହ

ଡାକେ ଏଇ ପାନ୍ଥଶାଳା

ମୁକୁଳା କପାଟେ ବାହୁଲତା ତା’ର ଭିଡ଼ି

ଡାକେ ଏଇ ଡାକେ

ସେ ପରିଚାରିକା ବାଳା

 

ଆଜିକାର ପୃଥିବୀରେ ପାନ୍ଥଶାଳାର ଡାକିବାର କାଇଦା ସଂପୂର୍ଣ୍ଣ ଅଲଗା । ସେଇ ଦୃଷ୍ଟିରୁ କବିଙ୍କ ଭୂୟୋଦୃଷ୍ଟି ଏଠି ପ୍ରକାରାନ୍ତରେ ବ୍ୟାହତ ହୋଇ ପଡ଼ିଛି । କବି କଳ୍ପନାର ହାତବାରିସୀ । ପୁଣି ମୋହମୁଗ୍‌ଧ ଦୃଷ୍ଟିର ଅନ୍ତରାଳେ ପୃଥିବୀକୁ ଆପ୍ୟାୟନର ଦୃଷ୍ଟିଭଙ୍ଗୀରେ ଦେଖିଛନ୍ତି । ଯଥା : ରନ୍ଧନଶାଳା ଉଷୁମ ପରଶ ଡାକେ, ପରଷୁଣୀ ପୁଣି ନିପୁଣ ରସିକା ଅତି, ବାତାୟନ ଦେଇ ବ୍ୟଂଜନ ବାସ ଆସେ, ନୀଳାଭୁ ଆଲୋକେ ମରଇ ମହଣବତୀ’ । କବି ଯେଉଁ ସମାଜ ବ୍ୟବସ୍ଥାର ଚିତ୍ର ଆଙ୍କିଛନ୍ତି, ଯେମିତି ସବୁକିଛି ସାଲିସ୍‌ ଜୀବନର ସୋହାଗ । ଦ୍ୱନ୍ଦ, ସଂଘର୍ଷ, ସଂଘାତ କୌଣସିଠି ମୁଣ୍ଡ ଟେକୁନାହିଁ ଅପରନ୍ତୁ ପ୍ରୀତି ଓ ମୈତ୍ରୀର ଡେଣା ଦୁଇଟି କେବଳ ହଲଚଲ୍‌ ହୋଇ ଚକ୍କର୍‌ କାଟୁଛି । ‘‘ଶୋଭନା ହାତର କାଚ ରୁଣୁଝୁଣୁ ଡାକେ, ସୁରାର ପାତ୍ର ଡାକେ ଆସ ଏଠି, ହାୟ’’ ସୂଚନା ଦିଏ ଲାଳିତ୍ୟ ଭରା ପୃଥିବୀର ଚେହେରାକୁ । ଓମର ଖୈୟାମୀ ଢାଞ୍ଚାରେ କେବଳ ସୁରା ଓ ସାକୀ ଯେମିତି ସତ୍ୟ, ବାକି ସବୁ ଅର୍ଧସତ୍ୟ ବା ମିଥ୍ୟା । ଯଥା : ‘ଭୁଲରେ ପାନ୍ଥ ! ଧରାର ରୂପସୀ କେବେ ସତୀ ହୋଇଛି କି କୁଣ୍ଠିତ ଦେହ ବହି, ଉଚ୍ଛିଷ୍ଟ ସୁରା ପ୍ରତି ପାତ୍ରେ ସେ ଢାଳେ, କଳଙ୍କବତୀ, ସେ ଏକ ଛଳନାମୟୀ’ । ଏଠି ନାରୀ ଯେମିତି ଏକ ପଣ୍ୟ, ବଜାରର ଉପଭୋଗ୍ୟ ସାମଗ୍ରୀ । କହିବା ବାହୁଲ୍ୟ, କବି ନାରୀର ମହନୀୟା ଚେହେରା, ମାତୃତ୍ଵର ଉତ୍ତୁଙ୍ଗ ଲହରୀକୁ ଆଦୌ କଳନା କରି ପାରି ନାହାନ୍ତି । ତାଙ୍କ ଦୃଷ୍ଟିଭଙ୍ଗୀ ଏକ ଇତର ଧରାପୃଷ୍ଠରେ ଲାଖିଯାଇଛି, ଯାହା କେବଳ ଗୌଣତ୍ୱ ପାଇଁ ହିଁ ଶ୍ରେୟ ।

 

‘ରୂପା ଥାଳି ସୁନା ଗିନା’ରେ କବି ତୁଚ୍ଛା ଭାବନାରେ ମଜିଯିବାର ଅବସ୍ଥା ସୃଷ୍ଟି କରିଛନ୍ତି-। ସମାଜରେ ପ୍ରାଧାନ୍ୟ ବିସ୍ତାରକାରୀ ମଣିଷଙ୍କ ଘରଦ୍ଵାର, ଚଳଣି, ଆବଭାବ ପାଖରେ ନିଜ କଲମକୁ ସମର୍ପି ସେ ଯେମିତି ଦଳିତ, ପତିତଙ୍କ ସଂସ୍କୃତି ଓ ସଭ୍ୟତା ପ୍ରତି ଜାଣିଶୁଣି ଆଖି ବୁଜି ଦେଇଛନ୍ତି । ସୌଖିନ୍‌ ଜୀବନର ପର୍ଦ୍ଦାଠେଲି ସେ ଆଗକୁ ଯିବା ପାଇଁ ଚାହିଁ ନାହାନ୍ତି । ତେଣୁ :

 

‘ରୁପା ଥାଳିରେ ଆଣିଛି ତୋ ପାଇଁ ଭାତ

ସୁନାର ଗିନାରେ

ଭରିଛି ଶୀତଳ ପାଣି

ଖାଇ ଦେରେ ଶୁକ

ମୋ ରାଣ ରହିଲା ତୋତେ

ରାଜବାଳା ଭାଷେ ବୀଣା ନିନ୍ଦିତ ବାଣୀ’

 

ଏଇ ବର୍ଣ୍ଣନାର ତୁଙ୍ଗିମା ‘ସୁନା ପିଞ୍ଜରା ଉପରେ ଘୁମାଏ ଶୁକ, ହଂସପୁରର ସଉଧ ଛୁଅଇଁ ମେଘ, ଗଜଦନ୍ତର ପଲଙ୍କେ ରାଜବାଳା-ସୁନା ମୁହଁ ଶୁଖେ ମନେ ଶତ ଉଦ୍‌ବେଗ’ ଶାସକୀୟ ଶ୍ରେଣୀ ପ୍ରବୃତ୍ତିର ଅନ୍ୟ ରୂପ । ଏଠି ସମାଜର ଦୈନ୍ୟ, ଦୁଃଖଭରା ଶ୍ରମଜୀବୀର ଜୀବନକୁ ଯେମିତି ଏଇ ଶବ୍‌ଦମାନେ ଥଟ୍ଟା ଟାପରାହିଁ କରୁଛନ୍ତି ଯାହା ।
 

 

ତେବେ କବିତାଂଶର ଚତୁର୍ଥ ପର୍ଯ୍ୟାୟରେ ଭାବଧାରା ଉତ୍ତୀର୍ଣ୍ଣ ହୋଇଛି ଅନ୍ୟ ଏକ ସ୍ତରକୁ ଯେଉଁଠି ପାଠକୀୟ ଆଶ୍ଵସ୍ତି ମିଳିବାର ସଂଭାବନା ରହିଛି । ଯଥା: ‘‘ବ୍ୟଥିତ କଣ୍ଠେ ଶୁକ କହେ ଅବସାଦେ ‘ପିଞ୍ଜରା ଦ୍ଵାର ଖୋଲିଦେ ଖୋଲିଦେ ରାଣୀ, ଭୀରୁ ହରିଣୀର ଚକିତ ପଦର ଧ୍ଵନି, ବନଭୂମି ଆହା ମୁଖରିତ କରିଲାଣି, ବନ ଜୋଛନାର ଧୂସରିତ ଆଶା ତଳେ, ନୀଡ଼ର ଶୟନ ବିଧୁର କରଇ ମୋତେ, ବେଣୁ କୁଂଜରେ ଝଡ଼ ରାତେ ପଥ ଭୁଲି ଅନୂଢ଼ା ରଖି କେ ଡାକେ ମତେ ଅବିରତେ’’ । ପଞ୍ଚମ ପର୍ଯ୍ୟାୟରେ

 

‘ବାହୁ ଭାରେ ପୀଡ଼ି ଶୁକରେ କହେ

ରାଜାର କୁମାରୀ, ଓଠେ ତୋର ଓଠ ରଖି

ଶିଖାଇ ଦେବି ମୁଁ ରାଜ ନବରର ଭାଷା

କବିତା ରଚନା କଉଶଳ ଆରେ ପକ୍ଷୀ’

 

କିନ୍ତୁ ପକ୍ଷୀ ଚାହିଁଛି ଶୁଣିବାକୁ ‘ବନ ଓ ନଭର ସ୍ପନ୍ଦିତ ମହାଭାଷାକୁ’ । ତେଣୁ କାବ୍ୟାତ୍ମାର ନୀରାଜନାରେ କବି ଏକ ମଝାମଝି ରାସ୍ତାର ପଥିକ ଯେଉଁଠି କାବ୍ୟାଦର୍ଶ ସଂଭ୍ରାନ୍ତ କିମ୍ବା ଚାରଣ ପଦ୍ଧତି ଉଭୟର ବିରୁଦ୍ଧାଚରଣ କରୁଛି ।

 

‘ଶିମୁଳୀ’ କବିତାରେ ରୌଦ୍ରଦଗ୍‌ଧ ବୈଶାଖର ଚିତ୍ର । କବିତାର ଆରମ୍ଭ ଏହିପରି:

 

ଶୃଙ୍ଗ ଶୃଂଙ୍ଗ ରଚେ ଅଗ୍ନିସ୍ନାନ, ତଳେ ଆୟୁହୀନ ନଦୀ ପାଣ୍ଡୁର, ସିକତା ତୃଷାର୍ତ୍ତ ଜିହ୍ଵାର ସମ ଦୂର ଲମ୍ବମାନ, ବୈଶାଖର ନିର୍ଦ୍ଦୟ ମଧ୍ୟାହ୍ନ । ବୈଶାଖର ଋତୁଜନିତ ଚମକପ୍ରଦ ବର୍ଣ୍ଣନା । ‘ଗୈରିକ ପଥର ତୃଷ୍ଣା ଦ୍ୱିଗଣିତ କରି ଥିପି ପଡ଼େ ମହୁଲର ମଦ’ ପଂକ୍ତିରେ ‘ଥିପି’ ଅର୍ଥାତ୍‌ ତରଳ ବୁନ୍ଦା ଝରିବା ନେଇ ସମ୍ବଲପୁରୀ ଭାଷାର ପ୍ରୟୋଗ କରାଯାଇଛି । ବିଷ ସୂର୍ଯ୍ୟ ଶରେ ଶରେ କଣ୍ଟକିତ ମୁହଁ ସେହି ରକ୍ତାକ୍ତ ଶିମୁଳୀ’, ପଂକ୍ତିଟିର ନିଖୁଣତାକୁ ତେଜେଇ ରଖିଛି ।

ଏଇ ସଂକଳନ ସଂପର୍କରେ ଏକ ସମୀକ୍ଷା ‘ଝଂକାର’ ଏପ୍ରିଲ୍‌ ୧୯୬୩ରେ ପ୍ରକାଶିତ ହୋଇଥିଲା । ଯଥା ‘ନୀଳଚନ୍ଦ୍ରର ଉପତ୍ୟକା’ର ରୋମାଣ୍ଟିକ ଭାବଧାରା ‘ନନ୍ଦାଦେବୀ’ରେ ମଧ୍ୟ ଦେଖିବାକୁ ମିଳେ । ସେ ସ୍ଵପ୍ନଚାରୀ ହେଲେ ମଧ୍ୟ ତାଙ୍କର ସ୍ଵପ୍ନ ଆଶା ଆକାଙ୍‌କ୍ଷା ଓ କଳ୍ପନାର ଜୀବନ ସଂଗ୍ରାମରେ କ୍ଷତବିକ୍ଷତ ହୋଇ ରୂଢ଼ ବାସ୍ତବତା ଦ୍ଵାରା ଆହତ ହୋଇଛି ଏବଂ ଅନ୍ୟାନ୍ୟ ରୋମାଣ୍ଟିକ୍‌ କବିଙ୍କ ପରି ତାଙ୍କର ମଧ୍ୟ ସ୍ଵପ୍ନଭଙ୍ଗ ଜନିତ ବିଭ୍ରାନ୍ତି ଆସିଛି ।’

‘ବର୍ଷାର କବିତା’ ମନେ ପକାଇଦିଏ ଯେମିତି କବି ହାତରେ ଏକ କ୍ୟାମେରା । ଧରି ଗାଆଁଦାଣ୍ଡରେ ଓଦାରେ ଜୁଡୁବୁଡୁ ହେଇ ଆଗେଇ ଚାଲିଛନ୍ତି । ସମାଜ ତତ୍ତ୍ୱର ଜଣେ ବିନ୍ଧାଣୀ ଭଳି ତାଙ୍କ ଦୃଷ୍ଟିଭଙ୍ଗୀ । ଏଠି କବି ଆଦୌ ନଗରାଭିମୁଖୀ ହେଇନାହାନ୍ତି । କୌଣସି କୃତ୍ରିମ ଭାବବିଳାସର ବଶବର୍ତ୍ତୀ ହେଇ ସୌଖିନ୍‌ ଜୀବନ ତଥା ଶୁଖିଲା ସହରୀ ସଭ୍ୟତାର ଟନେଲ୍‌ ଦେଇ ସିଏ ଅତିକ୍ରମ କରୁନାହାନ୍ତି । କବି ତାଙ୍କ ଚାରିପଟର ପୃଥିବୀ, ତା’ କୋଳର ମଣିଷଙ୍କ ପାଇଁ ବାସ୍ତବ ଦର୍ଦ ଭରା ହେଇ ଗାଇଛନ୍ତି :

ଏ ଗ୍ରାମର ମାଳୀ ନାପିତ କର୍ମକାର

ପୁରୁଷ ନାରୀର ଧିଆନ ଧାନର ଖେତ

ଦ୍ୱିପହର କ୍ଷୁଧା ମେଣ୍ଟାଏ ଲିଆ, ଗୁଡ଼, ବାସି ପେଜ

ପ୍ରଣୟୀ ଯୁଗଳ

ତଳି ରୋପଣରେ ଭେଟ ।

ଆଜିର ପୃଥିବୀର ପିଜା, କଟ୍‌ଲେଟ୍‌, ସାଣ୍ଡ୍‌ଉଇଚ୍‌ କଥା ନ କହି କବି କହିଛନ୍ତି ‘ଲିଆ, ଗୁଡ଼, ବାସିପେଜ’ର କଥା । କୌଣସି ବର୍ଣ୍ଣାଢ଼୍ୟ, ସଂଭ୍ରାନ୍ତ ମଣିଷଙ୍କ ଶିବିରଠୁ ଦୂରରେ ରହି ସରଳ, ମଫସଲିଆ, ଅପେକ୍ଷାକୃତ ଅସ୍ଵଚ୍ଛଳ ମଣିଷଙ୍କ ପାଇଁ ସେ ଭେଟି ଦେଇଛନ୍ତି ନିଜ କଲମକୁ । ଖାଲି ସେତିକି ନୁହେଁ, ସାଧାରଣ ଗ୍ରାମୀଣ ଜୀବନର ଚାଲିଚଳନ, ରହଣି, ଖାଦ୍ୟପେୟ ସଂପର୍କରେ ସେ କିଭଳି ପୋଖତ, ତାହା ତାଙ୍କ ବର୍ଣ୍ଣିତ ପଂକ୍ତିରୁ ସହଜରେ ଅନୁମେୟ ଯଥା ‘ଘର ରାନ୍ଧୁଣୀ ପନିକୀ ପାଖରେ କାଟଇ ଇଲିଶି ମାଛ, ଅଦା ରସୁଣ ଓ ସୋରିଷ ବେସର ବଟା, ଅତିଥି‌ ହେବାକୁ ଲୋଭଲାଗେ ଯଦି ପଥୁକୀ ଅଟକି ଯାଅ, ପରଖ ପଧାନ ବୋହୁ ରନ୍ଧନ ଘଟା’ । କବିଙ୍କ ଦୃଷ୍ଟି ଏଠି ବେଶ୍‌ ମହତ ଓ ଉଦାର । ଯେମିତି ‘ବସୁଧୈବ କୁଟୁମ୍ବକମ୍‌ର’ ଛିଟା ବାଜିଛି କବିଙ୍କ ହୃଦୟରେ । ବିଶାଳ ହୃଦୟଧାରୀ ନହେଲେ କ’ଣ ବିଶାଳ କବିତା ଲେଖିହୁଏ ? ମିଲ୍‌ଟନ୍‌ ଦିନେ ଏଇ କଥା କହିଥିଲେ । ଏଠି କବିତାର ସବୁଠୁ ଶକ୍ତିଶାଳୀ, ଦର୍ଶନର ଓଜନ ବୋହିପାରୁଥିବା ଧାଡ଼ିଟି ହେଲା: ‘ବୃଷ୍ଟିମୁଖର ଲାଜକୁଳୀ ଗ୍ରାମପଥେ, ନରଦେବତା ଯେ ଆସି ହୋଇଅଛି ଉଭା, ପଦତଳେ ତା’ର କର୍ଷିତ କ୍ଷିତି ବର୍ଷୁକ ମେଘ ଶିରେ, ଆସ ଆସ ସଖି ତା’ ପଦେ ରଚିବା ଅଳସ ଗୀତିର ପୂଜା । ‘ମଣିଷ’କୁ କବି କଲମ ‘ଦେବତା’ର ସ୍ତରକୁ ନେଇଯାଇ ପାରିଛି । କବି ବିନୋଦ ଏଠି ଯଥାର୍ଥରେ ସମାଜମନସ୍କ । ଗତିଶୀଳ ସମାଜ ଓ ତା’ କୋଳର ମେହନତି ମଣିଷ ବର୍ଷାର ଫାଇଦା ଉଠାଇବା ପାଇଁ ଅଣ୍ଟାଭିଡ଼ି ବାହାରି ପଡ଼ିଛନ୍ତି ଚାଷକାମ ପାଇଁ । କାରଣ ଆହାର ବିନା ସଂସାରବାସୀ ଯେଉଁ ଅବସ୍ଥାକୁ ପହଞ୍ଚିବେ, ତାହା ସମସ୍ତଙ୍କୁ ଜଣା । କବି ନିଜକୁ ଧିକ୍‌କାର କଲାଭଳି ଉଚ୍ଚାରିଛନ୍ତି । ‘‘ସାରା ଗ୍ରାମ ଆଜି କର୍ମମୁଖର ଦେଖ, ପ୍ରାନ୍ତରେ ଚଳେ ଜୀବନୀ ରଚନା ଯେଣୁ, ଲାଜ ଭୟେ ଖାଲି ଭୀରୁ ପଳାତକ ନିରଜନେ ଏକା ମୁହିଁ, ବିଫଳେ ବଜାଏ ମୋହରି ଅଳସ ବେଣୁ । କିନ୍ତୁ ସମାଲୋଚକ କ’ଣ ସତରେ ସ୍ଵୀକାର କରିବେ ସିଏ ଅଳସ ବେଣୁର ବିଫଳ ବାଦକ ବୋଲି !’’

 

କବି ଏଥର ପ୍ରତ୍ୟକ୍ଷ ଭାବରେ ଓହ୍ଲାଇ ଆସିଛନ୍ତି ତାଙ୍କ କ୍ଷୁଦ୍ର ଗ୍ରାମଟିର ସବୁଜ ପରିସରକୁ ‘ଛୋଟ ମୋ ଗାଆଁ’ କବିତାରେ । ‘ଛୋଟ ପାହାଡ଼ର ତଳେ ଛୋଟ ମୋ ଗାଆଁ’ ନରମୀ ନଦୀଟି ତା’ର ସେ ଛୋଟ ମାଆ’ ଭଳି ସରଳ ସାବଲୀଳ ଧାଡ଼ିଟିରୁ ଆରମ୍ଭ ଏଇ କବିତାରେ ଉପମାର ନିଖୁଣ ପ୍ରୟୋଗ ପାଠକ ଜଣେ ସହଜରେ ଅନୁଭବ କରିପାରିବେ ଯଥା: ମଉନ ତାପସ ପରି ମେଲାଇ ଜଟ, ପ୍ରାନ୍ତରେ ଭରା ଦେଖ ବୃଦ୍ଧ ବଟ’ । ବର ଗଛଟିକୁ ବୃଦ୍ଧ ସନ୍ୟାସୀର ଜଟ ସହିତ ତୁଳନା ବାସ୍ତବରେ ଅଭିନବ । ଓଡ଼ିଆ କବିତାରେ ଏଭଳି ଚିତ୍ରଣ ଆଗରୁ ଦୃଷ୍ଟିଗୋଚର ହେଇ ନଥିଲା । ‘ନାରଙ୍ଗ ବରଣର ସ୍ନିଗ୍‌ଧ ଖରା’ କବିଙ୍କ ନିଜସ୍ୱ ପ୍ରସ୍ତୁତ ଏକ ଶକ୍ତିଶାଳୀ ଇମେଜ୍‌ । ମନେ ହୁଏ ଏହି ରଙ୍ଗ ପ୍ରତି ଯେମିତି କବିଙ୍କର ଅଭୂତ ଦୁର୍ବଳତା । ତଥାପି କବିଙ୍କୁ ତାରିଫ୍‌ କରିବାକୁ ହେବ ଏଥିପାଇଁ ଯେ ଯେମିତି ସବୁରି କେନ୍ଦ୍ରସ୍ଥଳରେ ସେଇ ମଣିଷଟି ମଧ୍ୟଯୁଗୀୟ କବି ଚଣ୍ଡୀଦାସ କହିଲା ଭଳି ‘ଶୁନ୍‌ରେ ମାନୁଷ୍‌ ଭାଇ, ସବାଇ ଓପର୍‌ ମାନୁଷ୍‌ ଶ୍ରେଷ୍ଠ, ତାହିର୍‌ ଓପର୍‌ ନେଇ’ । ଉଦାହରଣ ସ୍ଵରୂପ–

 

ଦେଖେଁ ପାଶେ ଉଭା ସେଇ ଗାଆଁ ବଧୂଟି

ବ୍ୟଥାର କଜଳେ ତା’ର ନମିତ ଆଖି ।

କି ଅନାମୀ ମମତାଟି ଦିଅଇ ଆଁକି ।

Image

 

‘ସରୀସୃପ’ ଓ କବି ବିନୋଦଚନ୍ଦ୍ର

 

‘ସରୀସୃପ’ କବିଙ୍କ ସପ୍ତମ କବିତା ସଂକଳନ । ଏହାରି ପ୍ରକାଶନ ସମୟ ୧୯୭୦ । ସେଇ ବର୍ଷ ଏହି କବିତା ପୁସ୍ତକଟି ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାର ଯୋଗ୍ୟତା ହାସଲ କରିପାରିଥିଲା । ଏ କବିତା ବହିର ପୁନଃମୁଦ୍ରଣ ହେଇଛି ୧୯୮୭ ମସିହାରେ । ଏ ସଂପର୍କରେ କବିଙ୍କ ନିଜସ୍ଵ ବକ୍ତବ୍ୟ ଯାହା ତହିଁର ‘ଭୂମିକା’ରେ ସ୍ଥାନ ପାଇଛି, ତାହା ପ୍ରଣିଧାନ ଯୋଗ୍ୟ ।

 

‘‘କବିତା ବିପଣୀକୁ ମୋର କୌଣସି କବିତା ପୁସ୍ତକ ମଣ୍ଡନ କରୁନାହିଁ ଦେଖି ପ୍ରଫେସର୍‌ ଯତୀନ୍ଦ୍ର ମୋହନ ମହାନ୍ତି ଏକଦା ସାହିତ୍ୟ ଏକାଡେମୀର କୌଣସି ସଭାରେ କ୍ଷୋଭ ପ୍ରକାଶ କରିଥିଲେ–ମୁଁ କେବଳ କବି ନାମରେ ହିଁ ସ୍ମରଣୀୟ । ପାଠକଙ୍କ ପାଇଁ ମୋର କୌଣସି କବିତା ପୁସ୍ତକ ସମ୍ମୁଖରେ ଅନ୍ତତଃ ନାହିଁ । ମୁଁ କିନ୍ତୁ କ୍ଷୁବ୍‌ଧ ହୋଇନଥିଲି ବରଂ ତାଙ୍କ ସମବେଦନା ମତେ ମୁଗ୍‌ଧ କରିଥିଲା ।

 

କବିଙ୍କ ଏହି ସଂକଳନରେ ‘ମେଘର ସଂଚାର, ସିଂହଦ୍ଵାରର ଉନ୍ମେଷ, ନାଚ, ଅନୁପମ ଶିଲଂ, ଜୟା ପ୍ରଭୃତି ଛଅଷଠିଟି କବିତା ସ୍ଥାନିତ ହୋଇଅଛି । ଏତେ ଗୁଡ଼ିଏ କବିତା ତାଙ୍କର ପୂର୍ବବର୍ତ୍ତୀ କବିତା ପୁସ୍ତକ ମାନଙ୍କରେ ଏକତ୍ରୀଭୂତ ହୋଇନଥିଲା । ତେବେ ଲେଖିବାର ପ୍ରବଣତା ତଥା ପ୍ରବୀଣତା ହାସଲ ହେଲାପରେ ତାଙ୍କ ଭାବ, ଶୈଳୀ ଓ ଭାଷାକୁ ଆୟତ୍ତ କରିବାର କ୍ଷମତା ବହୁଗୁଣିତ ହେଇଯାଇଛି । କବିଙ୍କ ଅର୍ନ୍ତ ଓ ବାହ୍ୟଦୃଷ୍ଟିରେ ବିଚକ୍ଷଣତା ବୃଦ୍ଧିପାଇଛି ଓ ପାଇବା ସ୍ଵାଭାବିକ ମଧ୍ୟ । ତେବେ ସୌଖି‌ନ ଜୀବନ ଜୀଇଁବାର ଲାଳସାରେ କବି କିଭଳି ବ୍ୟାକୁଳିତ, ତାହା ଏଇ ପଂକ୍ତିରୁ ଧରାପଡୁଛି । ଯଥା : ‘ବାମକରେ ଆଜି ତୋଳି ମୁଁ ପିଇବି ଫେନମିଶ୍ରିତ ସୁରା, ରକ୍ତ ଗୋଲାପ ନେବି ଦକ୍ଷିଣ କରେ, ତାହା ପରେ ସେଇ ପାନପାତ୍ରରେ ନିକ୍ଷେପ କରି ଦୂରେ, ଗୋଲାପ ଗନ୍ଧ ଦଳିବି ଚରଣ ତଳେ’ । ଏହା ବାସ୍ତବତା ନା ଅଧିକ ବାସ୍ତବତା ତାହା ପାଠକର ବୁଝିବାର ଇଚ୍ଛାଶକ୍ତି ଉପରେ ନିର୍ଭରଶୀଳ । ସାଧାରଣ ମଧ୍ୟବିତ୍ତ ଜୀବନର ରୁଚି ଓ ନୀତିବାଦକୁ ପାଥେୟ କରି ବଞ୍ଚୁଥିବା ମଣିଷମାନେ ଏଭଳି ପଂକ୍ତି ଶୁଣିଲେ ନାକ ଟେକିବା ସ୍ଵାଭାବିକ କାରଣ ଆମ ଚଳଣିରେ ଶିକ୍ଷା ପଦ୍ଧତିରେ ଏଭଳି ଭାବସ୍ଫୁରଣ ପାଠକ ଉପରେ କିଭଳି ପ୍ରଭାବ ବିସ୍ତାର କରିବ ତା’ହା ବିଚାର ସାପେକ୍ଷ । କଳା ସୃଷ୍ଟିରେ ଏଭଳି ଭାବକୁ ସାଧାରଣ ‘ଖିଆଲ୍‌’ ଭାବି ଉଡ଼େଇ ଦେଇ ହେବ କି ? ‘ମୋର ପରିଚୟ’ କବିତାରେ କବି ବିନୋଦଚନ୍ଦ୍ର ସଦାଶ୍ରିତ ରୂପକଳ୍ପର ଉନ୍ମେଷ ଘଟେଇଛନ୍ତି ଏକ ଅନନ୍ୟ ପଂକ୍ତିରେ । ଯଥା : ମୁଁ ସମୁଦ୍ର ଶିଉଳିରେ ନିମଜ୍ଜମାନ ଏକ ନିଟୋଳ ମୁକ୍ତା, ମତେ ନୟନ ପକ୍ଷ୍ମତଳେ ଲୁଚାଇ ଦିଅ । କବିତାର ଶେଷକୁ ‘‘ତୁମ ପଦରୁ ସ୍ଖଳିତ ମୁଁ ଏକ ନୂପୁର, ଅସ୍ୱୀକାର କରନା ସେ‌ ମୋର ପରିଚୟ’’ । ଏଠି ସ୍ରଷ୍ଟାମାନସ ଭାବନାର, କଳ୍ପନାର ତୁଙ୍ଗିମାକୁ ଛୁଇଁଛି । ଦୃଷ୍ଟିଭାବ ବେଶ୍‌ ପରିପକ୍ୱ ଓ ସାର୍ବଜନୀକ । ଇନ୍ଦ୍ରିୟ ଲବ୍‌ଧ ଶକ୍ତିକୁ କବି ଠିକ୍‌ଭାବେ ପରିବେଷଣ କରିଛନ୍ତି କବିତାଟିର ଶବ୍‌ଦଙ୍କ ମାଧ୍ୟମରେ । ଆପଣାର ପରିଚୟକୁ ଅପରର ବ୍ୟକ୍ତିତ୍ୱ ଦ୍ଵାରା ପରଖିବା ମଣିଷର ନିଜସ୍ଵ ଅହଂସତ୍ତାକୁ ପୁର୍ନଜୀବିତ କରାଉଛି । ଏହା ମଣିଷର ବ୍ୟକ୍ତିତ୍ଵ ପ୍ରତି ଥିବା ରୁଚିକୁ ପୁଣି ଥରେ ସୂଚେଇ ଦେଉଛି । ଏ ଭଳି ବର୍ଣ୍ଣନାଶୈଳୀ ଉଭୟ ଭଞ୍ଜୀୟ ତଥା ରାଧାନାଥୀୟ ପରମ୍ପରାରୁ ମୁକ୍ତ ଓ ଆଧୁନିକତାର ଗଢ଼ଣରେ ଏକ ବିଚକ୍ଷଣ-ଆଭାସ-

 

‘ଏ ତାରା ଚିହ୍ନ ନେଇ’ କବିତାରେ ଚିତ୍ରକଳ୍ପର ଚମତ୍କାରିତା ବେଶ୍‌ ବାରିହେଇ ପଡ଼େ । ଯଥା: ‘ମେଘର ଓଢ଼ଣା ତଳେ, ଚିଲ ପୁରୁଷର ସୂର୍ଯ୍ୟସ୍ନାତ ଡେଣାର ଧୂସର’ ।

 

ସୀମାହୀନ ସମୁଦ୍ର ଓ ଆକାଶର ମିଳନସ୍ଥଳୀ, ଦୂର ଚକ୍ରବାଳର ମୌନ ଦୃଶ୍ୟପଟ କବିଙ୍କ ପ୍ରତିଭାକୁ ତେଜେଇ ରଖିଛି ଗରିମାର ମୋହର ଦେଇ । ଯେମିତି ପ୍ରତିଟି କବିତା ଶାବ୍ଦିକ ବୈଭବର ଏକ ବିରାଟ ପ୍ରାସାଦ । ପ୍ରକୃତି ଯେମିତି ଆପେ ଧରାଦେଇଛି ତାଙ୍କ ହାତଧରା ଏକ ସୁନ୍ଦର ଛାଞ୍ଚର ବେଢ଼ଣକୁ । ଯଥା :

 

ଯହିଁ ସ୍ଵର୍ଗ ସ୍ପର୍ଶଗିରି

ହିଂସ୍ର ଫଣା ତରଙ୍ଗ ପ୍ରହରୀ,

କୂଳହୀନ ଜଳ ଆଉ ମେଘ ତାରା

ଅଳସ ବତାସ

ସମୟ ନୀଳେ କେବଳ ସମୁଦ୍ର ବିଳାସ

ସମୁଦ୍ର ବିଳାସ ।

 

‘ପ୍ରାନ୍ତର ମନ’ରେ ‘ଗୈରିକ ତୃଷା’ ଭଳି ଶୁଦ୍ଧ ସଂଯୋଜନା ବେଖାପ୍‌ ଲାଗୁଛି । ଅନ୍ୟ ଏକ ପଂକ୍ତିରେ ‘ଏକଦା ସଂଧ୍ୟାରେ ଦେଖା ପଥଚାରିଣୀର କେଶର ସୌରଭ ସମ, କେଉଁ ଏକ ଫୁଲର ସୌରଭ ‘କାବ୍ୟିକ ଅନୁମତି’ ଭାବେ ନିଆଯାଇପାରେ । ଅନ୍ୟ ଏକ କବିତା ‘ଅନେକ ବୃଶ୍ଚିକ ସାପ’ରେ କାବ୍ୟ ନାୟକ ଯୌନକାମନାର ଶରବ୍ୟ ହୋଇଛନ୍ତି । ଦୃଷ୍ଟିଭଙ୍ଗୀରେ କାମଭାବ ସୁସ୍ପଷ୍ଟ । ଯଥା: ‘ତୁମ ପୃଷ୍ଠର ନିତମ୍ବ ବିଭକ୍ତି, ନାଭି ମୁଦ୍ରା ତ୍ରିବଳୀ ସ୍ତନବୃତ୍ତ’ । ପୁନଶ୍ଚ

 

ଉଦୟ ଅସ୍ତ ତୁମରି ଭାନୁଛାୟା ସମ

ତୁମରେ ମୁଁ ପ୍ରଦକ୍ଷିଣ କରି ରାତ୍ରିତୀରେ

ତୁମର ତନୁର ତିମିରେ

ମୁଁ ହେଉଥିଲି ବିଲୀନ

 

ଏଠି ରୂପକ ‘ତନୁର ତିମିରେ’ ଆକ୍ଷରିକ ଅର୍ଥକୁ ଅନ୍ୟ ଏକ ଅର୍ଥରେ ପ୍ରତିପାଦନ କରୁଛି-। ‘ଇଂରାଜୀରେ ଏହା ‘ଏଲିଗୋରୀ’ ଶ୍ରେଣୀଭୁକ୍ତ । କବିଙ୍କ ନିଜ ଭାଷାରେ ‘‘ରୂପକ ରୀତି ପ୍ରଥମେ ବ୍ୟାପକ ଭାବରେ ଅନୁସୃତ ହୁଏ ମଧ୍ୟଯୁଗର ଶେଷାର୍ଦ୍ଧରେ ଏବଂ ଏହି ସମୟରେ ଇଉରୋପ ବ୍ୟାପି ଖ୍ୟାତି ଅର୍ଜନ କରେ ଫରାସୀ କବି ଗିଲୋ ଦେଁ ଲରିସ୍‌ ଏବଂ ଜାଁ ଦେ ମିଉ ରଚିତ କାବ୍ୟ ଗ୍ରନ୍ଥ ‘ରୋନା ଦେଲା ରୋଜାରେ । ଏଠାରେ ଗୋଲାପ କବି ପ୍ରିୟାର ପ୍ରତୀକ, ଫୁଲଟି ଯେଉଁ ଉଦ୍ୟାନର ମଧ୍ୟ ମଣି ତାହା କବିଙ୍କ ସ୍ଵପ୍ନ ଦୃଷ୍ଟିରେ ପ୍ରତିଭାତ ହେଲା ମେ ମାସର ଏକ ରୌଦ୍ରୋଜ୍ଜ୍ୱଳ ପ୍ରଭାତରେ । କବିତାର ସୂଚନା ଏହି ସ୍ଵପ୍ନ ଦର୍ଶନର ଓ ଗୂଢ଼ ଅର୍ଥ ଗୋଲକ ଧନ୍ଦା ସୂତ୍ରପାତ ହିଁ ଏଠାରେ । ୧୧ ‘ଆବିଷ୍କାର’ କବିତାରେ ଅନୁରୂପ ରୂପକ ‘ଆକାଶର ନୀଳବନ୍ୟା ତଳେ’, ‘ଏକ ସଂଚୟ, କବିତାରେ, ‘ଜିହ୍ୱାର ମୃଣାଳ ମୂଳରେ, ‘ଏକ ସୂର୍ଯ୍ୟ ବୀଜ’ ଇତ୍ୟାଦି । କବି ପୁନଶ୍ଚ ଉଲ୍ଲେଖ କରିଛନ୍ତି :

 

୧୧. ‘କବିତା ପରମେଶ୍ୱରୀ ପ୍ର: ସମ୍ବଲପୁର ବିଶ୍ୱବିଦ୍ୟାଳୟ, ୨୦୦୧ ପୃ ୧୪୪-୧୪୫ରେ; ବିନୋଦ ଚନ୍ଦ୍ର ନାୟକ

 

‘‘ରୂପକ ସମ୍ବନ୍ଧରେ ଗୋଟିଏ କଥା ମନେ ରଖିବା ନିତାନ୍ତ ଆବଶ୍ୟକ ଯେ କୌଣସି ରଚନାହିଁ ଗୋଟିଏ ଅର୍ଥର ବିଷୟ ରୂପେ ପରିଗଣିତ ହୋଇପାରେ । କିନ୍ତୁ ସେଇ ଅର୍ଥ ଯଦି କବିଙ୍କର ସ୍ଵୀକୃତି ନ ପାଏ କିମ୍ବା ତାହାର ସମର୍ଥନ ସୂଚକ କୌଣସି ଇଙ୍ଗିତ ରଚନା ମଧ୍ୟରେ ନଥାଏ ତାହାହେଲେ ଅର୍ଥଟିକୁ ବର୍ଜନ କରିବା ହିଁ ଶ୍ରେୟ । ସ୍ଥାନ ଅବସ୍ଥାନରେ ରୂପକ ଆବିଷ୍କାରର ପ୍ରୟାସ ଅସଲ ଅର୍ଥକୁ ବିକୃତ କରିଦିଏ ।’’ ୧୨ ଏଇ ମାପକାଠିରେ ବିଚାର କଲେ କବିଙ୍କ ଗୁଡ଼ାଏ କବିତା ଭିନ୍ନ ଅର୍ଥବୋଧକ ହେବା ସ୍ଵାଭାବିକ ।

 

୧୨. ତତୈବ ପୃ ୧୪୫

 

‘ଅନ୍ୟ ସାବୁନ୍‌’ କବିତାଟିର ସ୍ଵର ବେଶ୍‌ ଶାଣିତ ଓ ବ୍ୟଙ୍ଗାତ୍ମକ । ଯେମିତି ପ୍ରସାଧନର ଏଇ ବସ୍ତୁଟି ତା’ରି ବାସ୍ତବ ଶକ୍ତି ପ୍ରଦର୍ଶନରେ ଶକ୍ତିହୀନ । ମଣିଷ, ବିଶେଷତଃ ନାରୀ, ହୁଏତ କାବ୍ୟ-ନାୟିକାର ବାହ୍ୟଶରୀରର ସଫାସୁତୁରା ପାଇଁ ସାବୁନଟିର ସାହାଯ୍ୟ ନିଆଯାଇଯାରେ କିନ୍ତୁ ଭିତରଟାର ଘୃଣା ବିମୋଚନ କ’ଣ ସେଥିରେ ସମ୍ଭବ । ଯେମିତି :

 

ତଥାପି ସେ ରୂପତଳେ ଏତେ ଘୃଣା ଏତେ ତାପ

ଛଳନାର ଏତେ ଜାଲ

ସ୍ଵେଦ ଓ ଇତର ଗନ୍ଧ ଧୋଇଦେଲା ପରି

ଏ ସବୁରେ ପୋଛିଦେବା ପାଇଁ

ଅନ୍ୟ କିଛି ନାହିଁ କି ସାବୁନ ?

 

କବି ଅନ୍ୟ ଏକ ସାବୁନ୍‌ର ସାହାଯ୍ୟ ଲୋଡ଼ିଛନ୍ତି କିନ୍ତୁ ତାହା ସତରେ ସମ୍ଭବ କି ? ‘ହେ ଅର୍କିଡ଼୍‌.. ହେ ଅର୍କିଡ୍‌’, କବିତାରେ ସେଇ ଦୈହିକ ପ୍ରେମର ବିଶ୍ଳେଷଣ ଯଥା: ‘ପ୍ରସ୍ତରର ଆଲିଙ୍ଗେନେ ଝରଣାର ‘ଛାଡ଼ ଛାଡ଼, କି ଫାଜିଲ୍‌ ! ଗାନ, ପୁନଶ୍ଚ ‘ପରିଧାନେ ପ୍ରସାଧନେ ବର୍ଣ୍ଣେ ବହୁବିଧ ଅନ୍ତର୍ବାସ ହୀନ ହେ ଅର୍କିଡ଼୍‌ ! ହେ ଅର୍କିଡ଼୍‌ !

 

ଏହି ସଂକଳନର ଏକ ରସୋତୀର୍ଣ୍ଣ କବିତା ‘ମୁଁ ଆସୁଛି’କୁ ସଫଳ କବିତା ଭାବେ ଗଣନା କରାଯାଇପାରେ । କବିତାଟିର ଉତ୍ପତ୍ତି ସଂପୂର୍ଣ୍ଣ ନାଟକୀୟତାରେ, ହଠାତ୍‌ ଆରମ୍ଭିବାର ସୂଚନା ଦିଏ । ଯେମିତି ‘ମୁଁ ଆସୁଛି’ ଏ ନଗରୀର ତୋରଣ ବାହି ତୁମର ଶୋଭାଯାତ୍ରାର ସର୍ବଶେଷ ଭାଗରେ, ତୁମର ପୃଷ୍ଠଦେଶରେ ମୋର କଳା ଛାୟାର ବଲ୍ଲମ ବିଦ୍ଧ କରି’ ଇତ୍ୟାଦି । କବି ‘କବିତା ପରମେଶ୍ୱରୀ’ରେ କହିଛନ୍ତି ଯେ ‘ଲିରିକ୍‌ ପ୍ରତିଭାର ପରାକାଷ୍ଠା ଦେଖାଯାଏ ଗ୍ରନ୍ଥିବହୁଳ ହୃଦୟାବେଗର ସୁଷମ ପ୍ରକାଶରେ ଏବଂ କାବ୍ୟ ଯେତେବେଳେ ଗୋଟିଏ ମାତ୍ର ସରଳ ରେଖା ଧରି ଚାଲେ ତାହାର ଅର୍ଥ ଘନତ୍ୱ ନିର୍ଭର କରେ ଭାବ ଅନବଦ୍ୟତା ଓ ସଙ୍କେତମୟତା ଉପରେ । କବିତାଟି ନିଶ୍ଚିତ ରୂପେ ସଙ୍କେତଧର୍ମୀ । ଯଥା :

 

ତୁମର ପାନୀୟ ପାତ୍ରରେ

ଏକ ସଂକ୍ରାମି ନୀଳ ମକ୍ଷିକା ମୁଁ,

ତୁମର ଆରାମ କେଦାରରେ

ମଧ୍ୟାହ୍ନ ବିଶ୍ରାମର ଏକ ଦୁଃସ୍ଵପ୍ନ ମୁଁ

ତୁମର ସଂଗ୍ରାମୀ ମନର

ଲଜ୍ଜାକର ପରାଜୟର ଏକ ଗ୍ଳାନି ମୁଁ

ଆସୁଛି ।

ମୁଁ ଆସୁଛି ।

 

‘ଶୃଙ୍ଗ ଆରୋହଣ’ କବି ବିନୋଦଙ୍କ ଏକ ବିବାଦୀୟ କବିତା । ଏଇ କବିତାର ବର୍ଣ୍ଣନାଶୈଳୀ ଭାବଦ୍ୟୋତକ । କବିଙ୍କୁ ଭୌଗୋଳିକ ପରିବେଷ୍ଟନୀ ବେଶ୍‌ ମନୋମୁଗ୍‌ଧକର କରିଛି । ଯେମିତି ପାହାଡ଼ର ତୀରବର୍ତ୍ତୀ ଦେଶରେ ଝିଲ୍‌ମିଲ୍‌‌ କରୁଥିବା ଏକ ହ୍ରଦ । ‘ଆଉ କାହିଁ ଦୂରେ ହ୍ରଦ, ଅନାବୃତ ଆକାଶର ଚେତନା ବିମ୍ବିତ, ମେଘ ଆଉ ଯାଯାବର ରାଜହଂସ, ଠିକଣା ଯା’ ଜାଣେ !! ପୁନଶ୍ଚ ‘ଆଉ ଉଚ୍ଚେ ଗଲେ ନିର୍ମଳ ହେମାଳ ହାୱା ସକଳ ନିର୍ମୋକ, ସହସା ଉଡ଼ାଏ, ଅଙ୍ଗୁଷ୍ଠି ନିର୍ଦ୍ଦେଶ କରି ଦେଖାଏ ଚକିତେ, କେତେ ଦୂରେ ନିମ୍ନେ ସମତଳ, ଅଗ୍ରେ ବୁରାରୋହ ଶୃଂଙ୍ଗ-ହିମ, ହିମଶିଳା । ବର୍ଣ୍ଣନାରୁ ବୁଝାପଡ଼େ ଏହା ହିମାଳୟ ପାର୍ବତ୍ୟ ଦେଶର ନିକଟବର୍ତ୍ତୀ ସ୍ଥାନ ।’ ‘ହେମାଳ ହାୱା’, ‘ହିମଶିଳା’ ତା’ରି ପ୍ରମାଣ । ଏହି କବିତାଟି ବିଷୁବ ସଂଖ୍ୟା ଝଂକାର ୧୫ଶ ବର୍ଷ ଅର୍ଥାତ୍‌ ୧୯୬୩ ମସିହାରେ ପ୍ରକାଶ ପାଇଥିଲା । ଏହା ପ୍ରକାଶିତ ହେଲାପରେ ଓଡ଼ିଶାର ସାହିତ୍ୟିକ ମହଲ ଭିତରେ କିଛିଟା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ଏଇ କଥାକୁ ଲିପିବଦ୍ଧ କରିଛନ୍ତି କବି ରବି ସିଂ ତାଙ୍କ ଲିଖିତ ପୁସ୍ତକ ‘ନିଃସଙ୍ଗ ପଦାତିକ’ (ତୃତୀୟ ଖଣ୍ଡ) ରେ ।

 

‘‘୧୯୬୩ ମସିହାର କଥା । ୧୫ଶ ବର୍ଷ ବିଷୁବ ସଂଖ୍ୟା ‘ଝଂକାର’ ପତ୍ରିକାରେ ସୁପରିଚିତ ସ୍ଵର୍ଗତ କବି ବିନୋଦ ଚନ୍ଦ୍ର ନାୟକଙ୍କ ‘ଶୃଙ୍ଗ ଆରୋହଣ’ ଶୀର୍ଷକ କବିତାଟି ବଙ୍ଗୀୟ କବି ଶ୍ରୀ ପ୍ରେମେନ୍ଦ୍ର ମିତ୍ରଙ୍କ ‘ସାଗର ଥେକେ ଫେରା’ କାବ୍ୟଗ୍ରନ୍ଥର ‘‘ହ୍ରଦ’’, ‘‘ଶିଖର ଛୁଏଁ ନାମା’’ କବିତା ଦୁଇଟିର ସମ୍ମିଶ୍ରଣରେ ରଚିତ ହୋଇଥିଲା । ସେତେବେଳେ ଏହା ସାହିତ୍ୟ ଜଗତରେ ଆଲୋଚନାର ବିଷୟ ହୋଇଥିଲା ଆଉ ସେ ସଂପର୍କୀୟ ମୋର ଲେଖା ୧୯୬୩ ମସିହା ମଇ ମାସ ତେର ତାରିଖ ସଂସ୍କରଣ ‘ମାତୃଭୂମି’ରେ ବି ପ୍ରକାଶିତ ହୋଇଥିଲା ।’’

 

‘ଛନ୍ଦ’ (rhythm) ଉପରେ ଜଣେ କବିର ଦଖଲ, କବିତାଟିକୁ ଧ୍ଵନି ଝଂକାର ପର୍ଯ୍ୟାୟଭୁକ୍ତ କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । କବି ଟି.ଏସ୍‌ ଏଲିୟଟ୍‌ଙ୍କ ଭାଷାରେ “। know that a poem may tend to realize itself first as a particular rhythm before it reaches-expression in words, and that this rhythm may bring to birth the idea in the image” ଗୋଟିଏ କବିତା, ଶବ୍ଦ ମାଧ୍ୟମରେ ଅର୍ଥବୋଧକ ହେବା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଛନ୍ଦ ଭାବବୋଧକ ହେବ ଏବଂ ଏହି ଛନ୍ଦହିଁ ରୂପକ ସଂପର୍କିତ ଧାରଣାକୁ ଜନ୍ମ ଦେଇପାରେ । ଦେଖିବାକୁ ଗଲେ ଏହି ‘ଛନ୍ଦ’ ହିଁ କବିତାର ମଂଜ, ଯାହା ପ୍ରକାରାନ୍ତରେ ସଂଗୀତ ଉପରେ ନିର୍ଭରଶୀଳ । ଏହି ସଂକଳନର କବିତା ‘କପୋତ’ ସଂପୂର୍ଣ୍ଣ ରୂପେ ଛନ୍ଦାଶ୍ରିତ । ଯଥା :

 

ଗୃଂହ କପୋତୀର ଡାକ ଶୁଭୁଥିଲା

ବନ କପୋତର କାନେ

ଆକାଶ ପଥରେ କେଉଁ ସୀମାଂତ ସ୍ଥାନେ

ଭୁଲି ଯାତ୍ରାର

ମଧୁ କଳରବ

ନୀଳ ଆକାଶର

ମେଘ ଉତ୍ସବ

ଛନ୍ଦହୀନ ତା’ ଗାନ ମିଶାଇଲା

ଛନ୍ଦ ନିହିତ ଗାନେ

 

ଗୃହର କପୋତୀ କି ମନ୍ତ୍ର ଦେଲା

ବନ କପୋତର କାନେ !

 

କବିତାଟିରେ ଧ୍ଵନିର ଉତ୍ତରଣ ବେଶ୍‌ ମାର୍ମିକ ଓ ସେଇ ଦୃଷ୍ଟିରୁ କବି ଶାବ୍ଦିକ କାରିଗରୀରେ ଯେ ସିଦ୍ଧହସ୍ତ ଏଥିରେ ସନ୍ଦେହ ନାହିଁ । ଏହି କବିତାଂଶର ଭାବାର୍ଥ ଏତେ ସରଳ ଯେ ଏହାକୁ ବୁଝେଇବାର ଆବଶ୍ୟକ ପଡ଼ୁନାହିଁ ।

 

‘ଅନୁପମ ଶିଲଂ’ କବିତାଟି ଭୌଗୋଳିକ, ଐତିହାସିକ ପଟ୍ଟଭୂମି ଉପରେ ପ୍ରତିଷ୍ଠିତ । ‘ରୂପାର ଘଣ୍ଟାର ସମ ଚନ୍ଦ୍ର ଚନ୍ଦ୍ରକର’, ‘ନୁମୁଣ୍ଡର ଭସ୍ମପରି ବେରଙ୍ଗୀ ପାହାଡ଼’ ପ୍ରଭୃତି ରୂପକକୁ ପାଥେୟ କରି କବିତାଟି ଗଢ଼ି ଉଠିଛି । ‘ନୃମୁଣ୍ଡ’ ଅର୍ଥାତ୍‌ ‘ନରମୁଣ୍ଡ’ କିମ୍ବା ‘ନରକପାଳ’ର ଗୁଣ୍ଡ ପରି ବେରଙ୍ଗୀ ପାହାଡ଼ ଚମତ୍କାର ଚିତ୍ରଟିଏ । କବି ୧୯୬୨ ଚୀନ୍‌ ଭାରତ ଯୁଦ୍ଧ ପରିପ୍ରେକ୍ଷୀରେ ‘ତଥାପି ସାମ୍ରାଜ୍ୟଜୟୀ ଆଶା ଏଥେ, ଶ୍ଵେତାଙ୍ଗିନୀ ଚୀନରାଷ୍ଟ୍ରରେ ଆଉ ସୀମାନ୍ତ ସୈନିକ’ ପଂକ୍ତିରେ ମଙ୍ଗୋଲୀୟ ଚେହେରାକୁ ‘ଶ୍ଵେତାଙ୍ଗିନୀ ଆଖ୍ୟା ଦେବା ‘କାବ୍ୟିକ ଭ୍ରମ’ (Poetic fallacy) ଭଳି ମନେହୁଏ ।

 

‘ଏକ ବିନ୍ଦୁ ବର୍ତ୍ତମାନ’ ଜୀବନର ମହାସ୍ରୋତକୁ ନଈର ମହାସ୍ରୋତ ସହିତ ମିଶେଇ ଆଦିମ ସମୟରୁ କବି ଲେଖକମାନେ ଯେମିତି ମୃତ୍ୟୁ ଚେତନାକୁ ରୂପରେଖ ଦେଇ ଚାଲିଛନ୍ତି, ସେଇ ପର୍ଯ୍ୟାୟର ଏକ କବିତା ଭଳି ବୁଝା ପଡ଼ୁଛି । ଯଥା : କାହିଁ ଅଗ୍ରେ ମହାକାଳ ସମୁଦ୍ରର ଗାଲବାଦ୍ୟ, ଢୋଲକ ଧ୍ରିମିତା, ଦୂରପଥ: ବାହୁରେ ସୂର୍ଯ୍ୟାସ୍ତ ଧୂଳିରଂଜିତ କ୍ୟାକ୍‌ଟସ୍‌ ମୂଢ଼, ଶୂନ୍ୟ ଉପତ୍ୟକା, ତଥାପି ମୁଁ ସ୍ରୋତ, ସେ ପଥର ପ୍ରୀତା’ । ଏହା ଯଥାର୍ଥରେ ଆଧ୍ୟାତ୍ମବାଦୀ ଚେତନାର ଏକ ଭିନ୍ନ ରୂପ ।

 

ଏହି ସଂକଳନର ଶେଷ କବିତା ‘ସରୀସୃପ’ । କବିତାଟିର ଆରମ୍ଭ ଏକ ରୂପକଳ୍ପର ପରିବେଷଣରୁ । ‘ସଂଧ୍ୟାର ଆକାଶ, ଗୁଜରାଟୀ ରମଣୀର ପାଲଟା ଶାଢ଼ୀପରି ସଫେଦ୍‌ ଛାୟାପଥ’ କବିଙ୍କ ଲିଖିତ ଏକ ସମାଲୋଚନା ଅନୁଯାୟୀ ‘‘ପ୍ରତ୍ୟେକ ଲେଖକ ତାଙ୍କର ନିଜସ୍ଵ ଦୃଷ୍ଟିଭଙ୍ଗୀ ଓ ଭାବର ବୈଶିଷ୍ଟ୍ୟ ଅନୁଯାୟୀ ଏହି ବୃତ୍ତି ସାଧନା କରନ୍ତି ଏବଂ ସେଇଥିପାଇଁ ରୂପକଳ୍ପନାରେ ପ୍ରଭୃତ ବୈଚିତ୍ର୍ୟ ଦୃଷ୍ଟିଗୋଚର ହୁଏ’’ ୧୩ କିନ୍ତୁ କବିତାଟିର ସ୍ୱର ପର ମୁହୂର୍ତ୍ତରେ ଉଦଗ୍ର ଯୌନ କାମନାକୁ ତୋଳି ଧରିଛି । ଯଥା :

 

ହଠାତ୍‌ ଦେଖିଲି ସଖି

ତୁମ ପୃଷ୍ଠ ତଟର ସଫଳ ଗୌରବ

ତୈଲଂଗୀ ଖୋଷାର ତଳେ ଗ୍ରୀବାଚୁମ୍ବୀ ବିରଳ କୁଞ୍ଛିତ କେଶ

ରଜୁ ବାହୁଲତା ଫାଙ୍କେ ପରିପୁଷ୍ଟ ସ୍ତନର ସୁସ୍ପଷ୍ଟ ଆଭାସ

ଗୁରୁ ନିତମ୍ବର ଆମଂତ୍ରଣ ।

 

ନାରୀର ଏଇ ଶାରୀଚିକ ଚିତ୍ରଣ କବିଙ୍କ କ୍ଷେତ୍ରରେ ନୂତନ ଦୃଷ୍ଟିଭଙ୍ଗୀକୁ ଜନ୍ମ ଦେଇଛି ଯାହା ଭଂଜୀୟ କିମ୍ୱା ଅଭିମନ୍ୟୁ ସାମନ୍ତ ସିଂହାରୀୟ ଶୈଳୀଠୁ ସଂପୂର୍ଣ୍ଣ ଅଲଗା ।

Image

 

‘ପୋହଳା ଦ୍ଵୀପର ଉପକଥା’ ଓ କବି

 

ଏହା କବିଙ୍କ ଅଷ୍ଟମ କବିତା ସଂକଳନ । ଏହାରି ପ୍ରକାଶନ ସମୟ ୧୯୭୨–ଯେତେବେଳେ କବିଙ୍କୁ ତେପନ ବର୍ଷ ବୟସ । ‘ଖୋଜା’, ‘ପାତ୍ର ପୂରଣ’, ‘କଡ଼ାଏ କଉଡ଼ି’, ‘ଫେରା’, ‘କନକ କଦମର ନିଦାଘ ତପସ୍ୟା’ ‘୬୯ର ଡାଏରୀ ନେଇ’ ପ୍ରଭୃତି କବିତା ଏହି ପୁସ୍ତକର ଅଂଶ ବିଶେଷ ।

 

‘ଖୋଜା’ କବିତାର ପ୍ରଥମ ଚାରିଧାଡ଼ି ଯଥା : ‘ମିଥୁନ ଲଗ୍ନରେ ଯଦି କେତୁଗ୍ରସ୍ତ ଚନ୍ଦ୍ରହୁଏ, ବିବସ୍ତ୍ର ଅନୂଢ଼ା ହାତେ ‘ଜଟାମାଂସୀ’ ଚେର କିଛି ଆଣ, ଘୃତ ଦୀପେ ପାନପତ୍ରେ କଜ୍ଜ୍ୱଳ ପକାଅ, ସେଥିରେ ଅଂଜନ ହୁଏ । ଏହି କବିତାର ପରବର୍ତ୍ତୀ କ୍ରମରେ ସେ ଅଂଜନ ଧାରଣରେ ସବୁ କିଛି ହୁଏ, ପ୍ରଣୟ ପ୍ରତିଦ୍ୱନ୍ଦିତା, ନିର୍ବାଚନ ଜୟ ଇତ୍ୟାଦି । ଯାହା ବୁଝା ପଡ଼େ କବିତାର ଆରମ୍ଭ ଏକ ଆୟୁର୍ବେଦୋକ୍ତ ଉପଲବ୍‌ଧିର ଭିତ୍ତଭୂମିରୁ । ‘ଜଟାମାଂସୀ’ ହିମାଳୟର ଶାକଗୁଳ୍ମ । ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ଅନୁଯାୟୀ ‘‘ଏହି ବନସ୍ପତି ହିମାଳୟର ୧୭,୦୦୦ ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ଜନ୍ମେ-। ଏହାର ଡାଳ ଏକ ବା ଦେଢ଼ ହାତ ଲମ୍ୱ କାଠି ପରି ଓ ଏଥିରେ ସାମ୍‌ନାସାମ୍‌ନି ଦେଢ଼ଠାରୁ ଦୁଇ ଆଙ୍ଗୁଳି ଲମ୍ୱ ଓ ଅଧଠାରୁ ଏକ ଆଙ୍ଗୁଳ ଚଉଡ଼ା ପତ୍ର ଧରେ’’ । ତେବେ ‘ବିବସ୍ତ୍ରା’ ଓ ‘ଅନୂଢ଼ା’ ଏଇ ଦୁଇ ବିଶେଷଣର ଯୋଗ୍ୟାଧାରିଣୀ କୌଣସି ମହିଳା ମାଧ୍ୟମରେ ‘ଘୃତଦୀପ’ ଓ ‘ପାନ ପତ୍ରରେ’ କଜ୍ୱଳ ପକାଇ ଅଂଜନ କରିବା କବିଙ୍କ ପ୍ରଚଳିତ ବିଶ୍ଵାସ ଓ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଆରୋପ କରୁଛି । ଏହା ଯଥାର୍ଥରେ ଅଣବୈଜ୍ଞାନିକ ସମ୍ମତ ଓ କବିତାର ବିଷୟବସ୍ତୁ ହେବାରେ ଅନୁପଯୁକ୍ତ । ତେବେ କବିଙ୍କ ଅଭିଜ୍ଞତା ସଂପନ୍ନ ବୟସରେ ସୃଷ୍ଟିହେଇଥିବା ଏଇ କବିତାର ପରବର୍ତ୍ତୀ ପଂକ୍ତିମାନଙ୍କୁ ଲକ୍ଷ୍ୟ କଲେ ଅନ୍ୟ କଥା ବୁଝାପଡ଼େ । ଯଥା :

 

ଯେ ଯୌବନ ଘୁଣ ଧରା ସାଧନା କୁଣ୍ଠିତ

ଆତ୍ମୀୟତା ଖୋସାମତି ଉପରକୁ ଉଠିବା ତା ସିଡ଼ି

ସେ ସିଡ଼ି ଅକାମୀ ହେଲେ

ଖୋଜାଚାଲେ ତନ୍ତ୍ର, ମନ୍ତ୍ର ଯେତେ କିଛି ଭୌତିକ ଭୂମିକା ।

 

ଉପରୋକ୍ତ କବିତାଂଶରେ କିନ୍ତୁ କବି ସ୍ପଷ୍ଟତଃ ଯୌବନର ଘୁଣଖିଆ ବ୍ୟକ୍ତି ଯିଏ ପ୍ରକାରାଂତରେ ଅଳସୁଆ ସିଏ ଖୋସାମତି, ଆତ୍ମୀୟତା ମାଧ୍ୟମରେ ଉପରକୁ ଉଠିବା ପାଇଁ ଚେଷ୍ଟାକରେ ଓ ସେଥିରେ ସଫଳ ନ ହେଇ ପାରିଲେ ତନ୍ତ୍ର, ମନ୍ତ୍ର ଓ ଅନ୍ୟାନ୍ୟ ଭୌତିକ ପଦ୍ଧତିର ଆଶ୍ରୟ ନିଏ ।

 

କବି ଏଠାରେ ବେଶ୍‌ ତାତ୍ତ୍ୱିକ ଓ ଯୁକ୍ତିସଂଗତ । ଉଗ୍ର ବ୍ରାହ୍ମଣବାଦ ଓ ଅନ୍ଧ ଜ୍ୟୋତିଷବାଦ ବିରୁଦ୍ଧରେ ଯେମିତି ତାଙ୍କରି କବିତା ମାଧ୍ୟମରେ ରଣହୁଂକାର । ସିଏ ଶ୍ରମର ଜୟଗାନ କରିଛନ୍ତି, ଅନ୍ଧବିଶ୍ଵାସକୁ ଓ ପ୍ରତ୍ୟକ୍ଷ ଦର୍ଶନକୁ ଛାଡ଼ି ଅନ୍ୟ ସଭିକୁ ‘ତଥାପି ଏ ସତ୍ୟ ? ସତ୍ୟ ନୁହେଁ ? ଯା କିଛି କି ହାତର ମୁଠାରେ, ସେତିକି ସତ୍ୟ କି ? କେଜାଣେ !’ କବିତା ମାଧ୍ୟମରେ ଉଚ୍ଚାରିବାକୁ ପଛେଇ ନାହାନ୍ତି । ଏଠି କବି ନିଜ ବିବେକ ଓ ବ୍ୟକ୍ତିତ୍ୱକୁ ଲଗାମ୍‌ ଦେଇଛନ୍ତି । ଯୌବନର କୂଳ ଭାଙ୍ଗୁଥିବା ନଦୀ ଭଳି ଉଦ୍ଧାମ ପ୍ରଖର ସ୍ରୋତରେ ନିଜ ମାନସିକତାକୁ ଯୋଡ଼ି ନାହାନ୍ତି । ଅପରନ୍ତୁ ଶାନ୍ତ, ପ୍ରଜ୍ଞାଦୀପ୍ତ ତଥା ସଂଯତ ମନରେ ସେ ଦୁନିଆଁକୁ ପରଖିଛନ୍ତି କବିତା ମାଧ୍ୟମରେ । ‘କବିତା ପରମେଶ୍ୱରୀ’ରେ କବିଙ୍କ ଲିଖିତ ଉପସଂହାରରେ ତାଙ୍କ ଲିଖନର ଭାଷାକୁ ମୁଁ ଏଠି ପୁନରୁଦ୍ଧାର କରୁଛି । ଯଥା ‘‘ଭଲ-ମନ୍ଦ, ଆଲୋକ ଅନ୍ଧକାର, ଚେତନ-ଅଚେତନ ସମସ୍ତ କିଛି ମଧ୍ୟରେ ଏକ ଅନିବାର୍ଯ୍ୟ ଜୀବନକୁ ବୁଝି ପାରିଥିବାର ଏପରି କୌଣସି ଇଙ୍ଗିତ ତାଙ୍କର କବିତାରେ ନାହିଁ ବୋଲି ଯେଉଁ ଅଭିଯୋଗ ଏମାନେ ଉପସ୍ଥାପନ କରନ୍ତି ତାହାର ଯଥାର୍ଥତା ମଧ୍ୟ ନାହିଁ ।’’

 

ସନେଟୀୟ ଢାଞ୍ଚାରେ ଲିଖିତ କବିତା ‘ପାତ୍ର ପୂରଣ’ ଯାହାରି ଶେଷ ଅକ୍ଷର ‘କଖ କଖ’ ମାଧ୍ୟମରେ ଛନ୍ଦାୟିତ ଓ ପାଦାନ୍ତ ମିଳନରେ ସାହାଯ୍ୟକାରୀ । କ୍ଷୁଦ୍ରଧ୍ଵନି ଉପରେ ଆଧାରିତ ଏହାରି ପଂକ୍ତି ସମୂହ । ଚରଣ ଗୁଡ଼ିକର ଅକ୍ଷର ସଂଖ୍ୟା କୋଡ଼ିଏରୁ ବାଇଶ ମଧ୍ୟରେ । ଯଥା :

 

ତୃଷା ଥିଲା : ମରୁପଥ ଶେଷେ ଭିଜା ବାଲି ତରଙ୍ଗ ଘାସର

ଖର୍ଜୁର ଶାଖାର ଘନ ସ୍ନେହ ନୀଳ ପାନ୍ଥ ସ୍ନେହୀ ଏକ ମରୁଦ୍ୱୀପ

ତାର କେଉଁ ଏକ ପ୍ରାନ୍ତ କୋଣେ ଛୋଟ ମୋର ଏକକ କବର

ସ୍ମୃତିର ଫଳକ ହୀନ । ସ୍ତନ୍ୟଧାର ସମ ଏକ ନିର୍ଝର ସମୀପ

 

ଅଜଣା ଅଦେଖା ଏକ ଫଳକହୀନ କବର ଯାହା ସ୍ମୃତି ଦ୍ଵାରା ସଂଜୀବିତ, କବି ତା’କୁ ଆପଣେଇଛନ୍ତି ଏଇ କବିତାରେ । କାବ୍ୟନାୟକ ଚାହିଁଛି ମୃତ୍ୟୁପରେ ନିଜକୁ ଅଲୋଡ଼ା ଅଖୋଜା ପ୍ରତିପାଦିତ କରିବାକୁ । କେବେ ଦିନେ ଏ ସଂସାରରେ ନିଜକୁ ଲିଭେଇ ଦେଇ ପାରୁଥିବା ଏଇ ମଣିଷ ଯେମିତି ବିସ୍ମୃତିର ଧୂସର ରାସ୍ତାକୁ ପାଥେୟ କରିବା ଏକ ସହଜ ଓ ସାଧାରଣ ପ୍ରକ୍ରିୟା ।

 

‘ଫେରା’ କବିତା କବିଙ୍କ ହୃଦୟର ବାର୍ତ୍ତା । ଏଠି ସିଏ ନୈର୍ବ୍ୟକ୍ତିକ ହେବା ଅପେକ୍ଷା ବ୍ୟକ୍ତିଗତ ଭାବେ ନିଜ ମନୋଭାବର ପରିସ୍ଫୁଟନ କରିଛନ୍ତି । ‘ଅଲ୍‌ ରୋଡ଼୍‌ସ ଲିଡ଼୍‌ ଟୁ ରୋମ୍‌’ରୁ କବିତାର ଧାର ଆଣି ସିଏ ସ୍ପଷ୍ଟ ଭାବେ ‘ମୋ ସମସ୍ତ ପଥ ମୋ ଗ୍ରାମକୁ ଧାଏଁ ବୋଲି କବିତାର ପ୍ରଥମ ଧାଡ଼ିରେ ଉଲ୍ଲେଖ କରିଛନ୍ତି । ମୋ ମତରେ ଏହା ତାଙ୍କ ହୃଦୟ ତଥା ମନର ଭାଷା । କବି ଚାହିଁନାହାନ୍ତି ସହରୀ ଜୀବନ ବିତେଇବାକୁ । ଅବସର ପରେ ସିଏ ଫେରିଯାଇଛନ୍ତି ନିଜ ଗାଆଁର ଶାନ୍ତ ପରିବେଶକୁ । କବି ବିଭିନ୍ନ ସମୟରେ ରାଜଧାନୀ ଭୁବନେଶ୍ୱରରେ ବସବାସ କରିଛନ୍ତି । ଅଠଷଠିରୁ ତେୟସ୍ତରୀ ଯାଏ ସିଏ ଓଡ଼ିଆ ସାହିତ୍ୟ ଏକାଡେମୀର ସଂପାଦକ ଥାଇ ପରବର୍ତ୍ତୀ ସମୟ ଅର୍ଥାତ୍‌ ଅଠାଅଶୀରୁ ଚଉରାନବେ ପର୍ଯ୍ୟନ୍ତ ଏହାର ଉପ-ସଭାପତି ପଦ ଅଳଙ୍କୃତ କରିଛନ୍ତି-। ପୁନଶ୍ଚ ଏହି ସମୟ ମଧ୍ୟରେ ୧୯୮୮ରେ ମହାପାତ୍ର ନୀଳମଣି ସାହୁ ସଭାପତି ପଦରୁ ଇସ୍ତଫା ଦେଲା ପରେ ଏକାନବେ ଯାକେ ସଭାପତି ଦାୟିତ୍ଵ ସମ୍ଭାଳିଛନ୍ତି । ତେବେ କୌଣସି ସମୟରେ ରାଜଧାନୀରେ ଘର କିମ୍ବା ଡିହ କିଣି ବସବାସ କରିବାକୁ ଚାହିଁନାହାନ୍ତି । ଅନ୍ୟ ପକ୍ଷରେ ଶେଷ ସମୟରେ ସିଏ ନିଜ ଗ୍ରାମରେ ରହି ପରଲୋକ ପ୍ରାପ୍ତ ହେବାକୁ ପସନ୍ଦ କରିଛନ୍ତି । ତେଣୁ ଏହି କବିତାର ଅନ୍ତଃସ୍ଵର ଯଥାର୍ଥରେ ତାଙ୍କ ନିଜର ବୋଲି ଧରିନେବାକୁ ହେବ । ‘କବିତା’ଟି କେଉଁଭଳି ତାଙ୍କ ନିବିଡ଼ତମ ଜୀବନର ଉପଲବ୍‌ଧି, ତାହା ତା’ରି ପଂକ୍ତିମାନଙ୍କରୁ ହିଁ ବାରି ହେଇ ପଡୁଛି । ଯଥା :

 

ସେଇ ଗ୍ରାମ ସ୍ଵିଗ୍‌ଧ ନିରୁପମ

ଆମ୍ର ତାଳ କଦମ୍ବର ନମ୍ର ଛାୟା ଘେର ।

ମାଆର ଅଞ୍ଚଳ ତଳ ନିଦ୍ରାସମ ନିର୍ଭୀକ ରୁଚିର ।

 

କବିତାର ଉପସଂହାରରେ ‘‘ଆଜି ଏ ରାଜଧାନୀର ହର୍ମ୍ୟବିଦ୍ଧ ନଭ ତଳେ ପଥ ଖୋଜେ, ଯେଉଁ ପଥ ହଠାତ୍‌ ଜୀଏଁ ଲାଜବନ୍ତୀ ନଦୀର ଛାତିରେ । ଆହାର ସଂଗ୍ରହ କରୁ, ଏଇ ପଥ ମୋ ନିଃଶ୍ୱାସ ତକ ନେଉ ପଛେ ଦେହ ସେଇ ପଥ ଦେଇ, ସେ ଗ୍ରାମକୁ ଫେରୁ ଯହିଁ ଶେଷ ଚୈତ୍ର ଦିନେ ମୁଠା ମୁଠା ଝରି ମାଟି ସାଥେ ମାଟି ହୁଏ ବିବର୍ଣ୍ଣ ପଲାଶ’’ । କବି ବିନୋଦ ଚନ୍ଦ୍ରଙ୍କ କ୍ଷେତ୍ରରେ ଗାଆଁ ଆସିଛି ଶେଷ ଜୀବନରେ ମାତୃକୋଳରେ ଚିରାବସାନର ସଙ୍କେତ ନେଇ । କବି ସଚ୍ଚି ରାଉତରାୟଙ୍କ କବିତା ‘ଛୋଟ ମୋର ଗାଆଁଟି’ର ସେଇ ଅଭୁଲା କେଇ ଧାଡ଼ି ହିଁ କବିଙ୍କ ଜୀବନରେ ସତ୍ୟତାର ରୂପ ନେଇ ଫୁଟିଉଠିଛି । ଯଥା: ‘‘ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠୀଘର, ଜଳିବ ପୁଣି ସେଇଠି ଶେଷେ ମୋହରି ଚିତା ନିଆଁଟି । ଛୋଟ ମୋର ଗାଆଁଟି’’ ।

 

ନିଜ ଗାଆଁ ପରିବେଶ ତଥା ଅଞ୍ଚଳ ପ୍ରେମରେ ଡୁବି ରହିବା ପାଇଁ କବିଙ୍କ ସକାଶେ ବେଶି ପରିଶ୍ରମ କରିବାକୁ ପଡ଼ିନାହିଁ । କବି ଓଡ଼ିଶାର ପଶ୍ଚିମାଞ୍ଚଳର ବାସିନ୍ଦା ଯେଉଁଠି ଡହ ଡହ ଗ୍ରୀଷ୍ମକାଳୀନ ଖରା ମଣିଷକୁ ଛାଇ ପରି ଗୋଡ଼ାଇଥାଏ । ଗ୍ରୀଷ୍ମକାଳୀନ ରାତିରେ ଜୀବନ ଜୀଇଁବାଟା କେଉଁଭଳି କଷ୍ଟପ୍ରଦ ତାହା ସମଗ୍ର ପଶ୍ଚିମାଞ୍ଚଳବାସୀ ବେଶ୍‌ ଭଲ ଭାବରେ ଜାଣିଛନ୍ତି । ‘କନକ କଦମ୍ବର ନିଦାଘ ତପସ୍ୟା’ କବିତାଟି ଏହି ମର୍ମର ଯଥା :

 

ତୁମେ ସେ ବୈଶାଖୀ ମେଘ

ବାରିହୀନ ସ୍ପର୍ଦ୍ଧାରେ ଗୈରିକ,

ତୀକ୍ଷ୍ଣ ଭର୍ତ୍ସନାରେ ଛିନ୍ନ କରିଣ କ୍ଷଣିକ

ଐଶ୍ଵର୍ଯ୍ୟ ସ୍ନେହର ଡୋର

ଫେରିଅଛ ଦେଇ ଅପମାନ

ଚାହିଁବାରେ ଦେଖି ନାହିଁ

 

ମୁଁ ସେଇ ବନ କଦମ୍ବ

ଶାଖେ ଶାଖେ ମୋର ବହ୍ନିସ୍ନାନ ।

 

‘କଥା କଥା କବିତା କବିତା’ ସାହିତ୍ୟ ପତ୍ରିକାର ଅକ୍ଟୋବର-ଡିସେମ୍ବର, ୨୦୦୦ ସଂଖ୍ୟାରେ କବିଙ୍କର ଏକ ସାକ୍ଷାତ୍‌କାର ପ୍ରକାଶ ପାଇଥିଲା । ନିଜ କାବ୍ୟିକ ଉପଲବ୍‌ଧି ସଂପର୍କରେ ସିଏ ଏଥିରେ କହିଛନ୍ତି–

 

‘‘ଯେଉଁ କବି ନିଜ ଭିତରେ ନିମଗ୍ନ, ସେ ହିଁ ପ୍ରକୃତରେ କବି । କବିର ଦେଶପ୍ରେମ, ଇତିହାସ ପ୍ରୀତି, ବା ବ୍ୟକ୍ତିଗତ ପ୍ରୀତି କଳାତ୍ମକ ଦୃଷ୍ଟିଭଙ୍ଗୀକୁ ନଷ୍ଟ କରିଦିଏ । ‘ରୁଟି’ ବିଷୟରେ ‘ମଦ’ ବିଷୟରେ କବିତା ଲେଖିବାକୁ ପଶୁତ୍ଵର ପୂଜା ବୋଲି ଭାବେ । ମୋ କବିତାରେ ସ୍ୱପ୍ନ ଅଛି ଓ ସ୍ଵପ୍ନଭଙ୍ଗର ପରିଣତି ଅଛି । ଅତିବାସ୍ତବବାଦ ଉପରେ ମୁଁ ବିଶ୍ଵାସ ମଧ୍ୟ ରଖେ’’ ।

 

‘ସ୍ମୃତି’ ଉପରେ କବି ନିଜ ବକ୍ତବ୍ୟ ରଖିଛନ୍ତି ‘କବିତା ପରମେଶ୍ୱରୀ’ ସମାଲୋଚନା ପୁସ୍ତକରେ । ତାଙ୍କ ଭାଷାରେ ‘‘କବିଙ୍କ ପ୍ରତ୍ୟକ୍ଷ ଅନୁଭୂତି ସହିତ ମିଳିତ ହୋଇଯାଇଛି ପ୍ରାଚୀନ ଉତ୍କଳ ଇତିହାସର ସ୍ମୃତି । ମନର ଏହି ଯେ ସୃଜନକ୍ଷମ ଅବସ୍ଥା, ଏହାକୁ ହିଁ ପ୍ରେରଣା ଆଖ୍ୟା ଦିଆଯାଇପାରେ ଏବଂ ଯେହେତୁ ଏହାର କୌଣସି ଯୁକ୍ତିସମ୍ମତ ବ୍ୟାଖ୍ୟା ଦେବା ଅସମ୍ଭବ ସେଥିପାଇଁ ‘ଐଶୀ’, ‘ଦିବ୍ୟ’, ‘ଅଲୌକିକ’ ପ୍ରଭୃତି ଗୁଣ ନିର୍ଦ୍ଦେଶକ ଶବ୍ଦ ଏ କ୍ଷେତ୍ରରେ ଅପ୍ରଯୋଜ୍ୟ ଅଥବା ବିଭ୍ରାନ୍ତିକର ନୁହେଁ । ଆଉ ବିସ୍ମୃତି ହିଁ କଳ୍ପନା :

 

କେଉଁ ବିସ୍କୃତି ପ୍ରଦୋଷେ ଏ ଦ୍ଵୀପର ନଗ୍ନ ଉପକୂଳେ

ଲାଗିଥିଲା ପ୍ରଣୟର ବିଷଣ୍ଣ ବିଦାୟ

ଗୈରିକ ଅପରାହ୍ନର କେଉଁ ସ୍ଵର୍ଣ୍ଣଶିଖା

ପୋଡ଼ି ପୋଡ଼ି ପାଣ୍ଡୁହେଲା ଏକ ଭୌଗୋଳିକ ବ୍ୟଭିଚାରେ

କେହି ତ ସଂପାଦି ନାହିଁ ତା’ର ଏକ ସ୍ମାରକ ପତ୍ରିକା

ଖାଲି ବିସ୍ମିତ ବିଶ୍ଵାସ

ଅଭିଷେକ କରେ ଏ କଳ୍ପନା

(ପୋହଳା ଦ୍ୱୀପର ଉପକଥା) ୧୪

 

୧୪. ‘କବିତା ପରମେଶ୍ୱରୀ ଲେ:ଡକ୍ଟର ବିନୋଦ ଚନ୍ଦ୍ର ନାୟକ ପ୍ର: ସମ୍ବଲପୁର ବିଶ୍ୱବିଦ୍ୟାଳୟ, ୨୦୦୧, ପୃଷ୍ଠା ୯୩

Image

 

‘ଅନ୍ୟ ଏକ ଅସର୍‌ପି’ ଓ କବି

 

୧୯୭୪ରୁ ୭୮ ମଧ୍ୟରେ କବିଙ୍କ ଲିଖିତ କବିତାମାନଙ୍କୁ ନେଇ ଏହି ସଂକଳନଟିର ସୃଷ୍ଟି । କବି ଏହି ସମୟରେ ଭୁବନେଶ୍ଵର ଛାଡ଼ି ଲକ୍ଷ୍ମୀ ନାରାୟଣ କଲେଜ ଝାରସୁଗୁଡ଼ାରେ ଅଧ୍ୟକ୍ଷ ଭାବେ ଯୋଗଦାନ କରିଥାନ୍ତି । ସିଏ ୭-୯-୭୩ରୁ ୧୨-୭-୭୮ ଯାକେ ଏହି ମହାବିଦ୍ୟାଳୟର ସର୍ବୋଚ୍ଚ କର୍ତ୍ତା ଭାବେ ଅବସ୍ଥାପିତ ଥିଲେ । ପରବର୍ତ୍ତୀ ସମୟ ଅର୍ଥାତ୍‌ ଅଠସ୍ତରୀରୁ ସତାଅଶୀ ଯାକେ ସେ ବ୍ରଜରାଜନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ସଂମ୍ଭାଳିଛନ୍ତି । ଛଅବର୍ଷ ଅର୍ଥାତ୍‌ ୧୯୭୨ରୁ ୭୭ ଯାକେ କବିଙ୍କ କୌଣସି କବିତା ସଂକଳନ ପ୍ରକାଶ ପାଇନାହିଁ । ଦେଖିବାକୁ ଗଲେ ପାଞ୍ଚ ବର୍ଷର ନୀରବ ବ୍ୟବଧାନ ଜଣେ କବି ଜୀବନରେ ବଡ଼ କଥା । କବି ବ୍ୟକ୍ତିଗତ ଜୀବନରେ ବୟସର ଗୁରୁଭାବରେ ଆକ୍ରାନ୍ତ ହେବାକୁ ବସିଛନ୍ତି । ଗୋଧୂଳି ମୁହୂର୍ତ୍ତ ଭଳି ଏପଟେ ଯୌବନର ସୁରମ୍ୟ ସଂଭାରକୁ ଛାଡ଼ି ବାର୍ଧକ୍ୟର ସ୍ଥାବର ଦିଗଂତ ଆଡ଼କୁ ମୁହେଁଇ ଯିବା ବେଳକୁ ଯେଉଁ ମାନସିକତାର ଫାଶରେ ସିଏ ଆବଦ୍ଧ ତା’ର ପରିଣତି ‘ଅନ୍ୟ ଏକ ଅସର୍‌ପି’ର କବିତାମାଳା-I ଜୀବନ ପାତ୍ର ଭର୍ତ୍ତିହେବା ପରିବର୍ତ୍ତେ ଶୂନ୍ୟ ହେଲା ଭଳି ଲାଗୁଛି କବିଙ୍କୁ ଯେଉଁଥିପାଇଁ ସିଏ ଲେଖିଛନ୍ତି :

 

କିଛି କିଛି ପାଏଁ ଜାଣେ ଯଦିଓ ବା ଆହା

ବ୍ୟର୍ଥ ଏ ମୃଗୟା

ମିଳେ ନା ମିଳେ ନା କେବେ କୁରଂଗୀ କନକ

ଚେତନାର ଏ ଯେ ସ୍ଵପ୍ନ ପ୍ରାତ୍ୟହିକ ରକ୍ତର କ୍ଷରଣ

 

ତଥାପ ସୁନ୍ଦରୀ ତୁମେ ଅନନ୍ୟା ଅସରପି ।

(ଅନ୍ୟ ଏକ ଅସର୍‌ପି)

 

‘ମାନବ ଧୂସର ବାଲୁଚରେ ଯାଯାବର ପଥିକ ମୁଁ ଏକା’ ବୋଲି କହୁଥିବା ଜଣେ କାବ୍ୟ ନାୟକଙ୍କୁ କେଉଁ ଭାଷା ପ୍ରବୋଧନା ଦେଇ ହେବ, ତାହା ବୋଧେ କବିଙ୍କ ସକାଶେ ଏକ ପ୍ରଶ୍ନବାଚୀ ଭଳି ଏହି କବିତା ପୁସ୍ତକରେ ଛିଡ଼ା ହୋଇଛି । ଏହି ସଂକଳନର ଅନ୍ୟାନ୍ୟ କବିତା ଯଥା ଏକକ, ପ୍ରତୀକ, କଳଙ୍କ, ଶ୍ଳୋକ, ପ୍ଲାବନ, ଅଶ୍ରୁ, କେଉଁ ଅପରାଧ ପ୍ରଭୃତିର ସ୍ଵର ତାଙ୍କ ପୂର୍ବବର୍ତ୍ତୀ କାବ୍ୟିକ ଭାଷା ଓ କାବ୍ୟିକ ରୀତିର ଭାବବୋଧଠୁ ଅଲଗା ନୁହନ୍ତି । ଆଗ ଭଳି ଶବ୍‌ଦମାନେ ସ୍ଵେଚ୍ଛାକୃତ ବର୍ଣ୍ଣାଢ଼୍ୟରେ ଥାଇ ସାଧାରଣ ଭାବରାଜିଠୁ ପ୍ରତ୍ୟକ୍ଷ ସଂପର୍କ କିମ୍ବା ଆଗ୍ରହକୁ ଏଡ଼ାଇ ଚାଲିଛନ୍ତି । ଭାଷାର ବୋଧଗମ୍ୟତାଠାରୁ ଦୂରେଇ ଯାଇଥିବାରୁ ସିଏ ସାଧାରଣ ମଣିଷର ବିଷୟ ବର୍ଣ୍ଣନା କରୁଥିଲେ ସୁଦ୍ଧା ସାଧାରଣ ପାଠକଟିଏ ଆପଣାଛାଏଁ ଏକ ନିରାପଦ ବ୍ୟବଧାନରେ ନିଜକୁ ରଖିବାକୁ ଶ୍ରେୟ ମଣିଛି । ଶବ୍‌ଦଙ୍କୁ ପ୍ରାଣ ପ୍ରାଚୁର୍ଯ୍ୟ ଦେବାରେ ବିଶେଷ ସମୟ ଅତିବାହିତ କଲା ପରେ ଯେମିତି ସାଧାରଣ ଜୀବନର ବିଷୟାସକ୍ତ ଭାବ ତାଙ୍କ ଧରାଦେବାରେ ପରାଙୁଖ ହୋଇଛି । କବିତାର ଏଇ ମୂଳ ଗୁଣର ଅବହେଳା ଯୋଗୁ ହୁଏତ ତାଙ୍କ କବିତା ଲିଖନରେ ଏକ ପ୍ରକାର ଶିଥିଳତା ଆସିଯାଇଛି । ଏ ସଂପର୍କରେ ‘କବିତା-୧୯୬୨’ରେ ସଚ୍ଚି ରାଉତରାୟ ଦେଇଥିବା ମତାମତଟିକୁ ମୁଁ ଏଠି ପାଠକଙ୍କ ଗୋଚରାର୍ଥେ ପେଶ୍‌ କରୁଛି ।

 

‘‘ସାହିତ୍ୟକୁ ଦୈନନ୍ଦିନ ଜୀବନର ଅନ୍ଦିକନ୍ଦିରେ ପ୍ରବେଶାଧିକାର ଏ ପର୍ଯ୍ୟନ୍ତ ମିଳିନାହିଁ । ଆଜି ସୁଦ୍ଧା ସାହିତ୍ୟ ଆମ ଜୀବନର ବହିର୍ଦ୍ୱାର ପର୍ଯ୍ୟନ୍ତ ଆସି ସେଠାରେ ତା’ର ଆବେଦନ ପେଶ୍‌ କରି ଫେରିଯାଉଚି । ୟାର ପ୍ରଧାନ ଅନ୍ତରାୟ ହୋଇ ଦେଖାଦେଇଚି ଭାଷା’’ ୧୫

 

୧୫. ‘କବିତା-୧୯୬୨’ରେ; ସଚ୍ଚି ରାଉତରାୟ ପ୍ର: ଓଡ଼ିଶା ସାହିତ୍ୟ ଏକାଡ଼େମୀ, ପୃ ୧୦୯୫ ।

 

ପ୍ରଥମ କବିତା ‘ଏକକ’ରେ ‘ଉର୍ଦ୍ଧ୍ୱେ ଦେଲ-ଦେଉଳ କନକ କୁମ୍ଭ-ଆଉ ଉର୍ଦ୍ଧ୍ୱେ ତାର ମାନନୀୟ ନୀଳିମାରେ ବୃନ୍ତହୀନ ଓଲଟ କମଳ । ନିମ୍ନେ ଋତୁ ପ୍ରାତ୍ୟହିକ × × × ଫସଲେ ପର୍ଯ୍ୟାପ୍ତତା × × × ଉର୍ଦ୍ଧ୍ୱ-ଅଶବ୍ଦ ଶବଦେ ଅନୁକ୍ଷଣ-ଅନୁରମଣୀୟ ଅଧଃ-କାଞ୍ଚନର ଦ୍ୟୁତି କାଚେ ଓ ମର୍କତେ ‘କାରୁକାର୍ଯ୍ୟ ସମସ୍ତ ସଂହତ । ଏଠି କାବ୍ୟ-ନାୟକ ଚାହିଁଛି ଏକ ଶାନ୍ତ ସମାହିତ ଜୀବନକୁ-। ଉତ୍ତରଳ ପ୍ରେମର ମାନବୋଚିତ ବ୍ୟବହାରକୁ । କ୍ଲେଦାନ୍ତ ଜୀବନର ଆଶ୍ଚର୍ଯ୍ୟାନ୍ୱିତ ଉତ୍ତରଣ ହିଁ କବିତାର ପୃଷ୍ଠଭୂମି । ଜୀବନର ମଧୁରତାକୁ ପୁନର୍ବାର ଆବିଷ୍କାର କରିଛନ୍ତି କବି କାବ୍ୟ ପୁରୁଷର ଦୈହିକ କାମନାରେ ଯାହା ଡି.ଏଚ. ଲରେନ୍‌ସଙ୍କ ‘‘between her breasts I cry” ଭଳି ‘‘ତୁମରି ଓଠର ସ୍ଵାଦେ- ମୁଁ ପାଇଲି କମଳ ନିର୍ଯ୍ୟାସ- ସ୍ଵେଦରେ ଚନ୍ଦନ × × ଶୋଣିତେ ଆନନ୍ଦଧ୍ଵନି × × × ମାନବିକ ପ୍ରେମର ପୃଥିବୀ-ସତ୍ୟ ହେଲା ଆକାଶର ସମ ଭଳି ପଂକ୍ତି ମାନଙ୍କରେ ।’’

Image

 

ବିନୋଦଙ୍କ ସାହିତ୍ୟିକ ବିଶେଷତ୍ୱ

କବି ବିନୋଦ ଓ ତାଙ୍କ କବିତାରେ କଥିତ ଭାଷା

 

ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ହେଲେ ତାଙ୍କ ଅତୀତକୁ ହିଁ ସଯତ୍ନରେ ପଖାଳିବାକୁ ପଡ଼ିପାରେ । କବି ବିନୋଦଙ୍କ କ୍ଷେତ୍ରରେ ମଧ୍ୟ ଏହାରି ଆବଶ୍ୟକତା ଅଛି । କବି ଜନ୍ମିଥିଲେ ସୁନ୍ଦରଗଡ଼ ନିକଟବର୍ତ୍ତୀ ‘ତେଲିପାଲି’ ଗ୍ରାମରେ । ବିବାହୋତ୍ତର ଜୀବନ ବିତାଇଥିଲେ ଝାରସୁଗୁଡ଼ା ଜିଲ୍ଲାସ୍ଥିତ ‘ସାହାସ୍‌ପୁର’ ଗାଆଁରେ । ଏକ କୃଷିଭିତ୍ତିକ ଜୀବନ ଶୈଳୀ ଥିଲା ତାଙ୍କରି କୌଳିକ ପରମ୍ପରା । ସିଏ ଥିଲେ ‘ଆଗରିୟା’ (ଅଘ୍ରିଆ) ସଂପ୍ରଦାୟର ଯେଉଁମାନେ ବିଶେଷତଃ ଜମିମାଲିକ ପର୍ଯ୍ୟାୟଭୁକ୍ତ । ଏହି ଶ୍ରେଣୀର ଲୋକେ ମୁଖ୍ୟତଃ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ଛତିଶଗଡ଼ ଅଞ୍ଚଳରେ ବସବାସ କରିଥାନ୍ତି । ତାଙ୍କ କଥିତ ଭାଷା ଆଗରିୟା ଯାହା ମୈଥିଳୀ, ଭୋଜପୁରୀ, ଅହମିୟା, ବଙ୍ଗଳା ଭଳି ‘ଅର୍ଧମାଗଧୀ ଶ୍ରେଣୀଭୁକ୍ତ । ଛତିଶଗଡ଼ ଅଞ୍ଚଳରେ କହୁଥିବା ‘ଲରିୟା’ ଏଇ ଭାଷାର ପାଖାପାଖି ଓ ଉଭୟ ଭାଷାରେ ବିଶେଷ ପରିମାଣରେ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଏଇ ଭାଷାଭାଷୀ ଲୋକଙ୍କ ଜୀବନ ଚଳଣି ଟିକେ ଭିନ୍ନ ଧରଣର । ଗ୍ରାମାଞ୍ଚଳରେ ରହି ସେମାନେ ସହରୀ ଜୀବନର ମୁଖ୍ୟସ୍ରୋତରୁ ଦୂରେଇ ରହିଥିବା ଯାକେ ତାଙ୍କ ବେଶଭୂଷା, ଚାଲିଚଳନ, ଖାଦ୍ୟପେୟରେ ସ୍ଵାତନ୍ତ୍ରୀ ପରିଲକ୍ଷିତ ହେଉଥିଲା । ସମୟକ୍ରମେ ସେଗୁଡ଼ିକ ବିଲୁପ୍ତ ହେବାକୁ ବସିଲାଣି । ତେବେ ତାଙ୍କ ଭାଷାର ମଧୁରତାକୁ କବି ସହଜେ ଭୁଲି ପାରି ନାହାନ୍ତି । ସେ ଏହି ଭାଷାରେ କିଛି କବିତା ଲେଖିଛନ୍ତି ଯାହା ପଢ଼ିଲେ ତହିଁରୁ ରସ ସ୍ଵାଦନ କରିହୁଏ । ଶଂସିତ କବିତା ‘ଲୋରୀ’ରୁ କିଛିଟା ଉଦାହରଣ :

 

 

ସୈୟାଁ

ଛୋଡ଼୍‌ ଦେ ମୋରି ବୈୟାଁ

ଘୁମଡ଼ ଘୁମଡ଼ କର ଆୱଥେ ବଦରିୟା ହୋ

ବାୟୁ ବହୂଥେ ପୁରବୈୟାଁ ।।

ଗଏଁନ ଲେହଁଟ କର ଗାୱମେ ସକଲ ଗୁୟାଁ

ପାନି ଭର୍‍କେ ଗଗରିୟାଁ

 

ଉପରୋକ୍ତ କବିତାଟି ରାଉରକେଲାରୁ ପ୍ରକାଶିତ ‘ନବ ପତ୍ର’ରେ ନଭେମ୍ବର-ଡିସେମ୍ବର, ୨୦୦୧ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଏହାରି ଭାବାର୍ଥ ଯଥା ଲୋରି-ସମ୍ବେଦନଶୀଳ ଗୀତିକା, ଭାଷା-ଭାଷୀ, ସୈୟାଁ- ପ୍ରିୟତମା, ବୈୟାଁ-ଦାହୁ, ବଦରିୟା-ବାଦଲ, ଗୁୟାଁ-ସଂଗୀତ, ଗଗରି-କଳସୀ ।

 

ସମାଲୋଚକ ବିନୋଦ ଚନ୍ଦ୍ର

 

ବିନୋଦ ଚନ୍ଦ୍ର ମୁଖ୍ୟତଃ କବି ହେଲେ ହେଁ ସମାଲୋଚକ ହିସାବରେ ତାଙ୍କ ସ୍ଥାନ କୌଣସି ଭାବରେ ଗୌଣ ନୁହେଁ । ଏହାରି ପ୍ରକୃଷ୍ଟ ଉଦାହରଣ ତାଙ୍କ ଲିଖିତ ସମାଲୋଚନା ଗ୍ରନ୍ଥ ‘କବିତା ପରମେଶ୍ୱରୀ’ ଯାହା ୨୦୦୧ ମସିହାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ କର୍ତ୍ତୃକ ପ୍ରକାଶିତ । ଓଡ଼ିଶା ସାହିତ୍ୟ ଏକାଡେମୀର ‘ମୁଖପତ୍ର’ ‘କୋଣାର୍କ’ରେ ସେ ଦୀର୍ଘ ବର୍ଷ ଧରି ସଂପାଦକୀୟ ଲେଖୁଥିଲେ ଯାହା ଏହି ଗ୍ରନ୍ଥରେ ସନ୍ନିବେଶିତ ହୋଇଅଛି । ପୁନଶ୍ଚ ସ୍ଵର୍ଗତ ରଜନୀକାନ୍ତ ଦାସଙ୍କ ଦ୍ଵାରା ସଂପାଦିତ ‘ରାଉରକେଲା ରିପୋର୍ଟାର୍‌’ରେ ସେ କେତୋଟି ଉଚ୍ଚକୋଟୀର ପ୍ରବନ୍ଧ ଲେଖିଥିଲେ ଯାହା ପରବର୍ତ୍ତୀ ସମୟରେ ଏହି ପୁସ୍ତକରେ ସନ୍ନିବେଶିତ । ଏହି ଗ୍ରନ୍ଥର ଭୂମିକାରେ କବିଙ୍କ ସ୍ପଷ୍ଟୋକ୍ତି :–

 

‘‘ଆମ୍ଭମାନଙ୍କ ଦ୍ୱାରା ଯାହା କିଛି ଉଦ୍‌ଗତ, ତାହାର ଅଗ୍ନିପରୀକ୍ଷା ବାଞ୍ଛନୀୟ । କାରଣ ଯାହା ଅବ୍ୟକ୍ତ ଥିଲା ତାହା ବ୍ୟକ୍ତିନିଷ୍ଠ ବ୍ୟକ୍ତ ହେଲା ପରେ ତାହା ବ୍ୟଷ୍ଟି ନିମିତ୍ତ ଅଭିପ୍ରେତ ହୋଇଗଲା । ଏହି ଭାଷ୍ୟର ଉପଲକ୍ଷ୍ୟ ହେଉଛନ୍ତି କବି । କବି ଯେତେବେଳେ କବିତା ଲେଖନ୍ତି ତାଙ୍କର ମର୍ମର ଶ୍ରେଷ୍ଠତମ ବିନ୍ଦୁଟି ତାଙ୍କର ସୃଷ୍ଟିର କେଦ୍ରରେ ସ୍ଥାପନ କରିବାକୁ ଚାହାନ୍ତି । ଏହି ଦୃଷ୍ଟିକୋଣରୁ ତାଙ୍କର ରଚନାର ସମଗ୍ରତା ନେଇ ଶ୍ରେଷ୍ଠତ୍ୱର ଆଭା ବିମ୍ୱିତ ହୋଇଥାଏ । କାଳାନ୍ତରରେ ଅନେକ ରଚନା କବି ସ୍ଵୟଂ ହୁଏତ ଗ୍ରହଣ କରି ନ ଥା’ନ୍ତି । ପାଠକମାନଙ୍କ ନିକଟରେ ପ୍ରାୟ ପ୍ରକ୍ରିୟାଟି ଏକ ଧରଣର’’ ।

 

ତେଣୁ କୌଣସି ମନର ଅର୍ନ୍ତଭାବ ଯେତେବେଳେ ବର୍ହିଭାବ ହୋଇ କବିତାରେ ଉତୁରି ଆସେ, ସେତେବେଳେ କବି ସତର୍କ ତଥା ଜାଗତିଆର୍‌ ରହିବାକୁ ବାଧ୍ୟ । କାରଣ ବ୍ୟକ୍ତିରୁ ବ୍ୟଷ୍ଠିଆଡ଼କୁ ଗତି କଲାବେଳେ ଯେ କୌଣସି ଭାବ ଅଳ୍ପ ବହୁତ ମହାଭାବର ଭୂମିକାରେ ଅବତୀର୍ଣ୍ଣ ହେବା ଜରୁରୀ । ଏହାକୁ ଇଂରାଜୀରେ ଆମେ empathy ଅର୍ଥାତ୍‌ ‘ପରାନୁଭୂତି’ ବୋଲି କହୁ । ନିର୍ମଳ କବିତ୍ୱ ଯାହା ଅପରକୁ ବୁଝିବା ଓ ବୁଝେଇବାରେ ମହୌଷଧି ଭଳି କାମରେ ଲାଗେ । ଏହାର ଭିତ୍ତିଭୂମି ବେଶ୍‌ ସରଳ ଓ ସାବଲୀଳ । ଏଥିରେ ଆଧୁନିକତା, ଉତ୍ତର- ଆଧୁନିକତାରୂପୀ ସମୟ ବୃତ୍ତ କବିର ମାନସିକତାକୁ ବାନ୍ଧିରଖି ପାରେନା । କବି ଜଣେ ଜନ୍ମ ହେଲା ଶିଶୁର କାନ୍ଦଣାଠୁ ଶେଷ ନିଃଶ୍ୱାସ ତ୍ୟାଗୀ ମଣିଷ ପାଖରେ ନିଜ ଆତ୍ମାକୁ ବନ୍ଧା ରଖେ । ଏହା ଧନୀ, ଗରୀବ ଜ୍ଞାନୀ ଅଜ୍ଞାନ, ଧର୍ମ, ଗୋଷ୍ଠୀ, ଜାତି, ସଂପ୍ରଦାୟ ସଭିଙ୍କୁ ବେଖାତିର୍‌ କରି ଏକ ମହନୀୟ ସ୍ତରକୁ ନିଜ ବିଚାରବୋଧକୁ ନେଇଯାଏ ଯେତେବେଳେ କବି ପ୍ରତିପାଦିତ ହୋଇପାରେ ମହର୍ଷି ଭଳି । ସେ କୌଣସି ସଂକୀର୍ଣ୍ଣ ଟନେଲ୍‌ ଦେଇ ତା’ରି ପ୍ରଜ୍ଞାକୁ ପାରି କରିବାକୁ ଚାହେଁନି କାରଣ ତା’ରି ବିବେକ ଏକ ଉଦ୍‌ଭାସିତ ଦିଗ୍‌ବଳୟ ଅଂଶୀଦାର ଭଳି ଦୁକୁଦୁକୁ ଜଳୁଥାଏ । କବି ପ୍ରଥମରେ ଜଣେ ସାମାଜିକ ଜୀବ । ତା’ପରେ ସିଏ ସ୍ରଷ୍ଟା, ଲେଖକ ଯାହାକିଛି । ତେଣୁ ସାହିତ୍ୟିକର ଜୀବନ ଅସଲ ମଣିଷର ଜୀବନଠୁ ଉଚ୍ଚତର ବୋଲି କହିବା ଧୃଷ୍ଟତା ଛଡ଼ା ଆଉ କିଛି ନୁହେଁ । ଆଧୁନିକ କବି କିମ୍ୱା କବିତାର ବିଚାର ବୋଧ ଭିତରେ ସ୍ନେହ, ଶ୍ରଦ୍ଧା ତଥା ସହାନୁଭୂତି ଯଦି ଉତ୍ତମ ରୂପେ ବସାବାନ୍ଧେ ତା’ହେଲେ ଉତ୍ତମ କବିତା ଲେଖିବାର ପ୍ରେରଣା ବଳେ ତିଆରି ହେବାର ସମ୍ଭାବନା ଖୁବ୍‌ ବେଶୀ । ସେଇଟା କବି ବିନୋଦ ଚନ୍ଦ୍ର ବା ଅନ୍ୟ ଯେ କେହି ହୁଅନ୍ତୁ, ତାଙ୍କ ପ୍ରତି ସମାନ ଭାବେ ପ୍ରଯୁଜ୍ୟ ହୋଇପାରେ ।

 

କବି ନିଜ ମାଟି ପ୍ରତି ବେଶ୍‌ ବିଶ୍ୱସ୍ତ । ତା’ରି ପାଣି, ପବନକୁ ସିଏ ନିରୁତା ଭଲ ପାଇଛନ୍ତି । କୌଣସି ସ୍ତରରେ ସେ ଚାହିଁନାହାନ୍ତି ତାଙ୍କ ପଂକ୍ତିମାନଙ୍କୁ ନିରାଶା, ଗ୍ଲାନି, ନିସ୍ପୃହତାର ସଂକ୍ରାମକ ବ୍ୟାଧିରେ ପୀଡ଼ିତ କରିବାକୁ । ଯେଉଁ ସମାଲୋଚକ ଇଂରାଜୀ କବି ଏଲିୟଟ୍‌ଙ୍କ କାବ୍ୟ ପରମ୍ପରା ଓ କାବ୍ୟତତ୍ତ୍ଵକୁ ଆଧୁନିକତା ଆଖ୍ୟା ଦେଇ ସେଇ ଢାଞ୍ଚାରେ କବିତା ଲେଖୁଥିବା କବିଙ୍କୁ ‘ଆଧୁନିକ’ ବୋଲି ମାନିବାକୁ ନାରାଜ୍‌ । ଅତି ବେଶିରେ ସେମାନେ ଏହି କବିଙ୍କୁ ‘ସମସାମୟିକ’ ବୋଲି କହି ଖସି ପଳାଇବାକୁ ଚାହାନ୍ତି । କିନ୍ତୁ ଏଭଳି ଧାରଣା ଯୁକ୍ତିଯୁକ୍ତ ନୁହେଁ ଯଦି ତାହା ଔପନିବେଶିକତା ଉପରେ ଆଧାରିତ । କବିର ଉତ୍ତୀର୍ଣ୍ଣ ଅନୁଭବ ଯାହା ‘ପରାନୁଭୂତି’କୁ ସର୍ବଶ୍ରେଷ୍ଠ ଭୂଷଣର ସମ୍ମାନ ଦିଏ, ଏହି କ୍ରମରେ ବିଶ୍ଵକବି ରବୀନ୍ଦ୍ରନାଥଙ୍କ ପଂକ୍ତିରୁ ଉଦ୍ଧାର କରାଯାଉଛି । ତା’ ହେଲା–‘ଏକାକୀ ଗାୟକେର ନ ହେତ ଗାନ ମିଲିତେ ହବେ ଦୁଇ ଜନେ, ଏକ ଜନ ଗାବେ ଖୁଲିୟା ଗଲା, ଅପର ଜନ ଗାବେ ମନେ’ । ରାଧାନାଥ ରାୟଙ୍କ ‘ପାର୍ବତୀ’ କାବ୍ୟରେ ଏହି ‘ତତ୍ତ୍ୱ’ ର ପ୍ରତିଧ୍ଵନି ଶୁଭେ । ଯଥା: ‘ଦୁଃଖୀ ସେହିପରି ହୃଦେ ତା’ର ଉଚ୍ଛୁଳି ପଡ଼ଇ ବ୍ୟଥା, ସମଦୁଃଖୀ ଜନେ ହୃଦୟ ଫିଟାଇ କହେ ନିଜ ଦୁଃଖ କଥା । ସମାଲୋଚକ ଡକ୍ଟର ବୈରାଗୀଚରଣ ଜେନା ତାଙ୍କ ଲିଖିତ ଗ୍ରନ୍ଥ ‘ଲଂଜାଇନ୍‌ସଙ୍କ ଉଦାର-ତତ୍ତ୍ୱ’ରେ ଏଇ କଥାକୁ ଅନ୍ୟ ମାର୍ଗରେ କହିଛନ୍ତି । ‘‘ଆତ୍ମିକ ଓ ପ୍ରବଳ ସଂବେଗର ଅଧିକାରୀ ହେଲେ କବି ଉତ୍ତୋଳିତ ଓ ସମୁନ୍ନତ ହୋଇଉଠନ୍ତି ଓ ତାଙ୍କର ରଚନା ତତ୍‌କ୍ଷଣାତ୍‌ ପାଠକର ମନୋରାଜ୍ୟ ଅଧିକାର କରି ବସେ × × × ଦୁଇଟି ମନର ଏଇ ସଂଯୋଗ ଆବେଗର ଗଭୀରତା ବା ଅଧୀରତା ମାଧ୍ୟମରେ ସମ୍ଭବ ହୁଏ । ଆବେଗ ଯେତେ ଶକ୍ତିଶାଳୀ ହେବ, ପାଠକ ସେତେ ପ୍ରଭାବିତ ଓ ସମୁନ୍ନତି ଲାଭ କରିବ’’ । ଆଇ.ଏ ରିଚାର୍ଡସ୍‌ ଏହାକୁ ନିଜ ଢଂଗରେ କହିଛନ୍ତି ‘Reading a poem is a matter of emotional accommodation and adjustment’- ଗୋଟିଏ କବିତା ପଢ଼ିବା ହେଉଛି ଆବେଗାତ୍ମକ ଉପଯୋଗିତା ଓ ବ୍ୟବସ୍ଥାପନ । ଆରିଷ୍ଟଟଲ୍‌ ତାଙ୍କ କାବ୍ୟ-ତତ୍ତ୍ଵରେ କହିଛନ୍ତି ‘କାବ୍ୟିକ ଭାଷା ଅସାଧାରଣତ୍ୱ ଓ ସ୍ଵାତନ୍ତ୍ର୍ୟ ଲାଭ କରେ ଯେବେ ତା’ ଦେହରେ ଅପୂର୍ବ ଓ ଅପରିଚିତ ଶବ୍ଦମାନଙ୍କୁ ଆଣି ବ୍ୟବହାର କରାଯାଏ’ । କବିଙ୍କର ଶବ୍‌ଦ ଭଣ୍ଡାର ବୃହତ୍‌ । ସର୍ବେଶ୍ଵର ଦାଶ ତାଙ୍କ ଆଲେଖ୍ୟ ‘ଭାରତୀୟ ଓ ପାଶ୍ଚାତ୍ୟ ସାହିତ୍ୟ- ସମୀକ୍ଷାର ଧାରାରେ କହିଛନ୍ତି ‘‘ପ୍ରଚଳିତ ଶବ୍‌ଦ ପ୍ରୟୋଗ ରୀତିରୁ ଭିନ୍ନ ପ୍ରୟୋଗରୀତି କାବ୍ୟିକ ଭାଷାକୁ ଅସାଧାରଣ କରେ, କିନ୍ତୁ ତତ୍‌ସହିତ ପ୍ରଚଳିତ ଶବ୍‌ଦ ବା ଶବ୍‌ଦ ସମଷ୍ଟିର ପ୍ରୟୋଗ ଥିଲେ ଭାଷା ଅସ୍ପଷ୍ଟ ହୁଏ ନାହିଁ । କବି ଏଠାରେ ପ୍ରୟୋଗବାଦୀ । ସେ ନୂତନ ଶବ୍ଦର ପ୍ରୟୋଗ କରିଛନ୍ତି ଯାହା ତାଙ୍କ ପୂର୍ବସୂରୀ କିମ୍ବା ସମସାମୟିକମାନେ ପ୍ରାୟତଃ ପ୍ରୟୋଗ କରିନାହାନ୍ତି । ଦେଖିବାର କଥା, ତାଙ୍କ କବିତା ପତ୍ରିକା ମାନଙ୍କରେ ବେଶ୍‌ ବାରି ହେଇ ପଡ଼େ । ତା’ର ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିଭଙ୍ଗୀ ଅନ୍ୟ କବିତାମାନଙ୍କଠୁ ବହୁଧା ପୃଥକ୍‌ ଜଣାପଡ଼େ । କବି ଯେମିତି ଏକ୍‌ଲା ପଥର ଯାତ୍ରୀ । ତାଙ୍କ ଶୈଳୀର ଏକ ଭିନ୍ନ ଦୀପ୍ତି ବରାବର ରହିଆସିଛି । ସେଇଟା ନା ଉଲ୍ଲସିତ ନା କାରୁଣ୍ୟର ବ୍ୟଥାରେ ଜୁଡୁବୁଡୁ । ବିଶେଷ ଶବ୍‌ଦାଳଂକାର, ଛନ୍ଦ ତଥା ଛନ୍ଦସ୍ପନ୍ଦରେ ତା’ରି ଭିତ୍ତିଭୂମି ସୁପ୍ରତିଷ୍ଠିତ । ଏହା କୌଣସି ହାଲତରେ ଶୁଖିଲା କିମ୍ବା ନିସ୍ତରଙ୍ଗ ଶୈଳୀ ବୋଲି ଧରାଯିବ ନାହିଁ । କବିଙ୍କ ବିଷୟବସ୍ତୁ କୌଣସିଠି ମହାକାବ୍ୟର ବିଷୟବସ୍ତୁ ଭାବେ ପ୍ରକଟିତ ହୋଇନାହିଁ । କୌଣସି ଗୌରବାବହ ଐତିହ୍ୟ କିମ୍ବଦନ୍ତୀ କିମ୍ବା ଲୋକାୟତ ବିଷୟକୁ ନେଇ ସିଏ ବୃହତ୍‌ ଆୟତନର କାବ୍ୟ କୋଣାର୍କ ନିର୍ମାଣ କରିନାହାନ୍ତି । ଅନ୍ୟ ପକ୍ଷରେ ସାଧାରଣ ଅର୍ଥାତ୍‌ ଚାରଣ, ଗ୍ରାମ୍ୟଭିତ୍ତିକ ବୋଧଗମ୍ୟକ ଶୈଳୀ ମାଧ୍ୟମରେ ଅପେକ୍ଷାକୃତ କମ୍‌ ପାଠୁଆ ବର୍ଗଙ୍କ ପାଇଁ ସେ ଜାଣିଶୁଣି ତାଙ୍କ କାବ୍ୟାସନରୁ ତଳକୁ ଓହ୍ଲାଇ ନାହାନ୍ତି । କାଁ ଭାଁ ଯଦି କେହି ଏହାରି ସ୍ଖଳନ ଖୋଜି ପାଆନ୍ତି ତାହା ବ୍ୟତିକ୍ରମ ବୋଲି ଧରାଯିବ । ତାଙ୍କ ଲିଖିତ, ‘କବିତା ପରମେଶ୍ୱରୀ’ ଭୂମିକାରେ ଉଲ୍ଲେଖ କରିଛନ୍ତି, ‘ଉତ୍କଳୀୟ ଶାଶ୍ୱତ ଜୀବନର ସ୍ଵକୀୟତା ନେଇ ଯେତେଜଣ କାବ୍ୟକାର ସ୍ଵୟଂପ୍ରଭ ଯଥା କବିସୂର୍ଯ୍ୟ ବଳଦେବ ରଥ, ବ୍ରଜନାଥ ବଡ଼ଜେନା, ଭୀମଭୋଇ ସେମାନେ ମୂଳ ଭୁଖଣ୍ଡରୁ ଦ୍ଵୀପ ପରି ଅନବରଣୀୟ ହୋଇ ରହିଯାଇଛନ୍ତି । × × × କବିତା ହେଉଛି ରକ୍ତ, ସଂବେଗ ଏବଂ ଯୌକ୍ତିକତାର ଗଙ୍ଗା ଯମୁନା ସରସ୍ଵତୀର ତ୍ରିବେଣୀ ଧାରା ଜୀବନର ମହାସଂଗ୍ରାମ ଲକ୍ଷ୍ୟରେ ଅନୁସରିତ’ । ୟେଟସ୍‌ଙ୍କ କଥିତ ‘‘ବ୍ଲଡ଼୍‍, ଇମୋସନ୍‌ ଏନ୍‌ଡ଼୍‌ ଇଣ୍ଟେଲେକ୍‌ଟ ଅଲ୍‌ ରନିଂ ଟୁଗେଦର୍‌’’ । ଯଦି କବି ସଚେତନ ଭାବେ ଏ ଭଳି ଧାରଣାର ବଶବର୍ତ୍ତୀ ତା’ ହେଲେ ବିରାଟ କାବ୍ୟ-ସାଗର ମଝିରେ ‘ଦ୍ୱୀପ’ ଟିଏ ଭଳି ଆଙ୍କି ହୋଇ ରହିଯିବା ‘ପଣ’ର ସମୁଦାୟ ପ୍ରୟୋଗ ତାଙ୍କ କବିତାମାନଙ୍କରେ ଘଟିଛି ବୋଲି ବୁଝିବାକୁ ହେବ । କବି ତାଙ୍କ କବିତାମାନଙ୍କରେ ଅନାବଶ୍ୟକ ଭାବେ ଶବ୍‌ଦବହୁଳତାକୁ ପ୍ରଶ୍ରୟ ଦେଇ ନାହାନ୍ତି । ଏମାନେ ଯଦିଓ ସାଧାରଣ ଭାବେ ବର୍ଣ୍ଣାଢ଼୍ୟ ଓ ଆଳଂକାରିକ ଦିଶୁଛନ୍ତି, ତଥାପି ସେମାନେ ଅବାସ୍ତବ ଅଯୌକ୍ତିକ ସ୍ତରରେ ରହି ପାଠକ ପାଠିକାଙ୍କୁ ଭୟଭୀତ କରୁନାହାନ୍ତି । ଏକଥା ସତ କବି ସଚ୍ଚି ରାଉତରାୟ, ଅନନ୍ତ ପଟ୍ଟନାୟକ, ମନମୋହନ ମିଶ୍ର, ରବି ସିଂଙ୍କ ଭଳି ସାମାଜିକ ପ୍ରତିବଦ୍ଧତାକୁ ଆଖିଆଗରେ ରଖି କବି କଲମ ଧରିନାହାନ୍ତି । ତା’ ହୋଇଥିଲେ ସିଏ ସାଧାରଣ ମେହନତି ମଣିଷ ଯଥା ଶ୍ରମିକ, କୃଷକ ଖଟିଖିଆଙ୍କ ପାଇଁ ଆହୁରି ଉଦ୍ଦୀପନାମୟ ଓ ଔଜଲ୍ୟମୟ ଜଣାପଡ଼ିଥାନ୍ତେ । ସାମାଜିକ ଦୈନ୍ୟ, ବିଶୃଙ୍ଖଳା ତଥା ବୈଷମ୍ୟକୁ କବି ପ୍ରାଥମିକତା ଦେଇ ନାହାନ୍ତି-। ତେଣୁ ତାଙ୍କ ପାଖରେ ସେଇ ଆଦର୍ଶର କଠୋରତା ତଥା ଶାବ୍ଦିକ ସ୍ଫୁଲିଙ୍ଗର ଅଭାବ ରହିଛି ନିଶ୍ଚୟ । ମନେହୁଏ, ସେ ଯେମିତି ଉର୍ଦ୍ଧ୍ୱାୟନ ହେଇ ଆକାଶରୁ ମହାକାଶ ଚକ୍ରବାଳଠୁ ମହାଚକ୍ରବାଳ ଆଡ଼କୁ କ୍ଷେପି ଯାଇଛନ୍ତି । କିନ୍ତୁ ମାଟି ଦେହର ସାଲୁବାଲୁ ମଣିଷ ପାଇଁ ତାଙ୍କ କଲମକୁ ଅଦେଖା କରି ରଖିଛନ୍ତି ।

 

କବି ପିଲାବେଳେ ପରାଧୀନ ଭାରତ ବର୍ଷ ତଥା ଓଡ଼ିଶାକୁ ଯେଉଁ ଭାବରେ ଦେଖିଛନ୍ତି, ତାହା ତାଙ୍କ ସମାଲୋଚନା ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ତାଙ୍କ ଭାଷାରେ ‘‘କର୍ମସିଦ୍ଧ ପାଇଁ ଜାଦୁମନ୍ତ୍ର ଯେ ଆଧିଭୌତିକ ଶକ୍ତି ସଂପନ୍ନ ଏ ବିଶ୍ଵାସ ସେମାନଙ୍କର ଥିଲା । ସୁନ୍ଦରଗଡ଼ ତାଙ୍କ ଜନ୍ମମାଟି ସେଠାରେ ଯେଉଁ ଗୁଣୀମନ୍ତ୍ର ପ୍ରଚଳିତ ଥିଲା, ତାହାକୁ ସେ ଯଥାଯଥ ଉଲ୍ଲେଖ କରିଛନ୍ତି ।’’ ‘‘ରିଝା ରିଝା ବୋଲି କାହାର ଆଜ୍ଞା, ବୁଙ୍ଗା ପରବତର ମାଉଲିର ଆଜ୍ଞା’’ ଇତ୍ୟାଦି । ‘ମାଉଲି’ ଦେବୀ ରୂପରେ ପ୍ରକଟିତ କହିବାର କଥା ହେଉଛି ପରାଧୀନ ଭାରତ ବର୍ଷରେ ସ୍କୁଲ, କଲେଜର ସଂଖ୍ୟାନ୍ୟୁନ ପରିସ୍ଥିତି, ଜ୍ଞାନର ଆଶାହୀନ ବିକାଶ, ବିଜ୍ଞାନ ଭିତ୍ତିକ ଚିନ୍ତାଧାରାକୁ ନିର୍ମମ ଭାବରେ ପ୍ରତିହତ କରୁଥିଲା । ବିଶେଷତଃ ଗାଆଁ ଗହଳିକୁ ଛାଇ ଯାଇଥିଲା ଅଯୁକ୍ତି, ଅବୈଜ୍ଞାନିକ ପଦ୍ଧତିର ଲୋକଗୀତ, କାହାଣୀ । ଡାଙ୍କୁଣୀ, ପେତିନୀ କେଉଁ ତେନ୍ତୁଳି ଗଛ ଡାଳରେ ବସାବାନ୍ଧିଛି, ଡାଆଣୀ କେମିତି ରାତିରେ ଆଲୁଅ ଧରି ବାହାରେ ବୁଲୁଛି ଅଖାଦ୍ୟ ଯଥା ପଚାଶବ ଖାଇବାକୁ । ଏଭଳି ଭୟାର୍ତ ଓ ଅବିଶ୍ଵାସର କାହାଣୀରେ ଗୁଂଜରିତ ହେଇ ଉଠୁଥିଲା ବୁଢ଼ୀମାର କାହାଣୀମାଳା । କବି ନିଜେ ସ୍ଵୀକାର କରିଛନ୍ତି କେମିତି ଯାଦୁବିଦ୍ୟା ତାଙ୍କ ପ୍ରାଗ୍‌ ଯୌବନର କବିତାମାନଙ୍କୁ କବଳିତ କରି ରଖିଛି । ଯଥା: ‘‘ଜାଳି ଦେଇଗଲ ଯେ ସାତ ତାରାର ଦୀପ, ମଣିମିନାରର ଚୂଳେ, ସେ ଦ୍ଵୀପର ଛାୟା ଛୁଏଁ ଆସି ଏଇ ନିର୍ଜନ ଦ୍ଵୀପ କୂଳେ’’ । କ୍ଷୁଧାର୍ତ୍ତ ଆତଙ୍କ ଗ୍ରସ୍ତ ଅସଭ୍ୟଗଣ ଯେପରି ଉଦ୍ଧାମ ନୃତ୍ୟ ଦ୍ଵାରା ଋଢ଼ ଓ ନିର୍ମମ ବାସ୍ତବତାକୁ ମାୟାଜାଲ ଦ୍ଵାରା ଆଚ୍ଛନ୍ନ କରି ମାନସିକ ଭାରସାମ୍ୟ ରକ୍ଷା କରୁଥିଲେ । ଏଠାରେ ଏକ ନିର୍ଜନ ଦ୍ୱୀପରେ ନିର୍ବାସିତ ଉଗ୍ନପୋତରୁ ଉଦ୍‌ବୃତ୍ତ ନାବିକ ଏକ ସଙ୍ଗରେ ପ୍ରେମ, ମୃତ୍ୟୁ ଓ ଗାନର ପଦଧ୍ୱନି ଶୁଣିବାକୁ ପାଇ ସ୍ଥୈର୍ଯ୍ୟ ଓ ଅମରତ୍ଵ କାମନା କରୁଛି’ । ୧୬

 

୧୬ ‘କବିତା ପରମେଶ୍ଵରୀ’ ଲେ. ବିନୋଦ ଚନ୍ଦ୍ର ନାୟକ ପୃ.୨୦

 

‘ଶବ୍ଦ’ ଉପରେ କବିଙ୍କ ମତାମତ ଯାହା ଏହି ସମାଲୋଚନା ପୁସ୍ତିକାରେ ଲିପିବଦ୍ଧ ତା’ହେଲା, ‘‘ପ୍ରକୃତ ପକ୍ଷେ କବିଙ୍କର ଶବ୍ଦ ଚୟନର ସ୍ୱାଧୀନତା ପ୍ରତିହତ ହୁଏ ଏକମାତ୍ର ତାଙ୍କର ଭାବ ଦ୍ଵାରା । ସେ ଯେ କୌଣସି ଶବ୍ଦ ଗ୍ରହଣ କରିପାରନ୍ତି କିନ୍ତୁ ଶବ୍ଦଟି ହୃଦୟ ଆବେଗର ପ୍ରକ୍ଷେପ ପାଇଁ ଆଧାର ରୂପୀ ହେବା ବିଧେୟ । ଯାହା ସାଧାରଣର ସାମଗ୍ରୀ ସେ ତାହା ଆତ୍ମସାତ୍‌ କରି ତାହା ଉପରେ ଏକ ବିଶେଷ ବ୍ୟକ୍ତିଗତ ଅର୍ଥ ଆରୋପ କରିଦିଅନ୍ତି ।’’ ପୁନଶ୍ଚ କବି କହିଛନ୍ତି ଆଧୁନିକ କବି ମଧ୍ୟ ପ୍ରେରଣା ଲାଭର ମାହେନ୍ଦ୍ରକ୍ଷଣରେ ପ୍ରକୃତିର ହୃତ୍‌ସ୍ପନ୍ଦନ ଉପଲବ୍‌ଧି କରିପାରନ୍ତି । ସେତେବେଳେ ତାଙ୍କର ଦୃଷ୍ଟିଭଙ୍ଗୀ ହୁଏ ‘ମିଥ୍‌ ଏପିକ୍‌’-ଅତି କଥାର ଭାବରେ ସେ ବିଭୋର୍‌ ହୋଇପଡ଼ନ୍ତି ।

 

ଏହା ହିଁ ଅତିକଥାର ଆଧୁନିକ ସଂସ୍କରଣ । ବର୍ତ୍ତମାନ ‘ମିଥ୍‌’ ବା ଅତିକଥାର ଅଭିଧାନିକ ଅର୍ଥ ହେଉଛି ‘ଅତି ପ୍ରାକୃତିକ ଘଟଣା ସମ୍ବଳିତ କାଳ୍ପନିକ କାହାଣୀ’ ।୧୭ ‘ସରୀସୃପ’ ସଂକଳନର ‘ସାପଦେଖା’ କବିତାରେ ସେ ଏଇଟା ଉଦାହରଣ ଦେଇଛନ୍ତି ଯଥା: ‘ମୁଁ ତାରେ ଦେଖିଲି ନୀଳକଣ୍ଠ ଗଳ ଲଗ୍ନ ଉର୍ଦ୍ଧ୍ୱେ ଧୂମକେତୁ ସ୍ପର୍ଦ୍ଧା ପିଙ୍ଗଳାର ଜଟ’ । ପରମ୍ପରାକୁ ମାନ୍ୟତା ଦେଉଥିବା କବିଙ୍କ ମଧ୍ୟରେ ବିନୋଦ ଚନ୍ଦ୍ରଙ୍କ ଭଳି ଅନେକ ସ୍ରଷ୍ଟା ଅଛନ୍ତି । ବିଶିଷ୍ଟ କବି ଏଲିୟଟଙ୍କ ଭାଷାରେ ‘Tradition is not dead load which we drag along with us, and which in our youthful desire for freedom we seek to throw off. It is the soil in which the seeds of coming harvest are to be sown, and from which future harvests will be garnered. ପରମ୍ପରା ଏକ ମୃତ ବୋଝ ନୁହେ, ଯାହାକୁ ଆମେ ଆମସହିତ ଟାଣିଟାଣି ନେଉ । ଆମ ତାରୁଣ୍ୟର ଇପ୍‌ସିତ ମୁକ୍ତି ପାଇଁ ଆମେ ଏହାକୁ ଫିଙ୍ଗିଦେବାକୁ ଚାହୁଁନା । ଏହା ହେଉଛି ମାଟି, ଯା ଦେହରେ ଆଗାମୀର ଅମଳ ସକାଶେ ଆମେ ମଂଜି ପୋତିବାକୁ ଚାହୁଁ, ଯେଉଁଠୁ ଭବିଷ୍ୟତର ଅମଳକୁ ନେଇ ଶସ୍ୟାଗାରରେ ରଖିହେବ । କବି ଏହି ଉପଲକ୍ଷେ ‘ନଭଶ୍ଚର ଗରୁଡ଼ ଓ ପାତାଳବାସୀ ନାଗଙ୍କ ଦ୍ୱନ୍ଦ୍ୱ ଚିରନ୍ତନ- ଗରୁଡ଼ ଆକାଶୀ ବସ୍ତୁନିଚୟର ନିୟନ୍ତା ଓ ସୂର୍ଯ୍ୟ ଆଲୋକର ପ୍ରତୀକ-ଯେଉଁ ଜଳ ପ୍ରବାହ ଭୂମିକୁ ଉର୍ବର କରେ ସେ ହିଁ ନାଗ’ ବୋଲି କହିଛନ୍ତି ।

 

୧୭. ତତ୍ରୈବ-ପୃଷ୍ଠା-୨୫ ‘ନୋବେଲ୍‌ ବକ୍ତୃତା,

 

ସଂସ୍କୃତ କାବ୍ୟ ଉପରେ କବି ନିଜର ମନ୍ତବ୍ୟ ଦେବାକୁ ଯାଇ କହିଛନ୍ତି ‘‘କାବ୍ୟ ରଚୟିତାମାନଙ୍କର ବକ୍ରୋକ୍ତି, ଅନୁପ୍ରାସ, ସମଧ୍ଵନି ବିଶିଷ୍ଟ ସ୍ଵରବର୍ଣ୍ଣ, ଦୀର୍ଘ ସମାସ ବଦ୍ଧ ପଦ ଇତ୍ୟାଦି ପ୍ରତି ଅତି ଅନୁରକ୍ତି କାବ୍ୟର ଦୁର୍ବଳତା ରୂପେ ପ୍ରତିଭାତ ହେଉଥିଲା । କାରଣ ଭାଷାର ଅସ୍ଵାଚ୍ଛନ୍ଦ୍ୟ ଏବଂ ଭାଷା ଓ ଭାବ ମଧ୍ୟରେ ଆନ୍ତ୍ୟରଙ୍ଗ ବିହୀନତା । ୧୯୪୮’ ଆଙ୍ଗିକ ଅଳଂକାରଣ ପ୍ରତି ବୁଦ୍ଧିର ବିଶେଷ ପ୍ରୟୋଗ ଚେଷ୍ଟା ଦ୍ୱାରା କବି ଆବେଗହୀନ ହେବା ସ୍ଵାଭାବିକ ଏବଂ କବିତା ଶୁଭଂକରୀର ସୂତ୍ର ଅନୁଯାୟୀ ବୁଦ୍ଧିଗ୍ରାହ୍ୟ ହେବା ବାଧ୍ୟ । ୧୮

 

୧୮. କବିତା ପରମେଶ୍ୱରୀ ଲେ.ବିନୋଦ ଚନ୍ଦ୍ର ନାୟକ ପୃ ୩୫

 

କିନ୍ତୁ ଅନ୍ୟ ସମସ୍ତ ଚିନ୍ତାଧାରା ଭଳି କବି ଏହାକୁ ସଂପୂର୍ଣ୍ଣ ସତ୍ୟ ବୋଲି କହିବାକୁ ଚାହିଁନାହାନ୍ତି । ତାଙ୍କ ଭାଷାରେ ‘‘ତେବେ ଏହି ମତଟି ସମସ୍ତ କବିଙ୍କ ଉପରେ ସମଗ୍ର ଭାବରେ ହୁଏତ ପ୍ରଯୁଜ୍ୟ ନୁହେ ।’’

 

କବି କବିତାରେ ‘ନୀତି ଶିକ୍ଷା’ ବିଷୟ ଉଲ୍ଲେଖ କରିଛନ୍ତି । ସେ ଏଭଳି ସାହିତ୍ୟକୁ ବେଦମନ୍ତ୍ର ଗୌରବ ପ୍ରଦାନ କରିବାକୁ ଚାହିଁଛନ୍ତି । ସାଧାରଣ ଲୋକମୁଖରେ ପ୍ରଚଳିତ ‘ଲୋକଗୀତ’କୁ ସିଏ ଆଣି ଥୋଇଛନ୍ତି ତାଙ୍କ ସମାଲୋଚନା ଗ୍ରନ୍ଥରେ । ଏହା ସାଧାରଣତଃ ସୁନ୍ଦରଗଡ଼ରେ ପ୍ରଚଳିତ:

 

ଢୋଲ୍‌ ବାଜୁଅଛେ ମୁହୁରୀ ବାଜୁଛେ

ଗଉରୀର ଆଏଜ୍‌ ବିହାଘର୍‌

ବେଦୀଥି ବସିଛେ ବୁଢ଼ାବର୍‌ ୧୯

 

୧୯. ତତ୍ରୈବ ପୃଷ୍ଠା ୪୬

 

‘‘ଅଷ୍ଟବର୍ଷାତ୍‌ ଭବେତ୍‌ ଗୌରୀ ନବ ବର୍ଷା ଚ ରୋହିଣୀ’’- ଅର୍ଥାତ୍‌ ଆଠ ବର୍ଷ ପୂରିଗଲା କ୍ଷଣି ଝିଅକୁ ବିଭାକରି ଦେବା ବିଧି ଯିଏ ବେଶୀ ବିତ୍ତ ଦେଇପାରିଲା ସେଇ ବୁଢ଼ାକୁ । କବି ଏହାରି ତୁଳନାତ୍ମକ ବିଶ୍ଳେଷଣ କରିବାକୁ ଯାଇ ବଚ୍ଛା ଦାସଙ୍କ ପ୍ରଣୀତ ‘କଳସା ଚଉତିଶା’ରୁ ଉଧୃତି ଆଣି କହିଛନ୍ତି, ପାଟଘେନି ମାଣିକ୍ୟ ମୁକୁତା ଗୁନ୍ଥା ନାହିଁ, ପୋଡୁ ପୋଡ଼ୁ ଜୀବନ ପବିତ୍ର ରାଜା ହୋଇ, ପିଅର ଜନନୀ ତୁମ୍ଭ ଜୀବନ ଧିକ୍‌ ତ, ପାକୁଆ ବୁଢ଼ାକୁ ଦେଇ ଘେନି ଲୋଡ଼ି ବିତ୍ତ । କବି ଯଥାର୍ଥରେ ନୀତି ବାଗିଶ । ସେ କୌଣସି ସାମାଜିକ ଔଦ୍ଧତ୍ୟ । ଅଘଟଣକୁ ପସନ୍ଦ କରନ୍ତି ନାହିଁ । ଏକ ସୁସ୍ଥ ସମାଜ ଜୀବନ ଯେଉଁଠି ଶିଶୁ ତଥା କିଶୋର କିଶୋରୀଠୁ ବୟସ୍କ ପୌଢ଼ ଯାଏ ଅପରର ଦୌରାତ୍ମ୍ୟ, ଶୋଷଣ ବିନା ଆରାମରେ ବଞ୍ଚି ପାରିବେ, ସେଇ କଥାକୁ ପ୍ରାଥମିକତା ଦେଇ ସମାଲୋଚନାତ୍ମକ ପ୍ରବନ୍ଧ ଲେଖିଛନ୍ତି ।

 

ସୃଜନ ପଦ୍ଧତି ଉପରେ କବିଙ୍କ ଅନ୍ୟ ଏକ ବକ୍ତବ୍ୟ ହେଲା ‘‘ଜଳରେ ପ୍ରସ୍ତରଖଣ୍ଡ ପଡ଼ିଲେ ଯେପରି ଆବର୍ତ୍ତ ପରେ ଆବର୍ତ୍ତ ଦେଖାଦିଏ, ସେହିପରି ବିଷୟ ସଂଜାତ ଗୋଟିଏ ଆବେଗରୁ ଅନ୍ୟ ଆବେଗ ସଂଚାର ହୁଏ । ଏ ସମସ୍ତ ଆବେଗ କବିତାର ଉପାଦାନ ଏବଂ ଅନେକ କ୍ଷେତ୍ରରେ ଏ ସମସ୍ତ ବିଚ୍ଛିନ୍ନ ଓ ବିଷସଦୃଶ । ନିର୍ବିଚାରରେ କବି ସବୁ ଗ୍ରହଣ କରିପାରନ୍ତି ନାହିଁ ।’’ ୨୦

 

୨୦. ତତ୍ରୈବ ପୃଷ୍ଠା ୯୩

 

ଭାବ-ପ୍ରକାଶ ସହିତ କବି ବ୍ୟକ୍ତିତ୍ୱର ସ୍ଫୁରଣକୁ କବି କେଉଁ ଦୃଷ୍ଟିରେ ଦେଖିଛନ୍ତି ତାହାରି ପରି ପ୍ରକାଶ ନିମ୍ନୋକ୍ତ ପରିଚ୍ଛେଦରୁ ।

 

ପ୍ରାତ୍ୟହିକ ଜୀବନରେ ପ୍ରତି ମୁହୂର୍ତ୍ତରେ ମନୁଷ୍ୟ ହୃଦୟ ସ୍ପନ୍ଦିତ ହେଉଛି ଦ୍ୱନ୍ଦ୍ୱ, ଶୋକ, ଘୃଣା, ପ୍ରେମ, ହତାଶା ପ୍ରଭୃତି ଆବେଗ ଦ୍ୱାରା । କିନ୍ତୁ କାବ୍ୟରେ ଯେତେବେଳେ ଏହି ସବୁ ଆବେଗ ପ୍ରକାଶିତ ହୁଏ, ସେତେବେଳେ ସେ ସବୁର ବିସ୍ମୟକର ପରିବର୍ତ୍ତନ ଘଟେ । ରୂପାନ୍ତର ଯେ ଘଟେ ତାହାର ଗୋଟାଏ ମସ୍ତବଡ଼ ପ୍ରମାଣ ଏହା ଯେ ଶୋକ କବିତା ମଧ୍ୟ ଆମକୁ ଆନନ୍ଦ ଦାନ କରେ ।’’ ୨୧

 

୨୧. ତତ୍ରୈବ ପୃଷ୍ଠା ୧୧୬

 

ଭାବ ପ୍ରକାଶ ଉପରେ କବିଙ୍କ ମତ ହେଲା: ‘‘ଭାବର ଯଥାଯଥ ପ୍ରକାଶ ହେଉଛି କବିକର୍ମର ଚରିତାର୍ଥତା, କିନ୍ତୁ କବି କର୍ମ ପୂର୍ଣ୍ଣ ସାର୍ଥକତା ଲାଭ କରେ, ଯେତେବେଳେ ଏହାର ଅନ୍ତର୍ନିହିତ ଭାବଟି ପାଠକ ମନରେ ସଂଚାରିତ ହୁଏ । ‘‘କବିଙ୍କର ପ୍ରାଥମିକ ପ୍ରେରଣା ନିଶ୍ଚିତ ଭାବରେ ଆତ୍ମପ୍ରକାଶ ପାଇଁ ବ୍ୟାକୁଳତା; କିନ୍ତୁ ପରେ ଦେଖାଯାଏ ନିଜକୁ ସେ ନିଜ ପାଖରେ କେବଳ ପ୍ରକାଶ କରନ୍ତି ନାହିଁ, ଅନ୍ୟ ପାଖରେ ମଧ୍ୟ ପ୍ରକାଶ କରନ୍ତି । ମନୁଷ୍ୟର ସହଜାତ ପ୍ରବୃତ୍ତି ହେଉଛି ଅନ୍ୟ ନିକଟରେ ଆତ୍ମପ୍ରକାଶ । ଆତ୍ମ ପ୍ରକାଶର ଏହି ବାସନା ଜୈବବୃତ୍ତିର ଗୋଟିଏ ବିଶେଷ ଅଙ୍ଗ । କବି ତାଙ୍କର ଏଇ ମନୋଭାବକୁ ପ୍ରତ୍ୟକ୍ଷ ଅନୁଭୂତି ସ୍ଵରୂପ ପ୍ରକାଶ କରିଥିଲେ ସୁଦ୍ଧା ଏହାରି ପଛରେ ବିଶ୍ଵକବି ରବୀନ୍ଦ୍ରନାଥଙ୍କ ଚିନ୍ତାଧାରା ବରାବର ଉଙ୍କି ମାରୁଛି । ବିଶ୍ଵକବି ଏକଦା ଉଚ୍ଚାରିଥିଲେ–

 

ଏମନ୍‌ ଦିନେତାରେ ବଲାଯାୟ

ଏମନ୍‌ ଘନ ଘୋର ବରିଷାୟ

ଏମନ୍‌ ମେଘାମ୍ବରେ

ବାଦଲ ଝରଝରେ

ତପନ ହୀନ ଘୋର ତମସାୟ

ଦୁଧାରେ ଯେନ କେହ ନାଇଁ ଆର

ଦୁଧାରେ ବାରିଝରେ ଚାରିଧାର

ଦୁଜନେ ମୁଖୋମୁଖି ଗଭୀର

ଦୁଃଖେ ଦୁଃଖୀ

ନୟନେ ନୀରଝରେ ଅନିବାର

 

ଏହାକୁ ଫେଣେଇବାକୁ ଯାଇ ରବୀନ୍ଦ୍ରନାଥ ପୁଣି କହିଛନ୍ତି, ‘‘ପ୍ରକୃତିରେ ଆମେ ଦେଖୁଁ ବ୍ୟାପ୍ତ ହେବା ପାଇଁ, ଯାବୁଡ଼ି ଧରିବାକୁ ପ୍ରାଣୀମାନଙ୍କର ସର୍ବଦା ଗୋଟିଏ ଚେଷ୍ଟା ଚାଲିଛି । ଯେଉଁ ଜୀବ ସନ୍ତାନ ଦ୍ଵାରା ଆପଣାକୁ ଯେତେ ବହୁଗୁଣିତ କରି ଯେତେ ଅଧିକ ଜାଗା ଦଖଲ କରିପାରେ, ତାହାର ଜୀବନର ଅଧିକାର ସେତେ ବେଶୀ ବଢ଼ିଯାଏ । ନିଜର ଅସ୍ତିତ୍ୱକୁ ସେ ସେତେ ଅଧିକା ସତ୍ୟ କରିଦିଏ’’ । (ସାହିତ୍ୟ ରବୀନ୍ଦ୍ରନାଥ) ୨୨

 

୨୨. ତତ୍ରୈବ ପୃଷ୍ଠା ୧୦୧

 

କବି ଆତ୍ମକୈନ୍ଦ୍ରିକତାକୁ ନାପସନ୍ଦ କରିଛନ୍ତି । ବିଶ୍ଵଜନୀନ ଭାବ ପ୍ରତିବଦଳରେ ନିଜ ପାଇଁ ଭାବବିହ୍ୱଳ ହୋଇରହିଲେ ତାହା ପାଠକ ମନରେ ରେଖାପାତ କରିପାରେ ନାହିଁ ଏହା ତାଙ୍କର ସ୍ପଷ୍ଟ ମତ । କବି ଅନ୍ୟ ଏକ ପ୍ରସଙ୍ଗରେ କହିଛନ୍ତି, ‘‘ସାମାଜିକ ଦାୟ ନେଇ ରଚିତ କବିତା ପ୍ରୋପାଗଣ୍ଡା ବା ପ୍ରଚାରଧର୍ମୀ ହୋଇଯିବାର ଭୟ ରହିଛି ।

 

ମୋଟ କଥା ବ୍ୟକ୍ତିଚେତନା ଅଥବା ସମାଜ ଚେତନା କୌଣସିଟିକୁ ବେଶୀ ପ୍ରଶ୍ରୟ ଦେବା ଉଚିତ ନୁହେଁ ।’’ ତେବେ ଏଠି କବିଙ୍କ ଉକ୍ତିକୁ ପ୍ରାଧାନ୍ୟ ଦେବା ସମୀଚୀନ ମନେ କରୁନାହିଁ । କାରଣ ଆମେ ଯଦି ବୈଦିକ ସମଷ୍ଟିଗତ ସମାଜର ବାସିନ୍ଦା ହୋଇଥାନ୍ତୁ, ତା’ହେଲେ ଆମର ଏ ଭଳି କାମନାର କିଛିଟା ଅର୍ଥ ରହିଥାନ୍ତା । ଆମେ କିନ୍ତୁ ଏ ଭଳି ସମାଜରେ ବାସ କରୁଛୁ ଯେଉଁଠି ଜଣେ ଶ୍ରମଜୀବି କିମ୍ବା କର୍ମଜୀବି ଓ ଉତ୍ପାଦନକୁ ହାତେଇଥିବା ଆଉ ଜଣେ ଧନାଢ଼୍ୟ ବ୍ୟକ୍ତି ମଧ୍ୟରେ ଯଥେଷ୍ଟ ଫରକ ଅଛି । ସମାଜରେ ବ୍ୟକ୍ତିଗତ ଧନର ବିକାଶ ସାଙ୍ଗକୁ ଜଣେ ମଣିଷର ବ୍ୟକ୍ତିତ୍ଵ ମଧ୍ୟ ଉର୍ଦ୍ଧ୍ୱାୟିତ ହେବାରେ ଲାଗିଛି କାରଣ ପୁଞ୍ଜି ବଜାରର ମୁନାଫା ତାକୁ ସାଧାରଣ ମଣିଷ ମାନଙ୍କୁ ପିଗ୍‌ମୀ ଭଳି ଦେଖିବା ପାଇଁ ପ୍ରୋତ୍ସାହିତ କରୁଛି । ପ୍ରାବଂଧିକ ଗୁରୁଚରଣ ପଟ୍ଟନାୟକଙ୍କ ଭାଷାରେ ‘‘ଉପାସ୍ୟ ଉପାସକଙ୍କ ଦ୍ଵାରା ନିୟନ୍ତ୍ରିତ । ଉପାସକ ନିଜର ଆବଶ୍ୟକତା ଅନୁସାରେ ତିଆରି କରେ ତା’ର ଉପାସ୍ୟ’’ । ଏପରିକି ଦେବତାମାନେ ସୃଷ୍ଟି ପରେ ଆସିଛନ୍ତି’’ । ୨୩

 

୨୩. ଜଗତ ଦର୍ଶନରେ ଜଗନ୍ନାଥ ଲେ. ଗୁରୁଚରଣ ପଟ୍ଟନାୟକ ପ୍ର.ପ୍ରିୟଦର୍ଶୀ, ୧୯୯୭ ପୃ.୪୬

 

ଧର୍ମ କହନ୍ତୁ କିମ୍ୱା ସାଂସ୍କୃତିକ ପଦାବଳୀ କହନ୍ତୁ, ଯେତେବେଳେ ଏହା ରାଜନୈତିକ ପରିସ୍ଥିତିକୁ ନେଇ ତିଆରି ହୁଏ, ସେତେବେଳେ କବି ଜଣେ ସମାଜ ଚେତନାକୁ ଏଡ଼ାଇ ରହିପାରିବତ ? ଏଇ ପରିପ୍ରେକ୍ଷୀରେ ବଙ୍ଗଳା ଔପନ୍ୟାସିକ ଦେବେଶ ରାୟଙ୍କ ‘ଦଳିତ’ ଶୀର୍ଷକ ସମାଲୋଚନା ଗ୍ରନ୍ଥର କେଇ ଧାଡ଼ି ପ୍ରଣିଧାନ ଯୋଗ୍ୟ । ତାଙ୍କ ଭାଷାରେ ‘‘ଲେଖକ ଯଦି ଜୀବନକେ ସାମାଜିକ ଓ ବାସ୍ତବ ଦିକ୍‌ ଥେକେ ବିଶ୍ଲେଷଣ କରେନ୍‌ ତାହଲେ ଜୀବନେର୍‌ ସମସ୍ୟା ଓ ତା’ର ତୀବ୍ରତା ଏବଂ ତାର୍‌ ବିରୁଦ୍ଧେ ସଂଗ୍ରାମ୍‌ ସବଇ ତାଁଦେର୍‌ ଲେଖାୟ ପ୍ରସ୍ଫୁଟିତ ହବେ’’ । ମରାଠୀ କବି ଓ ସମାଲୋଚକ ଅର୍ଜୁନ ଡାଙ୍ଗଲେ ତାଙ୍କ ‘ପଏଜ୍‌ନଡ଼୍‌ ବ୍ରେଡ୍‌’ ପୁସ୍ତକରେ ଲେଖିଛନ୍ତି, ‘The caste system in India was based on exploitation. An exploiting system always adheres to the philosophy or system which is most favorable to it, while other systems are either destroyed or corrupted. ୨୪ ଭାରତବର୍ଷର ଜାତିପ୍ରଥା ଶୋଷଣର ଭିତ୍ତିକୁ ନେଇ । ଶୋଷଣ ବ୍ୟବସ୍ଥା ସର୍ବଦା ସେଇ ଦର୍ଶନ ତଥା ପ୍ରଣାଳୀକୁ ଅନୁକରଣ କରେ ଯାହା ତା’ ପାଇଁ ଅନୁକୂଳ ଏବଂ ଅନ୍ୟ ବ୍ୟବସ୍ଥାମାନଙ୍କୁ ନଷ୍ଟ କିମ୍ବା ଭ୍ରଷ୍ଟ କରିଦିଏ । ଏହି ମର୍ମରେ ଦାର୍ଶନିକ୍‌ ତଥା ଲେଖକ ଜାଁ ପଲ୍‌ ସାର୍ତଙ୍କ ଉକ୍ତିଟିଏ ମନେପଡ଼େ । ତାହା ହେଲା–

 

୨୪. ‘‘ପଏଜନ୍‌ତ ବ୍ରେଡ଼’’ ଇଂ.ଅର୍ଜ୍ଜୁନ ଡାଙ୍ଗଲେ ପୃ.XXI

 

‘‘writting is not simply writing, it is an act, and in man’s continual fight against evil, writing must be deliberately used as a weapon. It is necessary that he understands this.’’୨୫

 

୨୫. ତତ୍ରୈବ ପୃ ୩୨୪

 

ଲେଖା ଖାଲି ସାଧାରଣ ଲେଖିବା ନୁହେଁ । ଏହା ଏକ କର୍ମ । ମଣିଷର ମନ୍ଦ ବିରୁଦ୍ଧରେ ଅବିରତ ଲଢ଼େଇ, ଲେଖା ନିଶ୍ଚିତ ରୂପେ ସ୍ଥିରଚିନ୍ତାରେ ଆୟୁଧ ଭଳି ବ୍ୟବହୃତ ହେବା ବିଧେୟ । ଏଇଟା ଦରକାର ଯେ ଲେଖକ ଏହା ଜାଣୁ । ଅବଶ୍ୟ କବି ଅନ୍ୟ ଏକ ପ୍ରସଙ୍ଗରେ ନିଜସ୍ଵ ଅବତାରଣା ଦେଇ କହିଛନ୍ତି: ‘କୌଣସି କବି ବସ୍ତୁ ଜଗତରୁ ନିଜକୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରି ତାଙ୍କର ନିଭୃତ ଚିନ୍ତା ଲୋକରେ ବିହାର କରିପାରନ୍ତି ନାହିଁ । ସୁଖଦୁଃଖର ଦୁନିଆଁ ହିଁ ତାଙ୍କର ପ୍ରଧାନ ଆଶ୍ରୟ । ଏଇ ଧୂଳିମାଟି ଉପରେ ଜୀବନର ଯେଉଁ ବିଚିତ୍ର ଲୀଳା ଚାଲିଛି, ଗୋଟିଏ ବିଶେଷ ମୁହୂର୍ତ୍ତରେ ତାହାର ଆକସ୍ମିକ ପ୍ରତିଫଳନ ହୁଏ, ତାଙ୍କର ଅନ୍ତସ୍ଥଳରେ’ । ୨୬

 

୨୬. କବିତା ପରମେଶ୍ଵରୀ ପୃ ୮୭

 

ଆମେ ଜାଣୁ, ମଧ୍ୟବିତ୍ତ ଶ୍ରେଣୀ କେଉଁଭଳି ଲକ୍ଷ୍ୟହୀନ ଅବତାରଣା ନେଇ ସଂସାର ସମୁଦ୍ରରେ ନିଜ ବୋଇତକୁ ଭସାଇ ଦିଅନ୍ତି । ଯିଏ ଇଚ୍ଛା ସିଏ ତା’ର ମଙ୍ଗ ଧରିବାରେ କୌଣସି ବାଚ୍ଛବିଚାର ନାହିଁ । ଔପନିବେଶିକତା ଭିତରେ ଡୁବିଥିବା ଭାରତବର୍ଷ ଯେଉଁ ଆଦର୍ଶ ତଥା ଭାବବାଦକୁ ଅନୁସରଣ କରିବାକୁ ତା’ରି ଛାତ୍ର ତଥା ବୁଦ୍ଧିଜୀବୀ ମାନଙ୍କୁ ବିଶ୍ଵବିଦ୍ୟାଳୟ ସିଲାବସ୍‌ ମାଧ୍ୟମରେ ଉପଦେଶ ଦେଲା, ତାହା ଥିଲା ଶିଳ୍ପ ବିପ୍ଳବ ଓ ବିଶ୍ୱଯୁଦ୍ଧର ପରିଣାମ ଭୋଗୁଥିବା ୟୁରୋପୀୟ ଭୂଖଣ୍ଡ ଓ ତହିଁର ଅଧିବାସୀଙ୍କ ମାନସିକତା । ଜଣେ ୟୁରୋପୀୟ ବସ୍ତୁବାଦୀ ଜଗତର ପ୍ରଭୂତ ଆବଶ୍ୟକତା ପୂରଣ କରିସାରିଲାପରେ ହୁଏତ ଚନ୍ଦ୍ରଟିକୁ କିମ୍ବା ତାରାଟିକୁ ଦେଖି କୁରୁଳି ପାରେ, କିନ୍ତୁ ସେଇ କୁରୁଳାଭାବ ରାତ୍ରି ଅନିଦ୍ରା ହୋଇ ଖଟୁଥିବା ଜଣେ ରାସ୍ତା କଡ଼ ହୋଟେଲ୍‌ ବୟ ପାଇଁ ଏକ ବିଡ଼ମ୍ବନା ଛଡ଼ା ଆଉ କ’ଣ ହୋଇପାରେ ? ଶାରୀରିକ ଓ ମାନସିକ ପରିଶ୍ରମ ମଧ୍ୟରେ ଗୋଟିକୁ ବହୁଧା ମୂଲ୍ୟବାନ ଓ ଅନ୍ୟଟି ଅପେକ୍ଷାକୃତ ଯଥେଷ୍ଟ ମୂଲ୍ୟହୀନ ବୋଲି ଯେଉଁ ଶାସକ ବର୍ଗ ଶତାବ୍ଦୀ ଶତାବ୍ଦୀ ଧରି ଶାସନ ମାଧ୍ୟମରେ ଦେଖାଇ ଆସିଛନ୍ତି, ସେଇ ବିଖଣ୍ଡିତ ଆବେଗକୁ ମାନବବାଦର ପ୍ରମତ୍ତ ଝଂକାର ବୋଲି କହିଲେ ସୁଦ୍ଧା ସାଧାରଣ ଶ୍ରମଜୀବୀ ବନାମ ପାଠକ ତଥା ରସପିପାସୁ ପାଇଁ ଯେ ତାହା ବେଶ୍‌ ନୀରସ ଓ ତାତ୍ପର୍ଯ୍ୟହୀନ ଏହା ବୁଝିବାକୁ ଭାରତୀୟ ବୁଦ୍ଧିଜୀବୀଙ୍କୁ ବୋଧେ ଆଉ ବେଶୀ ଉଦାହରଣ ଦରକାର ପଡ଼ିବ ନାହଁ । ଏଠି ଗୋଟିଏ ଉଦାହରଣ ପ୍ରାସଙ୍ଗିକ ହେବ । ‘‘ବିନା ଆବଶ୍ୟକତାରେ ମଣିଷ କିଛି ସୃଷ୍ଟିକରେ ନାହିଁ କି ଗ୍ରହଣ କରିବାକୁ ବି ଯାଏ ନାହିଁ । ପ୍ରତ୍ୟକ୍ଷ ଭାବେ ବା ପରୋକ୍ଷ ଭାବେ ପ୍ରତ୍ୟେକଟି ଅଗ୍ରଗତି ଉତ୍ପାଦନର ବିକାଶ ସହିତ ସଂପୃକ୍ତ । କାରଣ, ତାହା ହିଁ ମଣିଷର ବଞ୍ଚିବା ଓ ବଢ଼ିବାର ଉପାୟ ।’’ ୨୭

 

୨୭. ଜଗତ ଦର୍ଶନରେ ଜଗନାଥ ଲେ: ଗୁରୁଚରଣ ପଟ୍ଟନାୟକ ପୃଷା ୭୭

 

ସମାଲୋଚକ ଭୂମିକାରେ ଅବତୀର୍ଣ୍ଣ ବିନୋଦ ଚନ୍ଦ୍ର ତାଙ୍କ ‘ସର୍‌ରିୟାଲିଜମ୍‌ ଓ କବିତା’ ଶୀର୍ଷକରେ କହିଛନ୍ତି: ‘‘ସର୍‌ରିଆଲିଷ୍ଟମାନଙ୍କ ପ୍ରେରଣା ଫ୍ରଏଡ଼ । ସାମ୍ୟବାଦୀମାନଙ୍କ ମାର୍କସ୍‌ । ଆସିଲା ଦ୍ୱନ୍ଦମୂଳକ ବସ୍ତୁବାଦ । ସାମ୍ୟବାଦୀଗଣ କହିଲେ ଯେ ଆତ୍ମାକୁ ମୁକ୍ତି ଦେବାକୁ ହେଲେ ଅଧିକାଂଶ ମଣିଷର ଦାସତ୍ୱ ଘୁଞ୍ଚାଇବାକୁ ହେବ । ଏଥିପାଇଁ ଲୋଡ଼ା ସର୍ବହରାଙ୍କ ବିପ୍ଳବ । ସର୍‌ରିୟାଲିଷ୍ଟ୍‌ ହେଉଛନ୍ତି ବୋଧବାଦୀ, କମ୍ୟୁନିଷ୍ଟ ଯୁକ୍ତିବାଦୀ । ସର୍‌ରିଆଲିଷ୍ଟ୍‌ କହନ୍ତି ବସ୍ତୁଠାରୁ ଚିନ୍ତା ବଡ଼-ଚିନ୍ତା ଚଳାଏ, ବସ୍ତୁ ଚଳେ । ସାମ୍ୟବାଦୀ କହନ୍ତି ବସ୍ତୁହିଁ ଭିତ୍ତି ବାକିଟା ସୁପର୍‌ଷ୍ଟ୍ରକ୍‌ଚର’’ ।

 

ଏଠାରେ କଥା ଉଠେ ପୃଥିବୀରେ ସ୍ଥିତିବାଦ, ପ୍ରତୀତିବାଦ, ନୀତିବାଦ, ଅଭିବ୍ୟଂଞ୍ଜନବାଦ, ସୌନ୍ଦର୍ଯ୍ୟବାଦ ଭଳି ବହୁବାଦ ରହିଥିଲେ ସୁଦ୍ଧା କବି କାହିଁକି ଅତି ବାସ୍ତବବାଦକୁ ମାର୍କସବାଦ ସହିତ ତୁଳନାତ୍ମକ ବିଶ୍ଳେଷଣ କରିବାକୁ ଚାହିଁଛନ୍ତି ତାହା ଯଥାର୍ଥରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

 

‘କବିତା ପରମେଶ୍ୱରୀ’ରେ କବିଙ୍କ ଉପସଂହାର ଯଥା: ’ଦାଆ ହାତୁଡ଼ିର ପ୍ରତୀକ ବହନ କରି ଅସ୍ପୃଶ୍ୟତା ଉଲ୍ଲଂଘନ କରି ଫ୍ଲାବିଆନ୍‌ଙ୍କର ମୁକ୍ତିର ସ୍ଵପ୍ନ ସୃଜନ କରାଗଲା, ଏହାର ମୂଳରେ ଥିଲା ମାର୍କସ ପ୍ରଚାରିତ ଅର୍ଥନୀତି ତତ୍ତ୍ୱ, ଯାହାର ପରିଣାମ ହେଉଛି–ବସ୍ତୁବାଦ । ଅନ୍ୟ କଥାରେ ଅର୍ଥ ହିଁ ଅନର୍ଥ, ଭୋଗ୍ୟ ପଦାର୍ଥର ଉତ୍ପାଦନ, ବଣ୍ଟନ ଓ ମୁନାଫା ମଣିଷ ସମାଜକୁ ଶୋଷକ ଓ ଶୋଷିତ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରି ରଖିଛି । ଅର୍ଥଲାଭ ଜୀବନ ନୀତିକୁ ପରିଚାଳିତ କରେ-। କ୍ଷେତ ଓ କାରଖାନାରେ ସେଇଥିପାଇଁ ଭିଡ଼ ହୁଏ, ସର୍ବହରା ଜନର ସଂଖ୍ୟାଧିକ ସତ୍ତ୍ୱେ ସେମାନଙ୍କ ଜୀବନ ସଂଗ୍ରାମରେ ପରାଜୟ ହୁଏ । ପ୍ରଚଣ୍ଡ, କ୍ଷମତାଶୀଳ ସ୍ଵଳ୍ପ ସଂଖ୍ୟକ ବଣିକ ବ୍ୟକ୍ତି ନଖରାଘାତରେ ଏହି ସାଧାରଣ ବାସ୍ତୁହରା ଦଳ ଛିନ୍ନଭିନ୍ନ ହୋଇଯାନ୍ତି ।’’୨୮ ଓଝାଲ୍‌ଟ୍‌ ହୁଇଟ୍‌ମେନ୍‌ ଭଳି ଜଣେ ଐଶ୍ଵର୍ଯ୍ୟଶାଳୀ ଦେଶର ଲେଖକ ମଧ୍ୟ ଏହି ମର୍ମରେ ସମାଜ ବିଜ୍ଞାନୀଙ୍କ ସହିତ ସହମତ ହୋଇ କହି ପାରନ୍ତି :–

 

୨୮. କବିତା ପରମେଶ୍ୱରୀ ଲେ. ବିନୋଦ ଚନ୍ଦ୍ର ନାୟକ ପୃ.୨୧୯/୨୨୦ caste and class and

 

He can make every word he speaks draw blood. Whatever stagnates in the flat of custom or obedience of legislation, he never stagnates. If he breathes into anything that was before thought small it dilates with the grandeur and life of the universe.

 

ସେ କହୁଥିବା ପ୍ରତିଟି ଶବ୍ଦ ରକ୍ତ ଟାଣୁଥିବାର ତିଆରି କରିପାରେ । ଯାହା କିଛି ନୀରସ ରୀତି କିମ୍ବା ବିଧାନ ବ୍ୟବସ୍ଥାର ଆଜ୍ଞାନୁବର୍ତ୍ତୀ ହୋଇ ନିଶ୍ଚଳ ହୋଇ ପାରେ କିନ୍ତୁ ସିଏ ନିଶ୍ଚଳ ହୁଏ ନାହିଁ । ଯାହା ଆଗରୁ ସାମାନ୍ୟ ବୋଲି ଭାବନାରେ ଥିଲା, ତାକୁ ପ୍ରଶ୍ଵାସକୁ ନେଇ ସେ ବିଶ୍ଵ ବ୍ରହ୍ମାଣ୍ଡର ଜୀବନ ଓ ବିଶାଳତା ପର୍ଯ୍ୟନ୍ତ ବିସ୍ତାରିତ କରିଦିଏ ।

 

ମରାଠୀ ସାହିତ୍ୟର ଏଭଳି ଅବସ୍ଥାନକୁ ଲକ୍ଷ୍ୟ ରଖି ସମାଲୋଚକ ଏମ୍‌.ଏନ୍‌. ୱାଂଖଡ଼େ କହିଛନ୍ତି :

The reason for this is that the Marathi writer's understanding of life is restricted by his birth and upbringing in a particular he is unable to come out of his own little pond. He has never seen that there is a vast world. suffering, distressed, struggling, howling world, burning with anger from within like a prairie fire. For this reason Marathi literature up to now has been artificial and false, like a paper flower.

ଏହାରି କାରଣ ହେଲା ମରାଠୀ ଲେଖକଙ୍କ ଜୀବନ ସଂପର୍କିତ ବୁଝାମଣା ତାଙ୍କ ନିର୍ଦ୍ଦିଷ୍ଟ ଜାତି, ଶ୍ରେଣୀଗତ ଜନ୍ମ ଓ ଲାଳନ କ୍ଷେତ୍ର ମଧ୍ୟରେ ସୀମାବଦ୍ଧ । ସେଇ ଛୋଟିଆ ଜଳାଶୟର ବାହାରକୁ ସିଏ ଆସିପାରନ୍ତି ନାହିଁ । ସେ କେବେ ବି ତୃଣମୟ ଅଗ୍ନିଭଳି ଦୁଃଖ, ଦୁର୍ଦ୍ଦଶା ଭରା କୋଳାହଳ ତଥା ରାଗରେ ଜଳି ଉଠୁଥିବା ଏକ ସଂଘର୍ଷମୟ ପୃଥିବୀକୁ ଦେଖିପାରି ନାହାନ୍ତି । ସେଥିପାଇଁ ଆଜିଯାକେ ମରାଠୀ ସାହିତ୍ୟ କେବଳ କୃତ୍ରିମ ଓ ମିଛ କାଗଜ ଫୁଲ ଭଳି ରହିଆସିଛି ।

ଏହା କେବଳ ମରାଠୀ ସାହିତ୍ୟ ପ୍ରତି ପ୍ରଯୁଜ୍ୟ ନୁହେଁ, ଉଣାଅଧିକେ ସାମଗ୍ରିକ ଭାବେ ଭାରତୀୟ ସାହିତ୍ୟ, ଅପରନ୍ତୁ ଓଡ଼ିଆ ସାହିତ୍ୟ ପାଇଁ ମଧ୍ୟ ପ୍ରଯୁଜ୍ୟ । ଏ କଥାକୁ ବହୁ ସାହିତ୍ୟିକ ସାଧାରଣ ଭାବେ ସ୍ଵୀକାର କରିବେ ନାହିଁ, ସତ୍ୟ କିନ୍ତୁ ଏଥିରେ ଭୁଲ୍‌ ବାହାର କରିବା ମଧ୍ୟ କଷ୍ଟକର-

କବି ବିନୋଦ ଜଣେ ପ୍ରଜ୍ଞାଶୀଳ କାବ୍ୟଶିଳ୍ପୀ । ଖାଲି ଇଂରାଜୀ ଓ ଓଡ଼ିଆ କାହିଁକି ବଙ୍ଗଳା, ହିନ୍ଦୀ ତଥା ପ୍ରାନ୍ତୀୟ ଭାରତୀୟ ଭାଷାମାନଙ୍କରେ ସୁଦ୍ଧା ତାଙ୍କର ଯଥେଷ୍ଟ ବ୍ୟୁତ୍ପତ୍ତି ଅଛି । ସମାଲୋଚନା ସାହିତ୍ୟରେ ସେ ବେଶ୍‌ ଧୂରୀଣ । ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ସମୟ ସିଏ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମୁଖପତ୍ର ‘କୋଣାର୍କ’ର ସଂପାଦନା କରିଛନ୍ତି । ଏହି ସମୟରେ ସିଏ ଶବ୍ଦାଳଂକାର, ସୃଜନ ପ୍ରକ୍ରିୟା, କବିଙ୍କ ବ୍ୟକ୍ତିତ୍ଵ ଆନନ୍ଦ, ସୌନ୍ଦର୍ଯ୍ୟ ନୈତିକତା ଠାରୁ ଆରମ୍ଭ କରି ଉପମା, ରୂପକଳ୍ପନା ଛନ୍ଦ ଓ ଛନ୍ଦସ୍ଵର ଭଳି ବହୁ ଉପାଦେୟ ଜଗତ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି । ସିଏ ଛଅ ଦଶନ୍ଧି ବ୍ୟାପି ନିରବଚ୍ଛିନ୍ନ କାବ୍ୟ-ସାଧନା କରିଛନ୍ତି । ନାନା ଶାସ୍ତ୍ର ତଥା ସାଧାରଣ ପୁସ୍ତକ ଅନୁଧ୍ୟାନ କଲାବେଳେ ସିଏ ଓଡ଼ିଆ ସାହିତ୍ୟର ପୂର୍ବସୁରୀ ସାରଳା ଦାସ, ବଛାଦାସ, ଜଗନ୍ନାଥ ଦାସ, ଅଭିମନ୍ୟୁ ସାମନ୍ତସିଂହାର, ଉପେନ୍ଦ୍ର ଭଂଜ, ଦୀନକୃଷ୍ଣ ଦାସ, ବୈଦିକ ଯୁଗ ଓ ରାମାୟଣ ତଥା ମହାଭରତ ଯୁଗ, ମଧ୍ୟଯୁଗୀୟ କାବ୍ୟ କବିତା ଠାରୁ ସତ୍ୟବାଦୀ, ସବୁଜ ଓ ଆଧୁନିକ ଯୁଗର ବହୁ କବିଙ୍କ ସୃଷ୍ଟିକର୍ମ ଉପରେ ସିଏ ଗଭୀର ମନୋନିବେଶ କରିଛନ୍ତି ।

ପ୍ରାଚୀନ ଓଡ଼ିଆ ସାହିତ୍ୟଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ନାନା ପ୍ରକାର ଅନୁଶୀଳନ ପ୍ରବାହକୁ ସିଏ ନିଜ ବିଚାରଲବ୍ଧ ଜ୍ଞାନର କଷଟିରେ ବାରମ୍ବାର ପରଖିଛନ୍ତି । ତେଣୁ କବି ଏ ଦୃଷ୍ଟିରୁ ଉଦାର ଓ ପ୍ରଗତିଶୀଳ । ରକ୍ଷଣଶୀଳ କିମ୍ୱା ପ୍ରତିକ୍ରିୟାଶୀଳ ହୋଇ ସେ କୌଣସି ‘ବାଦ’କୁ ଅସୂୟାଭାବ ପ୍ରଦର୍ଶନ ନ କରି ବରଂ ସହାନୁଭୂତି ଚିତ୍ତରେ ସବୁ ‘ବାଦ’ର ଧନାତ୍ମକ ଓ ରଣାତ୍ମକ ଉଭୟ ପାର୍ଶ୍ୱ ଗୁରୁତ୍ୱକୁ ବୁଝିବାପାଇଁ ଚେଷ୍ଟା କରିଛନ୍ତି । ସମାଲୋଚକ ଭାବେ ସେ ଯେ ବେଶ୍‌ ମହନୀୟ, ହୃଦୟଗ୍ରାହୀ ଓ ବିଶାଳ ହୃଦୟର ଅଧିକାରୀ, ଏ କଥା ତାଙ୍କୁ ପଢ଼ିଥିବା ବ୍ୟକ୍ତି ସହଜରେ ଉପଲବ୍‌ଧି କରିପାରିବେ ।

Image

 

ବିନୋଦଙ୍କ କବିତାରେ ଗ୍ରାମୀଣ ପରିଚର୍ଯ୍ୟା

 

ଦେଖିବାକୁ ଗଲେ ଆଜିକାଲି ଅଧିକାଂଶ କବି ସହରମନସ୍କ । ସହରର ହାବଭାବ ଯଥା ଉତ୍ତମ ରାସ୍ତାଘାଟ, ପାର୍କ, ରେସ୍ତୋରାଁ, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ, ପାଣିକଳ, ବିଜୁଳିବତୀର ଝଲକ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ବହୁ ମଣିଷ ଆଜି ସହରାଭିମୁଖୀ । ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ସହରକୁ ପସନ୍ଦ କରିବା, ସେଠି ଜୀବନ ବିତେଇବା ଓ ଆବଶ୍ୟକ ପଡ଼ିଲେ ଗାଆଁକୁ ଯିବା ଯେମିତି ଅଧିକାଂଶ ନାଗରିକଙ୍କ ହୃଦୟର ଭାଷା । କିନ୍ତୁ କବି ବିନୋଦ ଚନ୍ଦ୍ର ଏଥିରେ ଏକ ସାହସିକ ବ୍ୟତିକ୍ରମ । ଭୁବନେଶ୍ଵର ଭଳି ରାଜଧାନୀର ଜୀବନ ନିର୍ବାହକୁ ଛାଡ଼ି ସିଏ ଆଦରିନେଲେ ନିଜ ଚାଷ ଗ୍ରାମ ସାହସପୁର ଯାହା ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ସହର ଝାରସୁଗୁଡ଼ା ଠାରୁ ପ୍ରାୟ ପଇଁଚାଳିଶ କି.ମି ଦୂରରେ । ଖାଲି ରହିବା ନୁହେ, ମନ ଓ ହୃଦୟରେ ସୁଦ୍ଧା ଗ୍ରାମାଭିମୁଖୀ ଥିଲେ ଯାହା ତାଙ୍କ ଚିତ୍ତ ବୃତ୍ତିରୁ ବେଶ୍‌ ବୁଝାପଡ଼ୁଥଲା । ତାଙ୍କ ଚିନ୍ତନ ପ୍ରକ୍ରିୟା ଥିଲା ଗ୍ରାମଆଡ଼କୁ । ଶାନ୍ତି ବିଚ୍ଛୁରିତ ଗ୍ରାମୀଣ ଉପତ୍ୟକା, ଶୀତଳ ସମୀରର ପ୍ରବାହ, ଚଢ଼େଇଙ୍କ କଳରବ, ତାଳ ତମାଳ ବନରାଜି, ସୂର୍ଯ୍ୟୋଦୟ ତଥା ସୂର୍ଯ୍ୟାସ୍ତର ବିଭାସିତ ରୂପ କବିଙ୍କୁ ମତୁଆଲା କରିଛି ଜୀବନସାରା । ପାଟବିଲ, ବର୍ଷାର ଟୁପୁରୁ ଟାପୁରୁ, ଲତାପତ୍ରଙ୍କ ସବୁଜ ହସରେ ସିଏ ବାରମ୍ବାର ଆପ୍ୟାୟିତ ହେବାକୁ ଚାହିଁଛନ୍ତି । ଯେବେ ଆକାଶରେ ବିଜୁଳି ଚମକ, ଘନ ବାଦଲଙ୍କ କୋପ ଦୃଷ୍ଟି, ନଈକୂଳର ସେଇ ସଂଧ୍ୟାକାଳୀନ ଦୃଶ୍ୟ, ନୀଡ଼ଫେରା ବିହଙ୍ଗଙ୍କ ମନ୍ଥର ଉଡ଼୍‌ଡ଼ୀୟନ ସବୁ ଯେମିତି କବିଙ୍କୁ ଗ୍ରାମାଭିମୁଖୀ ହେବା ପାଇଁ ବାରମ୍ବାର ପ୍ରବର୍ତ୍ତାଇଛନ୍ତି କାନ ପାଖରେ । ‘ନନ୍ଦାଦେବୀ’ କବିତା ସଂକଳନରେ ସ୍ଥାନିତ ‘ଗ୍ରାମପଥ’ ତାଙ୍କର ଅନ୍ୟ ଏକ ଆକର୍ଷଣୀୟ ତଥା ସଫଳ କବିତା । କବିତାଟିର ଆରମ୍ଭ ଏହିପରି

 

ଦୂରେ ତାଳବଣ ଆକାଶେ ଶୁଣାଏ

ମାଟିର କବିତା କି ସେ

ଏ ଗ୍ରାମର ପଥ ତହିଁ ଦିଗଂତେ ମିଶେ

କ୍ଷେତ ପରେ କ୍ଷେତ କାଶଫୁଲ ଆଉ

ବେଣାରେ ଜଟିଳାପାଟ

ପାଟ ପରେ ବଣ

ବଣ ପାରି ହେଲେ

ମାମୁଁ ଘର ଗାଆଁ ଦିଶେ ।

 

ନିକାଞ୍ଚନ ପଲ୍ଲୀଗ୍ରାମର ଶୋଭା କବି ମାଟିରୁ ହିଁ ଆରମ୍ଭ କରିଛନ୍ତି । ଦିଗଂତରେ ଏ ମିଶୁଥିବା ଗ୍ରାମପଥଟି ପାଟ ବଣକୁ ଅତିକ୍ରମି ଆଗେଇ ଯାଇଛି ଯେଉଁଠି ତାକୁ ଅପେକ୍ଷା କରିଛି ମାମୁଁ ଘର ଥିବା ଗାଆଁଟି । କବି ଲୋକ କଥାରୁ ଯୋଡ଼ିଛନ୍ତି ପୃଷ୍ଠାଏ ଯେମିତି କୁଆ ଛୁଆ ଓ କପୋତୀ ଛୁଆ । ଚତୁର କୁଆ ଛୁଆ ତା’ ମାଣରେ ଗୋଡ଼ି ପୂରେଇ ପୂରାକରି ମା’କୁ ଧରେଇଲା ବେଳେ ନିରୀହ କପୋତ ଛୁଆ ଏତେ ବୁଦ୍ଧିଆ ହେଇ ନ ପାରି ଅଧମାଣ ଶସ୍ୟ ଆଣି ତା’ ମା’ର ରୋଷାୟିତ ଆଖିର ଶରବ୍ୟ ହୋଇଛି । ମା’ ତାକୁ ବାଡ଼େଇ ମାରି ଦେଇଛି । କିନ୍ତୁ ଫଳ ଦେଖିଲା ବେଳକୁ ଠିକ୍‌ ଓଲଟା । ସେଇ ଦିନଠୁ କପୋତୀଟି ‘ଉଠ୍‌ ପୁତା ଉଠ୍‌, ଉଠ ପୂରିଲାଣି ମାଣ’ କହି ତା’ ଛୁଆକୁ ଉଠେଇବାକୁ ଚେଷ୍ଟା କରୁଛି; କିନ୍ତୁ ସେ ଶୋଇ ରହିଛି ଚିର ନିଦ୍ରାରେ ଓ କପୋତୀର ବାହୁନା ବଢ଼ି ବଢ଼ି ଚାଲିଛି । କବି ଏଇ ହୃଦୟସ୍ପର୍ଶୀ ଲୋକ କାହାଣୀର କିଛି ଅଂଶ କବିତାରେ ମିଶେଇଛନ୍ତି ଯାହା ଦ୍ଵାରା କବିତାର ଲୋକପ୍ରିୟତା ଆହୁରି ବଢ଼ି ଯାଇଛି ।

 

କବିତାଟିର ପଞ୍ଚମ ଅଂଶରେ ‘ଗ୍ରାମବଧୂ’ ନଈ କିମ୍ବା ପୋଖରୀରେ ସ୍ନାନ କରି ଘରକୁ ଫେରୁଛି । ସହରୀ ବଧୂ ଭଳି ସିଏ ସ୍ନାନାଗାରରେ ଗାଧୋଉନାହିଁ । ବଧୂଟିର ହୃଦୟ ଉପରେ ବଳିଷ୍ଠ ବିଶେଷଣ ଯଥା ‘‘ପୃଥିବୀର ସମ ସହନଶୀଳା ସେ ଅସୀମ କରୁଣାବତୀ’’ ନାରୀଜାତି କେମିତି ଉପାସ୍ୟ, ତାହା କବିଙ୍କ ମନୋଭାବରୁ ସ୍ପଷ୍ଟ ବୁଝାପଡ଼ୁଛି ।

ଷଷ୍ଠ ଭାଗରେ ଗ୍ରାମର ତରୁଣ ବିଦେଶ ଯିବା ତଥା ପ୍ରତ୍ୟାବର୍ତ୍ତନର ଖବର ପାଇଁ କବି ଲୋକକାହାଣୀ ଓ ପ୍ରଚଳିତ ପ୍ରଥାର ଆଶ୍ରୟ ନେଇଛନ୍ତି । ଯେବେ କାହା ଘରକୁ କିଏ ଆସିବା ନ୍ୟାୟରେ ‘କାଉ କା କରେ’ କଥାଟିକୁ କବି ନିଜ ବାଗରେ ଉଚ୍ଚାରିଛନ୍ତି: ‘କି ବାରତା ଘରେ ଆଣେ କିଏ ଜାଣେ ଅଧାର ଲୋଭୀ ଏ କାକ’ ।

ସପ୍ତମ ପରିଚ୍ଛେଦ କିନ୍ତୁ ବେଶ୍‌ ମର୍ମସ୍ପର୍ଶୀ ତଥା ହୃଦୟଗ୍ରାହୀ । କବି ଏଠି ତୃତୀୟ ନୟନର ଜ୍ୟୋତିରେ ପରଖିଛନ୍ତି ତାଙ୍କ ନିଜ ଗାଆଁର ଅତୀତକୁ, ଇତିହାସକୁ । ଯେଉଁଠି ଗ୍ରାମବଧୂଟି ସମୟାନୁକ୍ରମେ ଜେଜେମା ପାଲଟି ଯାଇଛି । ସମୟର ପ୍ରବହମାନତାର ତୀକ୍ଷ୍‌ଣ ଦୃଶ୍ୟପଟଟିଏ ଉଜଳି ଉଠୁଛି କବିଙ୍କ ମାନସରେ ଯଥା :

ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୂ

ବିତରି ବୁକୁର ମମତା ମୁଖର ମଧୁ

ପୁଅ, ଝୁଅ, ନାତି, ନାତୁଣୀରେ ରଖି

ମଶାଣି ଏ ପଥେ ଫେରେ

ଆସିବା ଜନର ସାକ୍ଷୀ ଏପଥ

ଫେରିବା ଜନର ବଂଧୁ ।

 

‘ଧାନ କ୍ଷେତେ ଚଳେ କୃଷକ ତରୁଣ, ରାତ୍ରି ଶୟନ ପାଇଁ’ ସୂଚେଇ ଦିଏ କୃଷିଭିତ୍ତିକ ଜୀବନର ଦୈନିକ କାର୍ଯ୍ୟାବଳୀକୁ । ଧାନ ପାଚିଲା ପରେ ଚୋରଙ୍କ ହାବୁଡ଼ରୁ ତାକୁ ରକ୍ଷା କରିବାର ପ୍ରୟାସ ଯେମିତି ବହୁଆଗରୁ ଚଳିଆସିଛି । ତେବେ ନବମ କବିତାଂଶଟି ହୃଦୟ ଥରାଇ ଦିଏ ଗ୍ରାମର ଏକ ଚିରାଚରିତ ଅଭୁଲା ଦୃଶ୍ୟପଟର ବର୍ଣ୍ଣନା କରି । ‘‘ଧୂଳି ଘର ଛାଡ଼ି ଏ ପଥେ ଚଳଇ ଶାଶୁଘର ଗାଆଁ ଝୁଅ, ମାଆର ପଣତେ ବନ୍ୟା ରଚଇ ଅମାନିଆ ଆଖି ଲୁହ’’ ।

 

‘ଗ୍ରାମ ପଥ’କୁ କବି ବାଳକ ବେଳର ‘ପ୍ରିୟସାଥୀ’ ବୋଲି କହିଲା ବେଳେ ନିଜେ ଉପସଂହାରରେ ବେଶ୍‌ ଭାବପ୍ରବଣ ହୋଇ ନିଷ୍ଠୁର ସତ୍ୟର ଉଦ୍‍ଘାଟନ କରି ପାଠକ ପାଠିକାଙ୍କ ହୃଦୟରେ ଏକ ଚମକପ୍ରଦ ଶିହରଣ ଆଣିଛନ୍ତି । ଏଇ ପର୍ଯ୍ୟାୟର ବର୍ଣ୍ଣନା ନିର୍ଣ୍ଣିତ ରୂପେ ଆର୍ଯ୍ୟ ତଥା ହିନ୍ଦୁ ସଂପ୍ରଦାୟଭୁକ୍ତ ପ୍ରଥାକୁ ପ୍ରାଥମିକତା ଦେଇଛି । ଯଥା :

 

ଭିକ୍ଷାଶୀ ପ୍ରାଣ ପୀଡ଼େ ମତେ ଅହରହ

ପାଥେୟ ବିହୀନ ପଥିକ ମୁଁ ମଣେ

ଯାତ୍ରା ଏ ଦୂରବହ

ଖଇ ଓ ତୁଳାରେ ଶୁଭ୍ର କରି ତୋ ତନୁ

ରାମ ନାମ ସତ ମଂତ୍ରେ ଚଳିବି

ତୋ ତୀର ଶ୍ମଶାନେ

କେବେ କହ କେବେ କହ ।

 

କବି ପଲ୍ଲୀଗ୍ରାମର ଚିତ୍ର ଟାଣିଆଣି କବିତାରେ ପୂରେଇବାରେ ଯେ ସିଦ୍ଧହସ୍ତ, ଏ କଥା ସମାଲୋଚକ ମାତ୍ରେ ହିଁ କହିବେ । ‘ଅନ୍ଵେଷା’ କବିତାରେ ‘ଧାନ କ୍ଷେତେ କ୍ଷେତେ ଯେତେ ସୁଅର ମେଳା, ଆହା ବର୍ଷା ହେଲା ପୁଣି’ ‘ଦୂରବନ ସୀମାନାରେ ପକ୍ଷୀର ଦଳ ହଜେ, ଝର୍କାର କାଚେ କେତେ ଛାୟାର ଖେଳା, ଆହା ବର୍ଷା ହେଲା ପଂକ୍ତିର ଲାଳିତ୍ୟ ଓ ସାଂଗୀତିକତା ମନମୁଗ୍‌ଧକର । ପୁନଶ୍ଚ ସାଗର-ସଂଗମ କବିତାରେ ‘ହରିତ ଖେତରେ ଦେଖିଲୁ କି ସହି । ଶିଶୁ ଶସ୍ୟର ସରଜନା, ବନ ଗ୍ରାମଛାୟା ରନ୍ଧନ ଶାଳେ କୃଷାଣ ବଧୂର ନିରାଜନା’ ପଲ୍ଲା ଜୀବନର ଚିତ୍ରରେ ଉଦ୍‌ଭାସିତ ।

 

‘ନନ୍ଦାଦେବୀ’ କବିତା ସଂକଳନର ପ୍ରଥମ କବିତା ‘ନିଶିର ଡାକ’ରେ ସେଇଭଳି ଗ୍ରାମୀଣ ଭୂ-ଚିତ୍ର କବିତାଟିକୁ ପ୍ରାରମ୍ଭରୁ ଆବୋରି ବସିଛି । ଯଥା: ‘ତୃତୀୟା ତିଥିର ଚନ୍ଦ୍ର ଗଲାଣି ନିଭି, ଦେବଦାରୁ ବନେ, ମେଷପାଳକର ଝିଅ ଗୋଠଛଡ଼ା ମେଷ ଶାବକରେ ଡାକେ..ଡାକେ, ଦିଗଂତ ହୁଏ ଧ୍ଵନିତ ତା’ ଡାକେ, ‘ରୂପା ଥାଳି ସୁନା ଗିନା’ରେ ‘ଛାଡ଼ିଦେ ମୁଁ ଯାଏଁ ମାଆ ମାଟି ମତେ ଡାକେ, ଶ୍ଵେତ ଶଙ୍ଖର ଫାଟକରେ ଆରପାରେ ଅପନ୍ତରାର ତରୁଶାଖା ମତେ ଡାକେ, କଳ ଭାଷେ ଡାକେ ସୁଅ ଧାର ଝରଣାରେ’ ‘ପ୍ରଭାତେ ଚଳଇ କୃଷକ ବନିତା କ୍ଷେତେ କ୍ଲାନ୍ତ ତନୁଟି’ ।

 

ସଂଧ୍ୟାରେ ଫେରେ ଗୃହେ, ଦେଉଳର ମୂଳେ ମଉଳେ ଶିଶୁର ସଭା, ଜୀବନୋତ୍ସବ ଚଳେ ସମାରୋହେ ସ୍ନେହେ’ ପୁଣି ‘ବର୍ଷାର କବିତା’ରେ

 

ବୃଷ୍ଟିମୁଖର ଲାଜକୁଳୀ ଗ୍ରାମପଥେ

ଶୁଣ କୃଷକର କର୍ଷଣ ଗାନ

ଶୁଭେ... ଶୁଣ ସଖି ଶୁଭେ

ନୂତନ ଶସ୍ୟ କିଆରୀ ପଙ୍କ ପଲ୍ୟଙ୍କେ ସାଥି ସହ

ପାତି ହଂସିନୀ ରମଣ ବିଳାସେ କୂଳେ ।

 

କବି ପଶ୍ଚିମ ଓଡ଼ିଶା ବିଶେଷତଃ ସୁନ୍ଦରଗଡ଼, ଝାରସୁଗୁଡ଼ା କୃଷି ସଂସ୍କୃତି ସହ କି ଭଳି ଅଭ୍ୟସ୍ତ ତାହା ତାଙ୍କ ଶବ୍ଦଚୟନରୁ ବେଶ୍‌ ବାରି ହେଇ ପଡ଼େ । ଯଥା: ‘କୃଷକ ଦୁହିତା ଢିଙ୍କି ଉପରେ ନାଚେ, ଗ୍ରାମ ଉଲୁସାଏ ସୁନାକାଠି ଧାନ ବାସ, ଓଦା ବାଲି ପଥେ ଶିଶୁଦଳ ବସି ରାଜାର ଉଆସ ତୋଳେ, ଗ୍ରାମ କଦମ୍ବେ କଳିକାର ପରକାଶ’ । ଆଜିକାଲି ଢିଙ୍କି ପ୍ରାୟତଃ ଦେଖିବାକୁ ମିଳୁ ନାହିଁ । ଧାନ କୁଟା ପାଇଁ ସମସ୍ତେ ‘ଚାଉଳ କଳ’ ଉପରେ ନିର୍ଭର କରୁଛନ୍ତି । ପୁଣି ‘ସୁନାକାଠି’ ଭଳି ବାସ ଚହଟାଇ ଦେଉଥିବା ସରୁ ଚାଉଳ ବଜାରରୁ ଉଭେଇ ଗଲାଣି । କବି କିନ୍ତୁ ସେ ସବୁ ଦେଖିଛନ୍ତି, ଜାଣିଛନ୍ତି । ତେଣୁ କବିତାରେ ତାହା ସ୍ଵତଃ ଗଜୁରି ଉଠୁଛି ।

 

ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ମଧୁସୁଦନ ରାଓ ଓ ନନ୍ଦ କିଶୋର ବଳ ପଲ୍ଲୀଜୀବନ ଉପରେ କବିତାରେ ପ୍ରତ୍ୟକ୍ଷ ଆଲୋକପାତ କରିଥିଲେ । ଯେମିତି ମଧୁସୂଦନଙ୍କ ‘ଶରତ ପ୍ରଭାତ’ କବିତାରେ ‘ଛାଡ଼ିବଂଧୁ ନଗର ଚହଳ, ଯିବା ଚାଲ ଯେଉଁ ସ୍ଥାନେ ଗୋପାଳ କୃଷକମାନେ, ଆନନ୍ଦେ କାଟନ୍ତି ଦିନ ସୁଖେନ୍ଦୁ ବିମଳ ଯାହାଙ୍କର ଚିତ୍ତାକାଶ ସର୍ବଦା ଉଜ୍ଜ୍ୱଳ’ । ସେଇଭଳି ନନ୍ଦକିଶୋରଙ୍କ ‘ପଲ୍ଲୀପଥ’ କବିତାରେ ଉଷାସମ ଗ୍ରାମପଥେ କିଏ ? ଏକୁଟିଆ ନବବଧୂଟିଏ, ଥୁରୁଥୁରୁ ହୁଏ ଜାଡ଼େ ପଥି ଘୁଞ୍ଚି ହୁଏ ଆଡ଼େ, ମୁଁ ଆଡ଼ ହୁଅନ୍ତେ ପାଦେ ବାଜି ଲାଜକୁଳୀ, ବ୍ରୀଡ଼ାବତୀ ବ୍ରତତୀ ପଡ଼ିଲା ଝାଉଁଳି ଭଳି ପୂର୍ବସୁରୀଙ୍କ ପଂକ୍ତିମାନେ ଗ୍ରାମଜୀବନର ସ୍ଵରୂପ ଲୋକ ଚକ୍ଷୁରେ ପ୍ରକଟିତ କରିବାରେ ବେଶ୍‌ ସଫଳ ହୋଇପାରିଥିଲେ । କବି ବି ପରବର୍ତ୍ତୀ ପର୍ଯ୍ୟାୟରେ ଏଇ ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି ନିଜ କବିତା ମାଧ୍ୟମରେ ।

 

‘ଛୋଟ ମୋ ଗାଆଁ’ କବିତାଟି ସେଇଭଳି ସ୍ନେହ ଓ ସଦ୍‌ଭାବରେ ଜୁଡ଼ୁବୁଡ଼ୁ । ଛୋଟ ପାହାଡ଼ର ତଳେ ଛୋଟ ମୋ ଗାଆଁ, ନରମୀ ନଦୀଟି ତା’ର ସେ ଛୋଟ ମାଆ’ ମନେ ପକାଇ ଦିଏ ସଚ୍ଚିରାଉତରାୟଙ୍କ ‘ଛୋଟ ମୋର ଗାଆଁଟି, ଭୂଗୋଳ ପୋଥି-ପତରେ ପଛେ ନ ଥାଉ ତା’ର ନାଆଁଟି’ ପଂକ୍ତିଟିକୁ । ‘ଶ୍ରାନ୍ତ ଗୋଠଟି ନେଇ କ୍ଳାନ୍ତ ହୋଇ, ରଖୁଆଳ ବାଳକଟି ପଡ଼ିଛି ଶୋଇ’ ଯେମିତି ବାଳ-ଶ୍ରମିକର ଜୀବନ ପୃଷ୍ଠାକୁ ପୁଣି ଥରେ ଓଲଟାଇ ଦେଉଛି । ଏ ଭଳି ଦୃଶ୍ୟ ଦିଲ୍ଲୀ, ଲଣ୍ଡନ ରାଜରାସ୍ତାରେ ଦେଖିବାକୁ ମିଳିବ ନାହିଁ; କିନ୍ତୁ ଗାଆଁରେ ଯେମିତି ଏହା ସହଜଲବ୍‌ଧ । ‘ମଉନା ବତୀ’ ରାଜାର ଦୁହିତା, କାନେ ସପନେ କି କହି ତା’ରେ ବେଦନା ଆଣେ’ ଭଳି ବାକ୍ୟ ଯାହା ସ୍ୱପ୍ନରେ ଗାଈଆଳକୁ ରାଜପୁତ୍ର କରିଦେଉଛି, ବାସ୍ତବ ଜୀବନରେ ସେ ଅନୁଭବ କେବଳ ବେଦନାସିକ୍ତ ହେବାଛଡ଼ା ଆଉ ଅନ୍ୟ କିଛି ନୁହେଁ । ସଚ୍ଚି ରାଉତରାୟଙ୍କ କବିତାରେ ମଧ୍ୟ ଏଇ ‘ସପନ ଢେଉ’ର ଆଭାସ ଅଛି ! କିନ୍ତୁ ଦେଖିବା କଥା କବି ବିନୋଦ ଚନ୍ଦ୍ରଙ୍କ ‘ଗାଆଁ ବଧୂଟି’ ସଲଜ୍ଜା, ବ୍ରୀଡ଼ାବତୀ ଓ ଏକ ଅପେକ୍ଷାକୃତ ଅନୁନ୍ନତ ଇଲାକାର । ସଚ୍ଚି ରାଉତରାୟଙ୍କ ଗାଆଁର ଚରିତ୍ରମାନେ ତା’ ତୁଳନାରେ ଉନ୍ନତ ଗ୍ରାମର ବାସିନ୍ଦା ଯେଉଁଠି ପ୍ରତାପଶାଳୀ ସାମନ୍ତରାୟ ଓ କପିଳ ନନ୍ଦଙ୍କ ଭଳି ମୁରବି ଅଛନ୍ତି । ଉଭୟ କବିଙ୍କ କଲମ କିନ୍ତୁ ବିଶାଳତାର ପୃଥିବୀ ଆଙ୍କିବାରେ ସିଦ୍ଧହସ୍ତ । ଆଲୁଅର ପ୍ରଭାବରେ ଅନ୍ଧାର ଲାଙ୍ଗୁଡ଼ ଯାକି ଲୁଚି ପଳେଇଲା ଭଳି ମହାଭାବର ଆକ୍ରମଣରେ କ୍ଷୁଦ୍ର କ୍ଷୁଦ୍ର ଭାବରାଜି ଯେମିତି ଦଉଡ଼ି ପଳଉଛନ୍ତି କେଉଁ କୋଣକୁ ।

 

‘ନୀଳ ଚନ୍ଦ୍ରର ଉପତ୍ୟକା’ର କ୍ୟାନ୍‌ଭାସ ସହର କିମ୍ବା ପଲ୍ଲୀ ଭଳି କ୍ଷୁଦ୍ର, ବଡ଼ ଜନପଦ ନ ହୋଇ ଦୂର ଶୀର୍ଣ୍ଣ ନଦୀର ପୁଳିନ ତଥା ଜନହୀନ ଉପତ୍ୟକାକୁ ନେଇ ଗଢ଼ି ଉଠିଛି । ସେଇଠିକୁ ଓହ୍ଲାଇ ଆସିଛନ୍ତି ଚନ୍ଦ୍ର ଓ ଆକସ୍ମିକ ଭାବରେ ପିଶାଚୁଣୀଟିର ହାବୁଡ଼ରେ ପଡ଼ି ତା’ରି ରତିଭିକ୍ଷା କରିଛନ୍ତି ଯାହାପାଇଁ ତାଙ୍କ ଶରୀରର ରକ୍ତକ୍ଷୟ ଘଟି ଶେଷକୁ ତାଙ୍କ ନିଷ୍ପ୍ରାଣ ଶରୀରକୁ ଘେରି ବନଦେବୀ ଓ ଝରଣାର ପରୀଗଣ ସୁଦ୍ଧା କାନ୍ଦିବା ଆରମ୍ଭ କରିଛନ୍ତି । ଏଇ ଭୌତିକ ଅନ୍ୟ ପକ୍ଷରେ ଐନ୍ଦ୍ରଜାଲିକ ପରିବେଶ ବାସ୍ତବରେ ପଲ୍ଲୀ ସଂସ୍କୃତିର ଅନ୍ୟ ଏକ ପ୍ରେକ୍ଷାପଟ କହିଲେ ଅତ୍ୟୁକ୍ତି ହେବନାହିଁ । ଏ ଭଳି ମାୟା ସୃଜନର ଘଟଣାବଳୀକୁ ନେଇ ରାଶି ରାଶି ବୁଢ଼ୀ ମା କାହାଣୀ ଛାଇଯାଇଛି ପଲ୍ଲୀ ଜୀବନକୁ ଶତାବ୍ଦୀ ଶତାବ୍ଦୀ ଧରି । ଏଇ ଅନ୍ଧ ଦିଗନ୍ତର ହାତବାରିସୀ ହୋଇଛନ୍ତି କୋମଳମତି ଶିଶୁଠୁ ଆରମ୍ଭ କରି ପ୍ରୌଢ଼ ତଥା ବୟସ୍କ ପର୍ଯ୍ୟନ୍ତ । ‘ମାଳଂଚ’ କବିତାରେ କୁହୁକିନୀ ଗ୍ରାମୀଣ ପ୍ରକୃତିର ଅନ୍ୟ ଏକ ଦୃଶ୍ୟପଟ । ଯଥା :

 

ତୁମରି

ପାଲଟା ଶାଢ଼ୀର

ଉତ୍ତପ୍ତ ସୌରଭ ପରି

ଗଂଗଶିଉଳିର

ଭିଜାଗନ୍ଧ ଉଠିଥିଲା ଭରି

ମାଳଂଚ ରାଗିଣୀ ପରି

ଶସ୍ୟକ୍ଷେତ ପାରୁ

ପତଂଗର ଗାନ ଶୁଭୁଥିଲା

ରୋମଂଥନ ପରି ଅବିରଳ

 

କବିଙ୍କ କାବ୍ୟିକ ମତିଗତି କିନ୍ତୁ ସିଧାସଳଖ ଓ କୌଣସି ହାଲତ ତୀର୍ଯ୍ୟକ୍‌ ହେବାର ନୁହେ ଭଳି ଅନୁଭବ ଜଣେ ସମାଲୋଚକର ‘ନିଶ୍ଚିତ ସିଦ୍ଧାନ୍ତ’ ବିରୁଦ୍ଧ ଚରଣ କରୁଛି ଯଥା ‘ପଥ ପ୍ରଶ୍ନ’ରେ ‘ରାଜପଥେ ଡାକେ ଦକ୍ଷିଣେ/ବାମେ ବନ ପଥ/କେଉଁ ପଥ ତୁରେ ଚଳିବୁ ମୋହର ମନୋରଥ’ । ‘ଫେରା’ କବିତାରେ କବିଙ୍କ ନିଜସ୍ଵ ସ୍ଵୀକାରୋକ୍ତି All roads lead to Rome, ସମସ୍ତ ରାସ୍ତା ରୋମ୍‌ ଆଡ଼କୁ କିନ୍ତୁ ‘‘ମୋ ସମସ୍ତ ପଥ ମୋ ଗ୍ରାମକୁ ଧାଏଁ । ତୈମାସିକ ସାହିତ୍ୟ ପତ୍ରିକା ‘ସମାସ’ର ଏକ ସଂଖ୍ୟାରେ ପ୍ରକାଶିତ ପ୍ରଫେସର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ବିନୋଦ ନାୟକଙ୍କ କବିତାର ଆଲୋଚନା’ରେ ଉଲ୍ଲେଖ ଅଛି ‘‘ତୃପ୍ତି, ବିଷାଦ ଓ ଶାନ୍ତି ଘରବାହୁଡ଼ା ପୁଣି ବ୍ୟଂଜନାର କରୁଣତା ମିଶି କାବ୍ୟାବେଗ । ବାକ୍ୟ ସବୁ ସହଜ ଓ ସରଳ । ଗ୍ରାମ୍ୟଜୀବନ ବିଷୟରେ ଯେତୋଟି କବିତା ଅଛି ସବୁଥିରେ ଭାବ ଶାନ୍ତି, ଭାଷା ସରଳ ଓ ସମାହିତ ଜୀବନର ଚିତ୍ର । ଅନ୍ୟ ସମସ୍ତ କବିତାରେ ଭାଷା ଆଡ଼ମ୍ବରପୂର୍ଣ୍ଣ ଭିନ୍ନ ଭିନ୍ନ ପରିମାଣରେ ଓ ଭାବ ତନାବ୍‌ପୂର୍ଣ୍ଣ (tension) । ଗ୍ରାମ୍ୟ କବିତାରେ ନାରୀର ବର୍ଣ୍ଣନା ସଂଭ୍ରମପୂର୍ଣ୍ଣ ଓ ଶୃଂଗାର ବ୍ୟଂଜନାଧର୍ମୀ, ଅନ୍ୟ କବିତାରେ ନଗ୍ନ । ଚିତ୍ର କଳ୍ପନାରେ ଗ୍ରାମ୍ୟ କବିତା ମନୋରମ, ଅନ୍ୟ କବିତା ବର୍ଣ୍ଣାଢ଼୍ୟ । ଯଥା ‘ଇଳାବୃତ୍ତ’ର ‘ଉତ୍ତରାୟଣ’ରେ ‘‘ଗୃହିଣୀ ଶିରେ ଫସଲର ।

 

ମରାଠୀ ସମାଲୋଚକ ଏସ.ଏନ. ଓ୍ୱାଂଖଡ଼େ ତାଙ୍କ ପ୍ରବନ୍ଧ ‘Friends, The day of Irresponsible writers is over’ (ବନ୍ଧୁ, ଦାୟିତ୍ଵହୀନ ଲେଖକଙ୍କ ଦିନ ସରିଯାଇଛି) ଯାହା ‘ପଏଜନ୍‌ଡ଼ ବ୍ରେଡ଼’ରେ ପ୍ରକାଶିତ, ତହିଁରେ ଉଲ୍ଲେଖ କରିଛନ୍ତି :– In this ‘new literature’ we have a Freudian picture of the aimless middle class. As for rural writers, instead of giving a realistic picture of village life they have romanticised it. Others have taken the aesthetic point of view, stressing form and style and have tried to show the meanness of the individual and the meaninglessness of life.

 

ଏଇ ‘ନୂତନ ସାହିତ୍ୟ’ରେ, ଲକ୍ଷ୍ୟହୀନ ମଧ୍ୟବିତ୍ତ ପରିବାରର ଫ୍ରଏଡ଼ୀୟ ଛବି ଅଛି । ଗ୍ରାମୀଣ ଲେଖକଙ୍କ କ୍ଷେତ୍ରରେ ସେମାନେ ଗାଉଁଲି ଜୀବନର ଜୀବନ ଛବି ଦେବା ପରିବର୍ତ୍ତେ ତାକୁ ରୋମାଣ୍ଟିକ୍‌ ଧର୍ମୀ କରିଛନ୍ତି । ଅନ୍ୟମାନେ ସୌନ୍ଦର୍ଯ୍ୟବୋଧକୁ ତାଙ୍କର ଦୃଷ୍ଟିଭଙ୍ଗୀ ଭାବେ ନେଇଛି, ଆଙ୍ଗିକ ଓ ଶୈଳୀ ଉପରେ ଗୁରୁତ୍ୱ ଦେଇ ‘‘କୃଷକ ଗୃହିଣୀ ଶିରେ ଫସଲର ସ୍ଵର୍ଣ୍ଣାସନେ ଲକ୍ଷ୍ମୀ ଫେରେ ଘରେ, ମୂଷିକର ନବାନ୍ନ ଆୟୋଜନ ସଂକୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ ସଂଚାର ଶୁଭେ ଅନ୍ୟ ଗ୍ରାମେ, ଦେହ ଛାଡ଼ି ଦେହାତୀତେ ଆତ୍ମା ଖୋଜି ବୁଲେ ଆତ୍ମାରାମେ’’ । ଆକାଶ, ବିଭାବରୀ ଓ ତୃପ୍ତିର ସଂଯୋଗ କେବଳ ଗ୍ରାମୀଣ କବିତାରେ ହୋଇଛି । ଅନ୍ୟ କବିତା ମାନଙ୍କରେ ଆକାଶ ଓ ରାତ୍ରୀ ସହିତ ଭେଟ ହେବ କିନ୍ତୁ ତୃପ୍ତି ଅନ୍ୟତ୍ର ନାହିଁ । ଗ୍ରାମ୍ୟ ଜୀବନ ବର୍ଣ୍ଣନାରେ ଦେଖାଇ ଦିଆହୋଇଛି ଯେ ମନୁଷ୍ୟ ଓ ପ୍ରକୃତିର ସଂପର୍କ କର୍ମର ସମ୍ବନ୍ଧ, ସହଯୋଗର ସମ୍ବନ୍ଧ-ଭାବର ସମ୍ବନ୍ଧ ନୁହେଁ । ‘ଜଣେ ବ୍ୟକ୍ତିର ‘ନୀଚ ବୁଦ୍ଧି’ ତଥା ଜୀବନର ନିରର୍ଥକତା ଉପରେ ଗୁରୁତ୍ଵ ଆରୋପ କରିଛନ୍ତି । ପାଣ୍ଟାତ୍ୟ ଦେଶର ଶିଳ୍ପାୟନ ତଥା ଯାନ୍ତ୍ରିକ ଜୀବନର ଘର୍ଘର ଭିତରେ ହୁଏତ ନିକାଞ୍ଚନ ଜୀବନ, ପ୍ରକୃତି ଓ ଦୂର ଆକାଶ ସମୁଦ୍ର ପିଠିରେ ନିଜକୁ ଥୋଇ ଦେଇ ଅପସାରିତ ଜୀବନର ପଳାୟନ ଦିଗକୁ ବେଶି ଚାହିଁଛନ୍ତି । ଏଇ ସାମାଜିକ-ଅର୍ଥନୈତିକ ପ୍ରବୃତ୍ତି ବିଜ୍ଞାନଭିତ୍ତିକ ଥିବାବେଳେ ଆମ ଦେଶର କବି ଲେଖକ ସେଇ ପଥରେ ଅନୁଧାବନ ବାସ୍ତବତାକୁ ଆକ୍ଷିମିଟିକା ଭଳି ହେଇଛି । କବି ବିନୋଦଙ୍କ ପ୍ରତିଭାର ମାନ ନିର୍ଦ୍ଧାରଣ ପାଇଁ ଉତ୍ତର-ଔପନିବେଶିକତାର ନେତୃସ୍ଥାନୀୟା ଅବଧାରିକା ଗାୟତ୍ରୀ ଚକ୍ରବର୍ତ୍ତୀ ସ୍ପିଭାକ୍‌ଙ୍କ the micro-politics of the academy and its relation to the macro-narrative of imperialism’’୨୯ ଏକାଡେମୀର ଅଣୁ-ରାଜନୀତି ଓ ସାମ୍ରାଜ୍ୟବାଦୀ ମେଗା-ଆଖ୍ୟାନ ସହିତ ତାରି ସଂପର୍କ କେଉଁ କାରଣରୁ ଗ୍ଲାସ୍‌ଗୋର ଚିତ୍ରକର, ସ୍ଥପତି ମାନଙ୍କର ଚିତ୍ର ପେନ୍‌ଟିଂ ସବୁ ଭାରତବର୍ଷକୁ ଆଣି ଏଠାକାର ରାଜା ମହାରାଜାମାନଙ୍କୁ ତାହା ବିକ୍ରି କରା ହେଉଥିଲା । ଅନ୍ୟପକ୍ଷରେ ଭାରତୀୟ ଶିଳ୍ପୀକୂଳ ତାଙ୍କ ହାତର ଉତ୍କର୍ଷ ପ୍ରତିପାଦିତ କରିବାକୁ ମଞ୍ଚ ନ ପାଇ କେଉଁଭଳି ହୀନସ୍ଥା ଭୋଗୁଥିଲେ ତାହା ଜାଣିବାର ଆବଶ୍ୟକତା ଅଛି । ଭାରତୀୟ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟ, ବିଦ୍ୟାଳୟମାନଙ୍କରେ କିଟ୍‌ସ, ୱାର୍ଡସୱାର୍ଥ, ସେଲି, ବାଇରନ୍‌ଙ୍କୁ ସିଲାବସ୍‌ ଅନ୍ତର୍ଭୁକ୍ତ କରି ଓ ପରେ ପରେ ୟେଟ୍‌ସ, ଏଲିଅଟ୍‌, ହପ୍‌କିନ୍‌ସ, ଡିଲାନ୍‌ ଟମାସ୍‌, ମେରିଏନ୍‌ ମୋର୍‌, ଏଡ଼ିଥି ସିଟ୍‌ଓ୍ୱେଲ୍‌, ରବର୍ଟ ଗ୍ରେଭ୍‌ସ, ଇ.ଇ. କ୍ୟୁମିଂଗ୍‌ସ ପ୍ରମୁଖଙ୍କ କବିତା ପାଠ୍ୟ ପୁସ୍ତକକୁ ଆଣି ଯେଉଁ ପାଠ୍ୟକ୍ରମର ଖସଡ଼ା ତିଆରି କରାଗଲା, ତହିଁର ଅର୍ଥଥିଲା ସାହିତ୍ୟ ମାନେ ଏଇୟା, କବିତାମାନେ ଏଇୟା, ବିଷୟବସ୍ତୁ ମାନେ ଏଇୟା । ଏହି ସମୟରେ ପୃଥିବୀର ବହୁ ଦେଶ ଯଥା ଆଫ୍ରିକା, ଲାଟିନ୍‌ ଆମେରିକା, ଲାଓସ୍‌, ଭିଏତ୍‌ନାମ୍‌, ଆଲ୍‌ଜେରିଆ, ତୁର୍କୀ, କୋରିଆ ପ୍ରଭୃତିରେ ଔପନିବେଶିକତା ବିରୁଦ୍ଧରେ ମୁକ୍ତିକାମୀ ଜନସାଧାରଣଙ୍କ ଦ୍ଵାରା ସଂଘର୍ଷ ତଥା ସଂଗ୍ରାମର ଅଭ୍ୟୁଦୟ ହୋଇଛି । ସେଠାକାର କବି, ଲେଖକ, ଚିନ୍ତାନାୟକମାନେ ନିଜ ଲେଖା ତଥା କବିତା ମାଧ୍ୟମରେ ସେଇ ସ୍ଵରକୁ ଉଜ୍ଜୀବିତ କରିଛନ୍ତି, କିନ୍ତୁ ନୈରାଶ୍ୟର ବିଷୟ ସେମାନେ ଆମ ଭାରତୀୟ ପାଠ୍ୟକ୍ରମ ଦ୍ଵାରା ପ୍ରାୟତଃ ଲିପିବଦ୍ଧ ହୋଇ ପାରି ନାହାନ୍ତି । ଖାଲି ସେତିକି ନୁହେ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଭୂଖଣ୍ଡର ମଧ୍ୟ ବହୁ ସଚେତନ ବାସ୍ତବ କବି ଏହି ‘ଚୟନ’ର ପର୍ଯ୍ୟାୟଭୁକ୍ତ ହେଇ ନାହାନ୍ତି । ପରୋକ୍ଷରେ କହିବାକୁ ଗଲେ ବିଷୟ ବସ୍ତୁ ଚିନ୍ତନ ପ୍ରକ୍ରିୟା ଆମ ସାମାଜିକ ପ୍ରଶାସନରେ ବି ନିର୍ଦ୍ଦିଷ୍ଟ ବୋଲି ଧରିନେବାକୁ ଆମେ ବାଧ୍ୟ । ଏଠି ଛୋଟ କଥାଟିଏ ଉଦାହରଣ ଦେଲେ ବୋଧେ କଥାଟି ଆହୁରି ସରଳ, ହୋଇଯିବ । ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଦୈବାତ୍‌ ଇଂଲଣ୍ଡ ତଥା ମିତ୍ର ଶକ୍ତିର ବିଜୟ ନ ହୋଇ ଜର୍ମାନୀର ହୋଇଥାନ୍ତା ତା’ହେଲେ ଆମ ବିଶ୍ଵବିଦ୍ୟାଳୟ ସାହିତ୍ୟ ପାଠ୍ୟକ୍ରମର ଧାରା କେଉଁ ମାର୍ଗରେ ଗତି କରିଥାନ୍ତା ? ଉଇଲିୟମ୍‌ ଏମ୍ପସନ୍‌, ଆଇ.ଏ ରିଚାର୍ଡସ ରେନ୍‌ସମ୍‌, ବ୍ରୁକ୍‌ସ ପ୍ରମୁଖ ସମାଲୋଚକଙ୍କ ମତାନୁଯାୟୀ Literature is an autonomous activity of the mind କିନ୍ତୁ ଏହି ସ୍ଵୟଂଶାସିତ ମସ୍ତିଷ୍କର, ଇଗ୍‌ନିସନ୍‌ ବଟନ୍‌ ଯେ ରାଷ୍ଟ୍ରନିୟନ୍ତା ହାତରେ, ଏହା ବୁଝିବାର ବେଳ ଭାରତୀୟ ବୁଦ୍ଧିଜୀବୀଙ୍କ ପାଇଁ ପହଞ୍ଚିଯାଇଛି । ପୁନଶ୍ଚ ଏହି ପୁସ୍ତକର ଷଷ୍ଠ ପରିଚ୍ଛେଦରେ ଗାୟତ୍ରୀ ସ୍ୱିଭାକ ଉଲ୍ଲେଖ କରିଛନ୍ତି :–

 

In a world of massive brutality, exploitation, and sexual oppression, advocates an aesthetization of life. x x x The effort to invite a persistent - displacement of the bewildering contradiction between life and art relates to the displacement of the bewildering contradiction between the contradictions of life and the professions of our profession.

 

(ବ୍ୟାପକ ନିଷ୍ଠୁରତା, ଶୋଷଣ ଓ ଯୌନ ପୀଡ଼ନର ଏକ ପୃଥିବୀରେ ଆମେ ଜୀବନ ସୌନ୍ଦର୍ଯ୍ୟକରଣ (ଉନବିଂଶ ଶତାବ୍ଦୀରେ କଳାକୁ ଜୀବନ ସହିତ ଯୋଡ଼ିବା)ର ପକ୍ଷ-ସମର୍ଥନକାରୀ-। ଜୀବନ ଓ କଳା ମଧ୍ୟରେ ଥିବା ହତବୁଦ୍ଧ ଦ୍ଵନ୍ଦ୍ୱର ଅବିରତ ସ୍ଥାନଚ୍ୟୁତ ଉଦ୍ୟମର ନିମନ୍ତ୍ରଣ, ଜୀବନ ଓ ଆମ ପେଷାଗତ ଜୀବନର ପେଷାମାନଙ୍କ ମଧ୍ୟରେ ଥିବା ଦ୍ଵନ୍ଦ୍ୱଜନିତ ହତବୁଦ୍ଧ ଦ୍ୱନ୍ଦ୍ୱର ସ୍ଥାନାଚ୍ୟୁତ ସହିତ ସଂପର୍କୀକୃତ) ।

 

ଏବେ କହିବା କଥା ଏଇ ‘ହତବୁଦ୍ଧ ଦ୍ଵନ୍ଦ୍ୱ’ର ଅବିରତ ସ୍ଥାନଚ୍ୟୁତ ସ୍ଵରୂପ ‘କଳାର ସୃଷ୍ଟି କଳା ପାଇଁ’ ନ ଭାବି ‘କଳାର ସୃଷ୍ଟି ଗଣପାଇଁ ଭାବିବା ନ୍ୟାୟରେ ହୁଏତ କବି ବିନୋଦ ତାଙ୍କ ପୂର୍ବସୂରୀ ଯଥା ସଚ୍ଚି ରାଉତରାୟ, ମନମୋହନ ମିଶ୍ର, ଅନନ୍ତ ପଟ୍ଟନାୟକ ପ୍ରଭୃତିଙ୍କ ଠାରୁ ଟିକିଏ ପଛରେ ପଡ଼ିଯାଇଛନ୍ତି । ୩୦ କବି ‘ମୁଁ କାହିଁକି ଲେଖେ’ ପୁସ୍ତକରେ କହିଛନ୍ତି ‘‘ଦୀର୍ଘ ଗୋଟିଏ ବର୍ଷ ଛନ୍ଦର ନିବିଡ଼ ଆଲୋଚନାର ସଂଗ୍ରାମରେ ପକ୍ଷ ପ୍ରତିପକ୍ଷରେ ଅବତୀର୍ଣ୍ଣ ହୋଇଥିଲେ ମାୟାଧର ମାନସିଂହ, ଶରତ ଚନ୍ଦ୍ର ମୁଖାର୍ଜୀ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଡମ୍ବରୁଧର ପରିଡ଼ା, କୁବେର ଦଳାଇ, ରାମକୃଷ୍ଣ ପାଢ଼ୀ, ଯମୁନା ଦେବୀ, ପ୍ରସାଦବାଳା ଦେବୀ ରଥୀ ମହାରଥୀ ଗଣଙ୍କ ଶର ଆତଯାତେ ନ ଦିଶେ ଭାନୁ । ଏ ଯୁଗର ଜ୍ୟୋତିଷ୍କ ସଚ୍ଚି ରାଉତରାୟ, ଲକ୍ଷ୍ମୀଧର ନାୟକ ପାର୍ଶ୍ୱରେ ମୁଁ ଏକ ଖର୍ବ ଜ୍ୟୋତିରିଂଗଣ’ । ତାଙ୍କ ମାନସିକ ବଳୟକୁ ଯେଉଁମାନେ କୈଶୋର ସମୟରୁ ଅକ୍ତିଆର କରିନେଇଛନ୍ତି, ସେମାନେ ତାଙ୍କ ସୃଜନଶୀଳ ଜୀବନର ଶେଷ ପର୍ଯ୍ୟାୟ ଯାକେ ନିରଙ୍କୁଶ ରାଜତ୍ଵ ଚଳେଇ ଆସିଛନ୍ତି ଯାହା ଜଣେ ଶକ୍ତିଧର କବି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଜଣେ କବିଙ୍କୁ ଏୟା ଲେଖିଥିଲେ ଭଲ ହୋଇଥାନ୍ତା, ସେୟା ଲେଖିଥିଲେ ଭଲ ହେଇଥାନ୍ତା ନ୍ୟାୟରେ କିଛି କହିବା ଏକ ଅସଙ୍ଗତ ବ୍ୟାପାର । ଜଣେ ନିଜ କଲମକୁ ବାଗେଇ ଯେଉଁଠି କାଗଜ ଟୁକୁରାଟିଏ ପାଇଲା, ସେଇଠି ଢାଳିଦେଲା ତା’ରି ଆବେଗ ଓ ବୌଦ୍ଧିକତାର ସ୍ୟାହି ଟିକକ । ତେଣୁ, ତା’ର ଦୋଷ ଆଉ ରହିଲା କେଉଁଠି ?

 

୩୦. ତତ୍ରୈବ ପୃଷ୍ଠା ୧୨୮

Image

 

ସୃଜନର ଅନ୍ତିମ ପର୍ଯ୍ୟାୟ

 

କବି ବିନୋଦ ଯେ କଳ୍ପନା ଦଗ୍‌ଧ ଅପରନ୍ତୁ କଳ୍ପନା ବିଳାସୀ ଥିଲେ ଏ ସଂପର୍କରେ ଯଥେଷ୍ଟ ଆଲୋଚନା ହୋଇସାରିଛି । ଓଡ଼ିଆ ସାହିତ୍ୟ ଇତିହାସର ରଚୟିତା ସ୍ଵର୍ଗତ ବୃନ୍ଦାବନ ଆଚାର୍ଯ୍ୟ ତାଙ୍କ ସଂପର୍କରେ କହିଛନ୍ତି ‘ସେ ଜଣେ ରୋମାଣ୍ଟିକ୍‌ କାବ୍ୟ ଚେତନା ଥିବା ବାସ୍ତବଧର୍ମୀ ଶିଳ୍ପୀ, କବିତାରେ ଏକ ନୂତନ ଦିଗଂତ ଓ ଅନୁଭୂତିର ଏକ ନୂତନ ସ୍ଵାଦ ସୃଷ୍ଟି କରିବାରେ ତାଙ୍କର ଶିଳ୍ପସିଦ୍ଧି ବିସ୍ମୟକର’ । ସେଇଭଳି ‘ଆଧୁନିକ ଓଡ଼ିଆ କବିତାର ଉତ୍ତରାୟଣ’ ସମାଲୋଚନା ପୁସ୍ତକରେ କବି ଡ: ଶତୃଘ୍ନ ପାଣ୍ଡବ ଲେଖିଛନ୍ତି ‘‘ବିଂଶ ଶତକର ବିପଣୀ ସଭ୍ୟତାରେ ଏକ ପକ୍ଷରେ ତା’ର ସ୍ଵକୀୟତା ଓ ମର୍ଯ୍ୟାଦାବୋଧ ସଙ୍କୁଚିତ ଏବଂ ଅନ୍ୟ ପକ୍ଷରେ ନାରୀମୁକ୍ତି ଓ ସଶସ୍ତିକରଣର ଆନ୍ଦୋଳନ ବିଶ୍ଵବ୍ୟାପି ପ୍ରସାରିତ । ନାରୀର ମହିମା ଓ ମହତ୍ତ୍ୱବୋଧ କବିର ଲେଖନୀରେ ରୂପାୟିତ । କବି ନାରୀ ଭିତରେ ସର୍ବଂସହା ଧରିତ୍ରୀକୁ ଉପସ୍ଥାପନ କରି ତାକୁ ମର୍ଯ୍ୟାଦାର ଅର୍ଘ୍ୟ ବାଢ଼ିଛି ।

 

କବି ୮-୪-୬୮ରୁ ୨-୭-୭୩ ପର୍ଯ୍ୟନ୍ତ ସଂପାଦକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧-୧-୮୮ରୁ ୧୧-୭-୯୪ ପର୍ଯ୍ୟନ୍ତ ଉପ-ସଭାପତି ଓ ୧୯୮୮ ରେ ସଭାପତି ମହାପାତ୍ର ନୀଳମଣି ସାହୁ ଇସ୍ତଫା ଦେଲା ପରେ ଏକାଡ଼େମୀର ସଭାପତି ଦାୟିତ୍ଵ ତୁଲେଇଥି‌ଲେ । କବି ବିନୋଦଙ୍କ କାବ୍ୟକୃତି ପାଇଁ ୧୯୬୨ ମସିହାରେ ଏହ୍ଲହାବାଦ ବିଶ୍ଵବିଦ୍ୟାଳୟ ତାଙ୍କୁ ଡକ୍ଟରେଟ୍‌ ଉପାଧି ଦେଇଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ୧୯୯୯ ମସିହାରେ ସମ୍ବର୍ଦ୍ଧନା କରିଥିଲେ । ସମ୍ବଲପୁର ବିଶ୍ଵବିଦ୍ୟାଳୟ ତାଙ୍କୁ ଡି.ଲିଟ୍‌ ଉପାଧି ପ୍ରଦାନ କରିଛନ୍ତି । ତାଙ୍କ କବିତା ଉପରେ ଅଭୟ ବାରିକ, ଅଶୋକ କୁମାର ମହାପାତ୍ର ପ୍ରମୁଖ ବହୁବ୍ୟକ୍ତି ଗବେଷଣା କରିଛନ୍ତି । ସେ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ଆନୁକୂଲ୍ୟରେ ବିଷୁବ ପୁରସ୍କାର, ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଭରତ ଚନ୍ଦ୍ର ନାୟକ ସ୍ମୃତି ପୁରସ୍କାର’, ‘ଭଂଜ ପ୍ରଦୀପ ସମ୍ମାନ’ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ୨୦୦୦ ମସିହାରେ ଲାଭ କରିଛନ୍ତି ।

 

କବି ଘରମୁହାଁ ହେବାର ପ୍ରମାଣ ଏହି ଲେଖକ ନିଜେ ଜାଣିପାରିଥିଲେ ତାଙ୍କ ସହିତ ବ୍ୟକ୍ତିଗତ ସଂପର୍କ ଯୋଗୁ । ୧୯୭୩ ମସିହା ଆଡ଼କୁ ସମ୍ବଲପୁରରେ ତାଙ୍କ ସହିତ ମୋର ଭେଟ ହୋଇଥିଲା । ସେ ଭୁବନେଶ୍ୱରରୁ ଆସିଥିଲେ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାର ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ । ସେହି ବର୍ଷ ତାଙ୍କ ଘର ପାଖ ଝାରସୁଗୁଡ଼ା ସହରରେ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲା । ସିଏ ତହିଁରେ ଅଧ୍ୟକ୍ଷ ଭାବେ ଯୋଗଦାନ କଲେ । ୭-୯-୭୩ରୁ ୧୨-୮-୭୮ ଯାକେ ସିଏ ଏହି ମହାବିଦ୍ୟାଳୟର ଅଧକ୍ଷ ଦାୟିତ୍ଵ ମୁଣ୍ଡେଇ ତା’ରି ପ୍ରଶାସନ ଓ ଛାତ୍ର ଶୃଙ୍ଖଳାଜନିତ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି । ‘କପି’ ଭଳି କାର୍ଯ୍ୟକଳାପ ଶିକ୍ଷାନୁଷ୍ଠାନରେ ନ ପୂରେଇବାକୁ ସିଏ ଗୁଣ୍ଡା ଶ୍ରେଣୀୟ ଛାତ୍ର ତଥା ଅଣଛାତ୍ରଙ୍କ ରୋଷର ଶୀକାର ହୋଇଛନ୍ତି । ଜଣେ ଅସାମାଜିକ ଯୁବକ ଏହି ସମୟରେ ମହାବିଦ୍ୟାଳୟରେ ଅଗ୍ନିସଂଚାର କରିଥିବାର ପ୍ରମାଣ ଅଛି । ଏଥିପାଇଁ ଅନେକ ଦିନ ଧରି ଅଧ୍ୟକ୍ଷ ପୋଲିସ୍‌ ତଥା ବିଚରାଳୟର ସମ୍ମୁଖୀନ ହୋଇଛନ୍ତି । ୧୯୬୮ ମସିହାରେ ତାଙ୍କର ଓଡ଼ିଶା ସାହିତ୍ୟ ଏକାଡ଼େମୀରେ ଯୋଗଦାନ ସମୟରେ ଏକ ଲକ୍ଷ ନବେ ହଜାର ଟଙ୍କା ଆତ୍ମସାତ୍‌ କରାଯାଇଥିଲା ଯାହାରି ସିଏ ତଦନ୍ତ କରେଇଥିଲେ । ଏହି ଉଭୟ ଘଟଣାକୁ ସେ ‘କଥା କଥା କବିତା କବିତା’ର ଅକ୍ଟୋବର-ଡିସେମ୍ବର, ୨୦୦୦ ମସିହାର ସାକ୍ଷାତ୍‌କାରରେ କହିଛନ୍ତି । ସ୍ଵାଧୀନତା ସଂଗ୍ରାମୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ନାମରେ ପ୍ରତିଷ୍ଠିତ ହୋଇଥିବା ଝାରସୁଗୁଡ଼ାସ୍ଥିତ ମହାବିଦ୍ୟାଳୟରେ ଅଠସ୍ତରୀ ଯାକେ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଲା ପରେ କବି ତା’ ନିକଟରେ ଥିବା ବ୍ରଜରାଜନଗରରେ ନୂଆ ହୋଇ ଆରମ୍ଭ ହୋଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ନିଅନ୍ତି । କବି ସେଠାରେ ସତାଅଶୀ ମସିହା ଯାକେ ସ୍ଵକୀୟ ବୃତ୍ତିରେ ଅବସ୍ଥାନ କରନ୍ତି । ଏହି ସମୟ ମଧ୍ୟରେ ଅର୍ଥାତ୍‌ ୧୯୮୩ ମସିହାରେ ‘ସମାସ’ ସାହିତ୍ୟ ପତ୍ରିକା ଦ୍ଵାରା ଆହୃତ ବରଗଡ଼ ଠାରେ ‘ପୂର୍ବ-ଭାରତ କବି ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରନ୍ତି । ଏହାଛଡ଼ା ତାଙ୍କ ନେତୃତ୍ଵରେ ବହୁ ଗୁଡ଼ିଏ ସାହିତ୍ୟ ସଭା ତଥା କବି ସମ୍ମିଳନୀ ଏହି ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା-। ବ୍ରଜରାଜନଗର ଶିଳ୍ପାଂଚଳରେ ସାହିତ୍ୟ ବାତାବରଣ ନ ଥିବା ସତ୍ତ୍ୱେ ସେଠାରୁ ସ୍ଵର୍ଗତ ଜଗଦୀଶ ମହାନ୍ତି, ଡ: ଦୁର୍ଯ୍ୟୋଧନ ଦାସଙ୍କ ସହାୟତାରେ ‘ସଂବର୍ତ୍ତକ” ନାମରେ ଏକ ସାହିତ୍ୟ ପତ୍ରିକା ପ୍ରକାଶ କରି ତହିଁର ସଂପାଦନା ଦାୟିତ୍ୱ ହାତକୁ ନିଅନ୍ତି । ଏହି ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଓଡ଼ିଆ ଅଧ୍ୟାପକ ତଥା ସାହିତ୍ୟିକ ଡକ୍ଟର ଶ୍ୟାମ ସୁନ୍ଦର ଧର କହନ୍ତି ‘‘ସଭା-ସମିତିରେ ସେ ଖୁବ୍‌ କମ୍‌ କହୁଥିଲେ । କିନ୍ତୁ ବକ୍ତବ୍ୟରେ ତାଙ୍କର ପରିପକ୍ୱ ଜ୍ଞାନର ଗଭୀରତା ବାରିହୋଇ ପଡ଼ୁଥିଲା ।’’ ଅଠଷଠୀ ବର୍ଷଯାକେ ଅଧ୍ୟାପକ ତଥା ମହାବିଦ୍ୟାଳୟ ପ୍ରଶାସନରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରି ସିଏ ସତାଅଶୀ ମସିହାରେ ବ୍ରଜରାଜନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରୁ ଅବ୍ୟାହତ ନିଅନ୍ତି ଓ ଅଠାଅଶୀ ମସିହାରୁ ପୁନରାୟ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ-ସଭାପତି ଦାୟିତ୍ଵ ସାଙ୍ଗକୁ ସାମୟିକ ସଭାପତି ଦାୟିତ୍ଵ ଚଉରାନବେ ମସିହା ଯାକେ ସମ୍ଭାଳିଲା ପରେ ସେଠାରୁ ଅବ୍ୟାହତି ନେଇ ନିଜ ଗ୍ରାମ ସାହସପୁରରେ ଜୀବନର ଶେଷଯାକେ ସ୍ଥାୟୀ ଭାବରେ ବସବାସ କରନ୍ତି ।

 

କବି ଲେଖାଲେଖି ଖୁବ୍‌ ତରୁଣ ବୟସରୁ ଆରମ୍ଭ କରିଥିବା କଥା ଆଗରୁ ଆଲୋଚନା ସରିଛି । ୧୯୩୪ ମସିହାରେ କବିଙ୍କୁ ଯେତେବେଳେ ମାତ୍ର ପନ୍ଦର ବର୍ଷ, ସେହି ସମୟରେ ତାଙ୍କ କବିତା ‘ବିଦାୟ ବିପ୍ଲବ, ପ୍ରକାଶ ପାଇଛି ‘ନବ ଭାରତ’ ପତ୍ରିକାରେ । ପୁନଶ୍ଚ ୧୯୩୯ ମସିହାରେ ତାଙ୍କ କବିତା ‘ପରାଜୟ’ ସେହି ପତ୍ରିକାରେ ସ୍ଥାନ ପାଇଛି । ଯଥା ‘ହାୟ ମୋ କବିତା, ନିଭୃତର ସହଚରୀ ଆପଣାର ଚିର ପରିଚିତା ତୁମରେ ଯେ ବଳିଦେଇ କରିବି ମୁଁ ଦୂରେ ଅଭିଯାନ, ଜୀବନର ଉପକୂଳେ ରଣେ ଆଜି ଆସିଛି ଆହ୍ଵାନ’, ଚିନ୍ତା ଓ ଚେତନାରେ ଏହାରି ସ୍ଥାନ ଉଚ୍ଚକୋଟିର ଓ କବି ଯେ ପ୍ରତିଭାବନ୍ତ, ଏଥିରେ ଦ୍ୱିମତ ହେବାର ନାହିଁ । ୧୯୩୪ ମସିହାରେ ବାଳକୃଷ୍ଣ କରଙ୍କ ଭଳି ଜଣେ ପ୍ରତିଷ୍ଠିତ ସାହିତ୍ୟିକ ତଥା ସଂପାଦକଙ୍କ ଦ୍ଵାରା ସଂପାଦିତ ‘ସହକାର’ ପତ୍ରିକାରେ କବିଙ୍କ ଲେଖା ‘ଅଶ୍ରୁର ଅର୍ଘ୍ୟ’ ପ୍ରକାଶ ପାଇଛି । ସେଇଭଳି ୧୯୩୮ ମସିହା ଚତୁର୍ଥ ବର୍ଷ ନବମ ସଂଖ୍ୟା ‘ନବ ଭାରତ’ରେ ‘ମନ୍ଦିର ଭଗ୍ନ’, ପ୍ରଥମ ସଂଖ୍ୟାରେ ‘ଅମୁହାଁ ଦେଉଳ ଯଥା ‘‘ମାନବର ଅତ୍ୟାଚାର କାରାଗାର ରୁଦ୍ଧ ଯେ ଦେବତା, ତେଣୁ ନାହିଁ ପଶେ କାନେ ପୂଜାରୀର ବ୍ୟର୍ଥ ଆକୁଳତା × × × ମଙ୍ଗଳର ଶଙ୍ଖ ତେଣୁ ଆଉ ଥରେ ଯହିଁ ଉଠେ ବାଜି, ଅମୁହାଁ ଦେଉଳ ପାଶୁଁ ଫେରିଯାଅ ହେ ପୂଜାରୀ, ଆଜି ପ୍ରକାଶ ପାଇ ତା’ରି ନିର୍ଭୁଲ୍‌ ଶୈଳୀ ଓ ଛନ୍ଦ ଯୋଗୁ ସେଇ ସମୟରେ ପାଠକ ପାଠିକାଙ୍କ ପ୍ରିୟଭାଜନ ହେବା ସ୍ଵାଭାବିକ ଥିଲା । ୧୯୪୧ ରେ କବିଙ୍କ ଲିଖିତ ‘ମାଳି’ ଆରତୀ ପତ୍ରିକାରେ ଚତୁର୍ଥ ବର୍ଷ ୧୯ଶ ସଂଖ୍ୟାରେ ପ୍ରକାଶିତ । ଜୁନ୍‌ ୧୯୪୨ରେ ‘ସହକାର’ରେ ‘ସେଲିମ୍‌ର ସ୍ଵପ୍ନ’, ସେପ୍ଟେମ୍ବରରେ ‘ସୁମେରୁରେ ସଂଧ୍ୟା’, ପ୍ରଥମ ଷଷ୍ଠ ସଂଖ୍ୟା ୧୯୪୬ରେ ‘ମୈୟା’ ‘ଚତୁରଙ୍ଗ’ ପତ୍ରିକାରେ ଏବଂ ଉଭୟ ‘ଅଳପ ବିସ୍ତର’, ‘ଏକ ରାତ୍ରୀର ସଖୀ’ ଯଥାକ୍ରମେ ‘ଡଗର’ର ଦୀପାବଳୀ ସଂଖ୍ୟା, ୧୯୪୬ ଓ ନବମ ସଂଖ୍ୟା, ୧୯୪୫ରେ ପ୍ରକାଶିତ ହୋଇଥିଲା । ଡିସେମ୍ବର, ୧୯୪୭ରେ ‘ଡଗର’ ପତ୍ରିକାରେ ‘ବେଦୁଇନ୍‌ ଦେଶେ, ଏପ୍ରିଲ୍‌, ୧୯୪୯ରେ ‘କୁମ୍ଭ କାମୋଦୀ’ ଭଳି ସମୁନ୍ନତ ତଥା ସମୃଦ୍ଧ କବିତା ପ୍ରକାଶ ପାଇଲା ପରେ କବି ବିଶେଷ ଭାବରେ ‘କବିତା’ରେ ଲୋକପ୍ରିୟତାର ପାହାଚ ଗୋଟିଏ ପରେ ଗୋଟିଏ ଆରୋହଣ କରିବାରେ ଲାଗିଲେ-। ଅନ୍ୟ ଏକ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ‘ଶଙ୍ଖ’ରେ ତାଙ୍କ କବିତା ‘ମାଧବୀ ଜ୍ୟୋସ୍ନା’ ଓ ‘ମେଘ ମହ୍ଲାର’ ଯଥାକ୍ରମେ ୯ମ ସଂଖ୍ୟା, ୧୯୪୭ ଓ ୩ୟ ସଂଖ୍ୟାରେ ପ୍ରକାଶ ପାଇବାର ସୌଭାଗ୍ୟ ଅର୍ଜନ କଲା । ଏତଦ୍‌ ବ୍ୟତୀତ ଧାରାବାହିକ ଭାବେ ତାଙ୍କ କାବ୍ୟ କବିତା, ‘ଝଂକାର’ ଆସନ୍ତାକାଲି, ‘କଳନା’, ‘ନବରବି’, ‘ନବପତ୍ର’ ଚଳିତ ସମୟର ପ୍ରାୟ ସମସ୍ତ ପ୍ରତିଷ୍ଠିତ ପତ୍ର ପତ୍ରିକାରେ ସ୍ଥାନ ପାଇ ଆସିଲା । ନିଜ ବିଦଗ୍‌ଧ ପ୍ରତିଭା, ଶ୍ରେୟାନୁଭବ, ଭାବ ତଥା ଶୈଳୀର ଅପରୂପ ପ୍ରାଚୁର୍ଯ୍ୟ ତାଙ୍କ କାବ୍ୟ-ଭାଷାକୁ ବେଶ୍‌ ଉଦାତ୍ତ ଓ ଶାଣିତ କରି ଗଢ଼ି ତୋଳିଲା । ପ୍ରସିଦ୍ଧି ବଳେ ଆସି ହାଜର୍‌ ହେଲା ତାଙ୍କ ନିକଟରେ । ୨୦୦୦ ମସିହା ବେଳକୁ କବି ଝାରସୁଗୁଡ଼ାରୁ ୪୫ କି.ମି ଦୂରବର୍ତ୍ତୀ ନିଜ ଗ୍ରାମ ସାହସପୁର ଠାରେ ଅବସ୍ଥାନ କରୁଥାନ୍ତି । ସେତେବେଳେ ତାଙ୍କୁ ପ୍ରାୟ ଏକାଅଶୀ ବର୍ଷ ବୟସ ଓ ବୟସାଧିକ୍ୟ ଯୋଗୁ ପ୍ରାୟତଃ ଭଗ୍ନସ୍ଵାସ୍ଥ୍ୟ । ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ହେଇଥିବାରୁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତୃପକ୍ଷ ଭୂବନେଶ୍ୱର ଯାଏ ଆସିବା ପାଇଁ ବାରଣ କଲେ । ତାଙ୍କ ପାଇଁ ସମ୍ବଲପୁରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଲା ଓ ସେ କଷ୍ଟରେ ନିଜ ଗାଆଁରୁ ସମ୍ବଲପୁର ଆସିବାକୁ ସକ୍ଷମ ହୋଇଥିଲେ ।

 

କବି ପଠନକ୍ରିୟାରେ ଜୀବନର ଶେଷ ସମୟଯାକେ ବେଶ୍‌ ସକ୍ରିୟ ଥିଲେ । ଓଡ଼ିଆ, ଇଂରାଜୀ, ବଙ୍ଗଳା, ହିନ୍ଦୀରେ ଯଥେଷ୍ଟ ବ୍ୟୁତ୍ପତ୍ତି ଥିବାରୁ ସେ ଏହି ଭାଷାଭାଷୀ ବହୁ ପୁସ୍ତକ ଅଧ୍ୟୟନ କରିଛନ୍ତି । ଅନ୍ୟ ଭାଷାର ବହୁ କବିଙ୍କ ସୃଷ୍ଟି ସମୂହ ଅଧ୍ୟୟନ କରି ସେ ତାଙ୍କଠୁ ପ୍ରେରଣା ପାଇଁ ନିଜ ଲିଖନ ଶୈଳୀକୁ ଆହୁରି ମାର୍ଜିତ ତଥା ରୁଦ୍ଧିମନ୍ତ କରିଛନ୍ତି ।

 

୧୫-୧୧-୨୦୧୩ ଦିନ କବି ନିଜ ଗ୍ରାମରେ ଥାଇ ଆମଠୁ ଚିର ବିଦାୟ ନିଅନ୍ତି ଏକ ଆକସ୍ମିକ ମୁହୂର୍ତ୍ତରେ । ତାଙ୍କରି ତିରୋଧାନରେ ଓଡ଼ିଆ ସାହିତ୍ୟ ତଥା ସଂସ୍କୃତି ଦିଗଂତରୁ ଏକ ଉଜ୍ଵଳ ତାରକା ଖସିଗଲା ଭଳି ମନେ ହୁଏ । ତାଙ୍କ ଶୂନ୍ୟସ୍ଥାନ ପୂରଣ ପାଇଁ କୌଣସି ପ୍ରୟାସ ନିରର୍ଥକ, ସମସ୍ତ ବିନୋଦ କାବ୍ୟମୋଦୀ ଏହାକୁ ମର୍ମେ ମର୍ମେ ଅନୁଭବ କରିବା ସ୍ଵାଭାବିକ ।

Image

 

‘ଉଲ୍ଲଂଗ ରୁଦ୍ର’ ଓ କବି

 

ଦୀର୍ଘ ସାତ ଦଶଂଧି ଧରି କାବ୍ୟ ସାଧନାରେ ବ୍ରତୀ କବି ବିନୋଦଙ୍କ ଏହା ଅନ୍ତିମ ସଂକଳନ ଓ ୨୦୦୦ ମସିହାରେ ଡକ୍ଟର ଧ୍ରୁବରାଜ ନାୟକଙ୍କ ଦ୍ୱାରା ପ୍ରକାଶିତ । ଏହି ଗ୍ରନ୍ଥରେ ନିଜର ମତାମତ ସ୍ଵରୂପ କବି ମନସ୍ତାତ୍ତିକ କାର୍ଲ ଗୁସ୍ତାକ୍‌ ୟଙ୍ଗ୍‌ଙ୍କ କଳା ସଂପର୍କିତ ଧାରଣାକୁ ଦୋହରାଇଛନ୍ତି । ‘ସମଗ୍ର ସାହିତ୍ୟ ତଥା କଳା ସର୍ଜନାକୁ ଆବ୍‌ଷ୍ଟ୍ରାକ୍‍ସନ୍‌- ଭାରସାମ୍ୟ ବିହୀନ ଅସ୍ଥିରତା-ହାଇପର୍‌ ଟେନ୍‌ସନ୍‌ର ଅଭିଜାତ ବୋଲି ଉଦ୍ଧରିତ ବାକ୍ୟ ଅନୁଯାୟୀ ନିଜ କାବ୍ୟମାନସକୁ ପ୍ରତିପାଦିତ ନ କରିଥିବା ଭଳି ମନେ ହୁଏ । ଅନ୍ୟ ଅର୍ଥରେ ଏହି ସଂକଳନର କବିତାମାନଙ୍କରେ ସିଏ ଆପାତତଃ ସ୍ଥିର, ଗମ୍ଭୀର ଓ ପରିଣତ ବୟସ ତଥା ମସ୍ତିଷ୍କର ଉଚ୍ଚାଙ୍ଗ ଭାରସାମ୍ୟର ସୂଚନା ଦେଇଛନ୍ତି । ସୁରେନ୍ଦ୍ର ମହାନ୍ତିଙ୍କ ସମାଲୋଚକୀୟ ଦୃଷ୍ଟିଭଙ୍ଗୀରେ ‘‘ବିନୋଦ ନାୟକଙ୍କ କବିତାରେ ରୋମାଣ୍ଟିସିଜିମ୍‌ ସହିତ ବାସ୍ତବତା ସ୍ଵୀକୃତି ଥିବାରୁ ଆଙ୍ଗିକ, ଶବ୍‌ଦ ପ୍ରୟୋଗ ଓ ପ୍ରକାଶ ଭଙ୍ଗିରେ ଅତୀତର ସମସ୍ତ ପରମ୍ପରା ଛିନ୍ନ ହୋଇଯାଇଛି । ତାଙ୍କର ନୂତନ ଶବ୍ଦ ପ୍ରୟୋଗ, ନୂତନ ଉପମା ଓ ଉତ୍‌ପ୍ରେକ୍ଷା ଇତ୍ୟାଦି ଅଳଂକାରର ଚିରାଚରିତ ପ୍ରଥା ବିରୁଦ୍ଧରେ ଏକ ବିପ୍ଳବ’’ । ଓଡ଼ିଆ କବିତାର ଦୀର୍ଘ ପରୀକ୍ଷା ନିରୀକ୍ଷା ଭିତରେ କବି ଆଉ ଚାହିଁନାହାନ୍ତି ନିଜ ସୃଷ୍ଟିକୁ ଦେଶ, କାଳ ଓ ପାତ୍ରର ସୀମିତ ସୀମା ମଧ୍ୟରେ ବାନ୍ଧି ରଖିବାକୁ । ଅନ୍ୟ ପକ୍ଷରେ ଏକ ମହାଚେତନୀ ଯାହା ‘ଶିବତ୍ୱ’ର ହୁଙ୍କାରେ ଅନୁରଣିତ, ତାକୁ ‘ଉଲ୍ଲଂଗ ରୁଦ୍ର’ ପଟ୍ଟଭୂମିରେ ‘ଲଉଡ଼ିରେ ତା’ର ରୁଦ୍ରର ଅବତରଣ, ତ୍ରିଶୂଳ ଉଛୁଡ଼ି ବହ୍ନି ଲୋହିତ ବରଣ,’ କଉଡ଼ି ‘ଭଷ୍ମ ଶରୀର ବହିରାବରଣ, ଲୋଳିତ ଏକଇ ଚରଣ ଉର୍ଦ୍ଧେ, ଭୂମିରେ ଥାପିତ ତାହାରି ଅନ୍ୟ ଚରଣ’ ଭଳି ଶକ୍ତିଶାଳୀ ଆବେଗ ଓ ଉତ୍ତୋଳିତ ଚେତନାରେ ଆପ୍ୟାୟନ କରିଛନ୍ତି । ଏହା ତାଙ୍କ ପୂର୍ବବର୍ତ୍ତୀ ଶାନ୍ତ ଓ ସୂକ୍ଷ୍ମାନୁବେଗ ବିରୁଦ୍ଧରେ ଏକ ଜ୍ଵଳମାନ ପ୍ରତିକ୍ରିୟା ଭଳି ବୋଧ ହେଉଛି । ଏହାରି ଅନ୍ତଃସ୍ଵର ନିଧାର୍ଯ୍ୟରେ ଉଲ୍ଲଂଗ କଳ୍ପନାର ରୁଦ୍ର ତପସ୍ୟା । ଏଠାରେ କବିତାର ସାଙ୍ଗିତିକତା ଉଗ୍ର ରୂପ ନେବାରେ ବ୍ୟସ୍ତ ଯଥା ତାକ ଧ୍‌ନାଧିନ୍‌ ଧିନିତା, ତ୍ରିଖ୍‌ଟା ତ୍ରିଖ୍‌ଟା’ ଧିଥଲଂ ଭୈରବୀୟ ତାନ ତଥା ନଟରାଜଙ୍କ ମହାତାଣ୍ଡବକୁ ମନେପକାଇ ଦେଉଛି । ଛନ୍ଦପତନ ପ୍ରତି କବିଙ୍କ ଦୁର୍ବଳତା ଯଥା ‘ବାଜେ ଝନନ୍‌ ଝନନ୍‌ ଝଂ ଝଂ ଝଂ କରତାଳ, ନାଚେରେ ନାଚେରେ ମତ୍ତ ମହାକାଳ’, କାବ୍ୟାତ୍ମା ଯେମିତି ମହାକାଳ ପ୍ରତି ସଂପୂର୍ଣ୍ଣ ଉତ୍ସର୍ଗୀକୃତ । କବିତାଟି ଧ୍ଵନି ସର୍ବସ୍ଵ କିନ୍ତୁ ସାଧାରଣ ଭାବେ କୌଣସି ଅର୍ଥକୁ ବ୍ୟାହତ କରୁନାହିଁ । ‘ନିଃସଙ୍ଗ ପେଚକ’ର କ୍ୟାନ୍‌ଭାସ୍‌ ମୋଟାମୋଟି ନିଦାରୁଣ । ସତ୍ୟ, ଶିବ, ସୁନ୍ଦରକୁ ଉପେକ୍ଷା କରୁଥିବା ନକାରାତ୍ମକ ଲେଣ୍ଡସ୍କେପ୍‌ ଯେଉଁଠି ଭିଡ଼ ଜମାନ୍ତି, ଶକୁନ, ଶିଆଳ, ପେଚକ ଭଳି ପ୍ରାଣୀ । ସାଧାରଣ ଭାବେ କେହି କେହି ଏମାନଙ୍କୁ ଅଶୁଭର ପ୍ରତୀକ ଭାବେ ଧରିନିଅନ୍ତି । ତେବେ ଏହା ସାର୍ବଜନୀକ ନୁହେ । କବି କାହିଁକି ଜାଣିଶୁଣି ବିଭତ୍ସତାକୁ ଆଣି ପଂକ୍ତିମାନଙ୍କରେ ପୂରେଇଛନ୍ତି ଯାହା କବିତାର ଗାଠନିକ ସୌନ୍ଦର୍ଯ୍ୟ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଯଥା : ତତ୍‌କ୍ଷଣାତ୍‌ ଅସ୍ଥି ଆଉ ପଞ୍ଜରାର କାଠି, ଶ୍ଵାନ ଓ ଶୃଗାଳ ଦଳ ଖଣ୍ଡ ଖଣ୍ଡ ବହିନେଲେ କାଟି’’ । କବିତାର ଶେଷ ପଂକ୍ତି କିନ୍ତୁ ପେଚକର ନିଃସଙ୍ଗତା ତଥା ନିସ୍ପୃହତାର ସୂଚନା ଦେଉଛି । ଯେମିତି ସିଏ ନିଜ କାର୍ଯ୍ୟକଳାପରେ ନିଜେ ଅସନ୍ତୁଷ୍ଟ ଯଥା :

 

କେବଳ ପଥପାର୍ଶ୍ୱର ତାର ଖୁଣ୍ଟ ପରେ ବସି କରୁଣ ଏକକ

କାଳ ପୁରୁଷର ଆଗେ ବାହୁନି ବାହୁନି

ଅଶ୍ରୁଳ ବିଳାପ କରେ ନିଃସଂଗ ପେଚକ ।

 

‘ଗରିଲା’ କବିତାରେ କବି ଜଙ୍ଗଲର ଏକ ଛୋଟିଆ ଦୃଶ୍ୟଟିଏ ଆଣି ପଂକ୍ତିଟିରେ ଭର୍ତ୍ତି କରିଛନ୍ତି । ମୃଗଟିଏ ତୃଷାର୍ତ୍ତ ହେବାରୁ ନିଜ ସାଙ୍ଗମେଳରୁ ଫିଟ୍‌କି ଯାଇଛି । ପରିଣାମରେ ସିଏ ହାବୁଡ଼େଇ ଯାଇଛି ଏକ ଅଜଗର ପାଖରେ । ତା’ ଶରୀରକୁ ଭିଡ଼ି ଧରିଛି ନାଗପାଶ । ଯା’ହେଉ ‘ଗରିଲା’ଟି ତା’ ସହାୟତା ପାଇଁ ଆଗେଇ ଆସିଛି ଯଥା :

 

କିଛି ଅଗ୍ରେ ଯୂଥ ଭ୍ରଷ୍ଟ ତୃଷାର୍ତ୍ତ ମୃଗର

ଜଳଗର୍ତ୍ତ ପାଶେ ଦେଖି ଏକ ଅଜଗର

ଲମ୍ପଦେଲା ହୋଇ ଉର୍ଦ୍ଧ୍ୱଶ୍ଵାସ

ପାଇଥନ୍‌ କୁଂଡ଼ଳୀରେ ସର୍ବଅଂଗେ

ଦେଖି ନାଗଫାଶ

ବଜ୍ର ମୁଷ୍ଟି ପ୍ରହାରରେ

ଇକ୍ଷୁନାଡ଼ ସମତାର

ମେରୁଦଣ୍ଡ ଉଗ୍ନ କରିଥିଲା

କାନ୍ତାରର ଆଦିପ୍ରେତ ପ୍ରଚଣ୍ଡ ଗରିଲା ।

 

ଜଙ୍ଗଲର ଏଭଳି ଅପରିମିତ ଶକ୍ତିଧାରୀ ‘ଗରିଲା’, ଚାରିଗୋଡ଼ିଆ, ଯାହାରି ଅଭିଧାନରେ ‘ଭୟ’ ଶବ୍ଦ ହିଁ ନାହିଁ । କବି ନୃତତ୍ତ୍ଵ ବିଦ୍ୟାକୁ ଯଥାସମ୍ଭବ ଚାହିଁଛନ୍ତି କବିତାରେ ପରୀକ୍ଷା କରିବାକୁ । ପାର୍ଥ କବିତା କିନ୍ତୁ ଭିନ୍ନ ମୋଡ଼ର । ଏହା ଜଗନ୍ନାଥୀୟ ଚେତନାର ମୂଳବିନ୍ଦ । କବି ‘ମିଥ୍‌’ ଅର୍ଥାତ୍‌ କିମ୍ବଦନ୍ତୀକୁ ଆଣି ସଜାଡ଼ିଛନ୍ତି କବିତାର ପଂକ୍ତିରେ ଯଥା :

 

ତୁମେ କିନ୍ତୁ ଚଳ ଦେବଦଳନର ରଥେ

ବଡ଼ ଦାଣ୍ଡେ ନାଗରା ବଜାଇ

ଅଗ୍ରେ ବଳଭଦ୍ର ପଛେ ଭାଇ ଜଗନ୍ନାଥ

ମଧ୍ୟରେ ସୁଭଦ୍ରା ଦେଈ

ହୋଇ ସୁନାବେଶ

ଅଙ୍ଗେ ହରିଦ୍ରା ଲେପନ ଲଲାଟେ ସିଂଦୁର

 

ଧର୍ମୀୟ ଚେତନାକୁ ନେଇ କବିତାଟି ଗଢ଼ିଉଠିଛି । ଅର୍ଜୁନ ଓ ସୁଭଦ୍ରାଙ୍କ ଯୁଗ୍ମଜୀବନ ଉପରେ କବିତାଟିର କିଛି ଅଂଶ ଗଢ଼ି ଉଠିଥିଲେବି ‘ଅଭିମନ୍ୟୁହତ’ ଠାରୁ ଆରମ୍ଭ କରି ପରୀକ୍ଷିତ ରାଜାଙ୍କ ଅଭିଶାପ ଭଳି ବହୁ ସ୍ଵର ଓ କାହାଣୀରେ ଏହା ଅନୁରଣିତ । ‘ଦାରୁ ଦେବତା’ ଶୀର୍ଷକ କବିତାରେ କବି ପୌରାଣିକ କାହାଣୀ ମାଧ୍ୟମରେ କୃଷ୍ଣଙ୍କର ମୃତ୍ୟୁ ଠାରୁ ଜଗନ୍ନାଥଙ୍କ ଆବିର୍ଭାବ ଯାକେ ଘଟିଥିବା ଘଟଣାବଳୀକୁ କବିତାର ପଂକ୍ତିରେ ଭରି କରିଛନ୍ତି । ଯଥା :

 

କୂଟ ସୂତ୍ରେ କୁରୁକ୍ଷେତ୍ରେ ରକ୍ତ ବନ୍ୟା ରଚି

ଏରକାର ତଟେ

ହତହେଲ ଶବରର ଶରେ !

ବୋଧିଦ୍ରୁମ ତଳ ହେଲା ନାହିଁ ଦୀପ ଦୀପଂକର

ତେଣୁ କାଷ୍ଠଖଣ୍ଡ ହୋଇ ଭାସି ଭାସି ସାଗର ତରଙ୍ଗେ

ଶେଷେ ବାଲୁକା ବେଳାର ଶିଳାର ଦେଉଳେ

ନିର୍ବେଦ ପାଲଟିଗଲ

ହେ ଦାରୁଦେବତା !

 

‘ନିଃସଙ୍ଗ ଏକକ’ର ଭିତ୍ତିପ୍ରସ୍ଥ ‘ମହାଭାରତ’ର ‘ଅଭିମନ୍ୟୁ ବଧ’ ଉପରେ ଆଧାରିତ । କବିତାଟିର ପ୍ରାରମ୍ଭରେ ‘The lion hunts alone, the wolves hunt in a pack. ଅର୍ଥାତ୍‌ ସିଂହ ଏକାକୀ ଶିକାର କରେ କିନ୍ତୁ ହେଟାବାଘ ମାନେ ଯୂଥବଦ୍ଧ ହୋଇ ସେହି କାମ କରନ୍ତି, ବିଷୟକୁ ନେଇ କବିତାଟିର ସର୍ଜନା କରିଛନ୍ତି । ‘ଅଗ୍ରେ ଦ୍ରୋଣ ଚକ୍ରବ୍ୟୁହ, ସାରଥୀ ନ ପାରେ ବାହି ରଥ, ନଚାଲେ ରୋହିତ ଅଶ୍ଵ, ରୁଦ୍ଧ ତୋର ସମ୍ମୁଖର ପଥ, ପୃଷ୍ଠଭାଗେ ଛୁରିକା ମୁଷ୍ଠିରେ ଜୟଦ୍ରଥ, ଭଗବାନ କୃଷ୍ଣ ଭାଗିନେୟ ! ସୁଦର୍ଶନ ଚକ୍ରର ସହାୟ-ନାହିଁ ନାହିଁ ! ସବ୍ୟସାଚୀର ତନୟ ନିଃସଂଶୟ, ଗାଣ୍ଡିବ ଅକ୍ଷୟତୂଣୀର ପାଶୁପତ, ଗଲାକାହିଁ-କାହିଁ ?’

 

କବି ସାଂପ୍ରତିକ ନଗର କୈନ୍ଦ୍ରିକ ମୂଲ୍ୟବୋଧକୁ ବିଦ୍ରୁପୋକ୍ତି କରିଛନ୍ତି 'ସୁଗନ୍ଧୀ ଗୋଲାପୀ ନିଆଁ କବିତାରେ । ନିଜ ଅସହାୟତାକୁ ସିଏ ଚାହିଁଛନ୍ତି ଜଣେଇବାକୁ ନିଜ ପାଠକ ବର୍ଗଙ୍କୁ ଯଥା: ‘ମୁଁ ବି ହୋଇପାରିଥାନ୍ତି ଦକ୍ଷ ପ୍ରଶାସକ କଲମ କୌଶଳୀ’ । ଏଭଳି କହିବାରେ କବି ବୋଧେ ଚାହୁଁଛନ୍ତି ପ୍ରଶାସନ ଓ କବିତାର କାରିଗରୀ କେଉଁଭଳି ଏକୀଭୂତ କାହା କାହା ପାଖରେ । ତେବେ ‘ନିଜସ୍ଵ ମହିମା ନେଇ, ଡବ୍ଲ୍ୟୁ ଡବ୍ଲ୍ୟୁ ଇଣ୍ଟରନେଟ୍‌, ଏ. ସି. କାର୍‌ କକ୍‌ଟେଲ୍‌ରେ ନୈଶ ମିଳନୀ, ଗହଣାର ପ୍ରଦର୍ଶନୀ ସ୍ଥୁଳାଙ୍ଗୀ ଶ୍ରୀମତୀ, ଟୁରିଷ୍ଟ୍‌ ହୋମେ ଅବକାଶ, ସଙ୍ଗେ ନେଇ ସାମୟିକ ସୌଜନ୍ୟ ସୁହାନୀ’ ଚଳମାନ ନଗରୀ ଜୀବନ ପ୍ରତି ଆକ୍ଷେପୋକ୍ତି ଯାହା ପ୍ରକାରାନ୍ତରେ କୃତ୍ରିମ ଓ ନୀରସ । ସର୍ବମୋଟ ୩୭ଟି କବିତା କୁ ନେଇ ‘ଉଲ୍ଲଂଗ ରୁଦ୍ର’ କବିତା ସଂକଳନର ସୃଷ୍ଟି । ଅନ୍ୟାନ୍ୟ ସଂକଳନ ଭଳି ଏହାର ଶବ୍‌ଦ ଓ ଭାବବିନ୍ୟାସ ସଂପୂର୍ଣ୍ଣ ଭାବରେ କବିଙ୍କ ଏକାନ୍ତ ନିଜସ୍ଵ । ଶୈଳୀ ସ୍ଵାତନ୍ତ୍ର୍ୟ ଓ ଗାଠନିକ ପ୍ରକ୍ରିୟା ଦେଖିଲେ ଜଣେ ହୁଏତ ଜାଣିପାରିବ ଏ କବିତା ଗୁଡ଼ିକର ରଚୟିତା କିଏ ? ୧୯୭୯ ମସିହାରେ ମୁ ‘Indian Literature’ ଜାନୁୟାରୀ-ଫେବୃୟାରୀ ସଂଖ୍ୟାରେ Oriya Poetry after the sixties : An Approach ଶୀର୍ଷକ ପ୍ରବନ୍ଧରେ କବି ବିନୋଦ ଚନ୍ଦ୍ରଙ୍କ ଉପରେ ଏକ ଅନୁଚ୍ଛେଦ ଲେଖିଥିଲି । ତା’ ହେଲା :

 

‘Binod Ch. Naik, an established but hardcore romantic, always accumulates strength for his solitary journey. He is away from realism. While a modern Poet realises the futility of life and bleeds he himself crouches against the setting sun of the polar region. Thus there remains a distance between the poetic object and the observing poet.

 

(ବିନୋଦ ଚନ୍ଦ୍ର ନାୟକ ଜଣେ ପ୍ରତିଷ୍ଠିତ ତଥା କଠିନ ହୃଦୟର ରୋମାଣ୍ଟିକ ସଦାବେଳେ ନିଜ ଶକ୍ତି ନିଃସଙ୍ଗ ଯାତ୍ରା ପାଇଁ ସଂଚୟ କରି ରଖିଥାନ୍ତି । ସେ ବାସ୍ତବତାଠୁ ଦୂରରେ । ଯେତେବେଳେ ଜଣେ ଆଧୁନିକ କବି ଜୀବନର ବ୍ୟର୍ଥତାକୁ ଅନୁଭବ କରି ରକ୍ତାକ୍ତ ହେଉଛି, ସିଏ ମେରୁ ଅଞ୍ଚଳର ସୂର୍ଯ୍ୟାସ୍ତ ଉପରେ ଆଉଜେଇ ପଡ଼ୁଛନ୍ତି । ତେଣୁ, କାବ୍ୟିକ ବସ୍ତୁ ଓ ଦୃଷ୍ଟି ନିବଦ୍ଧକାରୀ କବି ମଧ୍ୟରେ ଏକ ଦୂରତ୍ୱ ରହିଯାଉଛି ।’)

 

ତେବେ ବିନୋଦ ଚନ୍ଦ୍ର ବାସ୍ତବତାଠୁ ଦୂରରେ ନା ନିକଟରେ ଏହା ତାଙ୍କୁ ଅନୁଭବ କରିପାରୁଥିବା ପାଠକ ହିଁ ଅସଲ ଉତ୍ତର ଦେଇପାରିବେ ।

Image

 

ସର୍ବଭାରତୀୟ ପୃଷ୍ଠଭୂମିରେ କବି

 

କବି ବିନୋଦ ଚନ୍ଦ୍ରଙ୍କ କାବ୍ୟକୃତି କେବଳ ଓଡ଼ିଆ ଭାଷାଭାଷୀ ପାଠକଙ୍କ ମଧ୍ୟରେ ସୀମିତ ନ ଥିଲା । ଓଡ଼ିଶା ବାହାରେ ହିନ୍ଦୀ ବିଦ୍ଵାନ ମଣ୍ଡଳୀଙ୍କ ପାଖରେ ତାଙ୍କ ସୃଜନ କଳାର ଚିହ୍ନଟ ପାଇଁ ଯେଉଁ କେତେଜଣ ପ୍ରୟାସ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଡ: ଅର୍ଜୁନ ଶତପଥୀ ଓ ଡ. ମଧୁସୁଦନ ସାହା । ଡ. ଅର୍ଜୁନ ଶତପଥୀଙ୍କ ଜନ୍ମ ସୁବର୍ଣ୍ଣପୁର ଜିଲ୍ଲାରେ ଓ ସେ ୧୯୬୫ ମସିହାରେ ଏହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ହିନ୍ଦୀରେ ଏମ୍‌.ଏ ତଥା ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ୧୯୭୭ ମସିହାରେ ପି.ଏଚ୍‌.ଡ଼ି ଲାଭ କରିଥିଲେ । ବହୁବର୍ଷ ଧରି ସିଏ ରାଉରକେଲା ସରକାରୀ ମହାବିଦ୍ୟାଳୟରେ ହିନ୍ଦୀରେ ଅଧ୍ୟାପନା କରିଥିଲେ । ସେଇଭଳି ଡ. ସାହା ଭାଗଲପୁର ବିଶ୍ଵବିଦ୍ୟାଳୟରୁ ହିନ୍ଦୀରେ ସ୍ନାତକୋତ୍ତର ଓ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ୧୯୯୧ ମସିହାରେ ପି.ଏଚ୍‌.ଡି ଉପାଧି ଲାଭ କରିଥିଲେ । ସିଏ ରାଉକେଲା ଇସ୍ପାତ୍‌ କାରଖାନାରେ ହିନ୍ଦୀ ବିଭାଗୀୟ ଅଧିକାରୀ ଥିଲେ । ଏ ଦି’ଜଣ ବ୍ୟକ୍ତି ଡକ୍ଟର ବିନୋଦ ଚନ୍ଦ୍ରଙ୍କୁ ସର୍ବଭାରତୀୟ ସ୍ତରରେ ପହୁଞ୍ଚାଇବାର ଉଦ୍ୟମ କରିଥିଲେ । ଫଳସ୍ଵରୂପ କବିଙ୍କ ଲିଖିତ କବିତା ପୁସ୍ତକ ‘ନୀଳ ଚନ୍ଦ୍ରର ଉପତ୍ୟକା’କୁ ସେମାନେ ‘ନୀଲେଚାନ୍ଦ୍‌ କୀ ଘାଟୀ’ ଶୀର୍ଷକ ଦେଇ ଅନୁବାଦ କରିଥିଲେ, ଯହିଁର ପ୍ରକାଶନ ବର୍ଷ ୨୦୦୨ । ଏହି ପୁସ୍ତକଟିରେ କବି ବିନୋଦ ‘ମେ ଔର୍‌ ମେରୀ କବିତା’ ଶିରୋନାମାରେ ଲେଖିଛନ୍ତି :

 

‘‘ଓଡ଼ିଆ ସାହିତ୍ୟ କେ କ୍ଷେତ୍ର ମେ ପଶ୍ଚିମି ସଭ୍ୟତା ଔର୍‌ ଚେତନା କେ ପ୍ରଭାବ ସେ ଲଗ୍‌ଭଗ୍‌ ସାତ ଦଶକ ପହଲେ କ୍ରାନ୍ତି କା ସୂତ୍ରପାତ ହୁଆ ଔର୍‌ ମାନବ ମୁକ୍ତିକା ନାରା ଗୁଂଜା । କବିୟୋଁ ନେ ସର୍ବହାରା ବର୍ଗ ପର କବିତା ଲିଖି ଔର୍‌ ବ୍ୟକ୍ତି କେ ବଦଲେ ଗଣ ଏବଂ ଧନକି ମହତ୍ତ୍ୱ ଦେନା ଶୁରୁ କିୟା । ଲଗଭଗ ଦୋ ଦଶକୋ କେ ବାଦ ଫ୍ରଏଡ୍‌ କେ ପ୍ରଭାବ ସେ ମନୋବୈଜ୍ଞାନିକ କବିତାଏଁ ଲିଖି ଜାନେ ଲଗୀ । ପରନ୍ତୁ ଏସୀ କବିତାଏଁ ଭୀ ଦେରୀ ତକ ନହିଁ ଟିକ୍‌ ସର୍କୀ । କବିୟୋଁ ନେ କାବ୍ୟ କେ କ୍ଷେତ୍ର ମେ ନୟା-ନୟା ପ୍ରୟୋଗ କରନା ପ୍ରାରମ୍ଭ କର ଦିୟା । କବିତା କା ଛନ୍ଦ ତିରୋହିତ ହୋ ଗୟା, ଭାଷା ଔର୍‌ ଅଭିବ୍ୟକ୍ତି କୌଶଳ ପୂର୍ଣ୍ଣତଃ ବଦଳ ଗୟେ । ମେ ଇସୀ ପୃଷ୍ଠଭୂମି ପର୍‌ ଜବ ସାହିତ୍ୟ କେ ମଂଚପର ଉତରା ତୋ ମେରୀ ଔର୍‌ ଲୋଗୋଁ ନେ ତର୍ଜନୀ ଉଠାୟୀ ଔର୍‌ ମୁଝେ ପଳାୟନ ବାଦୀ କବି କହା ।’’

 

କବି ପୁନଶ୍ଚ କହିଛନ୍ତି ‘‘ମୁଝେ ଯୈସେ କବି କୋ ବାରମ୍ବାର ଆଭିମୁଖ୍ୟ ବଦଲନା, ଭିନ୍ନ ଭିନ୍ନ ଦର୍ଶନ ସେ ପ୍ରଭାବିତ ହୋନା କତଇ ମଞ୍ଜୁର୍‌ ନହୀ ହେ । ମେ ଜୋ ଅନୁଭବ କର୍‌ତାହୁଁ ଔ ଝୋଲ୍‌ତା ହୁଁ, ଔହି ମେରେଲିୟେ ଚରମ ସତ୍ୟ ହୈ

 

ସାଂପ୍ରତିକ କବିତା ‘ରସ’ କେ ମଂଚ ସେ ଉତଚ୍‌ କର୍‌ ପ୍ରଜ୍ଞା କେ ଚିନ୍ତନ୍‌ କେ ମଂଚ ପର୍‌ ଆ ଗୟି ହେ । ସମକାଳୀନତା କେ ମଧ୍ୟେ ଜୋ ଚିରନ୍ତନ ତତ୍ତ୍ଵ ହୈ, ଔହି ଆଧୁନିକତା ହୈ । ଔର୍‌ ୟହ ଆଧୁନିକତା ନ ରସସିକ୍ତ ହେ ନ ପ୍ରଜ୍ଞାଯୁକ୍ତ ।

 

ମେ ଅପ୍‌ନେ ସେ ପୁଚ୍ଛତା ହୁଁ, କ୍ୟା ମୈ ଆଧୁନିକ୍‌ ହୁଁ ? ମୈ ଚାହାତାହୁଁ କି ୟହ ପ୍ରଶ୍ନ ହମେଶା ପ୍ରଶ୍ନ ବନ୍‌କର୍‌ ରହେ ଔର୍‌ ମେ ସଦୈବ ଏକ ବିବାଦାସ୍ପଦ କବି ବନ୍‍କର ରହୁଁ ।

 

କବି ବିନୋଦ ଚନ୍ଦ୍ରଙ୍କ ବ୍ୟକ୍ତିଗତ ଆଭିମୁଖ୍ୟ ‘ମେ ଔର୍‌‌ ମେରି କବିତା’ରେ ସୁସ୍ପଷ୍ଟ । ତେବେ ଅନୁବାଦକ ଦ୍ୱୟ ତାଙ୍କ ବିଷୟରେ ‘ପ୍ରତୀତି’ରେ ନିଜ ବକ୍ତବ୍ୟ ପ୍ରତିପାଦନ କରି କହିଛନ୍ତି ‘‘ସଂପ୍ରତି ଶ୍ରଦ୍ଧେୟ କବି ଡ: ବିନୋଦ ଚନ୍ଦ୍ର ନାୟକ’’ ଜୀ ଅଶି ବର୍ଷୀୟ ହୈ ଔର୍‌ ଓ୍ୱେ ଅପ୍‌ନି ଜନ୍ମଭୂମି, ସାହସପୁର ଜିଲ୍ଲା–ଝାରସୁଗୁଡ଼ା ଜୋ ସହରୀ ଜୀବନ କେ କୋଳାହଳ ଔ ପ୍ରଦୂଷଣ ଦୁର ଏକ ଛୋଟା ସା ଗାଓଁ ହୈ ମେ ଏକାନ୍ତ ଅନ୍ତର୍ମୁଖୀ ଜୀବନ କେ ଚୌଥେ ଚରଣ କୋ ଜୀ ରହେ ହେ-। ଆହ୍ଲାବାଦୀ କବି ଡ : ବଚ୍ଚନ ଜୀ କୀ କବିତା ପଢ଼୍‌କର ଜିସ୍‌ ପ୍ରକାର ଯୁବା-ପୀଢ଼ୀ ଝୂମ୍‌ ଉଠତୀ ଥୀ, ଠିକ୍‌ ଓସୀ ପ୍ରକାର ଡା: ନାୟକ କାବ୍ୟମୋଦୀ ପାଠକ ସମାଜ ମେ ସହଜ ଭାବବାଦୀ କବି କେ ରୂପ୍‌ ମେ ବହୁଚର୍ଚ୍ଚିତ ଏବଂ ସମାଦୃତ ହୁଏ ଥେ । କୁଣ୍ଠାରହିତ କବି କୀ ପ୍ରେମ, ପ୍ରଣୟ ତଥା ମୁକ୍ତ ଅଭିସାର ସଂବେଦନା ସେ ସରାବୋର୍‌ କବିତାୟେଁ ନ କେବଳ ନଇ କାବ୍ୟ ଧାରା କା ସନ୍ଦେଶ ଲେକର୍‌ ଆଇ ଥୀ, ବଲ୍‌କି ତତ୍କାଳୀନ ବିଷାଦିତ ସଂଘର୍ଷଶୀଳ ପ୍ରାଣୀ ମେ କୋମଳ ସିହରଣ ଭୀ ପୈଦା କିୟା ଥା ।

 

ମେରା ଆଶୟ ୟହ କହନା କତଇ ନହିଁ କି ଡା: ନାୟକ ଓଡ଼ିୟା ସାହିତ୍ୟ କେ ଅନ୍ୟତମ ଛାୟାବାଦୀ କବି ହୈ ଔର୍‌ ଉନ୍ନକି ରଚନାଏଁ ଭି ଛାୟାବାଦୀ ହୈ !

 

ଛାୟାବାଦୀ କବି ବିନୋଦ ଚନ୍ଦ୍ର ହିନ୍ଦୀ କବିତା ଜଗତର ନିରାଲା, ସୁମିତ୍ରା ନନ୍ଦନ ପନ୍ଥୀ, ରାମ୍‌ଧାରୀ ସିଂ ଦିନ୍‌କର୍‌ ପ୍ରମୁଖଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିଛନ୍ତି ରୋମାଣ୍ଟିକ୍‌ ଚେତନାରେ ନିଜକୁ ହଜାଇ ଦେଇ । ଏଠି ଦେଖିବାର କଥା ଅନୁବାଦ ମାଧ୍ୟମରେ ମୂଳ କବିତାର ଅନ୍ତଃସ୍ଵର, ସାଙ୍ଗିତିକତା ତଥା ଲାଳିତ୍ୟକୁ କେମିତି ଅନୂଦିତ କବିତାରେ ନିଖୁଣ ରଖିବାର ପ୍ରୟାସ କରିଛନ୍ତି ଅନୁବାଦକ ଦ୍ୱୟ ।

 

ଅବଲୁପ୍ତ ଶତାବ୍ଦୀର ଏକ ହେମନ୍ତର ଗଭୀର ନିଶାରେ

କକ୍ଷଭ୍ରଷ୍ଟ ତାରକାର ଅବନୀଳିମ ଆଲୋକ କଣା

ଝରିପଡ଼ି

ନାଙ୍ଗାପର୍ବତର ଶୀର୍ଷଶିଖେ

ପାତି ଦେଉଥିଲା ତୁଷାରର ଶୁଭ୍ର ଆସ୍ତରଣ

ତଳେ ଆଉ ତଳେ

ଇଉକାଲି ପଟ୍‌ସର

ଘନୀଭୂତ ଛାୟା

ତାର ତଳେ ଜନହୀନ ଉପତ୍ୟକା

ଜନହୀନ... ବିସ୍ତୀର୍ଣ୍ଣ ତୁ-ଷା-ର

ତାର ତଳେ ରାଜେ

ଚନ୍ଦ୍ରର ସମାଧି ସ୍ତୁପ

ଚତୁର୍ଦ୍ଦିଗେ ନିସ୍ତବ୍‌ଧ ଗମ୍ଭୀର

 

ଏହାରି ହିନ୍ଦୀ ଅନୁବାଦ

 

ବୀତୀ ଶତାବ୍ଦୀ କୀ ଏକ ଗହରୀ ହେମନ୍ତୀ ରାତ ମେ

ଆକାଶ ସେ ଟୁଟ୍‌ କର ନୀଳିମାର ହିତ ତାରେ କା ପ୍ରକାଶ-ପୁଂଜ

ଝର ରହା ଥା

ନାଂଗା ପର୍ବତ କୀ ଚୋଟୀ କେ ଉପର

ଜିସେ ବର୍ଫ କୀ ସଫେଦ ପରତେଁ ତଁକ ଦେଢ଼ୀ ଥୀ ନିରନ୍ତର

ନୀଚେ

ଔର୍‌ ନୀଚେ

ଯୁକାଲିପଟ୍‌ସ କୀ ଘନୀ ଛାୟା

ଔର୍‌ ଉସ୍‌କେ ନୀଚେ ଏକ୍‌ ନିର୍ଜନ ଘାଟୀ

ସୁନ୍‌ସାନ୍‌.. ପସରୀ ହୁଇ ବର୍ଫକି ଚଟ୍‌ଟାନ୍‌

ଜିସ୍‌କେ ନୀଚେ ସୁଶୋଭିତ ହୈ

ଚନ୍ଦ୍ରମା କୀ ସମାଧି

ଚାରୋ ଔର୍‌ ଫୈଲା ହୁଆ ସଘନ ସନ୍ନାଟା

 

ଏହି ଅନୁବାଦ ସଂପର୍କରେ କବି ଗଙ୍ଗାଧର ମେହେରଙ୍କ ଅନୁବାଦ କରିଥିବା ସାଧାରଣ କେତୋଟି କଥା ଯାହା ପ୍ରଫେସର ମଧୁସୂଦନ ପତି* ଉଲ୍ଲେଖ କରିଛନ୍ତି, ତାହା ହେଲା–‘‘The underlying tone and temper, sensibility and Sentiment of a text which give meaning to its meaning can be Captured by a target-language reader only it the requisite critical hint is made available to him before he embarks upon his voyage of discovery through the new poetic waters’’

 

ଗୋଟିଏ ପାଠ୍ୟର ଅନ୍ତର୍ନିହିତ ସୁର ଏବଂ ପ୍ରକୃତି, ଅନୁଭବ କ୍ଷମତା, ମନୋଭାବ ଯାହା ଅର୍ଥକୁ ଯୋଡ଼େ ତା'ରି ଅର୍ଥସହିତ ଲକ୍ଷ୍ୟ–ଭାଷାର ପାଠକ ତାକୁ ଧରିପାରିବ ଯଦି ତହିଁର ଆବଶ୍ୟକୀୟ ସମାଲୋଚନା ସମ୍ବନ୍ଧୀୟ ଆଭାସ ତାକୁ ଏକ ନୂଆ କାବ୍ୟିକ ଜଳରାଶି ଉପରେ ଆବିଷ୍କାର ଜନିତ ନୌଯାତ୍ରା ପ୍ରାରମ୍ଭରେ ଯୋଗାଇ ଦିଆଯାଇ ପାରିବ । ତେଣୁ ଗୋଟିଏ ସଫଳ କବିତାକୁ ଅନୁବାଦ ମାଧ୍ୟମରେ ଅସଫଳ ଓ ଅସଫଳ କବିତାକୁ ସଫଳ କରି ପାରିବାର କ୍ଷମତା ଜଣେ ଅନୁବାଦକର ଅଛି । ଏକ ବିଶ୍ଵାସନୀୟ ବୁଝାମଣା (reliable understaing) ରେ ପହଞ୍ଚିବା ସକାଶେ ଉଭୟ ଲେଖକ ଓ ଅନୁବାଦକଙ୍କ ମିଳିତ ଦାୟିତ୍ୱ ଅଛି, ଏହା ନିଃସନ୍ଦେହରେ କୁହାଯାଇ ପାରେ ।

 

ଏହି କବିତାରେ ମୂଳ ଭାଷାର ସାଂସ୍କୃତିକ ଐତିହ୍ୟବୋଧକ ଶବ୍‌ଦ ଅନୂଦିତ ଭାଷାରେ ସମାର୍ଥବୋଧକ ଭାବେ ପ୍ରାୟତଃ ବିଦ୍ୟମାନ, ଯେହେତୁ ଉଭୟ ‘‘ଦେବ ନଗରୀ ଓ ଓଡ଼ିଆର ତତ୍‌ସମ ଶବ୍ଦମାନେ ମୂଳ ସଂସ୍କୃତ ଭାଷାରୁ ହିଁ ଆନୀତ । ତେଣୁ କବି ବିନୋଦ ଚନ୍ଦ୍ରଙ୍କୁ ଭାରତୀୟ ଭାଷା ଛଡ଼ା ଅନ୍ୟ କୌଣସି ଅର୍ନ୍ତଜାତୀୟ ଭାଷା ଏପରିକି ଇଂରେଜୀରେ ଅନୁବାଦ କବିତାର ମୂଳ ଭାବବୋଧ, ସାଂଗୀତିକତାକୁ ନଷ୍ଟ କରିବାର ଆଶଙ୍କା ଖୁବ୍‌ ବେଶୀ । ଉପେନ୍ଦ୍ର ଭଂଜଙ୍କ ଭଳି ବିନୋଦଙ୍କୁ ଇଂରାଜୀରେ ଅନୁବାଦ ତା’ରି ଅନ୍ତଃସ୍ଵରକୁ ମ୍ରିୟମାଣ କରିଦେବାର ଭୟଥିବାରୁ ବୋଧେ ଏହି କବି ଅନ୍ୟାନ୍ୟ ଓଡ଼ିଆ କବିଙ୍କ ପରି ଇଂରାଜୀକୁ ଅନୂଦିତ ହେଇପାରି ନାହାନ୍ତି । କାଁ ଭାଁ ତାଙ୍କ ଓଡ଼ିଆ କବିତାର ଇଂରାଜୀ ଅନୁବାଦ ବିଭିନ୍ନ ପତ୍ର ପତ୍ରିକାରେ ଏକଦା ଦେଖିବାକୁ ମିଳୁଥିଲା । ‘‘ଏ ଶତାବ୍ଦୀର ଷଷ୍ଠ ଦଶକରେ ‘କରେଣ୍ଟ ଇଣ୍ଡିଆନ୍‌ ଲିଟିରେଚର୍‌’ ମନ୍ତବ୍ୟ କଲେ, Binod Chandra Nayak an avant garde is incessantly experimenting on verse pattern ବିନୋଦ ଚନ୍ଦ୍ର ନାୟକ, କଳାରେ ସର୍ବାଧୁନିକ ଧାରଣାକୁ ସମର୍ଥନ କରୁଥିବା କିମ୍ୱା ସୃଜୁଥିବା ବ୍ୟକ୍ତି ଅବିରତ ଭାବେ ପଦ୍ୟାଦର୍ଶରେ ପରୀକ୍ଷା ନିରୀକ୍ଷା କରି ଚାଲିଛନ୍ତି । ଡକ୍ଟର ମାୟାଧର ମାନସିଂହ ‘ଇଲଷ୍ଟ୍ରେଟେଡ଼୍‌ ଉଇକ୍ଲି ଅଫ ଇଣ୍ଡିଆରେ’ ପ୍ରକାଶିତ ଏକ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି–

 

Binod Chandra Nayak, an avant garde is notorious in contemporary Oriya poetry for deliberate outlandish poetic behaviour ?

 

ବିନୋଦ ଚନ୍ଦ୍ର ନାୟକ, ଜଣେ କଳାରେ ସର୍ବାଧୁନିକ ସୃଜନଶୀଳ କବି ଯେ ସମସାମୟିକ ଓଡ଼ିଆ କବିତାରେ ବିଦେଶୀୟ କାବ୍ୟିକ ଚିନ୍ତନ ଆଚରୁଥିବାରୁ ‘ଅପଖ୍ୟାତି’ ସଂପନ୍ନ-। ‘ସେ ମତେ ଗାଳିଦେଲେ କହିଲେ Escapist ବିଦେଶୀୟ । ଡକ୍ଟର ସଚ୍ଚି ରାଉତରାୟ ତାଚ୍ଛଲ୍ୟ କଲେ, ପଳାୟନ ପନ୍ଥୀ ।

 

ହାତୀ ଦାନ୍ତେ ଗଢ଼ା ତୋର ସପନର ସୌଖୀନ୍‌ ମିନାର ଭାଙ୍ଗିପଡ଼େ କବି

ଫୁଲର ଫସଲେ ତୋର ପଂଗପାଳ ତୋଳୁଛି ଭୈରବୀ ।

 

ଏବଂ

 

ଆରେ ଆରେ ପଳାୟନ ପନ୍ଥୀ,

ପଳାଇବୁ କାହିଁ

ଛିନ୍ନ କରି ଧରଣୀର ଗ୍ରନ୍ଥୀ ।

 

ପଦ୍ମଶ୍ରୀ ଡକ୍ଟର ସଚ୍ଚି ରାଉତରାୟଙ୍କ କିନ୍ତୁ ଏହା ମୁହଁର ଭାଷା, ଅନ୍ତରର ନୁହେଁ । ମୁ ଦେଖିଛି ସଭାସମିତି ଇତ୍ୟାଦିରେ ମୁଁ ତାଙ୍କ ବିରୋଧରେ କିଛି ମନ୍ତବ୍ୟ ଦେଲେ ମଧ୍ୟ ସେ ନୀରବ ହୋଇଯାନ୍ତି । ତାଙ୍କର ‘ଭାନୁମତୀର ଦେଶ-ସୁନ୍ଦରଗଡ଼’ ତାହାର କବିକୁ ସେ ଆଶୀର୍ବାଦ କରିଛନ୍ତି ।’’ ୩୧

 

୩୧. ମୁଁ କାହିଁକି ଲେଖେ, ସଂ ଡକ୍ଟର ବିଜୟାନନ୍ଦ ସିଂହ, ପ୍ର. ଫ୍ରେଣ୍ଡସ୍‌ ପବ୍ଲିଶ୍‌ର୍ସ, ୨୦୦୫

 

କବି ବିନୋଦ ରବୀନ୍ଦ୍ରନାଥ ଠାକୁର, କାଜି ନଜରୁଲ୍‌ ଇସ୍‌ଲାମଙ୍କ ବିଦ୍ରୋହୀ ଓ ଅନ୍ୟାନ୍ୟ କବିତା ବଙ୍ଗଳାରୁ ଅନୁବାଦ କରିଛନ୍ତି । ସେ ଉଭୟ ଓଡ଼ିଆ ଓ ବଙ୍ଗଳାରେ ପ୍ରବୀଣ ଥିବାରୁ ଏ ଭଳି କାମ ତାଙ୍କ ପାଇଁ ସହଜସାଧ୍ୟ ହୋଇଛି । ପୁନଶ୍ଚ ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ତାଙ୍କ ଲିଖିତ ଗଙ୍ଗାଧର ମେହେରଙ୍କ ଉପରେ ଏକ ମନୋଗ୍ରାଫ୍‌ ପ୍ରକାଶ କରିଛନ୍ତି । ତାଙ୍କ ଭାଷାରେ ‘‘ମୁଁ ଆଶୀର୍ବାଦ ପାଇଛି ଗୋପୀନାଥ ମହାନ୍ତି, ରାଜକିଶୋର ପଟ୍ଟନାୟକ, ରାଜ କିଶୋର ରାୟ, ବିକ୍ରମ ଦେବ ବର୍ମା (ମହାରାଜା ଜୟପୁର), ପ୍ରେମେନ୍ଦ୍ର ମିତ୍ର, ଡକ୍ଟର ସୁନୀତି କୁମାର ଚଟ୍ଟୋପାଧ୍ୟାୟ ପ୍ରମୁଖ ପ୍ରବୁଦ୍ଧ କବି ମହାପୁରୁଷଙ୍କ ଠାରୁ ସମ୍ବର୍ଦ୍ଧନା ପାଇଛି ନରେଶ ମେହେଟ୍ଟା (ଜ୍ଞାନପୀଠ ପୁରସ୍କାର ବିଜୟୀ, ଏହ୍ଲାବାଦ)ଙ୍କ ଠାରୁ, ଆଜ୍‌ମିର୍‌ର ‘ଲହର୍‌’ ପତ୍ରିକାର ସଂପାଦିକା ମନମୋହିନୀ ଜୈନ, ବଙ୍ଗଳାର କବି କବିତା ସିଂହଠାରୁ । ୩୨

 

୩୨. ମୁଁ କାହିଁକି ଲେଖେ ସଂ-ଡ. ବିଜୟାନନ୍ଦ ସିଂହ, ଫ୍ରେଣ୍ଡସ୍‌ ପବ୍ଲିଶର୍ସ ୨୦୧୫ ପୃଷ୍ଠା ୨୨

 

କବିଙ୍କ ସାମଗ୍ରିକ କାବ୍ୟ ସମ୍ଭାର ଆକଳନ କରିବାକୁ ଯାଇ ଅଧ୍ୟାପକ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କ ପ୍ରବନ୍ଧରେ କବିଙ୍କ ଏ ‘ମୋର ପରିଚୟ’ରୁ ଉଦ୍ଧାର କରି ସୂଚେଇଛନ୍ତି: ‘‘ମୁଁ ଲାବଣ୍ୟ ନଦୀ ତଟର କାଶ ଗଜରାର ଏକ ଗୀତବନ, ମତେ ଚୁମ୍ବିତ ଓଠ ରାଗରେ ରଚନା କର’’ । ପ୍ରାବନ୍ଧିକଙ୍କ ଭାଷାରେ ‘‘ଏଇଠି କାବ୍ୟ ପୁରୁଷ ଶାନ୍ତ, ଆତ୍ମସ୍ଥ’’ । ପ୍ରାବନ୍ଧିକ ପୁନଶ୍ଚ କବି ଉଦ୍ଧୃତ କରିଥିବା ସେକ୍‌ସପିୟର୍‌ଙ୍କ କାବ୍ୟାଂଶ ଉଦ୍ଧାର କରିଛନ୍ତି । ‘‘Enter this enchanted woodye those who care’’ (‘‘ଏଇ ସମ୍ମୋହିତ ଅରଣ୍ୟକୁ ପ୍ରବେଶ କର, ଯାହାଙ୍କର ଖାତିର୍‌ ଅଛି ସ୍ଥାନଟିକୁ ।’’)

 

ଉଭୟ ‘ଭାବବୋଧ’ ଓ ‘ଅର୍ଥବୋଧ’ର ଦୋଛକିରେ ପାଠକ ଜଣେ ଛିଡ଼ା ହୋଇଥିବା ବେଳେ କେହି ପଚାରିବାକୁ ଚାହିଁଲେ ଆରେକ ଜଣକଠୁ ଉତ୍ତର ଆସିପାରେ ‘‘ଯଦି କବିଙ୍କ ସଂପର୍କରେ ମତେ କିଛି ନ ପଚାର, ମୁଁ ତାଙ୍କୁ ବୁଝିଛି, ଯଦି ପଚାର, ମୁଁ କିଛି ବୁଝିନି ।

Image